ଗଳ୍ପ : କୁନ୍ତୀ

ମଞ୍ଜୁବାଳା ପଣ୍ଡା 

ସକାଳୁ ସକାଳୁ ବିକ୍ରମର ଫୋନ୍।

: ସର ଖୁଡୀ ଚାଲିଗଲେରେ ଜିତୁ।
: ଏଁ? କ’ଣ କହୁଛୁ ବିକି?
: ହଁ ରେ ଭାଇ। ବିକ୍ରମର ଗଳା ଭାରି ଶୁଭିଲା।
: କିନ୍ତୁ କେମିତି? ମୁଁ ତ ଏଇ ଦି’ ମାସ ତଳେ ଗାଁ’କୁ ଗଲାବେଳେ ଦେଖିଛି ତାଙ୍କୁ। ସମ୍ପୂର୍ଣ୍ଣ ସୁସ୍ଥ ଥିଲେ।
: ଅକାଳ ମୃତ୍ୟୁ। ଅବିଶ୍ବସନୀୟ ଦୁର୍ଯୋଗ। ଗତ କାଲି ତାଙ୍କ ସ୍ଖୁଲରେ ଖାଇଛୁଟି ବେଳେ କିଛି ପିଲା ଖାଇ ସାରିବା ପରେ ସେଇ ବଡ ବଉଳ ଗଛ ଚଉତରାରେ ବସିଥିଲେ। ବିଷାକ୍ତ ସାପଟିଏ ସେ ପାଖରେ ଦେଖି ସରଖୁଡୀ ପାଟି କରି ପିଲାଙ୍କୁ ପଳେଇବାକୁ କହି ନିଜେ ବାଡିଟିଏ ଧରି ସାପକୁ ଘଉଡେଇଲେ। ବାସ୍ … ପିଲାମାନେ ତ ଧାଇଁ ପଳେଇ ରକ୍ଷା ପାଇଗଲେ ହେଲେ ସରଖୁଡୀଙ୍କୁ ଚୋଟ ମାରିଲା ସାପ। ଖବର ପାଇ ଭାସ୍କର ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନେଇଗଲା। ସକଳ ଚେଷ୍ଟା ସତ୍ତ୍ଵେ ଡାକ୍ତର ବଞ୍ଚେଇ ପାରିଲେନି। ଆଜି ସକାଳେ ଚାଲିଗଲେ ବିଚାରୀ। ଗୋବିନ୍ଦ କହୁଥିଲା – ପିଣ୍ଡରୁ ପ୍ରାଣ ଛାଡିଲା ବେଳକୁ ନାଁ’ ଧରି ଧରି ଗୋଟି ଗୋଟି କରି ଆମମାନଙ୍କୁ ଖୋଜୁଥିଲେ।
: ହେ ଭଗବାନ! ମୋ କଣ୍ଠରୁଦ୍ଧ ହେଲା।
: ସରୋଜ ଓ ପ୍ରଭାତଙ୍କୁ ଖବର ଦେଲିଣି। ସେମାନେ ଫାଷ୍ଟ୍ ଫ୍ଲାଇଟ୍ ଧରି ଆସିବେ। ମୁଁ ସେମାନଙ୍କୁ ଏଆରପୋର୍ଟ୍ ରୁ ପିକ୍ ଅପ୍ କଲା ପରେ ଆମେ ସିଧା ଗାଁ’କୁ ଯିବୁ। ଭୁବନେଶ୍ବରରୁ ତ ଜମା ଘଣ୍ଟାକର ବାଟ। ତୁ ସିଧା ଗାଁ’କୁ ଆସିବୁ। ତୋ ପହଞ୍ଚିବା ସାମାନ୍ୟ ଡେରି ହେଲେ ବି ଆମେ ତୋତେ ଜଗିବୁ। କିନ୍ତୁ ସୂର୍ଯ୍ୟାସ୍ତ ପୂର୍ବରୁ ଦାହ ସାରିବାର ଅଛି। ବାହାରିପଡ ସାଙ୍ଗେ ସାଙ୍ଗେ।

ବିକ୍ରମ ଫୋନ୍ ରଖି ସାରିଥିଲା।

ଏକାନ୍ତ ନିଜସ୍ବ ଅନ୍ତର୍ବେଦନାରୁ ହିଁ ଲୁହର ଉତ୍ପତ୍ତି। ରକ୍ତ-ସମ୍ପର୍କର କିଛି ସମ୍ପର୍କ ନ ଥାଏ ତା’ ସହିତ। ଆଖିରେ ଜକେଇ ଆସିଥିବା ଲୁହକୁ ବିଶି ଆଙ୍ଗୁଠି ଅଗରେ ପୋଛିଦେଲି। ପତ୍ନୀ ସୀମା ମଧ୍ୟ ମୋ ସାଥୀରେ ଯିବି କହିଲେ।

: ସାତଟା ବାଜିଲାଣି ସୀମା। ରାଉରକେଲାରୁ ଆମ ଗାଁ’କୁ ଅତି କମ୍ ରେ ଛ’, ସାତ ଘଣ୍ଟା ଲାଗିବ। ସେଠି ଶୀଘ୍ର ପହଞ୍ଚିବାର ଅଛି ଆମକୁ।
: ତମେ ବାହାରୁ ବାହାରୁ ମୁଁ ସ୍ୟାଣ୍ଡ୍ଉଇଚ୍ ଦି’ଟା କରି ଦଉଛି। ତମେ ତ ବାଟରେ ହୋଟେଲ ରେ ବି ଖାଇବନି। ସେଠି ପହଞ୍ଚିଲା ପରେ ଅନ୍ୟାନ୍ୟ କାମରେ ବ୍ୟସ୍ତ ରହିବ। ଖାଲି ପେଟରେ ରହିଲେ ତମର ଗ୍ୟାଷ୍ଟ୍ରିକ୍ ପୁଣି ବାହାରିବ।
: ସରଖୁଡୀଙ୍କ ଦାହ ଯାଏଁ ମୋର କିଛି ଖାଇବାର ନାହିଁ। ହଁ, ଚା’ କପେ ଦିଅ ଆଉ ଶୀଘ୍ର ବାହାର।

ସାଢେ ସାତରେ ଆମେ ରାଉରକେଲା ଛାଡିଲୁ।

ରାଉରକେଲା ସ୍ଥିତ ସେଲ୍ ର ଡିଜିଏମ୍ ପୋଷ୍ଟ୍ରୁ ମୁଁ ଦୁଇ ବର୍ଷ ହେଲା ରିଟାୟାର୍ କଲିଣି। ଅସୀମା ମହିଳା ମହାବିଦ୍ୟାଳୟରେ ଅଧ୍ୟାପିକା ଥିଲେ। ଏଇ ଛ’ ମାସ ଆଗରୁ ସେ ବି ଅବସର ନେଇଛନ୍ତି। ଚାକିରି କାଳ ସାରା ଗୋଟିଏ ଜାଗାରେ ରହିଲେ ସେ ଜାଗା ପ୍ରତି ଏକ ଆପଣାପଣ ଆସିଯାଏ। ତେଣୁ ସେଲ୍ କ୍ବାର୍ଟର୍ ଛାଡିବା ପରେ ନିଜେ ଘରଟିଏ କରି ନିଜ କର୍ମସ୍ଥଳୀରେ ହିଁ ରହି ଯାଇଛୁ। ଦି’ ପୁଅ ପରିବାର ନେଇ ପୁନେରେ। ଉଭୟଙ୍କର ଗୋଟିଏ ଲେଖାଏଁ ଝିଅ। ପିଲାମାନେ ଆମ ଅବସର ପରେ ସେମାନଙ୍କ ପାଖରେ ରହିବା ଚାହାନ୍ତି। ହେଲେ ମାସେ ଅଧେ ରହିବା ପରେ ଆମେ ଅଥୟ, ଅସ୍ଥିର ହେଇ ପଳେଇ ଆସୁ। ସାଙ୍ଗ ସାଥୀ, ପାଖ ପଡିଶା ଟାଣି ଆଣନ୍ତି। ଏବକୁ ତ ଗୋଡ, ହାତ ଚଳୁଚି। ପଛକୁ ପଛ ଅଚଳ ହେଲେ ଦେଖାଯିବ।

ଅସୀମା ମ୍ୟାଗାଜିନ୍ ପଢୁଛନ୍ତି। ଗାଡିରେ ବସିଲା ମାତ୍ରକେ ତାଙ୍କର ଭୟଙ୍କର ମୋସନ୍ ସିକ୍ନେସ୍ ହୁଏ। ତେଣୁ ସେ ବସ୍ ଯାତ୍ରା କେବେ ବି କରନ୍ତିନି। ଲମ୍ବା ରାସ୍ତା କାର୍ ରେ ଯିବାକୁ ହେଲେ ବାହାରିବା ପୂର୍ବରୁ ଔଷଧ ଖାଆନ୍ତି। କାର୍ ରେ ବସିଲେ ମନ ଭୁଲେଇବା ପାଇଁ ମ୍ୟାଗାଜିନ୍ କିମ୍ବା ବହିଟିଏ ପଢୁଥା’ନ୍ତି। ଏମିତିରେ ବି ପ୍ରଚୁର ପଢନ୍ତି ସେ।

ସଦ୍ୟ କ୍ଷତରୁ ରକ୍ତ କ୍ଷରଣ ବନ୍ଦ ହୁଏନାଇଁ। ସରଖୁଡୀଙ୍କର ମୃତ୍ୟୁ ଖବର ସିଧା ମୋ ହୃଦୟକୁ ଆଞ୍ଚୁଡିଛି। ଥିପିଥିପି ରକ୍ତ ଝରୁଛି। ଗୋଟି ଗୋଟି ହେଇ ତାଙ୍କ କଥା ମୋର ମନେ ପଡୁଛି।

ଅନାଦି କକା ଆମ ଗାଁ’ ପ୍ରାଇମେରୀ ସ୍କୁଲର ଗଣିତ ଶିକ୍ଷକ ଥିଲେ। ତାଙ୍କ ସହିତ ଆମ ଘରର ବାର ପତ୍ରୀ ସମ୍ପର୍କ। ବୟସରେ ମୋ ନନାଙ୍କ ଠାରୁ ସେ ଢେର୍ ସାନ। ଅନାଦି କକା ପିଲାବେଳୁ ତାଙ୍କ ବାପା, ମା’ଙ୍କୁ ହରେଇଥିଲେ। ମୋ ନନା ଓ ଅନ୍ୟାନ୍ୟ ସମ୍ପର୍କୀୟ ମାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବଢିଛନ୍ତି। ତେଣୁ ନନାଙ୍କୁ ଖୁବ୍ ମାନନ୍ତି ସେ। ସେଇ ହିସାବରେ ମୋର ବେଶ ଭାଉ ଚଳେ କକାଙ୍କ ଘରେ।

ଅନାଦି କକା ବାହା ହେଲା ବେଳକୁ ଆମେ – ମାନେ ମୁଁ, ସରୋଜ, ପ୍ରଭାତ, ବିକ୍ରମ ଓ ଭାସ୍କର – ସବୁ ପଞ୍ଚମ ଶ୍ରେଣୀ ପଢୁଥିଲୁ। ଆମେ ପାଞ୍ଚ ଜଣ ଖୁବ୍ ସାଙ୍ଗ ବୋଲି ସମସ୍ତେ ଆମକୁ ପଞ୍ଚୁପାଣ୍ଡବ ଡାକୁଥିଲେ। ସରୋଜିନୀ ଖୁଡୀଙ୍କୁ ଦେଖି ଆମ ଆଖି ଜଳକା। ସେ କେବଳ ଅତ୍ୟଧିକ ସୁନ୍ଦରୀ ନ ଥିଲେ – ଆମ ଗାଁ’ର ପ୍ରଥମ ମ୍ୟାଟ୍ରିକ୍ ପଢା ବୋହୁ। ଖୁବ୍ ବୁଦ୍ଧିମତୀ। ତାଙ୍କ ହସ ହସ ମୁହଁ, ମିଠା ମିଠା କଥାରେ ଏକ ଚୁମ୍ବକୀୟ ଆକର୍ଷଣ ଥିଲା। ଅନାଦି କକାଙ୍କ ବିରାଟ ବଗିଚାଟିଏ ଥିଲା। ସବୁ ରକମର ଫଳ ଗଛ ସେଠି। ଆମ୍ବ, ପଣସ, ପିଜୁଳିଠୁ ନେଇ ସପେଟା, ବରକୋଳି, ଜାମୁକୋଳି ଯାଏଁ। ବଗିଚାର ଫଳ ଉପରେ ଆମର ଯେପରି ଅଖଣ୍ଡ ଆଧିପତ୍ୟ! ଫୁରୁସତ୍ ପାଇଲା କ୍ଷଣି ଆମେ ପାଞ୍ଚ ସାଙ୍ଗ ବଗିଚାରେ ହାଜର। ଆମ ମୁଣ୍ଡ ଉପରେ ଅଭୟ ହାତ ଥାଏ ସରଖୁଡୀଙ୍କର।

ସରୋଜିନୀ ଖୁଡୀ ଖୁବ୍ ଅଳ୍ପ ସମୟ ମଧ୍ୟରେ ଆମର ପ୍ରିୟ ସରଖୁଡୀ ହେଇ ସାରିଥିଲେ। ପାଠରେ ବି ତାଙ୍କର ଖୁବ୍ ଦଖଲ ଥିଲା। ଅବୁଝା ପାଠ ବୁଝିବାକୁ ଆମେ ତାଙ୍କରି ପାଖକୁ ଯାଉ। ବେଳେବେଳେ ତ ଦୁଷ୍ଟାମୀ କରି ମାଡରୁ ବଞ୍ଚିବା ପାଇଁ ବି ମୁଁ ଖୁଡୀଙ୍କ ପଛରେ ଲୁଚୁଥିଲି। ଖୁଡୀଙ୍କ ପାଖରେ ଥିଲେ ନନା କେବଳ ଦୂରରୁ କହି ଦେଇ ଯା’ନ୍ତି – ତମ ଆଦର ପାଇ ପିଲାଗୁଡାକ ଉପରମୁହାଁ ହଉଛନ୍ତି ସାନ ବୋହୁ! ସର ଖୁଡୀ ହସି ହସି ମୋତେ କୋଳେଇ ନିଅନ୍ତି। ଗେଲ କରି କହନ୍ତି – ଆଉ ଦୁଷ୍ଟ ହବନି ବାବା। ତମେ ମାନେ କ’ଣ ଚାହଁ ତମମାନଙ୍କ ଲାଗି ମୁଁ ଭାଇନାଙ୍କଠୁ ଗାଳି ଶୁଣେ? ମନେ ମନେ ପ୍ରତିଜ୍ଞା କରେ – ଅଲବତ୍ ନୁହଁ। ହେଲେ କୁକୁର ଲାଙ୍ଗୁଡ଼

ଏମିତି କହନ୍ତି ସିନା – ନନା କୋଉ କମ୍ ଭଲ ପାଉଥିଲେ କି ସରଖୁଡୀଙ୍କୁ! ମାନ୍ୟରେ ଭାଇବୋହୁ ହେଲେ ବି ନିଜ ଝିଅ ଭଳି ଦେଖୁଥିଲେ। ଏକା ନନା କାହିଁକି ବୋଉ ଓ ଗାଁ’ର ଆବାଳବୃଦ୍ଧ ବନୀତା – ସଭିଙ୍କର ନୟନତାରା ସରଖୁଡୀ। ସେତେବେଳେ ଗାଁ’ରେ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ ଇତ୍ୟାଦି ନ ଥିଲେ। ତେଣୁ କାହାର ଦେହ ଅସୁସ୍ଥ ହେଲେ ତା’ର ଡାକ୍ତରୀ ପ୍ରେସ୍କ୍ରିପସନ୍ ଦେଖି ଔଷଧ ବତେଇଦେବା, ପୋଖତୀ ପା’ନ୍ତି ବେଳେ ଗର୍ଭିଣୀ ପାଖରେ ରହି ଆବଶ୍ୟକୀୟ ସାହାଯ୍ୟ କରିବା ତଥା ଗାଁ’ର ଯେ କୌଣସି ଘରେ ମାଙ୍ଗଳିକ କାମ ହେଲେ ଆଗତୁରା ଆଗଭର ହେଇ ସବୁ କାମ ଆବୋରି କରିବା – କେବଳ ସର ଖୁଡୀ ହିଁ କରିପାରୁଥିଲେ। ମୋଟାମୋଟି ସେ ଆମ ଗାଁ’ର ଅଘୋଷିତ ସାମାଜିକ କର୍ମୀ ଥିଲେ। ଆଦରପଣରେ ଓଦା ସରସର ନାରୀଟିଏ।

ନିମିଷକରେ ପରକୁ ନିଜର କରିପାରୁଥିବା ସରଖୁଡୀଙ୍କର କିନ୍ତୁ ନିଜ ଭିତରେ ଏକ ବିରାଟ ଶୂନ୍ୟପଣ ଥିଲା। ଗୋଟି ଗୋଟି କରି ପାଞ୍ଚଟି ପିଲା କୁଆଡେ ତାଙ୍କ ପେଟ ଭିତରେ ହିଁ ନଷ୍ଟ ହେଇ ଯାଇଥିଲେ। ସେତେବେଳେ ଯେତିକି ସମ୍ଭବ ଥିଲା – ସେତିକି ଡାକ୍ତରୀ ଚିକିତ୍ସା ଅନାଦି କକା କରେଇଥିଲେ ମଧ୍ୟ କିଛି ଫଳପ୍ରଦ ହେଇ ନ ଥିଲା। ଶେଷରେ ସରଖୁଡୀ କାଳେ ନିଜ ମନକୁ ବୁଝେଇ ଦେଇଥିଲେ – ପେଟରେ ଗୋଟିଏ ବି ନ ଧରିଲେ କ’ଣ ହେଲା – ଏ ଗାଁ’ର ସବୁ ଛୁଆ ମୋର – ମୁଁ ସଭିଙ୍କର ମା’।

ହେଲେ ବେଳେବେଳେ ଅଦିନିଆ ଝଡ ଆସି ନୀଡ ଭାଙ୍ଗିଦିଏ। ଓଲଟ ପାଲଟ ହେଇଯାଏ ଜୀବନର ସବୁ ଅଙ୍କ କଷା, ସବୁ ହିସାବ କିତାବ।

ଆମେ ମ୍ୟାଟ୍ରିକ୍ ପରୀକ୍ଷା ଦବୁ ସେ ବର୍ଷ। ବୈଶାଖ ମାସ। ଗୋଧୂଳି ଆକାଶକୁ କଳା କିଟିକିଟି କରି ହଠାତ୍ ମାଡି ଆସିଲା ପ୍ରଚଣ୍ଡ ଝଡ, ବର୍ଷା। ବିଜୁଳି ଘଡଘଡିରେ ଚତୁର୍ଦିଗ କମ୍ପି ଉଠିଲା। ଅନାଦି କକା କୌଣସି କାମରେ ପାଖ ଗାଁ’କୁ ଯାଇ ଫେରୁଥିଲେ। ଗାଁ’ହେଇ ଦିଶିଲାଣି। ହେଲେ ସମ୍ଭାଳି ହେଲେ ତ ସାଇକଲ୍ ସହିତ ନିଜକୁ! ଅନାଦି କକା କଷ୍ଟେମଷ୍ଟେ ନିଜକୁ ଘୋଷାଡି ନେଲେ ଏକ ବଡ ଗଛ ମୂଳକୁ କ୍ଷଣିକ ଆଶ୍ରୟ ପାଇଁ। ଆକାଶକୁ ଦି’ ଫାଳ କରି ମାରିଲା ପ୍ରଚଣ୍ଡ ବିଜୁଳି। ଥରିଗଲା ଗଗନ, ପବନ – କମ୍ପିଗଲା ମେଦିନୀ। ମୁହୂର୍ତ୍ତକରେ ନିଶ୍ଚଳ, ନିଷ୍ପନ୍ଦ ହେଇ ଭୂଇଁରେ ଲୋଟିଗଲା ଅନାଦି କକାଙ୍କ ନିଷ୍ପ୍ରାଣ ଶରୀରଟା।

ଶୋକାଭିଭୂତ ହେଇଗଲା ସାରା ଗାଁ’ଟା। ଅନାଦି କକାଙ୍କ ଯୂଈ ଜଳିଲା ଗାଁ’ ମଶାଣୀରେ। ତା’ ସହିତ ଜଳିଗଲା ସରଖୁଡୀଙ୍କର ସୁଖର ସଂସାର। ସରଖୁଡୀଙ୍କର ଧଳା ଶାଢୀ ପିନ୍ଧା ସନ୍ୟାସିନୀ ବେଶ ଦେଖି ଆମକୁ ଖୁବ୍ କାନ୍ଦ ମାଡୁଥିଲା। ତାଙ୍କ ସାମ୍ନାକୁ ଯିବାକୁ ପାଦ ଚଳିଲାନି। ସରଖୁଡୀ କିନ୍ତୁ ଆମକୁ ଦିନେ ଡକେଇଲେ।

ତମେ ସବୁ ବିଜ୍ଞାନ ପଢୁଛ ନା ବାବା? କୌଣସି ବସ୍ତୁର କ୍ଷୟ ନ ଥାଏ। ତମ କକାଙ୍କ ସ୍ଥୂଳ ଦେହର ଶେଷାଂଶ ଏଇ ଗାଁ’ର ମାଟି, ପାଣି, ପବନରେ ଖେଳେଇ ହେଇ ରହିଛି। ସୂକ୍ଷ୍ମ ଶରୀରଟା ପରମାତ୍ମାଙ୍କ ଠାରେ ବିଲୀନ। ସବୁ ଆତ୍ମାରେ ଯେହେତୁ ପରମାତ୍ମାଙ୍କର ଅବସ୍ଥିତି ଥାଏ, ତମ କକା ଆମ ସମସ୍ତଙ୍କ ମଧ୍ୟରେ ଅଛନ୍ତି। ମ୍ୟାଟ୍ରିକ୍ ପରୀକ୍ଷା ପାଖ ହେଲାଣି। ମନ ଦେଇ ସମସ୍ତେ ପଢାପଢି କର। ଯାହା ନ ବୁଝି ପାରିବ ମୋ ପାଖକୁ ଆସି ବୁଝିଯିବ।

ସରଖୁଡୀଙ୍କର ବିଶାଳ ହୃଦୟ ପାଖରେ ଆମ ସମସ୍ତଙ୍କ ମୁଣ୍ଡ ନଇଁ ଯାଇଥିଲା।

ଏବେ କିନ୍ତୁ କୌଣସି ମାଙ୍ଗଳିକ କାମରେ ସରଖୁଡୀଙ୍କୁ ଖୋଜାଗଲା ନାହିଁ। ସେ ବି ମୁଣ୍ଡପୋତି ନିଜ ଭାଗ୍ୟକୁ ଗ୍ରହଣ କରିନେଲେ। ଆମ କିଶୋର ମନ ଆଦୌ ବୁଝି ପାରିଲାନି – ବିନା କୌଣସି ଦୋଷରେ କାହିଁକି ସ୍ବାମୀଙ୍କ ମୃତ୍ୟୁ ପରେ ସୁଲକ୍ଷଣୀଟିଏ ସମସ୍ତଙ୍କ ଆଖିରେ ଅଲକ୍ଷଣୀ ବିବେଚିତ ହୁଏ। କିନ୍ତୁ ଆମ ପ୍ରତିବାଦର ସ୍ବର ପ୍ରଚଳିତ ପରମ୍ପରା ସମ୍ମୁଖରେ କ୍ଷୀଣ ଓ ଗୌଣ ହେଲା।

ମ୍ୟାଟ୍ରିକ୍ ପରେ ପ୍ରି ପ୍ରଫେସ୍ନାଲ୍ ଓ ପରେ ପରେ ବୈଷୟିକ ଶିକ୍ଷା ପାଇଁ ଆମେ ସହରକୁ ଗଲୁ। କେବଳ ଭାସ୍କର ଗାଁ’ରେ ରହିଲା – ତା’ ବାପାଙ୍କ କିରାନା ଦୋକାନ ସମ୍ଭାଳିଲା। ବିକ୍ରମ ମେଡିକାଲ୍ ପଢି ଭୁବନେଶ୍ବରରେ ଚାକିରୀ କଲା। ବାକି ଆମେ ତିନି ଜଣ ଇଂଜିନିଯରିଂ ପାସ୍ କଲା ପରେ ମୁଁ ସେଲ୍, ରାଉରକେଲାରେ ଏବଂ ସରୋଜ ଓ ପ୍ରଭାତ ମୁମ୍ବାଇରେ ଚାକିରୀ କଲେ। ଆମ ପାଞ୍ଚ ଜଣଙ୍କର ବନ୍ଧୁତ୍ବ ଅକ୍ଷୁର୍ଣ୍ଣ ରହିବା ସାଙ୍ଗକୁ ଗାଁ’କୁ ଗଲେ ସରଖୁଡୀଙ୍କ ସହ ଭେଟିବା କାର୍ଯ୍ୟକ୍ରମ ନିଶ୍ଚୟ ଅନ୍ତର୍ଭୁକ୍ତ ହେଉଥିଲା। ସରଖୁଡୀ ଫେରିଲା ବେଳେ ଆମ ମାନଙ୍କ ହାତରେ କିଛି ପଇସା ଧରେଇ ଦିଅନ୍ତି। ଆମେ କୁନ୍ଥୁ କୁନ୍ଥୁ ହେଲେ କହନ୍ତି – ଏକୁଟିଆ ମଣିଷ ମୁଁ । କେତେ ବା ଖର୍ଚ୍ଚ ମୋର! ମୁଁ ଖୁସିରେ ଦଉଛି। ଯେଡେ ଚାକିରି କଲେ ବି ମୋ ପାଖରେ ପିଲା ତମେ ମାନେ। ରଖ ପିଲେ। ଖର୍ଚ୍ଚ କରିବ। ତାଙ୍କ ଅନାବିଳ ବାତ୍ସଲ୍ୟ ପ୍ରେମ ଆମକୁ ଅଭିଭୂତ କରେ।

ଦୁର୍ଦ୍ଦିନର କଳାଛାଇ ସରଖୁଡୀଙ୍କର ପିଛା ଛାଡୁ ନ ଥିଲା। ଦୁର୍ଦ୍ଦଶାର ଯେପରି ଅନ୍ତ ନାହିଁ ତାଙ୍କ ଜୀବନରେ!

ଏକ ଅଜଣା ମସ୍ତିଷ୍କ ଜରରେ ଗାଁ’ର କମ୍ ବୟସର ପିଲାମାନେ ଆକ୍ରାନ୍ତ ହେଲେ। ଡାକ୍ତରୀ ଦଳ ଆସି ଦେଖି ଚିକିତ୍ସା କଲେ। ଗୁରୁତର ଆକ୍ରାନ୍ତଙ୍କୁ ବଡ ଡାକ୍ତରଖାନା ପଠାଗଲା। ସରଖୁଡୀ ଅଣ୍ଟାରେ ପଣତ ଭିଡି ପିଲାଙ୍କ ସେବା କଲେ। ଦୀର୍ଘ ଦୁଇ ମାସ ପରେ ଗାଁ’କୁ ସ୍ବାଭାବିକ ଅବସ୍ଥା ଫେରିଲା। କିନ୍ତୁ ସେତେବେଳକୁ ଏକାବେଳକେ ସାତ ସାତଟା ଜୀବନ ଅକାଳରେ ଝଡି ଯାଇଥିଲା।

କୋଉଠୁ ସୃଷ୍ଟ ହେଲା ଜଣାନାଇଁ – ହେଲେ ଗାଁ’କୁ ଆଲୋଡିତ କଲା ଗୁଜବଟିଏ – ପ୍ରତିଧ୍ବନିତ ହେଲା ତୀବ୍ର ସ୍ବରଟିଏ – ଯାହା ଅରଣ୍ୟର ନିଆଁ ପରି ଚରିଗଲା ଚତୁର୍ଦିଗ। ” ପିଲାଙ୍କୁ ତାଙ୍କ ମା’ଠୁ ବେଶୀ ଭଲ ପାଉଥିବା ସ୍ତ୍ରୀ ପିଶାଚିନୀ ଛଡା ଅନ୍ୟ କିଛି ନୁହଁ। ସରଟା ତୁଚ୍ଛା ଡାହାଣୀଟେ। ମୋହିନୀ ରୂପରେ, କୁହୁକ ହସରେ ସଭିଙ୍କୁ ମନ୍ତ୍ରମୁଗ୍ଧ କରିଦେଲା। ଆଗେ ନିଜ ପେଟର ପିଲାଙ୍କୁ କଞ୍ଚା ଖାଇଲା, ତା’ପରେ ବରଟାକୁ ଠିଆ ଗିଳିଦେଲା। ତଥାପି ପେଟ ପୁରିନି ତା’ର। ପର ପିଲାଙ୍କ ଉପରେ ଆଖି ପକେଇଲାଣି। ଗିଳିବାକୁ ଆରମ୍ଭ କଲାଣି। ସମ୍ଭାଳ ,ସମ୍ଭାଳ ନିଜ ନିଜ ପିଲାଙ୍କୁ। ତାଟିକବାଟ ପକେଇ ସେ ଡାହାଣୀ ନଜରରୁ ଦୂରେଇ ରଖ।”

ମୋ ନନାଙ୍କ ଦେହାନ୍ତ ହେଲାଣି ସେତେବେଳକୁ। ଭାସ୍କର ଗାଁ’ରେ ରହୁଥିଲେ ବି ଏକା କ’ଣ ବା କରିପାରିଥା’ନ୍ତା। କାନ୍ଦୁଣୁ ମାନ୍ଦୁଣୁ ହେଇ ଆମକୁ ଫୋନ୍ କଲା। ସରୋଜ ଓ ପ୍ରଭାତ ମୁମ୍ବାଇରୁ ହଠାତ୍ ଆସି ପାରିଲେନି। ମୁଁ ଓ ବିକ୍ରମ ନିଜ ନିଜ ଭିତରେ ଯୋଗାଯୋଗ କରି ଗାଁ’କୁ ଗଲୁ। ସରଖୁଡୀ ସମ୍ପୂର୍ଣ୍ଣ ରୂପେ କୋଣଠେସା। କହିବାକୁ ଗଲେ ଏକଘରିକିଆ। ତାଙ୍କ ଜମିବାଡି କାମ କରିବାକୁ ହଳିଆ, ମୂଲିଆ ଯିବା ଛଡା ତାଙ୍କ ଘରେ ଅନ୍ୟ କାହାର ପାଦ ପଡିବାର ନାହିଁ। ଗାଁ’ରେ ଏ ଅଭୂତପୂର୍ବ ପରିବେଶ ଓ ପରିସ୍ଥିତି ଦେଖି ଆମେ ହତଭମ୍ଭ ହେଇଗଲୁ। ବୋଉ ଯେତେବେଳେ ମୋତେ ମନା କଲା ସରଖୁଡୀଙ୍କୁ ଦେଖା କରିବାକୁ – ମୋ ରାଗ ପଞ୍ଚମକୁ ଉଠିଗଲା।

ଇଏ କି ପାଲା ଚାଲିଛି ଗାଁ’ରେ ବୋଉ? ତୁ ବି ଅନ୍ୟ ମାନଙ୍କ ପରି ସରଖୁଡୀଙ୍କୁ ସନ୍ଦେହ କରୁଛୁ?? ଗାଁ’ ପାଇଁ ସେ କ’ଣ ନ କରିଛନ୍ତି??? ନନା ଥିଲେ ଖୁଡୀଙ୍କୁ ଏମିତି ଅପଦସ୍ଥ, ଅପମାନିତ ହେଇ ରହିବାକୁ ପଡି ନ ଥା’ନ୍ତା।

ବୋଉ ମୋ ମୁହଁରେ କିଛି କହିଲାନି ସିନା ,ଆମ ବୋଲକରା ଗୋବିନ୍ଦକୁ ଗୋଟିଏ କୋଣକୁ ଡାକିନେଇ ଚୁପ୍ ଚୁପ୍ କରି କହୁଥିଲା , ଜିତୁ କାହାରି କଥା ନ ମାନି ନିଶ୍ଚୟ ତା’ ପାଖକୁ ଯିବ। ଜିତୁ ଶେଯ ତଳେ ଲୁହା କଣ୍ଟା ଦି’ଟା ରଖିଦବୁ ତା’ ଅଜାଣତରେ।

ମୁଁ ମୂକ ପାଲଟିଗଲି। କି କୁସଂସ୍କାର! କି ଅନ୍ଧ ବିଶ୍ଵାସ!! ଇଏ ଫେର୍ ଉତ୍ତର ଆଧୁନିକ ଇଣ୍ଟରନେଟ୍ ଯୁଗ!!!

ସରଖୁଡୀଙ୍କ ସପକ୍ଷରେ ଆମେ ପାଞ୍ଚ ସାଙ୍ଗ ଓ ଆମ ଭଳି ଆଉ କେଇଜଣ ହାତଗଣତି ଯୁବକ। ବିପକ୍ଷରେ ସାରା ଗାଁ’। ଆମ ଉକ୍ତି, ଯୁକ୍ତି, ଭକ୍ତି – ସବୁ ହାର ମାନିଲା। ଆମେ ବ୍ୟଥିତ ହେଲେ ବି ସରଖୁଡୀଙ୍କ ପାଇଁ କିଛି କରି ପାରିଲୁନି। ନିଜ ନିପାରିଲାପଣିଆ ଯୋଗୁଁ ସରଖୁଡୀଙ୍କୁ ମୁହଁ ଦେଖେଇବାକୁ ବି ସଙ୍କୋଚ ଲାଗିଲା ଆମକୁ।

ଦୁର୍ଗାପୂଜା ଛୁଟିରେ ଆମେ ସବୁ ଗାଁ’କୁ ଯାଇଛୁ। ସରଖୁଡୀ ଡକେଇଲେ – ଏକାସାଙ୍ଗରେ ଆମ ସମସ୍ତଙ୍କୁ। ପରସ୍ପରର ମୁହଁକୁ ଚାହିଁଲୁ। କିନ୍ତୁ ଗଲୁ।

ସରଖୁଡୀଙ୍କ ମୁହଁରେ ନିଃସନ୍ତାନ ହେବାର ଅଭାବବୋଧ କି ଅନାଦି କକା ଗଲାପରେ ତାଙ୍କ ଭାବଭଙ୍ଗୀରେ ଅସହାୟପଣିଆ ଆମେ କେବେ ବି ଦେଖି ନ ଥିଲୁ – ଯଦିଓ ଅନ୍ତରରେ ତାଙ୍କର ଦୁଃଖ ନିଶ୍ଚୟ ଥିଲା। ହେଲେ ଆଜି ଆମକୁ ଦେଖି ସେ କୋହ ସମ୍ଭାଳି ପାରିଲେନି। ପଥର ଫଟେଇ ସତେ ଅବା ଫିଟିଗଲା ଝରଟିଏ!! ବନ୍ଧ ଭାଙ୍ଗି ଉଚ୍ଛୁଳି ଗଲା କୋଉ କାଳୁ ଧୈର୍ଯ୍ଯ-ବନ୍ଧରେ ବନ୍ଧା ଲୁହର ସମୁଦ୍ର!!! ଦୁଇ ପାପୁଲିରେ ମୁହଁ ଘୋଡେଇ କାନ୍ଦୁଥିଲେ ସରଖୁଡୀ। ଆମ ଆଖିକୁ ବି ସଞ୍ଚରି ଆସିଲା ଖୁଡୀଙ୍କ ଆଖିର ଲୁହ। ଆମେମାନେ ବାକ୍ ଶୂନ୍ୟ। କେତେବେଳକୁ ସେ ନିଜେ ହିଁ ନିଜକୁ ପ୍ରବୋଧିଲେ।

ମୋ ଭାଗ୍ୟଦୋଷରୁ ଏ ସବୁ ଘଟୁଛି ବୋଲି ମୁଁ ଧରି ନେଇଛି। ଲୋକଙ୍କ ମନରୁ ଏ କୁସଂସ୍କାର ଯିବା ପାଇଁ ଆହୁରି ଅନେକ ବର୍ଷ ଲାଗିବ। ଗାଁ’ର ଶିକ୍ଷିତ ପିଲେ ଗ୍ରାମାଭିମୁଖୀ ହେଇ ଲୋକଙ୍କ ସହ ଜଡିତ ହେଲେ ଏ ସମସ୍ୟାର ସମାଧାନ ଆପେ ଆପେ ହେଇଯିବ। ମୁଁ ଧୈର୍ଯ୍ଯ ହରେଇନି। ତମେ ମାନେ ମୋ ପାଇଁ ଜମା ବ୍ୟସ୍ତ, ବିବ୍ରତ ହୁଅନାହିଁ।

ଗୋଟିଏ ବଡ ନିର୍ଣ୍ଣୟ ନେବା ପୂର୍ବରୁ ତୁମମାନଙ୍କ ମତାମତ ନେବାକୁ ଚାହୁଁଛି। ମୁଁ ଏକା ମଣିଷ ପାଇଁ ଏ ବିରାଟ ଘର, ବଗିଚା, ଜମିବାଡି ସବୁ ଅଯଥା ବୋଝ ପରିକା। ଗାଁ’ର ପ୍ରାଥମିକ ସ୍କୁଲ୍ ଘର କୋଠା ଭାଙ୍ଗିରୁଜି ଗଲାଣି। ମୁଁ ଭାବୁଛି ମୋ ପାଇଁ ଦି’ବଖରା ଘର ଓ ଚଳିବା ପାଇଁ କିଛି ରଖି ବାକି ସବୁ ସରକାରଙ୍କୁ ଦେଇ ନୂଆ ସ୍କୁଲ୍ ଘର ତୋଳିବାକୁ ଅନୁରୋଧ କରିବି। କ’ଣ କହୁଛ ପିଲାମାନେ?

ପଥୁରିଆ ପଥରୁ ପଥର ଗୋଟେଇ ଆଣି; ଫୁଲ, ଚନ୍ଦନ, ସିନ୍ଦୁର ମଖେଇ; ନୈବେଦ୍ୟ ବାଢି; ଦେବୀ ପୂଜା କରେ ଏଇ ପଥର ହୃଦୟର ମଣିଷ – ଅଥଚ ସତସତିକା ରକ୍ତ, ମାଂସର ଦେବୀଙ୍କୁ ଅଣଦେଖା କରି ଗୋଡରେ ଆଡେଇ ପଥକୁ ଫୋପାଡି ଦିଏ। ସରଖୁଡୀଙ୍କ ନଭଶ୍ଚୁମ୍ବୀ ବ୍ୟକ୍ତିତ୍ବ ଦେଖି ମୋର ଅନ୍ତତଃ ଏଇୟା ହିଁ ମନେ ହେଲା।

ନୂଆ ସ୍କୁଲ୍ ଘର ଉନ୍ମୋଚନ ଦିନ ଆମେ ପାଞ୍ଚ ସାଙ୍ଗ ସସ୍ତ୍ରୀକ ଉପସ୍ଥିତ ଥିଲୁ। ମଞ୍ଚ ଉପରେ ବସିଥିବା ସରଖୁଡୀ ଦେବୀଟିଏ ଭଳି ଦିଶୁଥିଲେ। ଆମ ବାଧ୍ୟବାଧକତାରେ ପିନ୍ଧିଥିଲେ ସୀମା ଉପହାର ଦେଇଥିବା ଧଳା ସମ୍ବଲପୁରୀ ପାଟ, ସରୋଜ ଓ ପ୍ରଭାତଙ୍କ ପତ୍ନୀ ମାନେ ଦେଇଥିବା ଡାୟମଣ୍ଡ୍ କାନଫୁଲ ଓ ମୁଦି, ବିକ୍ରମର ସ୍ତ୍ରୀ ଦେଇଥିବା ସରୂ ସୁନା ଚେନ୍। ଘୋଡେଇ ହେଇଥିଲେ ଭାସ୍କରର ଭାର୍ଯ୍ୟା ଦେଇଥିବା ସୁନ୍ଦର କାଶ୍ମୀରୀ ଶାଲ୍।

ଏ ଭିତରେ ଅଧାଅଧି ଗାଁ’ ଲୋକ ସରଖୁଡୀଙ୍କର ଉଦାର ହୃଦୟକୁ ଚିହ୍ନି ପାରି ନିଜ ଭୁଲ୍ ବୁଝିଥିଲେ ବି କିଛି ପୁରୁଖା ଲୋକ ସନ୍ଦେହମୁକ୍ତ ନ ଥିଲେ। ସର୍ବଂସହା ସରଖୁଡୀ ନିଷ୍ପତ୍ତି ନେଇଥିଲେ – ଗାଁ’ଟା ସାରା ଲୋକଙ୍କ ମନରୁ ଭ୍ରମ ନ ଯିବା ଯାଏଁ ସେ ନିଜେ ପିଲାଙ୍କ ଠାରୁ ଦୂରେଇ ରହିବେ। କିନ୍ତୁ ସ୍କୁଲ ବଗିଚାର ସମ୍ପୂର୍ଣ୍ଣ ଦାୟିତ୍ୱ ସେ ନିଜେ ନେଇଥିଲେ। ତାଙ୍କ ଅମୃତ ହାତର ଛୁଆଁରେ ଫୁଲ, ଫଳରେ ଭରା ସ୍କୁଲ୍ ବଗିଚାଟି ଏକ ମନୋରମ ଚିତ୍ରପଟ ଭଳି ଦିଶୁଥିଲା।

ଏଇ ତ – ଦି’ମାସ ତଳେ ଗାଁ’କୁ ଯିବା ଅବସରରେ ସ୍କୁଲ ବଗିଚାରେ ସରଖୁଡୀଙ୍କ ସହିତ ମୁଁ ଓ ସୀମା ସେଲ୍ଫି ନେଇଥିଲୁ। ଆମ ଦୁହିଁଙ୍କ ମଝିରେ ସରଖୁଡୀ।

ଫଟୋଟା ମୋତେ ଝାପ୍ସା ଦିଶିଲା। ମୋବାଇଲ୍ ସ୍କ୍ରିନ୍କୁ ଗଭୀର ଭାବରେ ନିରୀକ୍ଷଣ କରୁ କରୁ ଆଖିରୁ ମୋର ଲୁହ କେଇବୁନ୍ଦା ଖସି ପଡିଲା କି କ’ଣ!।

ଗାଁ’ରେ ପହଞ୍ଚିଲୁ। କହିବାକୁ ଗଲେ ଆମ ଅପେକ୍ଷାରେ ଥିଲେ ସମସ୍ତେ। ଆଜି ଗାଁ’ରେ ଅଭୂତପୂର୍ବ ଦୃଶ୍ୟ। ପିଲାରୁ ବଡ ସଭିଏଁ ସରଖୁଡୀ ଘର ଆଗରେ ରୁଣ୍ଡ। ସମସ୍ତଙ୍କ ଆଖିରେ ଲୁହ। ଆହା ,ପିଲାମାନଙ୍କୁ ବଞ୍ଚେଇବାକୁ ଯାଇ ସରଟା ନିଜ ଜୀବନ ଦେଇଦେଲା। ସେତେବେଳେ ମୋତେ ଚିତ୍କାର କରି କହିବାକୁ ଇଚ୍ଛା ହଉଥିଲା – ଫୁଲର ସୁଗନ୍ଧ ଦେଖିହୁଏ ନାହିଁ – ଅନୁଭବ କରିବାକୁ ପଡେ। ମୂର୍ଖ ଗାଁ’ ଲୋକେ! ତମାମ୍ ଜୀବନ ଆଖିରେ କୁସଂସ୍କାର ଓ ଅନ୍ଧବିଶ୍ବାସର ଅନ୍ଧପୁଟୁଳି ବାନ୍ଧିଲ!! ଆହା , ଏଇ ସ୍ନେହ, ଶ୍ରଦ୍ଧା, ସମ୍ମାନରୁ କାଣିଚାଏ ଯଦି ତମେ ମାନେ ସରଖୁଡୀଙ୍କ ଜୀବଦ୍ଦଶାରେ ଦେଇଥା’ନ୍ତ!!!

ଏକାସହିତ ଆମେ ପାଞ୍ଚ ଜଣ ମୁଖାଗ୍ନି ଦେଲୁ। ଅଗ୍ନିର ଲେଲିହାନ୍ ଶିଖା ଭିତରୁ ସରଖୁଡୀଙ୍କ ହସହସ ମୁହଁଟା ଯେପରି କହୁଥିଲା – ମୁଁ ନିଃସନ୍ତାନ ନୁହେଁ। ଦେଖ, ଦେଖ ମୋତେ, ପାଞ୍ଚ ପୁଅର ମା’ ମୁଁ କୁନ୍ତୀ , କୁନ୍ତୀ ମା’!!!

ଲାଗୁଥିଲା ଆମେ ପାଞ୍ଚ ଜଣ ମା’ ଛେଉଣ୍ଡ ହେଇଗଲୁ। ଭୂଇଁରେ ଲୋଟି ଭାସ୍କର ଭେଁ ଭେଁ ରଡି ଛାଡୁଥିଲା। ଆମ କାହାରି ଆଖିର ଲୁହ ବୋଲ ମାନୁ ନ ଥିଲା।

କୁନ୍ତୀ ମା’ଙ୍କ ଶୁଦ୍ଧକ୍ରିୟା କର୍ମ ବେଳେ ତାଙ୍କର ପାଞ୍ଚ ବୋହୁ ଓଦା ଏକବସ୍ତ୍ରୀ ପିନ୍ଧି, ପାଟି ବୁଜି, ମାଟି ହାଣ୍ଡିରେ ପିଣ୍ଡ ରାନ୍ଧୁଥିଲେ।

ଆପଣା ଗର୍ଭରେ ନ ଧରି, ନିଜ ଛାତି ଚିରି ଅମୃତ ନ ପିଆଇ ମଧ୍ୟ ଜଣେ ମାତୃତ୍ବରେ ମହମହ ମହକୁଥିବା ମା’ ଟିଏ ହେଇପାରେ! ଶତ ସହସ୍ର ନମନ ସେଇ ମା’ ଓ ମାତୃତ୍ବକୁ!!

***

ଅଭିପ୍ସା , ବଲାଙ୍ଗୀର