Latest Odisha News

BREAKING NEWS

କବିତା:ନିଜ ବାଟ

ଜ୍ଞାନୀ ଦେବାଶିଷ ମିଶ୍ର

ମୁଁ ମନ୍ତ୍ର ତନ୍ତ୍ର ଜାଣେନା,
ମତେ ମନ୍ତୁରାପାଣିରେ ତିନ୍ତେଇ ତାନ୍ତେଇ
ମୋକ୍ଷ ମୁଲକ ଦେଖାନା।।

ମୁଁ ଅନ୍ଧାରୀ ରାତିରେ କାଲୁଆ ପବନ ସୁଅ
ମୁଁ ଗାନ୍ଧାରୀ ଆଖିରେ ତତଲା ଦି ଟୋପା ଲୁହ।
ମୁଁ କେଁ କଟ କଟ ଭଙ୍ଗା କବାଟର ଗାଁ
ମୁଁ କଅଁଳା ବାଛୁରୀ ପ୍ରଥମ ପାଦର ଡିଆଁ ।
ମୁଁ ଚହଲା ନଈରେ ଦ୍ୱିତୀୟା ଜହ୍ନର ଛାଇ
ମୁଁ ଆହୁଲା ନଥିବା ନଉକାରେ ଯାଏ ବହି।
ମୁଁ ସରନ୍ତା ନିଦରେ ଅଳସ ହାଇର ଗାର
ମୁଁ ପାହନ୍ତା ସପନେ ମୋତି ଖୋଜା ଅଭିସାର।
ମୁଁ ହାଣ ଖାଇ ଖାଇ କଅଁଳି ଉଠିବା ଚେର
ମୁଁ ଶାଣ ପିଇପିଇ ହୀରାର ଚମକଧାର।
ମୁଁ ଏଇ ବଣ ଡେଇଁ ଆର ବଣ ଯିବା ପକ୍ଷୀ
ମତେ ଅଧାବାଟରୁ ତୁ କାହିଁକି ଆସିଚୁ ଡାକି !
ମୁଁ ନିଦା, ମୁଁ ପୋଲା, ମୁଁ ଚାବି , ମୁଁ ତାଲା।
ମୁଁ ସୁରା,ମୁଁ ସାକୀ, ମୁଁ ସୁଧ, ମୁଁ ବାକି।
ମୁଁ ଦିନ, ମୁଁ ରାତି, ମୁଁ ଶୀତ, ମୁଁ ତାତି।
ମୁଁ ପୁଣ୍ଯ କି ପାପ କି ସତ କି ଗପ !
ମୁଁ ଜାଣେନା।
ମୁଁ ମନ୍ତ୍ର ତନ୍ତ୍ର ଜାଣେନା।

ମତେ ବାଟ ଦେଖାନା ତୁ ପୁରୁଣା ଆଲୁଅ ଧରି
ମତେ ଘାଟ ଜଗାନା ତୁ ଚାରଣା ବାରଣା କରି।
ମୁଁ ଜିରା ଫୁଟଣରେ ଫୁଟିଥିବା ଅବସୋସ।
ମୁଁ ଖରାରେ ତରାରେ ମଲେଇ ବିକାଳୀ ଶୋଷ।
ମୁଁ ଦୀପ ନୁହେଁ ଯେ ତୁ ଜାଳିଦେଇ ଚାଲିଯିବୁ
ମୁଁ ପାପ ବି ନୁହେଁ ତ ଗାଳିଦେଇ ଭୁଲିଯିବୁ।
ମୁଁ ପିନ୍ଧା ପୋଷାକରେ ବିଗତ କାଲିର ଝାଳ
ମୁଁ ନିଶବଦ ହେଇ ବହୁଥିବା କୋଳାହଳ।
ମୁଁ ଲିଭି ଯାଇଥିବା ଖଡ଼ି ସିଲଟର ଅ ଆ
ମୁଁ ଡିବି ଆଲୁଅରେ ଦୋଳି ଖେଳୁଥିବା ଧୂଆଁ।
ମୁଁ ପ୍ରତି ଜୀବନରୁ ଲମ୍ବିଯାଇଥିବା ବାଟ
ମୁଁ ପ୍ରତି ଜୀବନରେ ଲହୁଲୁହାଣର ଚୋଟ।
ମୁଁ ଢିପ, ମୁଁ ଖାଲ, ମୁଁ ନିଆଁ , ମୁଁ ତେଲ
ମୁଁ ଶୋଷ, ମୁଁ ବିଷ, ମୁଁ କୋହ, ମୁଁ ହସ
ମୁଁ କଥା, ମୁଁ ନଥା, ମୁଁ ଖୁସି, ମୁଁ ବ୍ୟଥା
ମୁଁ ଫାଶ କି ରାକ୍ଷୀ କି ଦୋଷୀ କି ସାକ୍ଷୀ
ମୁଁ ଜାଣେନା।
ମୁଁ ମନ୍ତ୍ର ତନ୍ତ୍ର ଜାଣେନା,
ମତେ ମନ୍ତୁରାପାଣିରେ ତିନ୍ତେଇ ତାନ୍ତେଇ
ମୋକ୍ଷ ମୁଲକ ଦେଖାନା।।

ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ଯାଳୟ,କଟକ-୩

Leave A Reply

Your email address will not be published.