Latest Odisha News

BREAKING NEWS

ବ୍ୟଙ୍ଗ : ରାମାୟଣ ପୁନର୍ଲିଖନ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ… 

ତ୍ରେତୟା ଯୁଗର କଥା । ପ୍ରଭୁ ଶ୍ରୀରାମ ଶ୍ରୀଲଙ୍କା ଜୟ ପରେ ମାତା ସୀତାଙ୍କୁ ସାଙ୍ଗରେ ଧରି ଅଯୋଧ୍ୟା ଫେରିଲେ । ଅଯୋଧ୍ୟା ସୀମାରେ ବାଣ ରୋଷଣୀ ଧରି ଭରତ ଅପେକ୍ଷା କରିଥାନ୍ତି । ଭରତ ଦେଖିଲେ ପ୍ରଭୁ ତ ଆସିଛନ୍ତି କିନ୍ତୁ ସାଙ୍ଗରେ ଆସିଛନ୍ତି ଅସଂଖ୍ୟ ବାନର । ଏହାର କାରଣ ପୂଛନ୍ତେ ରାମଚନ୍ଦ୍ର ସ୍ମିତ ହାସ୍ୟ ହସି କହିଲେ,”ପ୍ରିୟ ଅନୁଜ ଏହି ବାନରମାନଙ୍କ ବିନା ଲଙ୍କା ଜୟ ସମ୍ଭବ ନଥିଲା । ଏମାନଙ୍କ ତ୍ୟାଗ ଓ ସେବାକୁ ଭୁଲି ହେବନାହିଁ । ସେମାନେ ସେମାନଙ୍କ ସ୍ୱପ୍ରବୃତ୍ତି ଛାଡି କ୍ଷତ୍ରିୟ ପ୍ରବୃତ୍ତି ଆପଣେଇ ସାରିଲେଣି । ସେମାନେ ଏବେ ଅଯୋଧ୍ୟାରେ ରହିବେ । ସେମାନକୁ ଅଯୋଧ୍ୟା ସୈନ୍ୟବାହିନୀରେ ସାମିଲ କରାଯିବ । ଅଯୋଧ୍ୟାର ମହାମନ୍ତ୍ରୀ କାମଚଳା ରାଜା ଭରତଙ୍କ କାନରେ ଫିସ୍ ଫିସ୍ କରି କହିଲେ, “ରାଜନ ଆପଣ ଭ୍ରାତାଶ୍ରୀଙ୍କୁ ବୁଝାନ୍ତୁ । ବାନରମାନେ ଜଙ୍ଗଲରେ ରହିଲେ ଆମେ ଏଠି ସୁରକ୍ଷିତ ରହିବୁ । ମାତା ସୀତାଙ୍କୁ ଫେରେଇଆଣିବାରେ ସେମାନଙ୍କ ସହଯୋଗକୁ ଆମେ ଭୁଲି ପାରିବୁ ନାହିଁ । ସେମାନଙ୍କ ପାଇଁ ଏକ ବିରାଟ ଅଭୟାରଣ୍ୟ ସୃଷ୍ଟି କରିବା । ସେମାନଙ୍କ ସମସ୍ତ ଖାଦ୍ୟପେୟର ବ୍ୟବସ୍ଥା ସେଠାରେ ରହିବ । ସେମାନେ ସେଇଠି ଆରାମରେ ରୁହନ୍ତୁ । ଆପଣ ରାମଚନ୍ଦ୍ରଙ୍କୁ ବୁଝାନ୍ତୁ ଏତେ ସଂଖ୍ୟାରେ ବାନର ଅଯୋଧ୍ୟାରେ ପ୍ରବେଶ କଲେ ରାଜ୍ୟ ଧ୍ଵଂସ ପାଇଯିବ । ଲୋକଙ୍କ ବାରି ବଗିଚା ଚାଷ କିଛିବି ସୁରକ୍ଷିତ ରହିବ ନାହିଁ । ଛୋଟ ମୁହଁରେ ବଡ଼ କଥା , ଆପଣ ଦେଖିବେ ମହାରାଜ ଏହି ବାନର ମାନେ ଦିନେ ଆମ ପାଇଁ ମହା ସମସ୍ୟା ହୋଇ ଉଭା ହେବେ ।”

ଭରତ ରାମଚନ୍ଦ୍ରଙ୍କୁ ଗୋଟେ କଡ଼କୁ ଡାକି ମହାମନ୍ତ୍ରୀଙ୍କ ଆଶଙ୍କା ବିଷୟରେ କହିଲେ । ରାମଚନ୍ଦ୍ର କିଛି ସମୟ ଚିନ୍ତାକରି ହନୁମାନଙ୍କ ମତ ଚାହିଁଲେ । ହନୁମାନ ନିଜ ସହ ଆସିଥିବା ହଜାର ହଜାର ବାନରମାନଙ୍କ ଆଡ଼କୁ ଚାହିଁଲେ ତା ପରେ ରାମଚନ୍ଦ୍ରଙ୍କୁ କହିଲେ,”ପ୍ରଭୁ ଏମାନେ କେତେ ଆଶା ନେଇ ଆମ ସହ ଆସିଛନ୍ତି । ସେମାନଙ୍କ ମନରେ କେତେ ସ୍ୱପ୍ନ, କେତେ ଉଦ୍ଦୀପନ୍ନା । ଏବେ ସେମାନେ ସହରରେ ରହିବେ । ସେମାନଙ୍କ ପିଲାମାନେ ସ୍କୁଲ ଯିବେ । ପାଠ ପଢି ଶିକ୍ଷିତ ହେବେ । ସେମାନଙ୍କୁ ଆଉ କେହି ମାଙ୍କଡ କହି ପରିହାସ କରିବେ ନାହିଁ । ଅତି ବ୍ୟାକୁଳ ହୋଇ ସେମାନେ ଆପଣଙ୍କ ନିଷ୍ପତିକୁ ଚାହିଁ ରହିଛନ୍ତି । ଆପଣ ନ୍ୟାୟର ମୂର୍ତ୍ତିମନ୍ତ ସ୍ୱରୂପ । ଯାହା ବିଚାର କରିବେ ।”

ପ୍ରଭୁ ରାମଚନ୍ଦ୍ର ଭରତଙ୍କୁ କହିଲେ ସେମାନଙ୍କ ତ୍ୟାଗକୁ ମୁଁ କେବେ ଭୁଲି ପାରିବି ନାହିଁ । କାମ ସରିଲା ପରେ ସେମାନଙ୍କୁ ଏମିତି ଅସହାୟ ଭାବେ ଛାଡ଼ିଦେବା ଠିକ ହେବ ନାହିଁ । ଯୁଗ ଯୁଗ ଧରି ମୋ ନାମରେ କଳଙ୍କ ଲାଗିବ ।” ମହାମନ୍ତ୍ରୀ ହାତ ଯୋଡି ରାମଚନ୍ଦ୍ରଙ୍କୁ କହିଲେ, “ଆପଣ ସର୍ବଦ୍ରଷ୍ଟା । ମୁଁ ଆପଣଙ୍କୁ କ’ଣ ଅଧିକ କହିବି । କିନ୍ତୁ ଆଜି ଭାବପ୍ରବଣ ହୋଇ ବାନରମାନଙ୍କୁ ସହର ମଧ୍ୟରେ ଥଇଥାନ କରିବାର ଯେଉଁ ନିଷ୍ପତ୍ତି ନେଉଛନ୍ତି ସେଥିପାଇଁ ଦିନେ ସମଗ୍ର ପ୍ରଜା ଆପଣଙ୍କୁ ଦୋଷ ଦେବେ ।”

ରାମଚନ୍ଦ୍ର କହିଲେ, “ଆପଣ ଠିକ କହୁଛନ୍ତି ମୁଁ ଜାଣିଛି ଏହି ବାନର ମାନଙ୍କ ଯୋଗୁଁ ହୁଏତ ଦିନେ ରାମରାଜ୍ୟ ଧ୍ୱଂସ ପାଇବ । କିନ୍ତୁ ମୁଁ ମୋ ନିଷ୍ପତ୍ତିରୁ ଓହରି ସତ୍ୟଦ୍ରୋହୀ ହୋଇପାରିବିନି ।” ଅଗତ୍ୟା ଅଗ୍ରଜଙ୍କ ନିଷ୍ପତ୍ତି ଆଗରେ ଭରତ ମୁଣ୍ଡ ନୁଆଇଁ ଭାଇ ଭାଉଜଙ୍କ ସହ ବାନରମାନଙ୍କୁ ମଧ୍ୟ ଅଯୋଧ୍ୟା ନଗରୀ ମଧ୍ୟକୁ ପାଛୋଟି ନେଲେ ।

ଆଜି ଆମେ ସହରରେ ଯେଉଁ ବାନରମାନଙ୍କୁ ଦେଖୁଛୁ ଏମାନେ ସମ୍ଭବତଃ ରାମଚନ୍ଦ୍ରଙ୍କ ଦ୍ୱାରା ସହରରେ ଥଇଥାନ ହୋଇଥିବା ବାନରମାନଙ୍କ ବଂଶଧର । ଆଜି ଯେପରି ଇତିହାସ, ଦର୍ଶନର ପୁନଃଲିଖନ ଚାଲିଛି ସେହିଭଳି ପୁରାଣମାନଙ୍କୁ ମନ୍ଥନ କରି ସେଥିରୁ ଇତିହାସ ଲହୁଣୀ ବାହାରକରୁଥିବା ଆମର ପ୍ରୋଟୋ-ଐତିହାସିକମାନଙ୍କ ମତରେ ଜଙ୍ଗଲ ଛାଡି ବାନରମାନଙ୍କ ସହର ପ୍ରବେଶ ରାମଚନ୍ଦ୍ରଙ୍କ ରାଜୁତି ସମୟରେ ହୋଇଥିଲା  ଏବଂ ଆଜି ଆମେ ଯେଉଁ ଶାସନ ବ୍ୟବସ୍ଥା ଦେଖୁଛୁ ବାସ୍ତବରେ ଶ୍ରୀହନୁମାନଙ୍କ କିଷ୍କିନ୍ଦା ଡାଇନାଷ୍ଟି ତାହାର ମୂଳଦୁଆ ପକାଇଥିଲେ ।

ସେ ଯାହାହେଉ ବାନରମାନଙ୍କ ସହର ପ୍ରବେଶ ପରେ ସହରବାସୀ ପ୍ରମାଦ ଗଣିଲେ । ଦିନ ପ୍ରତିଦିନ କାହା ନା କାହା ବାରିରୁ କଦଳୀ ଚୋରି ହେଲାଣି ତ କେଉଁ ଚାଷୀର ପରିବା ବିଲରୁ ପରିବା ଉଭାନ ହେଲାଣି । କାହା ଚାଳ କଣା ହେଲାଣି ତ କାହା ଘରେ ପଶି ଖାଇବା ଜିନିଷ ନଷ୍ଟ କଲେଣି । ଆସ୍ତେ ଆସ୍ତେ ପୁରା ଅଯୋଧ୍ୟା ନଗରୀ ଉପରେ ବାନରମାନଙ୍କ ରାଜୁତି ଚାଲିଲା । ଆସ୍ତେ ଆସ୍ତେ ନଗରବାସୀଙ୍କ ସହିବା ସୀମା ପାର କଲାପରେ ଆରମ୍ଭ ହେଲା ନର ବାନରଙ୍କ ଗୋଷ୍ଠୀ କନ୍ଦଳ । ପ୍ରତିଦିନ ଉଭୟ ଗୋଷ୍ଠୀରୁ କେହି ନା କେହି ମୃତାହତ ହେଲେ । ପ୍ରଜାବତ୍ସଳ ରାମଚନ୍ଦ୍ରଙ୍କର ଅକଲ ଗୁଡୁମ । ଇଆଡୁ ମାରିଲେ ମର୍କଟ ହତ୍ୟା ସିଆଡୁ ମାରିଲେ ପ୍ରଜାହତ୍ୟା ।

ଥରେ ମାଙ୍କଡ଼ ମାନଙ୍କର ଗୋଟେ ଏମ୍ରଜେନ୍ସି ମିଟିଂ ବସିଲା । ବୁଢା ଗେଧ ଜଣେ କହିଲେ, “ବାବୁ ଓ ମା ମାନେ ମନେରଖ ଅତିରୁ ଇତି । ଏମିତି ଉତ୍ପାତ ଚଳେଇ ରଖିଲେ ଦିନେ ରାଜା ଆମକୁ ରାଜ୍ୟରୁ ବାହାର କରିଦେବେ । ତେଣୁ ତା ପୂର୍ବରୁ ଆମମାନଙ୍କୁ ଷ୍ଟ୍ରାଟେଜି ବଦଳେଇବାକୁ ପଡିବ । ଆମକୁ କିଛି ସମାଜ ମଙ୍ଗଳ କାର୍ଯ୍ୟକ୍ରମ ହାତକୁ ନେବାକୁ ପଡିବ । ତାପରେ ଆମ ମାନଙ୍କୁ ସକ୍ରିୟ ରାଜନୀତିରେ ଭାଗ ନେଇ ରାଜ୍ୟ ଶାସନର ଅଂଶୀଦାର ହେବାକୁ ପଡିବ ।” ଗୋଟେ ସୁନ୍ଦରୀ ପାତି ଉଠି କହିଲେ , ” ଏଥିପାଇଁ ପ୍ରଥମେ ଆମକୁ ନାଗରିକତାର ମାନ୍ୟତା ଦେବାକୁ ରାଜାଙ୍କ ପାଖରେ ଦାବି କରିବାକୁ ହେବ ।”

ଏଥିରେ ସମସ୍ତେ ହଁ ଭରିଲେ ଓ ହନୁମାନଙ୍କୁ ଏ ଦାୟିତ୍ୱ ଦିଆଗଲା । ବେଳ କାଳ ଉଣ୍ଡି ହନୁମାନ ରାଜା ରାମଚନ୍ଦ୍ରଙ୍କ ପାଖରେ ଗୁହାରି କଲେ “ପ୍ରଭୁ ଆପଣ ତ ଜାଣନ୍ତି ଆପଣଙ୍କ ପୂର୍ବଜମାନେ ଏକଦା ବାନର ଥିଲେ । ସେହି ଅନୁସାରେ ଆପଣ ଆମର ରକ୍ତ ସମ୍ପର୍କୀୟ ।ସେଇଥିପାଇଁ ଆମ ନାମ ସହ ନର ଯୋଡ଼ିହେଇଛି । ଆପଣ ହେଲେ ଲିରୋଳା ନର ଆମେ ହେଲୁ ବିଶେଷ ନର ସେଥିପାଇଁ ଆମେ ବାନର । ବାନରମାନଙ୍କୁ ନାଗରିକର ମାନ୍ୟତା ଦେଇ ଆମକୁ ରାଜ୍ୟର ମୁଖ୍ୟ ସ୍ରୋତରେ ସାମିଲ ହେବାର ସୁଯୋଗ ଦିଅନ୍ତୁ ।”

ଏ ପ୍ରସ୍ତାବ ଶୁଣି ପ୍ରଭୁ ରାମଚନ୍ଦ୍ରଙ୍କ ମୁଣ୍ଡ ଟିଣ । ସେ ଏବେ ବୁଝିପାରିଲେ ଯେଉଁମାନଙ୍କୁ ଦିନେ ଦୟା ପରବଶ ହୋଇ ନିଜ ରାଜ୍ୟରେ ରହିବାକୁ ଅନୁମତି ଦେଇଥିଲେ ଆଜି ସେଇମାନେ ତାଙ୍କ ଗାଦି ଉପରେ ଆଖି ପକେଇଲେଣି । ବ୍ୟତବ୍ୟସ୍ତ ରାମଚନ୍ଦ୍ର ନିଜ କୁଳଦେବତାଙ୍କୁ ସ୍ମରଣ କଲେ । ଦେବାଧିପତି ଉଭା ହୋଇ କହିଲେ ଦେଖନ୍ତୁ ରାମଚନ୍ଦ୍ର ଆପଣ ନିଜେ ହେଲେ ତ୍ରିକାଳଦର୍ଶୀ । ଆପଣଙ୍କୁ ଆଉ କଣ ଅଛପା ଅଛି । ମୁଁ କେବଳ ଏତିକି ଆପଣଙ୍କୁ ଆଶ୍ୱାସନା ଦେବି । ଆପଣ ବଞ୍ଚି ଥିବା ଯାଏଁ ସୁଶାସନ ରହିବ। ଏହା ବାଦ ଯୁଗ ଯୁଗ ଧରି ଶାସନ ଭାର ମାଙ୍କଡ଼ମାନଙ୍କ ହାତରେ ରହିବ । ରାଜ୍ୟବାସୀ କେବଳ ଆପଣଙ୍କ ଶାସନକୁ ମନେପକଉଥିବେ ଓ ଯୁଗ ଯୁଗ ଧରି ଏହି ମର୍କଟମାନଙ୍କର ବଂଶଧରଙ୍କୁ ଶାସନଭାର ଅର୍ପଣ କରୁଥିବେ । କିନ୍ତୁ ସେ ସୁଶାସନ ଆଉ ଫେରିବ ନାହିଁ ।

 

Comments are closed, but trackbacks and pingbacks are open.