ପ୍ରଦୀପ ପଣ୍ଡା
ସେ ଓ ମୁଁ ବସିଥାଉ ପୃଥିବୀର ସୀମାନାରେ
ମୋର ହେବାଯାଏଁ ଅନ୍ତର୍ହିତ।
ମୁଁ, ମୁଁ ନଥାଏ ଓ ସେ କଦାଚିତ ସେ ନଥାଏ
ଆମେ ବସିଥିବା ଯାଏଁ।
ପକ୍ଷୀମାନେ ଉଡନ୍ତି ମେଘମାନେ ବି
ପତ୍ରମାନେ କୋଳାକୋଳି ହୁଅନ୍ତି ପବନରେ,
ତା’ର ଓ ମୋର
ପକ୍ଷୀମାନେ ମେଘମାନେ ପତ୍ରମାନେ।
ନଈ ଭରିଯାଏ ନୀଳ ସରାଗରେ
କବିତା ଗୁଣୁଗୁଣାଏ
ତାରାମାନେ ଜଳନ୍ତି ପ୍ରେମରେ,
ତା’ର ଓ ମୋର
ନଈ କବିତା ଓ ତାରାମାନେ।
ସେ ବଢାଏ ତା’ର ଥରଥର ଓଠ ମୋ ଆଡ଼କୁ
ମୋର ଓଠ ହୁଏ କମ୍ପ କମ୍ପ,
ସନ୍ନିକଟ ଯୋଜନ ଦୂରରେ
ତା’ର ଓ ମୋର
ଅନ୍ୟମନସ୍କ ଅନୁରାଗ।
ତା’ର ଓ ମୋର
ନିରିନ୍ଦ୍ରିୟ ସହବାସର ଆଞ୍ଚରେ
ରୁଗୁରୁଗୁ ଉଷୁମ ହେଉଥାଏ,
ସକାଳ ସାୟାହ୍ନ ରାତି
ଆଲୋକ ନିରାଲୋକ ଅନ୍ଧାର
ନିରର୍ଥକ ଶବ୍ଦ ଅର୍ଥମୟ ମୌନତା
କାକର ସବୁଜିମା ମାଟି ଗଛର ଚେର
ତା’ର ଓ ମୋର କାଳ କାଳାତୀତ,
ମୋର ହେବାଯାଏଁ ଅନ୍ତର୍ହିତ।