କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ

କବିବର ରାଧାନାଥ ରାୟ ବନାମ କ୍ରାନ୍ତିକାରୀ ଅନ୍ନପୂର୍ଣ୍ଣା ଦେବୀ 

କେଦାର ମିଶ୍ର 

ଇତିହାସ ବିଷୟରେ ଲେଖିବାର ଗୋଟେ ଅଲଗା ମଜା ଅଛି। ଇତିହାସର ଗତିପଥ ବଡ ଜଟିଳ। ଅନେକ ସମୟରେ ଲାଗେ ରାସ୍ତା ସରିଯାଇଛି, ହେଲେ ସେହିଠୁ ହିଁ ନୂଆ ଏକ ରାସ୍ତା ଆରମ୍ଭ ହୁଏ। ଗତ ଶୁକ୍ରବାର ଯେତେବେଳେ ମୁଁ ରାଧାନାଥ ରାୟଙ୍କ ତାଙ୍କର ସମକାଳୀନ ନାରୀ କବିଙ୍କ ସମ୍ପର୍କରେ ଏକ ବିଦ୍ଵେଷାତ୍ମକ ଚିଠିର ତର୍ଜମା କରିଥିଲି, ସେତେବେଳେ ମୋତେ ଜଣାନଥିଲା ଯେ, ଏହା ମୋତେ ଇତିହାସର ଆହୁରି ଗଭୀରକୁ ଟାଣିନେବ। ଏ ସମ୍ପର୍କରେ ପ୍ରଥମେ ଟେଲିଫୋନ ଯୋଗେ ବିଶିଷ୍ଟ ଗବେଷକ ଦେବେନ୍ଦ୍ର କୁମାର ଦାଶ ଓ ଫଣୀନ୍ଦ୍ର ଭୂଷଣ ନନ୍ଦ ମୋତେ କହିଥିଲେ ଯେ, ରାଧାନାଥ ଯେଉଁ ନାରୀକବିଙ୍କୁ ତାଚ୍ଛଲ୍ୟ କରି ଚିଠିଟି ଲେଖିଛନ୍ତି, ସେ ହେଉଛନ୍ତି ବଡ ଖିମିଣ୍ଡିର ପ୍ରଖ୍ୟାତ ନାରୀ କବି ଅନ୍ନପୂର୍ଣ୍ଣା ଦେବୀ। ଆହୁରି ମାନେ ପଡିଲା ଯେ ଅନ୍ନପୂର୍ଣ୍ଣା ଦେବୀଙ୍କ ସମ୍ପର୍କରେ ବିଶିଷ୍ଟ ଐତିହାସିକ କୈଳାସ ଚନ୍ଦ୍ର ଦାସଙ୍କର ଏକ ଲେଖା ମୁଁ ନିଜେ ଛାପିଥିଲି। ଅନ୍ନପୂର୍ଣ୍ଣା ଦେବୀ କେବଳ କବି ନଥିଲେ, ସେ ଥିଲେ ତାଙ୍କ ସମୟର ଶକ୍ତିଶାଳୀ ଆଲୋଚିକ, ସମାଜକର୍ମୀ ଓ ପ୍ରସିଦ୍ଧ ପତ୍ରିକା “ସହକାର” ର ସମ୍ପାଦିକା। ବଡ ଖିମିଣ୍ଡି ରାଜାଙ୍କ ସହିତ ତାଙ୍କର ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଅନ୍ନପୂର୍ଣ୍ଣା ଦେବୀଙ୍କ ସାହିତ୍ୟ ସାଧନା ଲାଗି ରାଜା ୧୦ଟଙ୍କାର ସାହାଯ୍ୟ କରିଛନ୍ତି ବୋଲି “ଗୁଣ ଦର୍ପଣ” ଓ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ବିଜ୍ଞାପନ ଦେଇଥିଲେ। ସ୍ବାଭିମାନୀ ଅନ୍ନପୂର୍ଣ୍ଣା ଏହାର କଡା ଜବାବ ଦେଇ ଲେଖିଥିଲେ- “ଏହି ଦୁଇ ପତ୍ରିକା ରେ ମୋ ସମ୍ବନ୍ଧରେ ଯାହା ଲେଖା ହୋଇଛି ତାହା ପାଠ କଲା ମାତ୍ରକେ ମନରେ ଯେଉଁ ଦୁଃଖ ଭାବ ଜନ୍ମହେଲା ତାହା ଅଧୀନ କରି କଣ ଜଣାଇବି? ମନରେ ହେଲା, ଆଉ ଲେଖନୀ ଧରିବି ନାହିଁ। +++ସ୍ଥାନୀୟ ରାଜାଙ୍କ ଠାରୁ ମୋ କବିତା ସମ୍ବନ୍ଧରେ ବା ଅନ୍ୟ ପ୍ରକାର ସାହାଯ୍ୟ (କବିତା ଲେଖିବା ଦିନଠାରୁ) କେବେ କିଛି ପାଇଲା ପରି ବୋଧ ହେଉନାହିଁ।” ( ଉତ୍କଳବାସୀ-୭/୬/୧୯୦୬)
ନିଜର ପ୍ରତିବାଦ ଓ ସ୍ପଷ୍ଟ କଥା କହିବାର ସାହସ ଯୋଗୁଁ ଅନ୍ନପୂର୍ଣ୍ଣାଙ୍କୁ ରାଜ୍ୟ ଛାଡିବାକୁ ପଡିଥିଲା। ତାଙ୍କ ସ୍ଵାମୀ ଶ୍ରୀରାମ ପଟ୍ଟନାୟକଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା। ଜୀବନ ସାରା ସ୍ଥାୟୀ ଠିକଣା କବି ଅନ୍ନପୂର୍ଣ୍ଣାଙ୍କୁ ମିଳିନଥିଲା। ପାରଳାଖେମଣ୍ଡି  ରାଣୀଙ୍କର ଗୃହ ଶିକ୍ଷୟିତ୍ରୀ ଥିବା ସମୟରେ କବିଙ୍କୁ “ଅମଙ୍ଗଳୀ” କହି ଚାକିରୀରୁ ବିତାଡିତ କରାଯାଇଥିଲା। ସାରାଜୀବନ ସାମାଜିକ ଓ ରାଜନୈତିକ ନିର୍ୟାତନା ଭୋଗି କବିତା ଲେଖିଥିବା ଅନ୍ନପୂର୍ଣ୍ଣାଙ୍କ ସମ୍ପର୍କରେ ଆମେ ଏତେ ଅଜ୍ଞ ରହିଲୁ କେମିତି। ସେତେବେଳର ପତ୍ରପତ୍ରିକାରେ ତାଙ୍କ ଜୀବନ ପ୍ରତି ରହିଥିବା ବିପଦ ଓ ରାଜଦ୍ରୋହ ଜନିତ ଅସୁବିଧାକୁ ନେଇ ବହୁ ସମ୍ବାଦ ବାହାରିଛି। “ନାରିକବିଙ୍କର ଦୂରାବସ୍ଥା” (ପ୍ରଜାବନ୍ଧୁ, ୧୯/୯/୧୯୦୬), “ନାରୀକବିଙ୍କ ବିପଦ”(ମନୋରମା,୨୭,୮,୧୯୦୬) ଇତ୍ୟାଦି ଏମିତି ଅନେକ ସମ୍ବାଦ ରହିଛି ଯେଉଁଥିରେ ପ୍ରତିବାଦିନୀ ହେବା ଫଳରେ ଅନ୍ନପୂର୍ଣ୍ଣା କି ପ୍ରକାର ସାମାଜିକ ସଙ୍କଟର ସାମ୍ନା କରୁଛନ୍ତି, ତାର ବିସ୍ତୃତ ବର୍ଣ୍ଣନା ରହିଛି।
ତେବେ ଯାହାଙ୍କୁ ରାଧାନାଥ କବି ନୁହନ୍ତି କେବଳ ପଦ୍ୟାଲେଖିକା ବୋଲି କହିଥିଲେ, ତାଙ୍କୁ କିନ୍ତୁ ଫକୀର ମୋହନ ସେନାପତି କହିଥିଲେ- “ଅନ୍ନଶୂନ୍ୟା ଅନ୍ନପୂର୍ଣ୍ଣା ମହିଳା ମଣ୍ଡନା, କବି ନାମେ ତୋତେ ମୁହିଁ କରୁଛି ଗଣନା। ” ବୋଧହୁଏ ପରୋକ୍ଷରେ ଏହା ଥିଲା ରାଧାନାଥଙ୍କ ସମାଲୋଚନାର ଜବାବ। ତେବେ ରାଧାନାଥ ଯେଉଁ ଇଂରାଜୀ ଲେଖାକୁ ଦେଖି ମର୍ମାହତ ହୋଇଥିଲେ, ସେଥିରେ ଅନ୍ନପୂର୍ଣ୍ଣାଙ୍କୁ ଦଳିତଙ୍କର କଥା କହୁଥିବା କବି ବୋଲି ପ୍ରବଳ ପ୍ରଶଂସା କରାଯାଇଥିଲା। ଦ ଟେଲିଗ୍ରାଫ ରେ ୨୩,୧୧, ୧୯୦୪ ରେ ଏକ ସ୍ଵତନ୍ତ୍ର ଇଂରାଜୀ ଆଲେଖ୍ୟ ଅନ୍ନପୂର୍ଣ୍ଣାଙ୍କ କବିତାକୁ ନେଇ ପ୍ରକାଶ ପାଇଥିଲା। ସେଥିରେ ତାଙ୍କୁ One of the best modern Oriya poets ବୋଲି କହିବା ସହିତ ତାଙ୍କ କବିତାର ଭୂୟସୀ ପ୍ରଶଂସା କରାଯାଇଥିଲା। ଏହା ବୋଧହୁଏ ରାଧାନାଥଙ୍କୁ ବାଢିଥିବା।  ପ୍ରସିଦ୍ଧ “ଦ ହିନ୍ଦୁ” ଖବରକାଗଜର ୩୦/୧୧/୧୯୧୦ ରେ ଲେଖା ଯାଇଥିଲା- the interesting and enlivening feature was an address on the “depressed classes’ prepared by the Oriya poetess Srimati Annapurna, the wife of the humble clerk in the settlement office, who was born on an Oriya Pattnayak family. She has, by her writings and verses impromptu, been showing that even in backward Ganjam many a gem is hid in the bosom of deep.
ଅନ୍ନପୂର୍ଣ୍ଣାଙ୍କ ସଂକ୍ଷିପ୍ତ ଜୀବନକଥା ଲେଖି ଡ.କୈଳାସ ଚନ୍ଦ୍ର ଦାସ କହନ୍ତି-  ଗଞ୍ଜାମର ଚିକିଟି ତାଲୁକରେ ଗୋବିନ୍ଦ ପଟ୍ଟନାୟକ ଓ ସୁଭଦ୍ରା ଦେବୀଙ୍କ କନ୍ୟା ଅନ୍ନପୂର୍ଣ୍ଣା । ଜନ୍ମ ୧୮୮୩ ଏବଂ ମୃତ୍ୟୁ ୧୯୪୮ । ତାଙ୍କର ଶୈଶବ ମାନସର ପରିଗଠନରେ ଶିକ୍ଷାର ଭୂମିକା ଯେତେନୁହେଁ ତାଠାରୁ ଅଧିକ ଥିଲା ପରିବେଶର ପ୍ରଭାବ । ସେ ଗ୍ରାମ୍ୟ ଚାଟଶାଳୀର ଏରୁଣ୍ଡି ଡେଇଁ ବାହାରକୁ ଯାଇନାହାନ୍ତି । ଗାଁର ଚୌପାଢୀ ଓ ଅବଧାନୀ ଶିକ୍ଷା ମଧ୍ୟରେ ତାଙ୍କର ଅଧ୍ୟୟନ ସୀମିତ । ସେ ଆପଣା ଉଦ୍ୟମରେ ପିତାମାତାଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଚୀନ ଓଡିଆ ଗ୍ରନ୍ଥ ପାଠରୁ ଅନେକ ଶିକ୍ଷା ପାଇଥିଲେ । ମାତ୍ର ୧୭ ବର୍ଷ ବୟସରେ ଗଞ୍ଜାମ ପୁରୁଷୋତ୍ତମ ପୁର ଗ୍ରାମର ତରୁଣ ଶ୍ରୀରାମ ପଟ୍ଟନାୟକଙ୍କ ସହିତ ୧୯୦୦ ମସିହା ମେ ମାସରେ ବିବାହ ସମ୍ପନ୍ନ ହେଲା । ଶ୍ରୀରାମ ପଟ୍ଟନାୟକ ଥିଲେ ବଡଖେମୁଣ୍ଡି ରାଜାଙ୍କର ଜଣେ କର୍ମଚାରୀ । ତେଣୁ ବଡଖେମୁଣ୍ଡି ଥିଲା ତାଙ୍କ ଦାମ୍ପତ୍ୟ ଜୀବନର ଆଦ୍ୟନିକେତନ ।ମେ ଅନ୍ନପୂର୍ଣ୍ଣା ଲେଖା ଆରମ୍ଭ କଲେ ଏବଂ ୧୯୦୭ ବେଳକୁ ସମ୍ବଲପୁର ହିତୈଷିଣୀ ରେ ତାଙ୍କର ମୂଲ୍ୟାୟନ ହୋଇଥିଲା । ମାର୍ଚ୍ଚ, ୩, ୧୯୦୭ର ହିତୈଷିଣୀରେ ତାଙ୍କ ସମ୍ପର୍କରେ ଲେଖାଯାଇଥିଲା-“ଆପଣମାନେ ଶ୍ରୀମତୀ ଅନ୍ନପୂର୍ଣ୍ଣାଙ୍କଠାରେ ଅପରିଚିତ ନୁହଁନ୍ତି । ଅବଶ୍ୟ ଉତ୍କଳୀୟ ପତ୍ରିକାମାନଙ୍କ ସାହାଯ୍ୟରେ ତାହାଙ୍କ ପରିଚୟ ପାଇଥିବେ । ତାହାଙ୍କର କବିତା ରଚନାପ୍ରଣାଳୀ ଦେଖି କେବଳ ଉତ୍କଳବାସୀ କାହିଁକି ସମୁନ୍ନତ ବଙ୍ଗ ପ୍ରଦେଶର ପ୍ରତିଭାଶାଳୀ ଲେଖକ ଏବଂ ସମ୍ବାଦପତ୍ରିକାମାନଙ୍କର ସମ୍ପାଦକମାନେ ଏପରିକି ଶ୍ୱେତଦ୍ୱୀପବାସୀମାନେ ମଧ୍ୟ ଏକ ମୁଖରେ ତାଙ୍କର ପ୍ରଶଂସାଗୀତି ଗାୟନ କରିଛନ୍ତି । ତାଙ୍କର ପ୍ରତିଭା ବିଷୟରେ ଇଂରାଜୀ ପତ୍ରିକାମାନଙ୍କ ମଧ୍ୟରୁ “ମାଡ୍ରାସ୍‍ ମେଲ୍‍”, “ଇଷ୍ଟ୍‍ କୋଷ୍ଟ୍‍ ନିଉଜ୍‍”, “ଟେଲିଗ୍ରାଫ୍‍” ଏବଂ “ବ୍ୟାନର୍‍” ପ୍ରଭୃତି ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଅଛି । “ଦି ବ୍ୟାନର୍‍” ପତ୍ରିକାର ସେପ୍ଟେମ୍ବର ଏବଂ ଅକ୍ଟୋବର ୧୯୦୪ ସଂଖ୍ୟାରେ ତାଙ୍କ ବିଷୟରେ ଇଂରାଜୀରେ ଲେଖାଯାଇଥିଲା । ୧୯୦୪, ୨୩ ନଭେମ୍ବର “ଦି ଟେଲିଗ୍ରାଫ୍‍”ରେ ସେ ବଡଖେମୁଣ୍ଡିର ଗୌରବ ବୋଲି ବର୍ଣ୍ଣିତ ।