Latest Odisha News

BREAKING NEWS

ଗପ: “ମାର୍ଗଦର୍ଶକ”

ସଞ୍ଜିତା ପ୍ରଧାନ

ଆଜି ସକାଳର ଘଟଣା  ମୁଁ କିଛି ତାଜା ପନିପରିବା ପାଇବାର ଆଶାରେ ସ୍କୁଟି ବାହାର କରି ବାହାରି ପଡ଼ିଲି ମାର୍କେଟକୁ । କିଛି ପନିପରିବା ଫଳ , ରାସନ ଦୋକାନରୁ ପୁଅ ପାଇଁ ବିସ୍କୁଟ ଓ ଚକଲେଟ ଦିଟା କିଣି ଘରକୁ ଫେରୁଥାଏ । ରାସ୍ତାଟି ଗାଁ ମଝି ଦେଇ ଯାଇଥିବାରୁ ଟିକିଏ ଅଣଓସରିଆ । ସବଧାନତାର ସହିତ ଧୀରେ ଧୀରେ ସ୍କୁଟି ଚଳାଉଥାଏ ।

” ମ୍ୟାଡମ…ମ୍ୟାଡ଼ମ..” ମୁଁ ଚମକି ପଡିଲି । ସ୍କୁଟି ର ଆଇନାରେ ଦେଖିଲି ପଛପଟୁ ଗୋଟେ ଝିଅ ମତେ ଡାକୁଛି । ଘଟଣା କ’ଣ ଜାଣିବା ପାଇଁ ମୁଁ ଗାଡ଼ି ଠିଆକରି ଅପେକ୍ଷା କଲି ଝିଅକୁ ।

” ଏ କ’ଣ ଇଏ ତ ନବମ ଶେଣୀରେ ପଢ଼ୁଥିବା ମୋର ଛାତ୍ରୀ ଶ୍ୱେତା । କଣ ହେଇଛି ତାକୁ ? ସେ କିଛି ପାଠ ବୁଝି ପାରିନି କି ?” ମୁଁ ବ୍ୟସ୍ତ ହେଉଥାଏ ।

ସେ ତର ତର ହେଇ ମୋ ପାଖକୁ ପହଞ୍ଚିଲା ।
ପାଦ ଛୁଇଁ ମୋର ଆଶୀର୍ବାଦ ନେଲା । ଅତି ଭଦ୍ର ନମ୍ର ଆଜ୍ଞାକାରୀ ଝିଅଟିଏ । ସବୁ ବିଷୟରେ ଧୁରନ୍ଧର । ଶ୍ରେଣୀ କକ୍ଷରେ କିଛି ଅବୁଝା ରହିଗଲେ ଷ୍ଟାପ ରୁମ କୁ ଆସି ନିଜର ପାଠ ପ୍ରତି ଥିବା ସବୁ ସନ୍ଦେହ ଦୂର କରିନିଏ ।

ଆଜି ଯେହେତୁ ନଭେମ୍ବର ୧୪ ମୁଁ ତାକୁ ଆଶୀର୍ବାଦ ଦେଇ ଶିଶୁ ଦିବସର ଶୁଭକାମନା ଜଣାଇଲି । ସେ ଖୁସି ହେଇଗଲା ।

“ମ୍ୟାଡମ ଆପଣ ଆଶୀର୍ବାଦ ତ ଦେଇଦେଲେ ହେଲେ ଆଜି ମୋ ଭାଷଣ ଶୁଣିବେନି ? ” ସେ ଆଗ୍ରହ ଦୃଷ୍ଟିରେ ମତେ ଚାହିଁ କହିଲା ।

” ନିଶ୍ଚୟ ଶୁଣିବି କାହିଁକି ନୁହେଁ ।” ମୁଁ ଲୋକ ଗହଳି କୁ ଦେଖି ସଙ୍କୋଚରେ ଉତ୍ତର ଦେଲି ।

“ଆପଣ ଚିନ୍ତା କରନ୍ତୁ ନାହିଁ । ଚାଲନ୍ତୁ ଆମ ଘର ଯିବା , ମତେ ବି ଏଠି ଟିକିଏ ଅଖାଡୁଆ ଲାଗୁଛି । ମୁଁ ଆମ ଘରେ ସମ୍ପୂର୍ଣ୍ଣ ଭାଷଣ ଶୁଣାଇବି । ମୋର ପାଠରେ କିଛି ସନ୍ଦେହ ଅଛି ସେଇଟା ମଧ୍ୟ କହିଦେବେ ।” ଝିଅଟି ଉତ୍ସାହ ର ସହିତ କହିଲା ।

ଝିଅର ଇଚ୍ଛା ଆଗରେ ମୁଁ ହାର ମାନି ସାରିଥାଏ , ତା’ କଥାରେ ସହମତି ଜଣାଇ ତାକୁ ମୋ ସ୍କୁଟି ପଛରେ ବସାଇ ଚାଲିଲି ତାଙ୍କ ଘରକୁ ।

ରାସ୍ତାରେ ସେ କହୁଥାଏ ” ଆପଣ ତ ସବୁ ବର୍ଷ ମତେ ଭାଷଣ ଲେଖି ଦିଅନ୍ତି , ସବୁ ଗୁରୁଜୀ ଗୁରୁମା କେତେ ସୁନ୍ଦର ପ୍ରେରଣା ଦାୟୀ ଭାଷଣ ଉପସ୍ଥାପନ କରନ୍ତି । ଚାଚା ନେହେରୁଙ୍କ ଜୀବନୀ ଜୀବନ୍ତ ହେଇଉଠେ । ମନରେ ନୂତନ ଉନ୍ମାଦନା ଜାଗ୍ରତ ହେଇଯାଏ । ସେ ସବୁ କୁ ପାଥେୟ କରି ଆଜି ମୁଁ ନିଜେ ମୋ ଭାଷାରେ ଭାଷଣ ଟିଏ ପ୍ରସ୍ତୁତ କରିଛି …..” ସେ କହିଚାଲିଥାଏ ।

“ମ୍ୟାଡ଼ମ ଏଇଠି ଠିଆ କରନ୍ତୁ, ଏଇ ଘର ଟା ଆମର ।” ତା କଥାରେ ମୁଁ ଅଟକି ଗଲି । ସେ ଦୌଡ଼ି ଚାଲିଗଲା ଘର ଭିତରକୁ ।

ଝାଟି ମାଟି ଖପର ଗୋବର ଲିପା ଛୋଟ ଘରଟିଏ । ଦୁଇଟି ରୁମ ଗୋଟେ ବାରଣ୍ଡା । ବରଣ୍ଡାର ଗୋଟେ କୋଣରେ ରନ୍ଧା ବଢା ଆର ସାଇଡରେ ବସା ଉଠା ।

ମୋ ବସିବା ନିମନ୍ତେ ସେ ଘରୁ ଏକ ଦଉଡ଼ିରେ ଗୁନ୍ଥା ଖଟିଆ ଟେ ବାହାର କରି ଆଣିଲା । ଚାଚା ନେହେରୁଙ୍କ ନିମନ୍ତେ କିଛି ସମୟ ନିରବ ପ୍ରାର୍ଥନା କରାହେଲା । ପରେ ମୁଁ ଖଟରେ ବସିଲି , ସେ କହିବା ଆରମ୍ଭ କଲା ନେହେରୁଙ୍କ ଜନ୍ମ ବୃତ୍ତାନ୍ତ , ବିଭିନ୍ନ ଘଟଣାବଳିର ସୁନ୍ଦର ଉପସ୍ଥାପନା , ଶିଶୁର କର୍ତ୍ତବ୍ୟ , ଶିଶୁ ପ୍ରତି ସମାଜ ର କର୍ତ୍ତବ୍ୟ ……ଇତ୍ୟାଦି ।

ପାଞ୍ଚ ମିନିଟ ର ଭାଷଣରେ ଥିଲା ଚାଚା ନେହେରୁଙ୍କ ପ୍ରତି ଅନାବିଲ ପ୍ରେମ ,ଏକ ନିର୍ଭୀକତା ପଣ , କିଛି ଗୋଟେ କରିବାର ଜୋଶ , ତା’ ମୁଖ ନିସୃତ ପ୍ରତ୍ୟେକ କଥା ହୃଦୟକୁ ସ୍ପର୍ଶ କରୁଥିଲା ।

ମୋର ସ୍ନେହ ଓ ଭଲପାଇବା ତା’ ପ୍ରତି ବଢ଼ିସାରିଥାଏ । ପାଠ ବିଷୟରେ ତା’ର ସନ୍ଦେହ ଦୂର ପରେ ଗୋଟେ ଗ୍ଲାସ ପାଣି ପିଇ ମୁଁ ବାହାରିଲି । ସେ ମୋ ପଛେ ପଛେ ବାହାରି ଆସିଲା ।

ତା’ର ମନା ସତ୍ତ୍ୱେ ବି ମୁଁ ବିସ୍କୁଟ ପକେଟ ଆଉ ଦି ଟା ଚକଲେଟ ତା’ ହାତରେ ଧରେଇଦେଲି । ଭବିଷ୍ୟତରେ ଜଣେ ଭଲ ମଣିଷ ହେବାର ଆଶୀର୍ବାଦ ଦେଇ ସେଠାରୁ ବିଦାୟ ନେଲି ।

ଫେରିଲା ବାଟରେ ତା’ର ନୀରିହ ମୁଖମଣ୍ଡଳ ଆଉ ଭାଷଣର କେଇ ପଦ ମୋ କାନରେ ବାରମ୍ବାର ପ୍ରତିଧ୍ଵନିତ ହେଉଥାଏ ।

” ମୁଁ ଶିଶୁ ଟିଏ ,
ଆଗାମୀ କାଲିର ଆଶା ଟିଏ ,
କିଛି ସ୍ନେହ ମମତା ଆଶୀର୍ବାଦେ
ଫୁଟିବାକୁ ଚେଷ୍ଟା କରୁଥିବା
କୁସୁମ କଳିକା ଟିଏ ,
ମୁଁ ଗଢ଼ିପାରେ ଭବିଷ୍ୟତ
ବିକାଶର ସୌଧ ,
ଯଦି ମୁଁ ପଥ ଭ୍ରଷ୍ଟ ତେବେ
ହେ ସମାଜର ଜ୍ଞାନୀ ଗଣ
ମତେ ସଠିକ ମାର୍ଗରେ
ନେବାପାଇଁ ହେଇପାରିବ କି
ମାର୍ଗଦର୍ଶକ ଟିଏ ????”

ଏହି ଶିଶୁ ଦିବସ ମୋ ଭିତରେ କାହିଁକି କେଜାଣେ ଅନେକ ଅସମାହିତ ପ୍ରଶ୍ନର ପସରା ଥୋଇଦେଇଛି ଆଉ ମୁଁ ମାର୍ଗଦର୍ଶକ ହେବାର ପଥରେ ଆଗେଇ ଯାଉଛି ଆପଣ ମାନଙ୍କ ସହଯୋଗର କାମନା ନେଇ ।

ଶିକ୍ଷୟିତ୍ରୀ, ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ , ଲେଫ୍ରିପଡ଼ା,  ସୁନ୍ଦରଗଡ଼

Leave A Reply

Your email address will not be published.