Latest Odisha News

BREAKING NEWS

କବିତା : ଅସମାପ୍ତ ନାଟକ

ମମତା ପ୍ରିୟଦର୍ଶିନୀ ସାହୁ 

ଏ କ’ଣ !
ଏବେ ତ ରାତି ପାହିବାକୁ
ବାକି ଥିଲା ଆହୁରି ସମୟ ,
ଶେଷ ଅଙ୍କ ପ୍ରସାରଣ ପାଇଁ
ଢେର ସାରା ଦୃଶ୍ୟ
ବଳକା ରହିଗଲା !

କେବଳ ମାତ୍ର
ଅତିକ୍ରମିତ ହେଇଥିଲା
ଅଳ୍ପ ପାହାଚ ,
ମଞ୍ଚ ଉପରକୁ ଉଠିବା ତ
ଖୁବ୍ ଦୂରର କଥା ,
ଭଲ ରେ ପ୍ରଲେପ ବି ଲାଗିନଥିଲା
ବେଶଭୂଷା, ସାଜସଜ୍ଜାର ,
ଅଥଚ ବିରାମ ପଡିଗଲା
ନାଟକ ନାୟକର ଅଭିନୟ କଳାରେ !

ଅନ୍ୟ ପକ୍ଷରେ ନିର୍ଦ୍ଦେଶକଙ୍କ
କଠିନ ନିର୍ଦ୍ଦେଶନାମା —-
” ପ୍ରସ୍ତୁତ ହୁଅ ନାୟିକା,
ଅଭିନୟ ପାଇଁ,
ବାକି ଅଛି ନାଟକର
ଶେଷତମ ଦୃଶ୍ୟ ।”

ବୋଧେ ଜାଣିନେବାର ଥିଲା
ବହୁ ପୂର୍ବରୁ ,
ଅନ୍ତର ଜଳୁଥାଉ ପଛେ
ଅବା ରକ୍ତ ଝରୁଥାଉ ,
ନାଟକତ ଚାଲିବ ହିଁ ଚାଲିବ ।

କଠୋର ହୃଦୟଧାରୀ ଏ ନିର୍ଦ୍ଦେଶକ
ସେ ଠିକ୍ ଜାଣନ୍ତି କାହାକୁ କେତେ ସମୟ ଦେବେ ଅଭିନୟ ପାଇଁ ,
ଅଭିନୟ ସମାପ୍ତିରେ ପୂର୍ଣ୍ଣ ବିରାମର ବ୍ଯବସ୍ଥା ,
ଶତ ସନ୍ଧାନ ପରେ ବି ମିଳି ପାରେନାହିଁ ପତ୍ତା ,
ଥରେ ହଜିଗଲେ ଇଅତ୍ତା ।

ପଛରେ ରହିଯାଏ ନାୟକର ବଳକା ସ୍ବପ୍ନ , ଅଜସ୍ର କାମନା ,
ଅପୂର୍ଣ୍ଣ ରହିଯାଏ କିଛି କର୍ତ୍ତବ୍ଯ ।

ନାୟିକା ଅଣ୍ଟାରେ ନଥାଏ ବଳ
ତଥାପି ହସି ହସେଇବାକୁ ହେବ ,
ଲୁଚି ଲୁଚି ଲୁହ ପୋଛିବାକୁ
ନ ଥାଉ ପଛେ ସମୟ ,
ନାଚିବାକୁ ହେବ ନିର୍ଦ୍ଦେଶନାମାରେ
ମଞ୍ଚ ଉପରେ ପରଦା ପଡିବାଯାଏ ।

କରତାଳି ମିଳୁ କି ଗାଳି
ଅବିରତ ଚାଲେ ଅଭିନୟ
ପିଣ୍ଡରେ ବାୟୁ ଥିବା ଯାଏ ,
ନାଟକର ଶେଷ ଦୃଶ୍ୟ
ଆସୁ କି ନ ଆସୁ ,
ଅକାଳରେ ଉପସ୍ଥିତ ହୁଏ
ନାୟିକା ଜୀବନର
ଶେଷତମ ଅଙ୍କ ।

କେତେ ଆସନ୍ତି
କେତେ ଯାଆନ୍ତି
ନାୟକ ଆଉ ନାୟିକା ,
ହେଲେ ନାଟକ ତ ଚାଲିଥାଏ
ଅବିରତ , ଆଉ ଚାଲିବ ବି ଅନବରତ ,
ଅନନ୍ତ , ଅସୀମ ସମୟ ଯାଏ
ଭୋର ହେବା ଯାଏ ,
ହଁ —- ହଁ
ନୂତନ ସୂର୍ଯ୍ୟ ଆସିବା ଯାଏ ।।।

Leave A Reply

Your email address will not be published.