Latest Odisha News

BREAKING NEWS

ଭଡ଼ାଘର

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

କଳିଷଠା ଷାଠିଏ ଯଦି, ତାହେଲେ ତିନି ଭାଗ ଜୀବନ ଜୀଇଁ ସାରିଲାଣି ମଣିଷ । ସେଥିରୁ ପ୍ରାୟ ୨୫ ବର୍ଷ ବିତିଗଲାଣି ଭଡ଼ାଘରେ। ଛାତ୍ର ଥିଲା ବେଳେ କେବେ ହଷ୍ଟେଲରେ ତ ଆଉ କେବେ କାହା ଘର ଭଡ଼ା ନେଇ ନିଜର ଉଠାଚୁଲି ଆଉ ପକା ଖଲି ଜୀବନ ବିତାଇବାକୁ ପଡୁଥିଲା। ଦେଶର ବିଭିନ୍ନ ଭାଗରେ ରହିବାକୁ ପଡ଼ିଛି ଏହି ତକ ସମୟ ଭିତରେ। ସବୁଠି ସେଇ ଭଡ଼ାଘର। କେବେ ଭଲ ଘର ମାଲିକ ମିଳିଛନ୍ତି ତ ଆଉ କେତେବେଳେ ଦାଉ ସାଧିଲା ଭଳି ଘର ମାଲିକ ମିଳିଛନ୍ତି। ହେଲେ ଆମେ ତ ବାଇଗଣ ପରିବା। କୋଉ ଆମ ବାପାଙ୍କ ଘର ଯେ, ଏତେ ମୋହ ମାୟା। ଘର ମାଲିକଙ୍କ ସହିତ ଆପଣଙ୍କ ଗଳା ବଡ଼ ମଧୁର, ମୁଖ ବଡ଼ ଚିକ୍କଣ କହି ଚଳିଯିବା କଥା। କେବେ କେମିତି ଯଦି ଘର ମାଲିକେ ଟିକେ ସବୁ କଥାରେ ଗୋଡ଼ ପୂରେଇବା ଭଳି ମନେ ହୁଅନ୍ତି, ସେଇଠି ଆଜ୍ଞା ନମସ୍କାର । ଆପଣ ଭଲ ଥାଆନ୍ତୁ, ଆପଣଙ୍କ ଘର ଭଲ ଥାଉ। ଆମେ ଚାଲିଲୁ। ଧରିଲୁ ବୁଜୁଳା.. ଚାଲିଲୁ କୋଦଳା। ଘର ମାଲିକ ଭଲ ହେଲେ, ଆମେ ତାଙ୍କ ପାଇଁ ପରିବାର ଲୋକ। ସୁବିଧା ଅସୁବିଧାରେ ଆମେ ତାଙ୍କ ଦୁଆରେ, ସିଏ ଆମ ଦୁଆରେ (ତାଙ୍କ ଘରେ)। ଝିଅ ବାହାଘରଠୁ ନେଇ ପିଲା ଏକୋଇଶା ଯାଏଁ ସବୁ କଥାରେ ଆମେ ତାଙ୍କ ପାଖରେ ଠିଆ। କେବେ ଆମେ ତାଙ୍କ ଖାଇବା ଟେବୁଲରେ ଦିଟା ମଣ୍ଡା, ଚକୁଳି କି କାକରା ରଖିଦେଉ ତ କେତେବେଳେ ସେ ତାଙ୍କ ପୁରି ଚଣା ତରକାରି କିମ୍ବା ଆଚାର ପାମ୍ପଡ଼ ଆମକୁ ଦେଇ ଦିଅନ୍ତି। ଜୀବନର ଅଧାରୁ ଅଧିକ ସମୟ ଏମିତି ଭଡ଼ାଘରେ ବିତିଗଲାଣି। ତେଣୁ କେବେ କେଉଁଠି କିଏ କଣ କହିଲା, ତାକୁ ନେଇ ଆଉ ଏତେ ଚିନ୍ତା କରିବାର ନାହିଁ। ତଥାପି ଅପ୍ରତ୍ୟାଶିତ ଭାବେ ଯଦି ଘରମାଲିକ କେବେ କିଛି କହିଦିଅନ୍ତି, ସେଇଟା ଭାରି ବାଧେ।

ଏଇ ଯେମିତି ଗତକାଲି, ମାର୍ଗଶୀର ଗୁରୁବାର ଏବଂ ସଂକ୍ରାନ୍ତି ଭଳି ଦିନଟାରେ ମଣିଷ ଦିନ ସାରା ଅଫିସରେ କାମ କରି ହାଲିଆ ହୋଇ ଘରକୁ ଫେରିଲା ପରେ ଛୁଆ ପିଲାଙ୍କୁ ନେଇ ସାଙ୍ଗରେ କଣ ଦିଟା ଖାଇବାକୁ ବସିଲା ବେଳେ ହଠାତ୍ ଘରର କଲିଂବେଲ୍ ବାଜିଉଠିଲା। ଧର୍ମପତ୍ନୀ ଖାଇବା ସ୍ଥାନରୁ ଉଠିଯାଇ କବାଟ ଖୋଲି ଦେଖିଲେ ସାମ୍ନାରେ ମୋର ପଡ଼ୋଶୀ। ପ୍ରକୃତରେ କହିବାକୁ ଗଲେ ସେ ପଡ଼ୋଶୀ ନୁହନ୍ତି, ସେ ହିଁ ଘରର ମାଲିକ ଆମ ପାଇଁ। କାରଣ ଆମେ ରହୁଥିବା ଭଡ଼ାଘରର ମାଲିକଙ୍କ ସେ ହେଉଛନ୍ତି ବଡ଼ଭଉଣୀ। ଘର ମାଲିକାଣୀ ଏବଂ ତାଙ୍କ ପତି ଓ ପିଲା ରହନ୍ତି ଦୁବାଇରେ। ସେଇଠି ଚାକିରି କରନ୍ତି। ତେଣୁ ଏଇଘରଟା ତାଙ୍କର ଖାଲି ପଡ଼ିଛି। ସେଥିପାଇଁ ସେ ଭଡ଼ାରେ ଲଗାଇଛନ୍ତି। କିନ୍ତୁ ସେ ତ ବିଦେଶରେ। ତାଙ୍କ ଘରଭଡ଼ା ଲାଗିବ କି ନାହିଁ ତାହା ନିର୍ଦ୍ଧାରଣ କରନ୍ତି ଏହି ମହିୟସୀ ମହିଳା। ସେ କହିଲେ, ମୁଁ ଆପଣମାନଙ୍କୁ କେମିତି କହିବି, କଣ କହିବି … ଅନେକ ଚିନ୍ତା କରିବା ପରେ ଆସିଛି। କିଛି ଭୁଲ୍ ବୁଝିବେନି। ପ୍ରକୃତରେ ସେମାନେ ଏଇ ସପ୍ତାହରେ ଆସୁଛନ୍ତି। ମୋ ଘରଣୀ ପଚାରିଲେ, କିଏ ଆସୁଛନ୍ତି ଏଇ ସପ୍ତାହରେ? କିଛି ଅସୁବିଧା ହେଲା କି? ମହିୟସୀଙ୍କ ଜବାବ ଥିଲା, ଆପଣଙ୍କ ଘରର ମାଲିକ । ଘରଣୀ କହିଲେ, କାହିଁ ଆମେ ଗାଁ ଗହଳିଆ ଲୋକ ବୋଲି ତାଙ୍କୁ ପସନ୍ଦ ହେଉନି ନା କଣ? ସେଥିପାଇଁ ଆମକୁ ଘରୁ ବାହାରିବାକୁ କହୁଛନ୍ତି। ମହିୟସୀ କହିଲେ, ନାଇଁ ନାଇଁ ସେମିତି କିଛି ନାହିଁ। ପ୍ରକୃତରେ ତାଙ୍କୁ ସେଠାକାର କମ୍ପାନି, ଚାକିରିରୁ ବାହାର କରିଦେଲା। ଗୋଟିଏ ସପ୍ତାହ ଭିତରେ ଘର ଓ ଦେଶ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ତେଣୁ ସେମାନେ ଫେରିଆସିବେ। ସେଥିପାଇଁ ଆପଣଙ୍କୁ ମଧ୍ୟ ସପ୍ତାହେ ଭିତରେ ଘର ଖାଲି କରିବାକୁ ପଡ଼ିବ। ଖାଇବା ଜାରି ରଖିଥିବା ସତ୍ତ୍ୱେ ମୁଁ କହିଲି, କିଛି ଅସୁବିଧା ନାହିଁ। ଆମେ ଘର ଖାଲି କରିଦେବୁ।

ଏଇ କଥାଟା ଟିକିଏ ଆଗରୁ କହିଥିଲେ ଭଲ ହୋଇଥାନ୍ତା। ଛୋଟ ଛୋଟ ପିଲାଙ୍କୁ ଧରି ଏତେ ଜିନିଷପତ୍ର ସବୁ ଏମିତି ହଠାତ୍ ଖାଲି କରିବା କେତେ କଷ୍ଟକର, ଯିଏ କରିଛି ସେ ଜାଣିଛି। ଏକାକୀ ଥିଲା ବେଳେ ଘର ବଦଳାଇବା ବା ଘର ଖୋଜିବା ଗୋଟିଏ ସମସ୍ୟା ନଥିଲା। କିମ୍ବା ସମସ୍ୟା ଭଳି ଅନୁଭବ ବି ହେଉନଥିଲା। କିନ୍ତୁ ଘର ସଂସାର କରିବା ପରେ ଯେତେବେଳେ ଘର ଖୋଜିବାକୁ ପଡୁଛି, ସେତେବେଳେ ଦେଖିବାକୁ ପଡୁଛି, ସେଠାକାର ପରିବେଶ କେମିତି, ସାହି ପଡ଼ିଶାରେ ଥିବା ଲୋକମାନେ କେମିତି, ସାମାଜିକ ସମ୍ପର୍କ ସବୁ କେମିତି .. ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡୁଛି। ତଥାପି ସ୍ୱଭାବ ସୁଲଭ ଢଙ୍ଗରେ ମୁଁ ପୁଣି ଥରେ କହିଲି, ଚିନ୍ତା ନାହିଁ। ଆମେ ଘର ଖୋଜିଦେବୁ ଏବଂ ଆପଣଙ୍କ ଘର ଖାଲି ବି କରିଦେବୁ।

ପଡ଼ୋଶୀ ମହିୟସୀ ଯିବା ପରେ ମୋ ଘରଣୀ ବଡ଼ ବିବ୍ରତ ହୋଇପଡ଼ିଲେ। କଣ କରିବା, କେମିତି କରିବା, ଏତେ କମ୍ ସମୟ ଭିତରେ କେମିତି ଘର ଖୋଜିବା? ଏଇ ଚିନ୍ତା ତାଙ୍କୁ ଘାରିଥାଏ। ମୁଁ କହିଲି, ଭଡ଼ାଘରକୁ ଏତେ ମୋହ କଣ? ଏଇଟା କୋଉ ଆମ ଘରଟା ଯେ, ଛାଡ଼ିବା ପାଇଁ ଏତେ ମୋହ। ଆଉ ଗୋଟିଏ ନୂଆ ଘରକୁ ଯିବା। ଏତିକି କହି, ଖାଇବା ଶେଷ ହେବା ସଙ୍ଗେ ସଙ୍ଗେ ମୁଁ ଘରୁ ବାହାରକୁ ପଳେଇଗଲି। ଶୀତଦିନ .. ଦୁଇ ତିନି ଡିଗ୍ରୀ ତାପମାତ୍ରା। ଘରୁ ବାହାରକୁ ବାହାରିଲେ ଲାଗୁଛି ସତେ ଯେମିତି ଦେହରେ ଗେଞ୍ଜି ହୋଇଯାଉଛି ଥଣ୍ଡା ପବନ। … ତଥାପି ସାହିର ବିଭିନ୍ନ ବୟସ୍କ ଲୋକଙ୍କୁ ମୋ ପାଇଁ ଭଡ଼ାଘରର ଆବଶ୍ୟକତା ସମ୍ପର୍କରେ କହିଲି। ତିନି ଚାରିଟା ଲୋକଙ୍କୁ ଫୋନ୍ କରି ସହାୟତା ବି ମାଗିଲି। ଘର ଖୋଜା ଆରମ୍ଭ ହୋଇଗଲା ସଙ୍ଗେ ସଙ୍ଗେ। ଜଣେ ଦି ଜଣ ଆଶ୍ୱାସନା ବି ଦେଇଛନ୍ତି, ଦିନେ ଦୁଇଦିନ ଭିତରେ ଆମେ ଆପଣଙ୍କୁ ଘର ଯୋଗାଇଦେଲେ ଯଥେଷ୍ଟ। ବାସ୍, ସେମାନଙ୍କଠୁ ଏଇ କଥା ଶୁଣିବା ପରେ ଟିକିଏ ଆଶ୍ୱସ୍ତ ହୋଇ ମୁଁ ଘରକୁ ଫେରିଲି।

ଅନେକ ଦିନ ହେଲା କଥା ହୋଇନଥିଲି ବୋଲି ଭାବି ଡାଏଲ କଲି ମୋ ବନ୍ଧୁ ବିଶ୍ୱାମିତ୍ର ରାୟଗୁରୁ ପାଖକୁ। ସେ ବହୁ ବର୍ଷ ହେଲାଣି ହାଇଦ୍ରାବାଦରେ ରହୁଛି। ମୁଁ ବି ଯେତେବେଳେ ହାଇଦ୍ରାବାଦରେ ରହୁଥିଲି, ଆମେ ପାଖାପାଖି ରହୁଥିଲୁ। ତାକୁ ପଚାରିଲି, ସରକାର.. କଣ ଖବର? (ବିଶ୍ୱାମିତ୍ରକୁ ଅଫିସରେ ସମସ୍ତେ କହନ୍ତି ସରକାର) ଟିକିଏ ଅଭିମାନ ଭରା ସ୍ୱରରେ ସେ ଉତ୍ତର ଦେଲା, ଓଃ ଏତେ ଦିନ ପରେ ମୋ କଥା ମନେ ପଡ଼ିଲା? କଣ କିଛି କାମ ଥିଲା କି? ମୁଁ ହସି ଉଠିଲି। ଆରେ ସବୁବେଳେ କଣ ମଣିଷ କାମ ପାଇଁ ହିଁ ଫୋନ୍ କରିବ ବା କଥାହେବ? ପ୍ରକୃତ କଥା ହେଲା, ଭଡ଼ାଘରକୁ ନେଇ ରହିଥିବା ସମସ୍ୟା। ତା ପରେ ମହିୟସୀ ଘରକୁ ଆସି ଯାହା ସବୁ କହିଥିଲେ, ସେକଥା କହିଲି। ସେ ଗୋଟିଏ ଖୋଲା ହସ ହସିଲା। କହିଲା, ଏଇଟା ଗୋଟେ କଥା .. ଏଇ ଦିନେ ଦିଦିନ ଭିତରେ ତମକୁ ଘର ମିଳିଯିବ। ତା ପରେ ମୁଁ ପଚାରିଲି, ସରକାର ଏବେ କେଉଁଠି ରହୁଛ? ସେ କହିଲା, ଭାଇ ସେଇ ଘର। ଷୋହଳ ବର୍ଷ ତଳେ ଯେଉଁ ଘରେ ଭଡ଼ାରେ ରହୁଥିଲି, ସେଇ ଘରେ ହିଁ ରହୁଛି। ଏତିକି ଭିତରେ ଦିନେ ବି ଘରମାଲିକ କେବେ ଘରଭଡ଼ା ବଢ଼ାଇ ନାହିଁ କି ସେ ସମ୍ପର୍କରେ କୌଣସି ଆଲୋଚନା ବି କରିନି। ବରଂ ଓଲଟା ମୁଁ ମୋ ନିଜ ତରଫରୁ ତିନି ଥର ଘରଭଡ଼ା ବଢ଼େଇକି ଦେଇଛି। ମତେ ଲାଗିଲା, ବିଶ୍ୱାମିତ୍ର ସେଇ ଘରେ ଭଡ଼ାଟିଆ ନୁହେଁ, ବରଂ ସେ ଘରର ପୁଅ କିମ୍ବା ଘରଜ୍ୱାଇଁ ହୋଇଯାଇଛି। କିନ୍ତୁ ପ୍ରକୃତ କଥାଟା ହେଲା, ବିଶ୍ୱାମିତ୍ର ଗାଁ ପିଲା ହେଲେ ବି ସେ ମହାନଗରୀରେ ଅତ୍ୟନ୍ତ ମାର୍ଜିତ ଏବଂ ସଂସ୍କୃତିସମ୍ପନ୍ନ ମଣିଷ ଭଳି ବଞ୍ଚି ଆସିଛି।

ଘରଦ୍ୱାର ଝରକା କବାଟଠୁ ଆରମ୍ଭ କରି ଚଟାଣ ଯାଏଁ ସବୁଠି ବାରମ୍ବାର ପୋଛା ମାରି ସମ୍ପୂର୍ଣ୍ଣ ସଫାସୁତରା କରି ରଖିଛି ବିଶ୍ୱାମିତ୍ର। ଆମେ ସମସ୍ତେ କହୁ, ସରକାର .. ତମେ ଯେବେ ବାହା ହେବ ନା, ସେତେବେଳେ ତମ ଘରଣୀ, ତମର ଏ ଆଦବ କାଇଦା ଦେଖି ଏକରେ ତ ତମ ପାଖରେ ଖୁସିରେ ରହିବ, ନହେଲେ ଭୟରେ ଘରଛାଡ଼ି ବାପଘରକୁ ପଳେଇବ। ରନ୍ଧାଘର, ପୂଜାଘର, ବେଡରୁମ୍ ସବୁଠି ସବୁ ଜିନିଷ ଯଥାସ୍ଥାନରେ ରହିଥିବ । ତା ସାଙ୍ଗକୁ ସମ୍ପୂର୍ଣ୍ଣ ସଫା ବି ଥିବ, ମାନେ ଜାଣିଦିଅ କି ଏଇଟା ବିଶ୍ୱାମିତ୍ରର ଘର। ଘରକୁ ଆସୁଥିବା ସମସ୍ତେ ବିଶ୍ୱାମିତ୍ରର ଘରକୁ ଦେଖି ଘଡ଼ିଏ ଅଟିକ ଯାଆନ୍ତି। ଏପରିକି ଘରକୁ ଆସୁଥିବା ଦୈନିକ ଖବରକାଗଜ ପଢ଼ାସରିଲା ପରେ ତାକୁ ପୁଣି ନୂଆ ଖବରକାଗଜ ଭଳି ମାର୍ତା କରି ସଜାଇ ରଖିଛି ସେ ତାରିଖ ଅନୁସାରେ। ମୋଟାମୋଟି କହିବାକୁ ଗଲେ, ବିଶ୍ୱାମିତ୍ରର ଆଦବ କାଇଦାରେ ଘରମାଲିକ ହଡ଼ବଡ଼େଇ ଯାଆନ୍ତି ବୋଧେ, ସେଥିପାଇଁ ବିଶ୍ୱାମିତ୍ରକୁ ଆଉ ଘର ବଦଳାଇବାକୁ ପଡ଼ିନି।

ଗୋଟିଏ ପଟେ ବିଶ୍ୱାମିତ୍ରର ଅଖଣ୍ଡ ଅଚଳ ଭଡ଼ାଘର ଏବଂ ତା ଘର ମାଲିକ, ଆଉ ଅନ୍ୟପଟେ ପ୍ରତି ବର୍ଷେ ଦି ବର୍ଷ ଭିତରେ ସହର ବଦଳାଇ, ସେଠାରେ ଥିବା ଲୋକଙ୍କ ଭଡ଼ାଘରେ ଜୀବନ କାଟୁଥିବା ମୋ ଜୀବନ। ମତେ ଲାଗୁଥିଲା ପାଞ୍ଚ ଆଙ୍ଗୁଠି ସମାନ ନୁହେଁ। ତେଣୁ ସବୁ ଘରମାଲିକ ବିଶ୍ୱାମିତ୍ରର ଘରମାଲିକ ଭଳି କାହିଁକି ହେବେ? ଖାସ୍ ସେଥିପାଇଁ ଆମକୁ ଯେଉଁ ଘର ବଦଳାଇବାର ନିର୍ଦ୍ଦେଶ ଆସିଛି, ତାକୁ ମାନି ନେଇ ଘର ଛାଡ଼ିଦେଲେ ଗଲା। ଏତିକି ବେଳେ ମତେ ଘରଣୀ କହୁଛନ୍ତି, ବ୍ୟାଙ୍କରୁ ଋଣ ନେଇ ଘର ଗୋଟେ କିଣିଦେଲେ ଗଲା। ଏତେ ହଇରାଣ ହେବାକୁ ନଥିବ କିମ୍ବା ବାରମ୍ବାର ଘର ବଦଳାଇବାର ଝଂଝଟ ନଥିବ। ଏକଥା ଶୁଣି ମୁଁ ବଡ଼ ଜୋରରେ ହସିଲି। କହିଲି, ତମେ ଏମିତି କହୁଛ, ଯେମିତି ଘରେ ଓଡ଼ଶ ହୋଇଗଲେ ବୋଲି ଘରେ ନିଆଁ ଲଗାଇଦିଅ। ଏତିକିବେଳେ ମୋର ଜଣେ ସିନିଅରଙ୍କ କଥା ମନେ ପଡ଼ିଗଲା। ସେ ସବୁବେଳେ କହନ୍ତି, ମୂର୍ଖମାନେ ଘର ତିଆରି କରନ୍ତି, ପଣ୍ଡିତମାନେ ଭଡ଼ାଘରେ ରହନ୍ତି। ଆଜି ଘର ପସନ୍ଦ ଆସୁନି, ବଦଳାଇଦିଅ। ଆଜି କୌଣସି କାରଣ ବଶତଃ ଦରମା କମିଗଲା, ତାହେଲେ ଗୋଟିଏ ଛୋଟ ଘର ନେଇଯାଅ। ଯଦି ରୋଜଗାର ଆଶାତୀତ ଭାବେ ବଢ଼ିଲା, ତା ହେଲେ ଘର କଣ, ବଙ୍ଗଳା ନେଇଯାଅ। ସେଥିପାଇଁ ବୋଧେ ସେ ଆଜି ଯାଏଁ ଭଡ଼ାଘରେ ଅଛନ୍ତି ଏବଂ ତାଙ୍କ ପଦାଙ୍କ ଅନୁସରଣ କରି, ଆମେ ବି ନିଜ ଘର କରିବା ବା କିଣିବାର ମୋହରେ ପଡ଼ିନୁ। ବରଂ ଭଡ଼ା ଘରକୁ ଆମର ଭାଗ୍ୟରେ ପରିଣତ କରିଛୁ। ଆଉ ଚିନ୍ତା କଣ? ଏତେ ଆଉ ଭାବି ଲାଭ କଣ? ମାଲିକେ ଆସିବେ, ମାଲିକେ ଯିବେ । ଆମେ ଯେଉଁ ଭଡ଼ାଟିଆକୁ ସେଇ ଭଡ଼ାଟିଆ। ଆଜି ୟାଙ୍କ ଆକାଉଣ୍ଟକୁ ଭଡ଼ା ପଠାଅ, ତ କାଲି ତାଙ୍କ ଆକାଉଣ୍ଟକୁ। ଭଡ଼ାଘର ଜିନ୍ଦାବାଦ । ଖାଲି ସେ ଘର ପ୍ରତି ମୋହ ନଥିଲେ ହେଲା।

ବିଭାଗୀୟ ମୁଖ୍ୟ
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି
ମୋହାଲି, ପଞ୍ଜାବ, ପିନ୍- ୧୪୦୩୦୧
ଫୋନ୍- ୯୯୩୭୨୫୨୪୬୪

Leave A Reply

Your email address will not be published.