Latest Odisha News

BREAKING NEWS

ଗପ : ଲୋଭର ନିରୀହତା

ପ୍ରସେନଜିତ ସେଠୀ                                                                 

ହରିଆ ଜଣେ ଗରିବ ଦିନ ମଜୁରିଆ। ଚାଷ ଜମି ଖଣ୍ଡେ ମଧ୍ୟ ନାହିଁ ତାର। ମଜୁରି ଲାଗିଲେ ଖାଇବ, ନହେଲେ ଉପାସ୍। ଦିନକୁ ୨୦୦ ରୁ ୩୦୦ ଟଙ୍କା ମଜୁରି ପାଏ, ତାହା ବି ଝାଳବୁହା ପରିଶ୍ରମ କରି। ମଝିରେ ମଝିରେ ସେ ତାର ମଜୁରିଆ ସାଥିମାନଙ୍କ ସହିତ ଭୁବନେଶ୍ୱର ବୁଲିବାକୁ ଯାଏ, ତାହା ବି ସମ୍ପୂର୍ଣ୍ଣ ମାଗଣା। ଅବଶ୍ୟ ସେ ନିଜ କାମ ପାଇଁ ଯାଏନି। ନିଜ ଗାଁ ନେତାଙ୍କ ଡାକରାରେ ଯାଏ, ସେଠି ବିଧାନସଭା ସମ୍ମୁଖରେ ଧାରଣା ଦିଏ ଆଉ ୩୦୦ ରୁ ୪୦୦ ଟଙ୍କା ସାଙ୍ଗକୁ ମାଗଣା ଜଳଖିଆ ଓ ମଧ୍ୟାହ୍ନ ଭୋଜନ ଖାଏ। ସେ ଯେତେବେଳେ ଘରକୁ ଫେରେ ଭୁବନେଶ୍ୱର ଫୁଟ୍ ପାଥରୁ ଶସ୍ତାରେ କିଛି ଜିନିଷ ତାର ସ୍ତ୍ରୀ ଓ ପିଲାଛୁଆଙ୍କ ପାଇଁ ନେଇ ଆସେ।

ହରିଆ କୌଣସି ରାଜନୈତିକ ଦଳ କିମ୍ବା ସଂଗଠନ ସହିତ ବାଛ ବିଚାର କରେନାହିଁ, ନହେଲେ ଅଯଥା ବେଉସା ବୁଡ଼ିବାର ସମ୍ଭାବନା ଅଛି। ତେଣୁ, ଯିଏ ବି ତାକୁ ଡାକନ୍ତି, ସେ ସେମାନଙ୍କ ପାଇଁ ଧର୍ମଘଟରେ ସାମିଲ ହୁଏ।

ଥରେ , ହରିଆ ସକାଳେ “ପ୍ରଗତି ମୋର୍ଚ୍ଚା” ନାମକ ଏକ ରାଜନୈତିକ ଦଳଠାରୁ ୩୦୦ ଟଙ୍କା ନେଇଛି ଭୁବନେଶ୍ୱର ଯାଇ ଧର୍ମଘଟ କରିବ ବୋଲି, ହେଲେ ସନ୍ଧ୍ୟାବେଳକୁ ” ସମୃଦ୍ଧିର ସ୍ଵର” ନାମକ ଅନ୍ୟ ଏକ ଦଳ ତାକୁ ୩୫୦ ଟଙ୍କା ଦେଇଛି ଭୁବନେଶ୍ୱର ଯାଇ ଧର୍ମଘଟ କରିବାକୁ। ସେ ତାଙ୍କୁ ମଧ୍ୟ ମନା କରି ପାରିନି ବିବେକ ଦୃଷ୍ଟିରୁ। ଟଙ୍କା ସହିତ ତାକୁ ମାଗଣା ଖାଇବା ମିଳିବା କଥା ବି ପ୍ରଲୋଭନ ଦେଖାଇଛନ୍ତି ଉଭୟ ଦଳର ନେତା। ହରିଆ କରିବ କଣ। ଗରିବ ଲୋକ। ତେଣୁ ତାର ପଇସା ପ୍ରତି ସ୍ୱାଭାବିକ ଲୋଭ ସୃଷ୍ଟି ହୋଇଛି। ତେଣୁ ସେ ନିଷ୍ପତ୍ତି ନେଇଛି ତା ପର ଦିନ ସେ ଭୁବନେଶ୍ୱର ଯିବ ଆଉ ଉଭୟ ଦଳର ରାଲିରେ କିଛି କିଛି ସମୟ ଯୋଗ ଦେଇଦେବ।

ପର ଦିନ ସେ ଗାଁରୁ ଟ୍ରେନ୍ ରେ ଆସି ଭୁବନେଶ୍ୱର ପହଞ୍ଚିଛି ଓ ଧର୍ମଘଟରେ ଯୋଗ ଦେଇଛି। ଉଭୟ ରାଜନୈତିକ ଦଳ ପାଖାପାଖି ଜାଗାରେ ଧର୍ମଘଟ କରୁଥିବାରୁ ତାକୁ ସୁବିଧା ହୋଇଛି ଉଭୟ ଜାଗାରେ ଉପସ୍ଥାନ ପକାଇବା ପାଇଁ। ତେଣୁ ସେ କୌଣସି ଦଳର ଲୋକଙ୍କ ଭିତରେ ସ୍ଥିର ହୋଇ ରହି ପାରୁ ନଥାଏ। କିଛି ସମୟ ପରେ ଉଭୟ ଦଳର ନେତାମାନେ ନିଷ୍ପତ୍ତି ନେଇଛନ୍ତି ଶୋଭାଯାତ୍ରାରେ ବାହାରି ବିଧାନସଭା ଘେରାଉ କରିବା ପାଇଁ। ଆଗରେ ଚାଲିଥାଏ “ପ୍ରଗତି ମୋର୍ଚ୍ଚା” ତାକୁ ଅଗ୍ରଣୀ କରୁଥାନ୍ତି ତାର ଜଣେ ରାଜ୍ୟସ୍ତରୀୟ ନେତା ଓ ପଛରେ ଚାଲିଥାଏ ” ସମୃଦ୍ଧିର ସ୍ଵର” ହେଲେ ତାକୁ କେହି ଅଗ୍ରଣୀ କରୁନଥାନ୍ତି। ଉଭୟ ହେଲେ ସରକାର ବିରୋଧୀ ଦଳ। ଅନେକ ସରକାର ବିରୋଧୀ ସ୍ଲୋଗାନରେ ପ୍ରକମ୍ପିତ ହୋଇ ଉଠୁଥାଏ ଚାରିଆଡେ। ହେଲେ ହରିଆ ଭାବି ପାରୁ ନଥାଏ କଣ୍ କରିବ?? ଯଦି ଗୋଟିଏ ଦଳର ଲୋକଙ୍କ ସହ ରହୁଛି ତାହେଲେ ଅନ୍ୟ ଦଳ ବାଲା ତାଠୁ ଟଙ୍କା ଫେରେଇ ନେବ। ତେଣୁ ସେ ନିଷ୍ପତ୍ତି ନେଇଛି ଉଭୟ ଦଳର ମଝିଆ ମଝି ଚାଲିବ। ସେ ଯେହେତୁ ଉଭୟ ଦଳର ମଝିରେ ଚାଲୁଥାଏ, ସେ ହିଁ “ସମୃଦ୍ଧିର ସ୍ଵର” ଦଳର ନେତା ଭଳିଆ ଲାଗୁଥାଏ।

ଶୋଭାଯାତ୍ରାର କିଛି ସମୟ ପରେ ପୋଲିସ ଅତର୍କିତ ଭାବେ ଚଢ଼ାଉ କଲା ଧର୍ମଘଟକୁ ଭଣ୍ଡୁର କରିବା ପାଇଁ। ସେଥିପାଇଁ ସେ ଉଭୟ ଦଳର ନେତାଙ୍କୁ ଧରିବାକୁ ଚେଷ୍ଟା କରାଗଲା । ଏହି ସମୟରେ ସବୁଠାରୁ ଆଗରେ ଥିବାରୁ ହରିଆ ଧରା ପଡିଗଲା ନେତା ହିସାବରେ। ତାକୁ ପୋଲିସ୍ ଉଠାଇ ନେଇଗଲା । ଅନ୍ୟ ଦଳର ନେତା ଜଣକ ଥାନାରୁ ମୁକୁଳି ଯାଇଛନ୍ତି ତାଙ୍କର ଯୋଗାଯୋଗ ବଳରେ। କିନ୍ତୁ ବିଚରା ହରିଆ ଫସିଗଲା ଥାନାରେ। ତାକୁ କେହି ମୁକୁଳେଇବା ପାଇଁ ଆସି ନାହାନ୍ତି। ଥାନାରେ କଥା ଆଦାୟ ପାଇଁ ପୋଲିସ ବି ତାକୁ ନିସ୍ତୁକ ମାଡ଼ ମାରିଲା । ରାତିରେ ହାଜତରେ ମଶା ଡ଼ାଆଁସ କାମୁଡ଼ି ତାକୁ ଫୁଲେଇ ଦେଇଥାନ୍ତି। ରାତିରେ ଭଲରେ ଶୋଇ ବି ପାରିନି। ତାର ଏତାଦୃଶ ଅବସ୍ଥା ଦେଖି ଥାନା ଅଧିକାରୀ ଙ୍କୁ ତା ପ୍ରତି ଦୟାଭାବ ସୃଷ୍ଟି ହୋଇଛି। ସେ ଜାଣି ପାରିଲେ ଏ ବିଚରାଟା ନିରୀହ ଲୋକଟା। ନହେଲେ ଅତି କମ୍ ରେ କେହି ତ ଆସିଥାନ୍ତା ତାକୁ ମୁକୁଳେଇବା ପାଇଁ। ସେମାନେ ତାକୁ ଭୁଲ୍ ରେ ଦଣ୍ଡ ଦେଉଛନ୍ତି। ତେଣୁ ପରଦିନ ସକାଳେ ସେ ତାକୁ ଛାଡିଦେଲେ ।

ଥାନାରୁ ବାହାରି ହରିଆ କଷ୍ଟେମଷ୍ଟେ ଆସି ରେଳ ଷ୍ଟେସନରେ ପହଞ୍ଚି ଟ୍ରେନ୍ ରେ ଯାଇ ଘରେ ପହଞ୍ଚିଲା। ତାର ଅବସ୍ଥା ଦେଖି ତାର ସ୍ତ୍ରୀ ଆଶ୍ଚର୍ଯ୍ୟ ହେଲା। ସେତିକି ବେଳଠୁ ହରିଆ ଶପଥ ନେଲା ପଛେ ଅଳ୍ପରେ ସନ୍ତୁଷ୍ଟ ହେବ ହେଲେ କେବେ ବେଶୀ ଲୋଭରେ ଦୁଇଟା ନାବରେ ପାଦ ଥାପିବନି କି ଏଭଳି ହଟହଟା ହେବନି !!!

ବାଲିଆ, ଗୋପୀନାଥପୁର ଜଗତସିଂହପୁର

Leave A Reply

Your email address will not be published.