ନିର୍ମଳ ଶ୍ରୋତା

କିଛି ଦିନ ତଳେ ଓଡିଶାର ଜଣେ ବିଶିଷ୍ଟ ଲୋକଙ୍କର ଇ-ମେଲ୍ ପାଇଥିଲି । ଶୀତତାପ ନିୟନ୍ତ୍ରିତ ଭୁବନେଶ୍ୱରର ଏକ ସମ୍ଭ୍ରାନ୍ତ ହୋଟେଲ୍ ରେ ଆୟୋଜିତ ହେବାକୁ ଥିବା ଗୋଟିଏ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନୁରୋଧ ଥିଲା । ଫେରନ୍ତା ମେଲ୍ ରେ ମୋର ସମ୍ମତି ଜଣାଇବାକୁ କୁହାଯାଇଥିଲା । ମୁଁ ଏକା ସମୟରେ କିଛି ଆଶ୍ଚର୍ଯ୍ୟ ଓ କିଛି ଖୁସି ହେଲି । କାର୍ଯ୍ୟକ୍ରମରେ ମୋର ଭୂମିକା ବିଷୟରେ କିଛି ବି କୁହାଯାଇ ନଥିଲା । ମୁଁ ଜାଣିପାରୁ ନଥିଲି ଯେ ମୋତେ ସେଥିରେ ପ୍ରତ୍ୟକ୍ଷ ଭାବରେ କିଛି କରିବାକୁ ହେବ ନା କେବଳ ନିର୍ମଳ ଶ୍ରୋତା ଭାବେ ଯୋଗ ଦେବାକୁ ହେବ ।

ଗୋଟେ ଦିନ ଅନ୍ତତଃ ଅପେକ୍ଷା କରାଯାଉ ବୋଲି କାରଣଟେ ତିଆରି କରି ତୁରନ୍ତ ଫେରନ୍ତା ମେଲ୍ ନ ଲେଖି ଚୁପ୍ ରହିଲି । ମନ ଭିତରେ ହିସାବ ନିକାସ ବି ଚାଲିଥାଏ । ହଁ, ମୁଁ ବା କୋଉ ଗୋଟେ ମାତବର ଲୋକ ଯେ, ମୋତେ ଏ ବିଶିଷ୍ଟ ଲୋକମାନେ ସେମାନଙ୍କ ମେଳରେ ବସିବାକୁ ନିମନ୍ତ୍ରଣ ଦେଉଛନ୍ତି । ଭୁଲ୍ ରେ ହୁଏତ ମୋ ନାଁ ତାଲିକାରେ ଚଢି ଯାଇଥିବ । ପରଦିନ ସକାଳୁ ଜଣେ ସତୀର୍ଥ ଫୋନ୍ କଲେ । କଥା ହେଉ ହେଉ ଜଣା ପଡିଲା, ସେ ମଧ୍ୟ ମୋ ପରି ସେଉଠୁ ମେଲ୍ ଗୋଟେ ପାଇଛନ୍ତି । ସେ ମଧ୍ୟ ମେଲ୍ ପାଇ ମୋ ପରି ସମ ଦ୍ୱନ୍ଦରେ ପଡିଛନ୍ତି । କିନ୍ତୁ ମୋ ପରି ଚୁପ୍ ନ ରହି ମେଲ୍ ରେ ଉଲ୍ଲେଖ ଥିବା ଫୋନ୍ ନମ୍ବରରେ ଫୋନ୍ କରି ସମସ୍ତ ତଥ୍ୟ ହାସଲ କରିନେଇଛନ୍ତି । ତଥ୍ୟଟି ହେଲା; ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କିଏ ମଞ୍ଚାସୀନ ହେବେ, କିଏ କେଉଁ ବିଷୟରେ କେତେ ସମୟ କହିବେ, ସବୁ ଚୁଡାନ୍ତ ହୋଇସାରିଛି । ଜଣେ ବରିଷ୍ଠମନ୍ତ୍ରୀ ପୁଣି ଉଦଘାଟନ କରିବେ ପ୍ରଥମ ଅଧିବେଶନକୁ । ଉଦ୍ୟୋକ୍ତାଙ୍କର ଭୟ ଯେ କାଳେ ସାମ୍ନାରେ ପଡିଥିବା ଚେୟାର୍ ଗୁଡିକ ଖାଲି ପଡିଯଯିବ । ତେଣୁ ସଭାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଭିନ୍ନ ଭିନ୍ନ ବିଭାଗରେ ପରିଚୟ ତିଆରି ଥିବା କିଛି ଭୁବନେଶ୍ୱରିଆଙ୍କୁ ସଭାସ୍ଥଳ ମଣ୍ଡନ କରିବାକୁ ଅନୁରୋଧ କରି ପତ୍ର ଲେଖାଯାଇଛି । କହିବା ବାହୁଲ୍ୟ ଯେ, ଏଥିପାଇଁ ଖାଇବା ପିଇବାର ବ୍ୟବସ୍ଥା ଅଛି ବୋଲି ପତ୍ରରେ ଉଲ୍ଲେଖ ମଧ୍ୟ କରାଯାଇଛି ।

ଭୁବନେଶ୍ୱରରେ ପ୍ରତିଦିନ ପ୍ରାୟ ଅଧ ଡର୍ଜନରୁ ଅଧିକ କାର୍ଯ୍ୟକ୍ରମ ହୁଏ । ଏବେ କିଛି ଦିନ ହେଲାଣି କରୋନା ମହାମାରୀ ପାଇଁ ସେସବୁ ଅବଶ୍ୟ ବନ୍ଦ ରହିଛି । ସେଥିରୁ ମୁଁ ଦିନକୁ ଅନ୍ତତଃ ପକ୍ଷେ ଦୁଇ ତିନୋଟିରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପାଇଥାଏ । କାର୍ଯ୍ୟକ୍ରମ ମାନଙ୍କ ମଧ୍ୟରେ ସର୍ବାଗ୍ରେ ଥାଆନ୍ତି; ପୁସ୍ତକ ଉନ୍ମୋଚନ ଉତ୍ସବ, ଚିତ୍ରକଳା ପ୍ରଦର୍ଶନୀ, ସାହିତ୍ୟ,କଳା, ସଂସ୍କୃତି ଓ ଚିତ୍ରକୁ ନେଇ କୌଣସି କର୍ମଶାଳା ବା ଉତ୍ସବର ଉଦଘାଟନୀ କିମ୍ବା ଉଦଯାପନୀ । ଥାଏ ବି କୌଣସି ଅନୁଷ୍ଠାନର ବାର୍ଷିକ ଉତ୍ସବ, କାହାର ଜୟନ୍ତୀ କିମ୍ବା ମୃତ୍ୟୁ ଦିବସ ଓ ବିଭିନ୍ନ ପ୍ରକାରର ପୁରସ୍କାର ପ୍ରଦାନ ଉତ୍ସବ ।

ଉଭୟେ ସରକାରୀ ଓ ବେସରକାରୀ ଭାବରେ ଏସବୁ ପାଳନ କରାଯାଏ । ନିମନ୍ତ୍ରଣ ଆସେ କୋରିଅର୍ କିମ୍ବା ଡାକରେ, ଇମେଲ୍, ହ୍ୱାଟସ୍ଅପ୍ ରେ, ମେସେଜ୍ ରେ, ଫେସ୍ ବୁକ୍ ଓ ବ୍ୟକ୍ତିଗତ ଫୋନ୍ କଲ୍ ରେ । କେହି କେହି ଅତ୍ୟୁତ୍ସାହୀ, ଉଦଯୋଗୀ ଉଦ୍ୟୋକ୍ତା ସବୁଗୁଡା ମାଧ୍ୟମର ସୁଚାରୁ ବ୍ୟବହାର ବି କରନ୍ତି । ସେମାନଙ୍କ ଧୈର୍ଯ୍ୟ ଓ ନିଷ୍ଠାକୁ ସାଧୁବାଦ ।

ଏହିସବୁ ନିଷ୍ଠା ଓ ଧୈର୍ଯ୍ୟ ପଛରେ ଥିବା କଷ୍ଟ ଓ ବୈକଲ୍ୟକୁ ମୁଁ ଯେ ଜାଣିନି, ସେ କଥା ନୁହେଁ । ମୁଁ ଜାଣିଛି, ଅଙ୍ଗେ ଲିଭାଇଛି ବି । ସଭା ଆଗରୁ ଖାଲି ଛାନିଆ ଲାଗୁଥିବ ଯେ, ସଭାର ସଫଳତା ମଞ୍ଚ ସାମ୍ନାର ଶୂନ୍ୟ ଚେୟାର ଯୋଗୁଁ ପାଣିଚିଆ ଯେମିତି ନ ହେଇଯାଏ । ହାଉସ୍ ଫୁଲ୍ ରେ ଉପସ୍ଥିତ ନିରୋଳା ଶ୍ରୋତା ମାତ୍ର ଦୁଇ ଚାରି ପ୍ରତିଶତ ବୋଲି ମୋର ବିଶ୍ୱାସ । ଅନେକ ପରସ୍ପର ଭିତରେ କଥୋପକଥନ ଓ ଆପଣା ସ୍ମାର୍ଟ ଫୋନ୍ ସାଙ୍ଗରେ ବ୍ୟସ୍ତ ଥାଆନ୍ତି । କିଛି ଲୋକ ତ ସାରା ଦିନରେ କର୍ମ ଜନିତ କ୍ଲାନ୍ତି ଅପନୋଦନ ପାଇଁ ସଭା ସ୍ଥଳକୁ ବିଶ୍ରାମସ୍ଥଳ ବୋଲି ଭାବିନେଇ ନିଶ୍ଚିନ୍ତରେ ଶୋଇ ଘୁଙ୍ଗୁଡି ମାରୁଥା’ନ୍ତି । ଚା କପେ ଓ ସନ୍ଧ୍ୟା ଜଳଖିଆ ଭାବରେ ଗୋଟେ ଅତି ତେଲିଆ ସିଙ୍ଗଡା ଓ ବରା ଲୋଭରେ ବି ଢେର ଜଣ ସଭାରେ ବସିଥା’ନ୍ତି ।

ସତରେ ଏ କୁଚ୍ଛ୍ର ସାଧନା କ’ଣ ପାଇଁ? କ’ଣ ପାଇଁ ତେବେ ଏତେ ଆୟୋଜନ, ଏତେ ନିଷ୍ଠା ଓ ଧୈର୍ଯ୍ୟର ପରାକାଷ୍ଠା? ଏତେ ଏତେ ସମୟ ଓ ଅର୍ଥର ଅପବ୍ୟବହାର? କୋଉ ଉଦ୍ଦେଶ୍ୟ ସତରେ ଏଥିରେ ସାଧିତ ହୁଏ? ନା ବକ୍ତା କିଛି ପୂର୍ବ ପ୍ରସ୍ତୁତିରେ ଆସିଥା’ନ୍ତି ନା ଶ୍ରୋତା ତାଙ୍କୁ କୋଉ ଶୁଣନ୍ତି । ଏଥିରେ ଆୟୋଜକଙ୍କର କୋଉ ମହତକାଂକ୍ଷା ପୂରଣ ହୁଏ କେଜାଣି? ଲାଗୁଛି ଯେମିତି ଗୋଟେ ହୋ ହାଲ୍ଲା, ଗହଳି ଚହଳି ଭିତରେ ସମସ୍ତେ ଅଜଣା କେଉଁ ଗୋଟେ ଜାଗା ସନ୍ଧାନରେ ଧାଉଁଛନ୍ତି । କାହିଁକି ଧାଉଁଛନ୍ତି, କେଉଁଠିକି ଯାଉଛନ୍ତି ସେ ହୋସ୍ ଆଉ କାହାର ନାହିଁ । ଏକ ଅଛିଣ୍ଡା ପ୍ରାୟ ପ୍ରତିଯୋଗିତା ଲାଗିଛି ଆୟୋଜକ ମାନଙ୍କ ଭିତରେ । ସମସ୍ତେ ଅଣନିଃଶ୍ୱାସୀ, ହେଲେ ଶୁଦ୍ଧ ପବନ ଟୋପାକର ଠିକଣା କାହା ପାଖରେ ବି ନାହିଁ ।