Latest Odisha News

BREAKING NEWS

ପଞ୍ଚାନନ ମିଶ୍ର : ଶ୍ରଦ୍ଧା ଓ ସର୍ଜନାର ଉଦାର ବ୍ୟକ୍ତିତ୍ୱ

ସୌଭାଗ୍ୟବନ୍ତ ମହାରଣାଙ୍କର ସ୍ୱତନ୍ତ୍ର ଆଲେଖ୍ୟ 

ଇଂରାଜୀ ଭାଷା ଓ ସାହିତ୍ୟର ଜଣେ ପ୍ରଖ୍ୟାତ ପ୍ରଫେସର ଥିଲେ ପଞ୍ଚାନନ ମିଶ୍ର ; ଯିଏକି ଓଡ଼ିଆ ସାହିତ୍ୟର କବିତା, ପ୍ରବନ୍ଧ, ସମାଲୋଚନା , ଅନୁବାଦ ତଥା ସମ୍ପାଦନାରେ ବିପୁଳ ମାତ୍ରାରେ ସ୍ଵୀୟ ମୌଳିକତା ଓ ପାରଦର୍ଶିତା ପ୍ରଦର୍ଶନ କରିଥିଲେ। ଗତ ଫେବୃୟାରୀ ୧୨ରେ ଅଚାନକ ତାଙ୍କ ଦେହାନ୍ତର ମର୍ମନ୍ତୁଦ ଖବର ପାଇ ମୁଁ ଦୁଃଖରେ ମର୍ମାହତ ହୋଇଗଲି। ବିଗତ ଦଶ ବର୍ଷ ଧରି ସାହିତ୍ୟର ପୃଷ୍ଠଭୂମିରେ ସେ ମୋର ପ୍ରିୟ କବି, ସମାଲୋଚକ ଏବଂ ଅନ୍ତରଙ୍ଗ ବନ୍ଧୁ ଥିଲେ। ଜୀବନ ଯାତ୍ରାର ପ୍ରତିଟି ପାଦରେ ତାଙ୍କର ସୃଜନ ଓ ବ୍ୟକ୍ତିତ୍ୱ ଯେତେ ଚିତ୍ତାକର୍ଷକ ଥିଲା ସେତିକି ଭାବ ଗମ୍ଭୀର ଥିଲା।

୨୦୧୧ ରେ ସାରସ୍ୱତ ସାହିତ୍ୟ ସଂସଦ ଛେଣ୍ଡିପଦା ଅନୁଗୋଲରେ ସାରସ୍ୱତ ସମ୍ମାନ -୨୦୧୧ ପାଇଁ ମୁଁ ଯୋଗ୍ୟ ବିବେଚିତ ହେବା ଅବସରରେ ତାଙ୍କୁ ପ୍ରଥମେ ଭେଟିଥିଲି। ସେଇ ସଭାରେ ସେ ଥିଲେ ମୁଖ୍ୟବକ୍ତା। ସେଇ ସଭାରେ ସୌଭାଗ୍ୟ କୁମାର ମିଶ୍ର ମୁଖ୍ୟ ଅତିଥି ଏବଂ ରୋହିଣୀକାନ୍ତ ମୁଖାର୍ଜୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଆଧୁନିକ ଓ ଉତ୍ତର ଆଧୁନିକ କବିତା ସମ୍ପର୍କରେ ସ୍ୱର୍ଗତଃ ମିଶ୍ରଙ୍କର ଅଭିଭାଷଣ ଏତେ ଚମତ୍କାର ଥିଲା ମୁଁ ଯେତିକି ମୁଗ୍ଧ ହେଲି ସେତିକି ଆଶ୍ଚର୍ଯ୍ୟ ହେଲି। ତାଙ୍କର ସେଦିନର ବକ୍ତବ୍ୟ ମତେ ଆଜି ବି ଅଭିଭୂତ କରେ।

ସେ ଥିଲେ ଏକାଧାରରେ ଓଡ଼ିଆ ଓ ଇଂରାଜୀ ସାହିତ୍ୟର ସୁବକ୍ତା ଓ କବିତା ତଥା ସମାଲୋଚନା ସାହିତ୍ୟର ପ୍ରାଜ୍ଞ ଓ ପ୍ରଥିତଯଶା ସ୍ରଷ୍ଟା। ତାଙ୍କ ସହ ମୋର ବିଗତ ଦଶ ବର୍ଷର ପରିଚୟର ସ୍ମୃତି ଦଶଯୁଗର ପରିଚୟ ପରି ପ୍ରତୀୟମାନ ହୁଏ।

ପ୍ରସିଦ୍ଧ କବି ଓ ସମାଲୋଚକ ଶ୍ରୀ ମିଶ୍ର ପଟ୍ଟାମୁଣ୍ଡାଇ କଲେଜ, ରାଜେନ୍ଦ୍ର କଲେଜ, ବରଗଡ଼ ପଞ୍ଚାୟତ କଲେଜ ଓ ଗଙ୍ଗାଧର ମେହେର କଲେଜରେ ଅଧ୍ୟାପନା ବୃତ୍ତିରେ ଥାଇ ୨୦୧୦ ରେ ସେବା ନିବୃତ୍ତ ହେଲେ। ଜଣେ ଛାତ୍ର ବତ୍ସଳ ଅଧ୍ୟାପକ ଭାବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେ ଅତ୍ୟନ୍ତ ପ୍ରିୟ ଥିଲେ। ତାଙ୍କର ଭାବଗର୍ଭକ ବକ୍ତବ୍ୟ ଓ ସର୍ଜନଶୀଳ ପ୍ରତିଭାର ପୃଷ୍ଠଭୂମିରେ ସେ କେବଳ ଛାତ୍ରଛାତ୍ରୀମାନଙ୍କର ନୁହେଁ ସାଧାରଣ ଲୋକଙ୍କର ମଧ୍ୟ ପ୍ରିୟ ଥିଲେ।

ସ୍ୱର୍ଗତଃ ମିଶ୍ର ଜଣେ ବହୁପ୍ରସ୍ଥ ଲେଖକ ଓ କବି ଯାହାଙ୍କ ସର୍ଜନାରେ ଅତ୍ୟାବଧି ୨୬ ଟି ପୁସ୍ତକ ପ୍ରକାଶିତ ହୋଇ ଅଗଣିତ ପାଠକ, ଛାତ୍ରଛାତ୍ରୀ, ଅଧ୍ୟାପକ ତଥା ଗବେଷକଙ୍କୁ ମାର୍ଗଦର୍ଶନ କରିବାରେ ସହାୟକ ହୋଇଛି।

ଆଧୁନିକ ଓଡ଼ିଆ କବିତାର ଗର୍ଭଗୃହକୁ ଯାଇ ସେମାନକୁ ବିଶ୍ଳେଷଣ କରିବା ତଥା ସମାଲୋଚନାର ପ୍ରେକ୍ଷାପଟ୍ଟରେ କବିତାମାନଙ୍କୁ ଆକଳନ ଓ ଅନୁଶୀଳନ କରିବାର ବିଶେଷ ଯୋଗ୍ୟତା ତାଙ୍କଠାରେ ହିଁ ଥିଲା। ତାଙ୍କ ରଚିତ ପିଏଚଡ଼ି ଥେସିସ ପାଇଁ ଅମୂଲ୍ୟ ଗ୍ରନ୍ଥ ‘ମିଥ ଏଜ ପଏଟିକ ଡିସକୋର୍ସ : ଏ ଷ୍ଟଡି ଅଫ ଡବ୍ଲୁ. ବି. ୟିଟ୍ସ ଆଣ୍ଡ ଟି. ଏସ ଏଲିଅଟ” ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଇଁ ଏକ ଉଚ୍ଚକୋଟୀର ସର୍ଜନା। ଓଡ଼ିଆ କବିତାର ମିଥ ପ୍ରସଙ୍ଗ ଉପରେ ତାଙ୍କର କବିତା ସଙ୍କଳନ ସବ୍ୟସାଚୀର ଶୋକ, ସୀତାଙ୍କ ଶେଷ ରାତି , ଅର୍ଦ୍ଧନାରୀଶ୍ୱରଙ୍କ ଅର୍ଦ୍ଧ ଚନ୍ଦ୍ର, ପୁରୁବାର ପୂର୍ଵରାଗ ପ୍ରଭୃତି ପାଠକଙ୍କୁ ଏବଂ କବିମାନଙ୍କୁ ଖୁବ୍ ପ୍ରେରଣା ପ୍ରଦାନ କରିଛି। ତାଙ୍କ କବିତ୍ୱ ଥିଲା ମାର୍ଜିତ ଓ ମାନନଶୀଳ।

ଓଡ଼ିଆ ସାହିତ୍ୟର ସମାଲୋଚନାର ଦିଗନ୍ତରେ ସେ ଥିଲେ ଜଣେ ପ୍ରଭାବଶାଳୀ ଓ ପ୍ରଭାଦୀପ୍ତ ଜ୍ୟୋତିଷ୍କ ଯାହାଙ୍କ ସମାଲୋଚନା ପାଶ୍ଚାତ୍ୟ ସାହିତ୍ୟର କାବ୍ୟତତ୍ତ୍ୱ ଓ ଜିଜ୍ଞାସାକୁ ଆପଣେଇ ନେଇ ଓଡ଼ିଆ ସମାଲୋଚନା ସାହିତ୍ୟର ଏକ ନୂଆ ଧାରା ସୃଷ୍ଟି କରିବାକୁ ସମର୍ଥ ହୋଇଥିଲା। ତାଙ୍କ ବହୁ ଚର୍ଚ୍ଚିତ ଓ ପଠିତ ପ୍ରବନ୍ଧ ସଙ୍କଳନ ” ସାହିତ୍ୟ ସମାଲୋଚନା : ତାତ୍ତ୍ଵିକ ଓ ପ୍ରାୟୋଗିକ ପ୍ରସଙ୍ଗ ” ୨୦୧୫ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିଲା। ପୁନଶ୍ଚ ବ୍ୟାସକବି ଫକୀରମୋହନ ସେନାପତିଙ୍କ “ଛମାଣ ଆଠଗୁଣ୍ଠ” ଭଳି ଅମର ଉପନ୍ୟାସ ତଥା ପ୍ରଥିତଯଶା କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତା ଓ ଜୀବନ ଦୃଷ୍ଟି ସମ୍ପର୍କରେ ଦୁଇଟି ସମାଲୋଚନା ଗ୍ରନ୍ଥ ରଚନା କରି ଓଡ଼ିଆ ସାହିତ୍ୟର ବାଣୀ ଭଣ୍ଡାରକୁ ସେ ସମୃଦ୍ଧ କରିଛନ୍ତି। ବିଶିଷ୍ଟ ଜର୍ମାନ କବି ରିଲଡେସଙ୍କ ବୁଇନୋ ଏଲିଜି ଗୁଚ୍ଛ କବିତାର ଓଡ଼ିଆ ଅନୁବାଦ କରି ସେ ଓଡ଼ିଆ ସାହିତ୍ୟର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି।

ସ୍ୱର୍ଗତଃ ମିଶ୍ର ବାସ୍ତବରେ ଥିଲେ ଏକ ବହୁମୁଖୀ ଓ ପ୍ରଜ୍ଞାଦୀପ୍ତ ପ୍ରତିଭାର ଅଧିକାରୀ। ସୁଦୂର ଆମେରିକାର ବିଭିନ୍ନ ସ୍ଥାନରେ ଜଗନ୍ନାଥ ତତ୍ତ୍ୱ ଓ ମହତ୍ତ୍ଵ ଉପରେ ଯେଉଁ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ତାହା କେବଳ ଭାରତୀୟଙ୍କୁ ନୁହେଁ ଆମେରିକାବାସୀଙ୍କୁ ମଧ୍ୟ ମୁଗ୍ଧ କରିଥିଲା। ତାଙ୍କ ବିୟୋଗ ଓଡ଼ିଶା ସାହିତ୍ୟ ଜଗତରେ ଏକ ଅପୁରଣୀୟ ଶୂନ୍ୟସ୍ଥାନ। ବ୍ୟକ୍ତିଗତ ଭାବରେ ସେ ମୋର ପ୍ରିୟ କବି ଏବଂ ସମାଲୋଚକ ଭାବରେ ସବୁବେଳେ ମୋ ହୃଦୟରେ ରହିବେ। ସ୍ୱର୍ଗତଃ ମିଶ୍ରଙ୍କ ଦ୍ୱାଦଶାହ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ପ୍ରଣାମ।

ଶିବମ କଲୋନୀ
ଆୟକର ଭବନ
ସମ୍ବଲପୁର ୯୪୩୭୪୫୭୭୩୬

Comments are closed, but trackbacks and pingbacks are open.