ଶୁଭଶ୍ରୀ ଶୁଭସ୍ମିତା ମିଶ୍ର
ତାର ସେ ନିରୀହ ହଳେ ଆଖି
ଯେ’ ମୋତେ ଫ୍ରକ୍ ପିନ୍ଧା ଝିଅରୁ
ଅପରାଜିତା ଫୁଲଟେ କରିଦିଏ ,
ତାର ସେ ସଶକ୍ତ ପାପୁଲି
ଯେ ‘ ପେଣ୍ଡୁ ପରି ଫିଙ୍ଗି ମୋତେ ସମୁଦ୍ର ଫେଣକୁ
ଆଉ ଛାଣିଆଣେ ଓଦା ରୁଟି ଟେ ପରି
ତାର ସେ ଉତ୍ତପ୍ତ ଓଠ
ଯେ’ ତତଲା କଡେଇରେ
ମାଛ ପରି ଭାଜି ଦେଉଥାଏ ମୋର ଛାତି,
ତା ରକ୍ତର ସିଞ୍ଚନରେ
ମୋ ଅପରାଜିତାର ସୌନ୍ଦର୍ୟ
ଆକାଶକୁ କମ୍ବଳ କରି
ସମ୍ପୁର୍ଣ୍ଣ ପୃଥିବୀର ଗର୍ଭ ପାଲଟି ଯାଏ ,
ତଥାପି ଅପରାଜିତାର ପାଖୁଡାଟି
ସତେଜ ଥାଏ ତା ପର ଦିନ
ସୂର୍ୟୋଦୟ ପରେ!!