ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପତିତପାବନ ଭାବର ପରିପ୍ରକାଶ ଘଟିଛି ସିଂହଦ୍ୱାର ଗୁମୁଟ ମଧ୍ୟରେ । “ପତିତପାବନ “ପ୍ରତିମା ଆକାରରେ ଏବଂ ଏହି ପତିତପାବନ ଆଜି ସମସ୍ତ ଭକ୍ତ( ଯେଉଁ ମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା )ଙ୍କ ପାଇଁ ଆଶା ଓ ଆନନ୍ଦର ଉତ୍ସ ପାଲଟିଛନ୍ତି । ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୧୫୯ ବିରାଜିତ ପ୍ରଭୂ ପତିତପlବନଙ୍କ ସେବା ପୂଜାର ଅଧିକାରୀ ବା ସେବକ ପୂଜାପଣ୍ଡା ନିଯୋଗ। ପତିତପାବନଙ୍କ ଦୈନିକ ନୀତି, ବେଶ, ଭୋଗ, ପହୁଡ଼ ଇତ୍ୟାଦି ସମସ୍ତ କାର୍ଯ୍ୟ ବା ସେବା ଏହି ପୂଜାପଣ୍ଡା ସେବକଙ୍କ ଦ୍ୱାରା ସମ୍ପନ୍ନ ହୁଏ।
ପୂଜାପଣ୍ଡା ନିଯୋଗ ଦ୍ୱାରା କରାଯାଉଥିବା ବାର୍ଷିକ ନିଲାମ ଦ୍ୱାରା ଜନୈକ ପୂଜାପଣ୍ଡାଙ୍କୁ ଏହି କ୍ଷୁଦ୍ର ମନ୍ଦିର ଓ ପତିତପାବନ ବିଗ୍ରହଙ୍କ ସେବା, ପୂଜା ଓ ପରିଚାଳନା ଭାର ଅର୍ପଣ କରାଯାଏ। ଶ୍ରୀମନ୍ଦିର ତରଫରୁ ପ୍ରତିଦିନ ଗୋଟିଏ ପୁଷ୍ପ ଅଳଙ୍କାର (ଗୁଣା )ଓ ତୁଳସୀ ତଥା ପୁଷ୍ପ ଅଳଙ୍କାର (ମାଳ )ଯୋଗାଇ ଦିଆଯାଏ। ସେହିପରି ଶ୍ରୀମନ୍ଦିର ବାହାର ରୋଷରୁ ଭୋଗ ପାଇଁ କାକରା ଏକ ଗୋଟି, ମହନ ଭୋଗ , ଏକ ଓଳି, ବଲ୍ଳଭ , ଏକ ଓଳି ଖଞ୍ଜା ଯାଇଛି । ପରମ୍ପରା ଅନୁଯାୟୀ ପତିତପାବନଙ୍କ ଅଣଶର ନୀତି ପାଳିତ ହୁଏ। ପତିତପାବନ ମନ୍ଦିର ବନ୍ଦ ରହି ଏକ ବାଉଁଶ ତାଟିରେ କ୍ଷୁଦ୍ର ନାରାୟଣ ଚିତ୍ର ପୂଜା ପାଆନ୍ତି। ଅଣସର ପୂଜା ଭଳି ଏଠାରେ କେବଳ ପଣା ଭୋଗ ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ବେଶ ମଧ୍ୟରୁ ଦୁଇଟି ବେଶ ଯଥା ପଦ୍ମ ବେଶ ଓ ଗଜ ଉଦ୍ଧାରଣ ବେଶ ମଧ୍ୟ ପତିତପାବନଙ୍କୁ କରାଯାଏ। ଶ୍ରୀମନ୍ଦିର ବେଢା ମଧ୍ୟରେ ପୁରାଣ ଘରଠାରେ ଏକ ପତିତପାବନ ମୂର୍ତ୍ତି ପୂଜା ପାଉଛନ୍ତି। ତେଣୁ ପତିତପାବନଙ୍କଠାରେ ଶ୍ରୀଜଗନ୍ନାଥଙ୍କୁ ବା ଶ୍ରୀଜଗନ୍ନାଥତ୍ବ ଆରୋପିତ ହେବା ନିଶ୍ଚିତ ଭାବେ ସମୀଚିନ ଅଟେ। ଆସନ୍ତୁ ତେବେ ଆମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କ ଏକ ବିଶାଳ ଚେତନାରୁ ଉଦ୍ଭବ ପତିତପାବନଙ୍କୁ କରିବା ଆରାଧନା ଓ ତାହା ସହ ଭାଗବତ ପଠନ ।
“ଏ ଘୋର ସଂସାର ତରଙ୍ଗ
ନିସ୍ତାର ହେତୁ ସାଧୁ ସଙ୍ଗ।
ସାଧୁ ସଙ୍ଗମ ନାବେ ବସି
ନିସ୍ତରେ ଘୋର ଜଳ ରାଶି ।
ସକଳ ଜନ୍ତୁ ଙ୍କ ଜୀବନ
ଯେହ୍ନେ ସଂସାରେ ଲେଖି ଅନ୍ନ ।
ଆରତ ଜନ ପ୍ରାଣୀଙ୍କର
ମୁଁ ଯେହ୍ନେ ଶରଣ ପଞ୍ଜର ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )