କବିତା : ଯମୁନା କୂଳର କଦମ୍ବ

ଅମିୟ ଭାନୁ ଧଳ

କାହ୍ନା !
ବସନ୍ତର ବାସନ୍ତିକ ମୁହୂର୍ତ୍ତରେ
କୃଷ୍ଣଚୂଡ଼ାର ଗୁନ୍ଥାଗୁନ୍ଥା ଫୁଲରେ
କଦମ୍ବମୂଳର ଅନାବନା ଘାସରେ
କାହ୍ନା !
ବେଶ୍ ତମେ ଆଜି ମନେ ପଡୁଛ l

ଜାଣିଛ କାହ୍ନା !
ଟିକେ ମନେପକାଅ ତ !
ହଠାତ୍ କଦମ୍ବଟେ
ଗଛରୁ ନୀରବ ଯମୁନାର
ପାଣିରେ ପଡିଲେ,
ଆମେ ଚମକି ପଡୁଥିଲେ,
ଆମେ ପକୃତିସ୍ଥ ହେଉଥିଲେ,
କାହ୍ନା ! ମୁଁ ସରମି ଯାଉଥିଲି,
ତମ ଦୁଷ୍ଟାମି ବେଶ୍ ବଢିଯାଉଥିଲା l

କାହ୍ନା !
ଏବେ ମୁଁ ଏକୁଟିଆ ବସୁଛି
ଏକଲା ହସୁଛି
ଏକା ଏକା କାହା ସହ
କଥା ହେବା କଥା ଲଳିତାଟା କହୁଛି
ହଁ…ହେଇଥିବ l
କାହ୍ନା ! କାଲି ପା ବିଶାଖା କହୁଥିଲା
ତମେ କାଳେ ନାହଁ
ତମ ବଂଶୀ କାଳେ ଶୁଭୁନି
ସବୁ ମିଛ କହୁଛନ୍ତି ନା କାହ୍ନା !

କାହ୍ନା !
ତେବେ ସବୁ ସଞ୍ଜରେ ତ
ତମ ବଂଶୀ ହିଁ ଶୁଭୁଛି
ବଂଶୀ ସ୍ବରରେ ତ ମୁଁ ଧାଇଁ ଆସୁଛି
କଣ୍ଟା ଗହଳରେ
ତମ ପୀତପାଟ ଲାଗିଗଲେ
ମୋ ଇସାରାରେ ତ
ତମେ କଣ୍ଟା କାଢୁଛ
ଆଗଭଳି ଏବେବି କହୁଛ
ରାଧେ ! ତମ କୋଳରୁ
ତୋଫା ଜହ୍ନ ବେଶ୍ ସୁନ୍ଦର ଦିଶୁଛି,
ହେଇ ତ ତମ
ଅଙ୍ଗବାସରୁ କର୍ପୁର ଚନ୍ଦନ ବାସୁଛି !

ଯମୁନାରେ ଯେତେ
ଗୋଡି ପକାଇଲେ ବି
ନୀରବ ଯମୁନା ଜଳରେ
କାହ୍ନା ତମେ ହିଁ ତାତ୍ସଲ୍ୟରେ ହସୁଥାଅ
କାହ୍ନା…ହଉ…ଯୁଆଡେ ବି ତମେ ଯାଇଛ ଯାଅ,
କାହ୍ନା…ଏଇମିତି ଏକୁଟିଆ
ମୋ ପାଖେ ପାଖେ ରହିଥାଅ,
ମୁଚୁକୁନ୍ଦ ହସ ହସୁଥାଅ…
ସବୁ ସଞ୍ଜରେ
ସବୁ ବାସନ୍ତିକ ବେଳାରେ
କାହ୍ନା !
ଏମିତି ଆସୁଥାଅ
ମୋ ସହ ବସୁଥାଅ
କାହ୍ନା ! ମୋ ସହ ହସୁଥାଅ…

ଆରଡ଼ି ରୋଡ଼, ଭଦ୍ରକ