Latest Odisha News

BREAKING NEWS

ଗଳ୍ପ : ପ୍ରେମ ଓ ଚିତ୍ରକଳାର ପୃଥିବୀ

ସ୍ମୃତି ପଟ୍ଟନାୟକ 

ଶୂନ୍ୟତାର ପରିଧି ମଧ୍ୟରେ ବି କେବେ କେବେ ଦୃଶ୍ୟାୟିତ ହୁଏ ଜୀବନ ର ସ୍ବରଗୀତି, ଚତୁର୍ଭୁଜର ଚାରି କୋଣରେ, ଚାରି ଗୋଟି ଉଜ୍ବଳ ବିନ୍ଦୁ, ସେମାନଙ୍କ ସମାହାରରେ ମଧ୍ୟ ବିନ୍ଦୁର ସୃଷ୍ଟି , ଉଜ୍ବଳରୁ ଉଜ୍ବଳତର ଜୀବନର ଚିତ୍ର ବିନ୍ଦୁ l ନା ଅଜଣା ଚିତ୍ରଶିଳ୍ପୀଟିଏ, ହାତରେ ରଙ୍ଗ ତୂଳୀ ,ଚିତ୍ର ଆଙ୍କିବାର ନିଶା ଦିନ ରାତି, ବିଭିନ୍ନ ପ୍ରକାର ର ଚିତ୍ରକଳା, ଜୀବନ ର ଚିତ୍ରଲିପି ଖୁବ୍ ସଯତ୍ନରେ ଚିତ୍ରାୟିତ, ଟିକେ ବି କେଉଁଠି ବେଢଙ୍ଗ ଲାଗୁ ନ ଥିଲା l

ଖୁବ୍ ଜୀବନ୍ତ ଓ ଉଚ୍ଛ୍ବାସରେ ପରିପୂର୍ଣ୍ଣ ଲାଗୁଥିଲା ଚିତ୍ରକଳା ଗୁଡିକ,ବାରବର୍ଷର ବାଳକ ସାଗର l ଘର କହିଲେ ବୁଝେ ସିଏ ରାସ୍ତାର ଫୁଟପାଥରେ ପଲିଥିନ୍ ଘେରା କୁଡିଆ l ମାଆ ସାଙ୍ରେ ରୁହେ l ଦିନ ସାରା ମାଆ ଘରେ ରୁହେନି l ବାବୁ ଘରେ ପାଇଟି କରେ l ସନ୍ଧ୍ୟା ବେଳକୁ ଫେରେ l ସାଗର ଦିନ ସାରା ରଙ୍ଗ ତୂଳୀରେ ଚିତ୍ର ଆଙ୍କୁଥାଏ l ମାଆ ଫେରିଲେ ନୂଆ ନୂଆ ଚିତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଯାଏ l ଖୁସିରେ ମନ ପୁରି ଉଠେ, ଛାତି ଭିତରଟା ଗୋଳେଇ ଘାଣ୍ଟି ହେଇଯାଏ ! କାହିଁକି ଈଶ୍ବର ସାଗରକୁ ଏମିତି ଗରିବ ଘରେ ଜନ୍ମ ଦେଲ ? ଆଖି ହଳକ ଲୁହରେ ଭର୍ତ୍ତି ହୋଇ ଯାଏ l

ଲୁଗା କାନିରେ ଲୁହ ପୋଛି ଘର କାମ କରେ l ଘର ଆଗରେ ତୁଳସୀ ଗଛ ମୂଳରେ ସଞ୍ଜବତୀ ଜାଳି ସାଗରର ମଙ୍ଗଳ ମନାସୁଥାଏ l ନିତି ସାଗରର ଦୀର୍ଘ ପରମାୟୁ ପାଇଁ ଅଳି କଲା ବେଳେ ଆଖି ଦୁଇଟି ଲୁହରେ ବତୁରି ଉଠେ l ସମାଜରେ ଭଲ ମଣିଷଟିଏ ହୋଇ ପ୍ରତିଷ୍ଠିତ ହେବାକୁ ମା ବୃନ୍ଦାବତୀଙ୍କ ପାଖରେ ପ୍ରାଥର୍ନା କରେ l

ପ୍ରତିଦିନ ରାତିରେ ଖାଇ ସାରିବା ପରେ ସାଗରର ମାଆ ଶୋଇ ଯାଏ ଗଭୀର ନିଦରେ l ସାଗରର ଆଖିରେ ନିଦ ନଥାଏ, ମାଆ ପାଖରେ ଶୋଇ ଚିନ୍ତା କରୁଥାଏ ଆସନ୍ତା କାଲି ସେ କେଉଁ ଚିତ୍ର କରିବ l ସକାଳ ନ ହେବା ଆଗରୁ ସେ ଉଠିଯାଏ
ବିଛଣାରୁ l କୁଡିଆ ବାହାରେ ମହଳଣ ଅନ୍ଧାର ଭିତରେ ଛିଡା ହୋଇ ଏକ ଲୟରେ ଆକାଶକୁ ଅନାଇ ରହେ l ଭାବୁଥାଏ ସତରେ, କେତେ ବିଶାଳ ଏଇ ଆକା ର ପରିବ୍ୟାପ୍ତି, ଆଖି ପାଉନି, ଦିଗବଳୟର ସୀମା ପ୍ରଲମ୍ବିତ l ବିଶ୍ୱ ନିୟନ୍ତାଙ୍କର ଅପୂର୍ବ ଲୀଳା ଉପରେ ତାର କଅଁଳ ମନରେ ଅନେକ ପ୍ରଶ୍ନ ଉଙ୍କି ମାରେ l

ମାଆ ତ କହୁଥିଲା ବାପା ଆକାଶରେ ତାରା ହୋଇ ଅଛନ୍ତି l ତାର ସବୁ କାମ ଦେଖୁଛନ୍ତି l ତାହା ହେଲେ ବାପା ସେଠି ଖୁବ୍ ଶାନ୍ତିରେ ଥିବେ l ମନେ ମନେ ଅନେକ ପରିକଳ୍ପନା କରେ ସାଗର l ବିବିଧତା ମଧ୍ୟରେ ଐକ୍ୟତା କଣ ସମ୍ଭବ ନୁହେଁ?

ଅନେକ ପ୍ରଶ୍ନ ତା ଅଭ୍ୟନ୍ତରରେ ଖେଳିବୁଲୁ ଥାଏ l ତା’ ପରେ ମାଆର ଡାକରେ ନିଜ ଦୁନିଆକୁ ଫେରେ, ପ୍ରକୃତିସ୍ଥ ହୁଏ।
ମାଆ ତାର କାମକୁ ଚାଲି ଗଲା ପରେ ବସିଯାଏ ହାତରେ ତୂଳୀ ଓ ରଙ୍ଗ ଧରି l ଆପେ ଆପେ ଆଙ୍କି ହୋଇଯାଏ ଛବି ସବୁ l ସିଏ ନିଜେ ବି ବିମୋହିତ ହୁଏ ଛବିଗୁଡିକୁ ଦେଖି l ଇଚ୍ଛା ହୁଏ ସେଇ ମୁହୂର୍ତ୍ତରେ ତାର ସାରା ପୃଥିବୀଟା ପ୍ରଦକ୍ଷିଣ କରି ଆସନ୍ତା କି !

ବାହାରକୁ ଆସି ଦେଖେ ତ ଟିକେ ଆଗରେ ଶ୍ରୀମାଙ୍କ ଆଶ୍ରମ ଯନ୍ତ୍ରବତ୍ ଆସି ପହଞ୍ଚିଯାଏ ସେଠି l କେହି କୁଆଡେ ନାହାଁନ୍ତି ! ଶୂନଶାନ୍ ପରିବେଶ l ସାଗର କିଛି ନ ଭାବି ବସିପଡିଲା ଶ୍ରୀମାଙ୍କ ଫଟୋ ତଳେ, କିଛି ସମୟ ନୀରବରେ, ତା ପରେ ରଙ୍ଗତୂଳୀ ଧରି ଆଙ୍କି ଚାଲିଥିଲା l

ଦିନ ଦିନ ଧରି ଆଶ୍ରମକୁ ଘେରି ରହିଥିବା ପାଚେରୀ ଦେହରେ ଭିନ୍ନ ଭିନ୍ନ ଚିତ୍ରକଳା ,ପଟ୍ଟଚିତ୍ର ଆଙ୍କିଚାଲିଥିଲା l ଅତୁଳନୀୟ ଓ ଅବିଶ୍ବସନୀୟ ଲାଗୁଥିଲା l ଯିଏ ଆଶ୍ରମକୁ ଆସୁଥିଲେ ; ଘଡିଏ ଅନାଇ କି ରହୁଥିଲେ l ଏତେ ସୁନ୍ଦର ଚିତ୍ରକଳା ଦେଖି, ସାଗରର ଲକ୍ଷ୍ୟ ନ ଥିଲା ଆଉ କୁଆଡେ l ତାର ମାଆ କାମକୁ ବାହାରି ଗଲା ପରେ ସେ ତାର ରଙ୍ଗ ତୂଳୀ ଧରି ଚାଲିଆସେ ଆଶ୍ରମକୁ l ମାଆ ଘରକୁ ଫେରିବା ପୂର୍ବରୁ ପଳାଇ ଆସେ l ଆଶ୍ରମ ଭିତରେ ଥିବା ଫୁଲ ବଗିଚା ଗଛଲତା, ସମସ୍ତେ ତାର ସାଙ୍ଗ ହେଇଯାଇଥିଲେ l

ସମୟ ସରିଯାଉଥିଲା l ସାଗରର ମନ ଉଡି ବୁଲୁଥିଲା ନୀଳ ଆକାଶର ମାୟାରେ l ଜୀବନର କ୍ଷେତ୍ରଫଳ ଓ ପରିସୀମାକୁ ବୁଝିବାର ଅନୁଭବ ଆସିଯାଇଥିଲା ତାର l ପ୍ରତିଦିନ ଭେଟୁଥିଲା ସେ କିଛି ନୂଆ ନୂଆ ଚରିତ୍ରମାନଙ୍କୁ l ସେମାନଙ୍କ ହୃଦୟର କଥାକୁ ଜାଣିପାରୁଥିଲା l ପ୍ରକୃତି ଓ ମଣିଷ ମଧ୍ୟରେ ଆକର୍ଷଣ ଓ ବିକର୍ଷଣ ତା ଭିତରେ ସମ୍ମୋହନର ଶକ୍ତି ସବୁ ଯେମିତି ଲାଗୁଥିଲା ସ୍ଥିରୀକୃତ।

ଦିନ ଚାଲି ଯାଉଥିଲା l ସମୟ କ୍ରମେ ପୃଥିବୀ ପୃଷ୍ଠରେ ପରିବର୍ତ୍ତନ ଘଟୁଥିଲା l ସାଗର ତା ଜୀବନ ଶୈଳୀକୁ ନେଇ ବେଶ୍ ଖୁସି ଥିଲା l ଦିନକୁ ଦିନ ବଡ ହେଉଥିଲା ସେ l ସ୍ବପ୍ନ ଦେଖୁଥିଲା, ଗଭୀର ରାତିରେ ହାତରେ ବଂଶୀ ଖୁବ୍ ଲୟରେ ଧରି ବଜାଉ ଥିଲା ସେ l ଇସ୍ ଏତେ ମଧୂର ସ୍ବନ, କଦମ୍ବ ଗଛ, ଯମୁନା କୁଳ, ମୂର୍ଛନାମୟ ଗୀତିର ସୁରେ ସୁରେ ମହକଭରା ପରିବେଶ; ବାସ୍ନାୟିତ ଜୀବନ l ବଦଳି ଯାଉଥିବା ସମୟ,ବିମୋହିତ ହେଇ ଯାଉଥିଲା ସେ l

ତା ପର ଦିନ ସକାଳ ଆସିଥିଲା ଖୁବ୍ ଶିହରଣ ନେଇ l ସାଗର ଆଙ୍କି ଚାଲି ଥିଲା ତାର ରଙ୍ଗ ତୂଳୀରେ ପ୍ରେମ ପୃଥିବୀର କଥା l ପ୍ରେମ ହିଁ ଜୀବନ କୁ ସରସ ସୁନ୍ଦର କରି ଗଢି ତୋଳେ ଏଇ ବିଶ୍ବାସ ଆସିଯାଇଥିଲା ତାର ଲ

ହଠାତ୍ କେଉଁ ଏକ ମଧୁର ଲଗ୍ନରେ ଉର୍ମି ଆସିଥିଲା ତା ଜୀବନ ପରିଧିକୁ l ତା ପରଠାରୁ ଦୁହେଁ ସାଙ୍ଗ ହୋଇ ରଙ୍ଗତୂଳୀ ଧରି ଚିତ୍ର ଆଙ୍କୁଥିଲେ l ଉର୍ମି ଭଲ ଗୀତ ଗାଇ ପାରୁଥିଲା l ତା ଠାରୁ ଗୀତ ଗାଇବା ଶିଖିଯାଇଥିଲା ସାଗର l ଧିରେ ଧିରେ ଦୁହେଁ ପୃଥିବୀକୁ ଭଲପାଇଯାଇଥିଲେ l ଉର୍ମିର କେହି ଆତ୍ମିୟ ନଥିଲେ ଆଶ୍ରମରେ ରହୁଥିବା ଗୁରୁ ମାଆଙ୍କ ପାଖରେ ସେ ରହୁଥିଲା । ତାର ଜନ୍ମ ବୃତ୍ତାନ୍ତ କାହାକୁ ଜଣା ନଥିଲା l ଈଶ୍ବରଙ୍କର ସନ୍ତାନ ଭାବରେ ସେ ପ୍ରତୀୟମାନ ହେଇଥିଲା ପୃଥିବୀ ପୃଷ୍ଠରେ l

ସବୁ ଦୁଃଖ କୁ ଭୁଲି ଯାଇଥିଲା ସାଗର l ଜୀବନ ତାକୁ ଏବେ ଏବେ ଖୁବ୍ ସୁନ୍ଦର ଲାଗୁଥିଲା l ନିଜର ନିଷ୍ଠା ଓ ଏକାଗ୍ରତା ବଳରେ ସେ ନିଜର ଏକ ବଳୟ ତିଆରି କରି ସାରିଥିଲା l ସମସ୍ତେ ତାକୁ ଖୁବ୍ ଭଲପାଉଥିଲେ l

ସେଦିନ ଆଶ୍ରମରେ ଉତ୍ସବ ପାଳନ ହେଉଥାଏ l ବହୁ ଜନସମାଗମ ହୋଇଥାଏ l ସମସ୍ତଙ୍କର ଦୃଷ୍ଟି ଆପେ ଆପେ ଚାଲିଯାଉଥାଏ ଆଶ୍ରମ ପରିସରରେ ଅଙ୍କା ହୋଇ ଥିବା ଚିତ୍ରକଳା ଉପରକୁ l ସାଗର ଓ ଉର୍ମିଙ୍କୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ, ପିଲା ଦୁହେଁ ଏତେ ସୁନ୍ଦର କମକୂଟ ଦେଇ , ଦେଶ ବିଦେଶର କଳା, ଐତିହ୍ୟ, ଓ ପରମ୍ପରାକୁ ନେଇ ଚିତ୍ର ସବୁ ଆଙ୍କିଛନ୍ତି l ଅବାକ୍ ହେଇଯାଉଥିଲେ ସମସ୍ତେ l ଭୁରି ଭୁରି ପ୍ରଶଂସା କରୁଥିଲେ l ସାଗର ଓ ଉର୍ମି ଖୁସିରେ ଆତ୍ମହରା ହେଇ ପଡୁଥିଲେ l ହସର ଫଲଗୁ ଧାରା ଖେଳି ବୁଲୁଥିଲା ଦୁହିଁଙ୍କ ମୁଖମଣ୍ଡଳରେ l

ସେଦିନ ରାତିରେ ସାଗର ତାର ମାଆ ପାଖରେ ଶୋଇ ପରିକଳ୍ପନା କରୁଥିଲା ଏକ ସୁନ୍ଦର ଭବିଷ୍ୟତର l ମାଆକୁ ନିଜ ମନର କଥା କହିଥିଲା l ଖୁସିର ସୀମା ଆଉ ରହି ନ ଥିଲା ତା ମାଆର l ତା ପର ଦିନ ସକାଳ ଆସିଥିଲା ଖୁବ୍ ମାଦକତା ନେଇ ନୂଆ ପ୍ରତିଶୃତି ନେଇ ଦୁହିଁଙ୍କ ପାଇଁ l ସାଗର ଓ ଉର୍ମି ଚିରକାଳ ପାଇଁ ବନ୍ଧନରେ ବାନ୍ଧି ହୋଇ ରହିବାର ଶପଥ ନେଇଥିଲେ l ନ ଥିଲା କିଛି ବାଧାବିଘ୍ନ ଜୀବନ ଲାଗୁଥିଲା ଖୁବ୍ ସୁନ୍ଦର l କିନ୍ତୁ ଅଚାନକ ସବୁ କିଛି ଓଲଟପାଲଟ ହୋଇଯାଇଥିଲା l ଆଶ୍ରମର ପରିସର ଖୁବ୍ ଗମ୍ଭୀର ଥିଲା l ସମସ୍ତଙ୍କ ଆଖିରୁ ଲୁହ ଝରୁଥିଲା l ଉର୍ମିକୁ ବ୍ଲଡ୍ କ୍ୟାନସର୍, କଥାଟିକୁ ସହଜରେ ବିଶ୍ବାସ କରିପାରୁନଥିଲେ କେହି l ଉର୍ମି ହସ୍ପିଟାଲର ବେଡରେ ଶୋଇ ରହି ଚିତ୍ର ଆଙ୍କିବାର ସ୍ବପ୍ନ ଦେଖୁଥିଲା l ସାଗର ଦିନ ରାତି ପ୍ରାର୍ଥନା କରୁଥିଲା ଉର୍ମିର ଜୀବନ କୁ ବଞ୍ଚିବାର ଦୃଢ଼ ଇଛା ଶକ୍ତି ଓ ସାଗରର ପ୍ରେମ ପାଖରେ ସବୁ କିଛି ହାର ମାନିଥିଲା l ଉର୍ମି ଧିରେ ଧିରେ ସୁସ୍ଥ ହେଇଯାଇଥିଲା ଈଶ୍ବରଙ୍କର ଆଶୀର୍ବାଦରୁ l

ନୂଆ ଜୀବନ ଆରମ୍ଭ କରିଥିଲା ଉର୍ମି l ଆଉ ପଛକୁ ଫେରି ଚାହିଁ ନଥିଲେ l ଦୁହେଁ ସାଗର ଓ ଉର୍ମି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲେ ଅବିଶ୍ରାନ୍ତ ଭାବରେ l ଏକ ନୂତନ, ସୁନ୍ଦର ଓ ପ୍ରେମମୟ ପୃଥିବୀ ର ସନ୍ଧାନରେ l ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି l

ୟୁ ଏନ୍ କଲେଜ୍ ଅଡଶପୁର
କଟକ ମୋ ନଂ ୯୯୩୮୪୪୦୯୪୯

Leave A Reply

Your email address will not be published.