ପ୍ରେମର ଲଘୁଚାପ
ଲୋପାମୁଦ୍ରା ନାୟକ
ତୁମ ପ୍ରେମ ମୋ ପାଇଁ ଏବେ ଲଘୁଚାପ
ତୁହା ତୁହା ବର୍ଷା, ବିଜୁଳି, ଘଡଘଡିର କମ୍ପନ
ବାଡି ପଛକଡ ଗାଡିଆର ପାଣି
ଠେସି ହୋଇ ଏବେ ମୋ ଘର ଦୁଆରେ
ଦୁଇ ବର୍ଷର ଚାଳ ଛପର ଛାତରେ ଏବେ କେତେଟା ବଡବଡ ରଂଧ୍ର
ପଚିସାରିଛି ପ୍ରତିଟି ନଡାର ଜୀବକୋଷ
ତଳ-ଉପର ପାଣିରେ ଏବେ ହୃଦୟ ସନ୍ତସନ୍ତିଆ
ଗାଁ’ର ସେଇ ନିରିହ ସ୍ତ୍ରୀଲୋକ ପରି ମୁଁ
ଟିକିଟିକି ବର୍ଷାରେ ଅଣ୍ଟାରେ କାନି ଭିଡେ
ମୁଣ୍ତରେ ପଲିଥିନର କ୍ୟାପ୍ ଦିଏ
ହାତରେ, ଅଣ୍ଟାରେ ଗରାଟେ ଜାକି
ଗାଁ ରାସ୍ତାରେ ଚାଲି ଯାଏ କୋଷ ଦୂର
କିନ୍ତୁ ଫେରିଲା ବେଳେ ମୁଁ ଜମା ପାଲଟି ପାରେନି
ସେ ପାଦ ଚିପିଚିପି ଚାଲୁଥିବା ନିରିହା ନାରୀ
ଠିକ୍ ମୋ ଘର ଦୁଆରେ ଖସେ ପାଦ
ହୃଦୟରେ ଆଉ ଗୋଟେ ଅସରା ବର୍ଷେ ଲଘୁଚାପର ବର୍ଷା ।
ସଙ୍କଟାପନ୍ନ ଏବେ ମୋ ଭାଗର ସବୁତକ ପ୍ରେମ
ହଁ ମୁଁ ଜାଣେ ବିନା ଅସ୍ତ୍ରରେ କେମିତି ମରାଯାଏ ତେଲୁଣୀ
କିରୋସିନିରେ ବି ମାରିହୁଏ ଗୋଉଡୁଣୀ
କିନ୍ତୁ, ହୃଦୟର ଏ ସନ୍ତସନ୍ତିଆ ଜାଗାରୁ ମାରିପାରୁନି ମୁଁ
ପ୍ରେମର ଲାଙ୍ଗୁଡିଆ ।
ସେଇ ଜୀବହୀନ ଶିଳରେ ବେସର ବାଟିଲା ବେଳେ
ଅଦା,ରସୁଣ ଭଳି ଜୀବନଟା ବି ପେଷି ହୋଇଯାଏ
ପ୍ରେମର ବୟସ ଆପେ ଆପେ ଶିଥିଳ ପଡିଯାଏ
ଦୁର୍ବଳ ଲଘୁଚାପଟେ ପରି
କିନ୍ତୁ, ଲଘୁଚାପ ଛାଡିଯାଇଥିବା ବଢି,
ଆଉ ଦୋମୁଣ୍ତିଆ ସାପଙ୍କ ରାଜୁତି ଭିତରେ
ମୋ ପ୍ରେମ ଏବେ ହନ୍ତସନ୍ତିଆ ॥
…………..
କଳିଙ୍ଗନଗର, ଯାଜପୁର
ମୋ: ୮୦୧୮୮୭୨୩୩୧
Comments are closed.