ମଣିଷ ଭୂତାଣୁ

ବିମଳ ଶଙ୍କର ଦାଶ

ଷ୍ଟାଟସଟିଏ ନିଜ ସୋସିଆଲ ମେଡିଆ ପୃଷ୍ଠାରେ ଲେଖି ଦେଇ ଚିନ୍ମୟ ଟିକିଏ ଆଶ୍ୱସ୍ତି ଅନୁଭବ କଲେ ବି ଭୁଲି ପାରୁ ନ ଥିଲେ ସକାଳର ଘଟଣା ।

ଅନେକ ଘଟଣା ଅଘଟଣା ଦୁନିଆରେ ଘଟେ । କିଛି ଘଟଣା ମନକୁ ଗଭୀର ଆଘାତ ଦିଏ ..ହୃଦୟକୁ ଆନ୍ଦୋଳିତ କରେ…କିନ୍ତୁ ପ୍ରତିବାଦ କରି ହୁଏନା ! ନିରବରେ ସହି ଯିବାକୁ ପଡେ । ସମାଜର ଚାରିଲୋକଙ୍କ କଥା ନ ମାନି ଚଳିଲେ ଜିଇଁବା ଦୁଃର୍ବିସହ ହୋଇଯାଏ । ସେଇଥିପାଇଁ ଚିନ୍ମୟ ଚାହିଁଲେ ବି କିଛି କରି ପାରିନଥିଲେ …
ରାଜପଥକୁ ଲାଗି ପାହାଡ କୋଳରେ ଏକ ଜନବସତି, ନାଁ ତା’ର ନିର୍ଦ୍ଦିଷ୍ଟ କିଛି ନ ଥିଲେ ବି ଲୋକେ ନୂଆପୁର୍‌ ବୋଲି ଡକାହକା ହୁଅନ୍ତି । ସହରଠୁ ଟିକେ ଛୋଟ ଆଉ ଗାଁଠୁ ଟିକେ ବଡ ..ଉଭୟ ଗ୍ରାମ୍ୟ ଓ ସହରୀ ଚଳଣିର ଫେଣ୍ଟାଫେଣ୍ଟି ରୂପ ଦେଖିବାକୁ ମିଳେ ନୂଆପୁରରେ । ସେଠାରେ ରହୁଥିବା ଲୋକେ ବେଶି ପାଠୁଆ କି ସଂପୂର୍ଣ୍ଣ ମୂର୍ଖ ବି ନ ଥିଲେ । ଗାଁ ମୁଖିଆ ମଂଗୁଳୁ ଟିକେ ଅଧିକା ପାଠୁଆ । ଗାଁରେ ସେ ଯାହା କହିଦିଏ ସେଇଟା ସଂବିଧାନ….ସେ ଯେଉଁ ନିଷ୍ପତି ଶୁଣେଇଦିଏ ତାହା ଚୂଡାନ୍ତ ..।

ମଂଗୁଳୁର କଥାକୁ କିଏ ପ୍ରତିବାଦ କରନ୍ତି ନି କି କରିବାର ସାହସ ବି କାହାରି ନାହିଁ । ଆଜିକା ଦୁନିଆରେ ବି ଏମିତି କଂଗାରୁ କୋର୍ଟ ଚାଲେ ସେଇ ଗାଁ ରେ …..

ବର୍ଷେ ହେଲା ସେଇ ଗାଁର ପ୍ରାଥମିକ ବିଦ୍ୟାଳୟ ରେ ଚିନ୍ମୟ ଶିକ୍ଷକରୂପେ ଜଏନ୍ କରି ଥାଆନ୍ତି । ଅନ୍ୟ ଜିଲ୍ଲାର ହୋଇଥିବାରୁ ସେ ପ୍ରାୟ ସ୍କୁଲର ଏକ କୋଠରୀରେ ହିଁ ରହି ଯାଆନ୍ତି । ଗାଁ ଲୋକଙ୍କ ସହ ମିଶି ସେ ବି ସେଇ ଗାଁ ଲୋକ ପରି ହୋଇ ଯାଇଥିଲେ । ଗାଁ ମୁଖିଆ ବିନା କାରଣରେ ଅନେକ ଥର ତାଙ୍କୁ ନାଲି ଆଖି ଦେଖାଏ.. ଧମକାଏ… !

ସହଜରେ ବାହାର ଜିଲ୍ଲାର ହୋଇଥିବାରୁ ଚିନ୍ମୟ ବି ଅଯଥା ଶତ୍ରୁତା ସୃଷ୍ଟି କରିବାକୁ ଚାହୁଁ ନ ଥିଲେ । ଆଗରୁ ଜଣେ ଶିକ୍ଷକ ମୁଖିଆଙ୍କ ସହ ଏମିତି ଶତ୍ରୁତା କରି ମିଛ କେସ୍ ରେ ସଜା କାଟୁଛନ୍ତି ..ଏ କଥା ଚିନ୍ମୟ ଜାଣିଥିଲେ । ସେଇଥିପାଇଁ ଚିନ୍ମୟ ମୁଖିଆଙ୍କୁ ଦେଖିଲେ ଦଶଗଜ ଦୂରରୁ ମୁଣ୍ଡିଆଟିଏ ମାରି ଦିଅନ୍ତି ବାଧ୍ୟ ହୋଇ । ସେତିକିରେ ମୁଖିଆ ଗଡ ଜିତିଯିବାର ଖୁସି ଅନୁଭବ କରି ଚିନ୍ମୟଙ୍କୁ ବାଃ ବାଃ କରନ୍ତି । ଚିନ୍ମୟ ଗାଁ ଲୋକଙ୍କ ପରି ତାଙ୍କୁ ସମ୍ମାନ ଦିଅନ୍ତି ଓ ମୁଖିଆଙ୍କ ଅନ୍ୟାୟ ଅନୀତି କୁ ବେଳେ ବେଳେ ଅଣ ଦେଖା କରି ଦିଅନ୍ତି । କିନ୍ତୁ ଆଜି ସକାଳର ଘଟଣା ଟିକୁ ସେ ସହଜରେ ଅଣଦେଖା କରି ପାରୁ ନଥିଲେ …. ରଘୁଆ ପ୍ରତି ଘଟି ଯାଇଥିବା ଅନ୍ୟାୟକୁ ସେ ସହଜରେ ହଜମ କରି ପାରୁ ନଥିଲେ ….

ରଘୁଆ ହଠାତ୍ ଗାଁ ଛାଡି ଚାଲିଯାଇଥିଲା ଦାଦନ ଖଟିବାକୁ । ତା’ର ସବୁ ପୈତୃକ ଜମି ମୁଖିଆର ହେପାଜତରେ ରଖି । ତା ମାଇପକୁ ଭଲ କରିବା ପାଇଁ ଟଙ୍କା ଧାର ନେଇଥିଲା ସେ କୁଆଡେ …ସେଇ ଧାର ଟଙ୍କା ରେ ନା ସ୍ତ୍ରୀକୁ ବଞ୍ଚାଇ ପାରିଥିଲା ନା ନିଜ ଜୀବନ ଜିବିକାର ଏକମାତ୍ର ମାଧ୍ୟମ ନିଜର କେଇଗୁଣ୍ଠ ଜମିକୁ ବଞ୍ଚାଇ ପାରିଲା … ସେଇଥିପାଇଁ ସେ ଚାଲିଗଲା ଦାଦନ …

ହେଲେ ଚାରିଆଡେ କରୋନା ସଂକ୍ରମଣର ହା ହା କାର ଭିତରେ ସେତକ ବି ହରେଇ ଦେଲା ..ନିରୂପାୟ ହୋଇ ଫେରି ଆସିଲା ଗାଁକୁ ..।

କିନ୍ତୁ ବଞ୍ଚିବ କେମିତି ..କରୋନା ତ ସବୁ ଜୀବନ ଜୀବିକାର ଦ୍ୱାର ବନ୍ଦ କରି ଦେଇଛି । ସହଜରେ ବର୍ଷା କାଳ ଆସିଗଲା । ଏଇ ବେଳାରେ ଜମି ଖଣ୍ଡକ ଥିଲେ କିଛି ଗୋଟେ କରନ୍ତା । ରଘୁଆ ଗଲା ମୁଖିଆଙ୍କ ପାଖକୁ । ନେହୁରା ହେଲା ତା ଜମି ଫେରାଇ ଦେବାକୁ ।

ଚାଷବାଷ କରି ସେ ତା କରଜ ଶୁଝିଦେଇଯିବ ବୋଲି ବି କାକୁତି ଲା । କିନ୍ତୁ କରଜ ନ ଶୁଝିବା ଯାଏଁ ଜମି ଫେରେଇବାକୁ ମଙ୍ଗୁଳୁ ରୋକ୍ ଠକ୍ ମନା କରିଦେଲା..

ଜୀବନ ଓ ଜିବିକା ପାଇଁ ମଣିଷ ସଂଘର୍ଷ କରିପାରେ । ରଘୁଆ ବି ସେୟା କଲା । ଧିରେ ଧିରେ ଦୁହିଁଙ୍କ ଭିତରେ ଉତ୍ତେଜନା ତୀବ୍ର ରୂପ ଧରିଲା । ଶେଷରେ ମୁଖିଆ କୂଟନୈତିକ ଖେଳ ଖେଳିଲେ ….

ଗାଁ ସାରା ପ୍ରଚାର ହେଲା ରଘୁଆ ସହ କେହି କୌଣସି ସଂପର୍କ ରଖିପାରିବେନି ..ରଘୁଆ ତା ଘର ବାହାରକୁ ଆସି ପାରିବନି …କାହିଁକି ନା ତା’ ଠାରେ କରୋନା ର ଲକ୍ଷଣ ସବୁ ଦେଖା ଦେଉଛି । ସେ ସଂପୂର୍ଣ୍ଣ ଗୃହବନ୍ଦୀ ରହିବ …ମଙ୍ଗୁଳୁ କରୋନାକୁ ଅସ୍ତ୍ର କରି ତା ଚାଲରେ ସଫଳ ହେଲା । ସରକାର ବି ତାଙ୍କୁ ସ୍ୱତନ୍ତ୍ର କ୍ଷମତା ଦେଇଥିଲେ ମୁଖିଆ ହିସାବରେ । ସେଇ କ୍ଷମତାକୁ ଭରପୁର ପ୍ରୟୋଗ କଲା ବିଚରା ରଘୁଆ ଉପରେ ….

ଗାଁ ଲୋକଙ୍କ ତ ମଙ୍ଗୁଳୁ ଉପରେ କଥା କହିବାକୁ ଆଗରୁ ସାହସ ନ ଥାଏ . …ଘଟଣାର ସତ୍ୟାସତ୍ୟ ଥାଉ କି ନ ଥାଉ ସବୁ ମାନିଗଲେ ବିନା ଦ୍ୱିଧାରେ …ସହଜରେ କରୋନା କଥା ..ନିଶ୍ଚୟ ମାନିବାକୁ ପଡିବ ….

ତେଣେ ରଘୁଆ ଘର କୋଣରେ ପଡି ରହିଲା ଅନାହାରରେ . … କେହି ପାଣି ମୁନ୍ଦାଏ ଦେବାକୁ ନ ଥିଲେ ପାଖରେ. …. ଏକଚାଟିଆ ହୋଇ ରହିଗଲା ରଘୁଆ..

ଶେଷରେ ମାନସିକ ଭାବେ ଭାରସାମ୍ୟ ହରାଇ ବାଛିନେଲା ଆତ୍ମହତ୍ୟାର ପନ୍ଥା …..

ସକାଳୁ ସକାଳୁ ଏଇ ଖବର ବିଜୁଳି ପରି ଖେଳି ଗଲା ଗାଁଟା ସାରା ….
କିନ୍ତୁ କେହି ବି ଛୁଉଁ ନ ଥିଲେ ରଘୁଆକୁ । ପୋଲିସ୍ ଆସିବା ଯାଏଁ ସେମିତି ଝୁଲି ରହିଲା …
ଅନେକ ସମୟ ପରେ ପୋଲିସ୍ ଆସି ସବୁ ଫର୍ମାଲିଟି ପୁରା କରି ଗାଁ ଲୋକଙ୍କୁ ଶବ ହସ୍ତାନ୍ତର କଲେ ….
ମୁଖିଆ ସିଧା ସିଧା ମନା କରିଦେଇ କହୁଥିଲେ —

ତା’ ଠାରେ କରୋନା ଲକ୍ଷଣ ରହିଥିଲା . …ସେଇ ରିସ୍କ ଗାଁ ଲୋକ ନେବେନି ….ଶବ ସତ୍କାର ଗାଁରେ ହୋଇ ପାରିବନି …ଏହା ଛଡା ତା’ର ନିଜର ବୋଲି କେହି ନ ଥିବାରୁ ତାର ସମସ୍ତ ସତ୍କାର ବ୍ୟବସ୍ଥା ପୋଲିସ୍ ପ୍ରଶାସନ ହିଁ ବୁଝିବ ….

ଏତେବଡ ଗାଁ ରେ ରଘୁଆର ସତ୍କାର ପାଇଁ କେହି ବି ଅଣ୍ଟାଭିଡି ଆଗକୁ ବାହାରିଲେନି …। ଚିନ୍ମୟ ଏସବୁ ଘଟଣା ସକାଳରୁ ଦେଖି ଆସୁଥିଲେ ….

ଶେଷରେ ସେ ପୋଲିସର ସହାୟତାରେ ରଘୁଆର ସତ୍କାର ବ୍ୟବସ୍ଥା କରେଇଦେଇ ପାରିଲେ ସିନା ପ୍ରକୃତରେ ରଘୁଆକୁ ଉଚିତ୍ ନ୍ୟାୟ ଦେଇ ପାରିଲେନି …..

ଚାହିଁଲେ ବି ଅଭିଯୋଗ କରି ପାରିଲେନି ମୁଖିଆଙ୍କ ବିରୁଦ୍ଧରେ …

ମନକୁ ବୁଝେଇବା ପାଇଁ କେବଳ ସୋସିଆଲ ମେଡିଆରେ ଷ୍ଟାଟସ୍ ଟିଏ ଲେଖି ଦେଇଥିଲେ….

“ଭୂତାଣୁକୁ ଡର …ସତର୍କ ରୁହ
ଶରୀରକୁ ସୁସ୍ଥ ରଖ”

କିନ୍ତୁ ….
ମନରେ କାହା ପ୍ରତି ଅସୂୟା ଭାବ ରଖି ଘୃଣା କରନି କି
ସଂକ୍ରମଣର ନାଁ ନେଇ ମଣିଷ ପ୍ରତି ଅମଣିଷପଣିଆ ଦେଖାଅନି …
ମଣିଷପ୍ରତି ମଣିଷର ସର୍ବନିମ୍ନ ସଂପର୍କ ତ ନିହାତି ରଖିବା ଉଚିତ୍ । ନ ହେଲେ ଭୂତାଣୁ ଆମକୁ ମାରିବା ପୂର୍ବରୁ ଆମେ ନିଜେ ହିଁ ନିଜକୁ ମାରି ସାରିଥିବା ………..
ଆଉ ପାଲଟିଯିବା “ମଣିଷ- ଭୂତାଣୁ”… ..!!”

ନୂଆପୁର୍ ର କେତେ ଜଣ ସେଇ ଷ୍ଟାଟସ୍ ଟିକୁ ପଢିଥିବେ କି ବୁଝି ଥିବେ ସେ ହିସାବ କରୁ କରୁ ଚିନ୍ମୟ ତା ପର ଦିନ ଖବରକାଗଜ ରେ ବଡବଡ ଅକ୍ଷରରେ ଖବର ବାହାରିଥିବାର ଦେଖିଲେ –
ନୂଆପୁର୍ ର ଜଣେ କରୋନା ସଂଦିଗ୍ଧଙ୍କ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା !!!
ଚିନ୍ମୟ କିନ୍ତୁ ଖବର ଭିତରେ କରୋନା ଭୂତାଣୁ ବଦଳରେ ମଣିଷଭୂତାଣୁ  ରୂପକଳ୍ପକୁ ହିଁ ଦେଖୁଥିଲେ …..!!

ଗୋଡିଆବଂଧ (ପଦ୍ମପୁର), ଜିଲ୍ଲା-ରାୟଗଡା ,୭୬୫୦୨୫