Latest Odisha News

BREAKING NEWS

କବିତା : ସଂଶୋଧନ

 ଭାରତୀ ସରିତା ମହାନ୍ତି 

ମଣିଷ ମାତ୍ରକେ ଭୁଲ ଅଛି ସିନା
ନ କରେ ଯେ’ ସଂଶୋଧନ
ଜୀବନଟା ତା’ର ହୁଏ ଅସଜଡା
ପାଏ ନିନ୍ଦା ଅପମାନ।

ଜ୍ଞାନ ଆହରଣ ପାଇଁ କରେ ଶିକ୍ଷା
ହୁଏ ତା’ର ମୂଲ୍ୟାୟନ
ହୋଇଥିବା ଭୁଲ୍ ସଂଶୋଧନ କଲେ
ସପନ ହୁଏ ପୂରଣ।

କେବେ ପରିସ୍ଥିତି କେବେ ପରିବାର
କେବେ ଅର୍ଥର କାରଣ
ବିବେକ ବୁଦ୍ଧି ତା’ ହୋଇଥିଲେ ଶୁନ୍ୟ
ଭୁଲ୍ କରି ବସେ ଜାଣ।

ଜାଣି ଜାଣି ଭୁଲ୍ କରିବସେ ଯିଏ
ହୁଏ ନାହିଁ ସଂଶୋଧନ
ଅଜାଣତେ ଭୁଲ୍ ହୋଇ ଗଲେ କା’ର
ଦିଅ ତା’କୁ କ୍ଷମା ଦାନ ll

ଚୋରି ଡକାୟତୀ ଅବା କୂଟନୀତି
ଅନ୍ୟ ସମ୍ପତ୍ତି ହରଣ
ଗୁରୁ ଜନେ ମନେ ବ୍ୟଥା ଦିଏ ଯିଏ
କୁମଣିଷେ ତା’କୁ ଗଣ ll

ମଣିଷ ତ ଛାର ଦେବତା ହୋଇବି
ଭୁଲ୍ କରି ଥିଲେ କେବେ
ସଂଶୋଧନ କରି ସମସ୍ୟାର ଜଡ
ସମାଧାନ ହୁଏ ତେବେ।

ପୁରାଣ ବି କହେ କହେ ଇତିହାସ
ହୋଇଥିବା ସଂଶୋଧନ
ଅବାଟରୁ ବାଟ ନିଏ ସେ କଡ଼େଇ
ସେ ଜନ ହୁଏ ମହାନ।

ଭୁଲ୍ କରି ଯିଏ କରେ ଅନୁତାପ
ସଫଳତା ପ୍ରାପ୍ତି ତା’ର
ଛଳନାକୁ ତ୍ୟାଗୀ କରେ ସଂଶୋଧାନ
ବଦଳାଇ ବ୍ୟବହାର।

ସଂଶୋଧନ କରି ଦସ୍ୟୁ ରତ୍ନାକର
ରଚିଗଲେ ରାମାୟଣ
ସ୍ଵପ୍ନ ପୂରଣରେ ଅବାଟରେ ପାଦ
ଭୁଲ୍ ନୁହେଁ ସଂଶୋଧନ।

ଘର ପରିବାର ସମାଜ ପାଇଁ କି
କର୍ତ୍ତବ୍ୟକୁ ଭୁଲି ଯାଇ
ଲୋଭେ ବଶୀଭୂତ ସଦା ଏ ମଣିଷ
ଭୁଲ୍ ସଦା କରିଥାଇ।

ଗୁରୁଜନ ଯେବେ ଦେଉ ଥା’ନ୍ତି ଶିକ୍ଷା
ଭୁଲ୍ କର ସଂଶୋଧନ
ନିଜ ଭୁଲ୍ ପରେ ପରଦା ପକାଇ
କରନ୍ତି ଆଶା ପୂରଣ।

ଏତିକି ମିନତୀ ଯୋଡ଼ ହସ୍ତେ କରେ
ବିବେକ କର ଉଦ୍ରେକ
ଜଟିଳ ନୁହଁଇ ସଂଶୋଧନ କେବେ
ହୁଅ ହେ ନତ ମସ୍ତକ।

ସଂଶୋଧନ ଶବ୍ଦ ଜ୍ଞାନର ଆଲୋକ
ହେଉ ପଥ ପ୍ରଦର୍ଶକ
ଏମିତି ଭୁଲ୍ ବି ନ କର ଜୀବନେ
ମେଣ୍ଟାଇ ନିଜ ସଉକ।

ଭୁଲ୍ କରୁଛନ୍ତି ଆଜିର ସନ୍ତାନ
ମାନସିକ ଦଣ୍ଡ ଦେଇ
ପିତା ମାତା ଲହୁ ଲୁହ ହୋଇ ବହେ
ସଂଶୋଧନେ କ୍ଷମା ଥାଇ।

ଭୁଲ୍ କରୁଛନ୍ତି ପ୍ରେମ ଜାଲେ ଛନ୍ଦି
ବିଶ୍ୱାସରେ ବିଷ ଦେଇ
ସଜ ଫୁଟା ଫୁଲ ଅଦିନେ ଝାଉଁଳେ
ଅମୂଲ୍ୟ ଜୀବନ ଦେଇ।

ସଂଶୋଧନ କରି ଗଢି ତୋଳ ସର୍ବେ
ପ୍ରତ୍ୟେକ ନିଜ ଜିବନ
ଦେବତା ପ୍ରାପତି ସେ ଦେହେ ଶକତି
ଲଭିବ ନିଶ୍ଚେ କଲ୍ୟାଣ।

ବାଲିଆପାଳ
ବାଲେଶ୍ୱର

Leave A Reply

Your email address will not be published.