Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨ )

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨

ଚନ୍ଦ୍ରାର କାମସରେ ଠିକ୍ ଦିନ ଏଗାରଟାରେ। ସକାଳ ଜଳଖିଆ ବନେଇବାକୁ ପଡେ ତା’କୁ। ଆଣ୍ଟିଙ୍କୁ ଖୁଆଏ ସେ । ପ୍ରତ୍ୟେକ ଦିନ ନୂଆନୂଆ ଖାଦ୍ୟ ପରଷିଦିଏ। ବାକି ରହିଲା ଛୋଟମୋଟ କାମ। ଲ୍ୟାପି ଖୋଲି ଡ୍ରଇଁ କରେଇବା, ଅଳ୍ପଅଳ୍ପ ମାଲିସ କରିବା , ଡଷ୍ଟିଂ କରିବା ଏମିତି ଏମିତି ସବୁ। ବେଶି ସମୟ ଆଣ୍ଟିଙ୍କୁ ଦେବା ପ୍ରମୁଖ କାମ।

ଜଳଖିଆର ମେନ୍ୟୁ ଟଙ୍ଗାଯାଇଥାଏ ଚନ୍ଦ୍ରା ପାଇଁ। କେବେ କେମିତି ଛୋଟିଆ ପରିବର୍ତ୍ତନ ହୁଏ ସେଥିରେ। ସବୁ ତ ଥାଏ ରୋଷେଇ ଘରେ।କିଛି ନିହାତି ଦରକାର ପଡିଲେ ଲେଖି ଟେବୁଲ ଉପରେ ରଖିଦେଲେ ଆସିଯାଏ ତା’ ପରଦିନକୁ। ମୋଟା ଅଙ୍କର ଦରମା ତା’କୁ ପ୍ରଲୁବ୍ଧ କରାଏ। କଲେଜ ପଢା ପରେ ନର୍ସିଂ ଟ୍ରେନିଂ ନେଇଚି। ଅଭାବିଘରେ ଆଉ ଅଧିକ କ’ଣ ହୋଇପାରନ୍ତା ଯେ। ଏ କାମ ପାଇଲା ପରେ ଏକରକମ ଘର ସମ୍ଭାଳୁଚି ସେ। ବାପାର କିଛି ଠିକଣା ନାହିଁ। କେବେ ଘରେ ତ କେବେ ବାହାରେ। ମାଆ ରୋଗରେ ପୀଡିତ । ଅଧା ସମୟରେ ବିଛଣାରେ। ଦୁର୍ବଳ ଶରୀର ସଦା । ଆଉ ଭାଇ ତ ଢେର ସାନ। ଭଉଣୀ ଠିକ୍ ତା’ ତଳେ। ସେମାନଙ୍କର ପାଠପଢା ସହିତ ସମସ୍ତ ଖର୍ଚ୍ଚ ଏହାରି ଉପରେ। ଔଷଧ, ଲୁଗାପଟା, ସୌଦା ସବୁକିଛି ସେହିଁ ବୁଝେ। ଅସହାୟ ଲାଗିଲେ ବି ନାଚାର ସେ। ଏଇ ଅସହାୟତା ରୂପାନ୍ତରିତ ହୁଏ ଦୃଢ ବନ୍ଧନରେ। ପରସ୍ପର ପରସ୍ପରର ମନକଥା ପଢିପାରନ୍ତି ନୀରବରେ। ଭାଷା ନୁହେଁ ଭାବରେ ଆଦାନପ୍ରଦାନ ହୁଏ ହୃଦୟର କଥା। ପାରିବାରିକ ସମ୍ପର୍କ ସୁଦୃଢ଼ ହୁଏ।

‘ବାବାରେ’…… ଆଜି ମନଟା କୁଆଡେ ଅଛିଲୋ କହି ଚନ୍ଦ୍ରା ତରତର ହେଲା । ଔଷଧ ସହ ସୁପ୍ ଦେବାର ଅଛି ଯେ। ବାର ଅନୁସାରେ ସବୁକିଛି ବଦଳେଇବାକୁ ପଡେ। କାର୍ଯ୍ୟସାରଣୀ ନିର୍ଦ୍ଦିଷ୍ଟ ,ଠିକ୍ ହାଇସ୍କୁଲରେ ପଢାଯାଇଥିବା ପିରିୟଡିକ୍ ଟେବଲ ଭଳି। ଭଲ ମନେପକେଇପାରେ ସେସବୁକୁ ସେ। ହା, ହି, ଲି,ବେ ,ବୋ,କା… ରାସାୟନିକ ମୌଳିକ ବସ୍ତୁର ଆଦ୍ୟ ଅକ୍ଷର। ଗୁନ୍ଥାହୋଇଥିବ କିନ୍ତୁ ସବୁ ଅଲଗା ,ସବୁ ନିଜନିଜ ମୌଳିକତାରେ ତିଷ୍ଠିରହିଥିବାଭଳି ଏ ଘରର କାମଦାମ।

ଅଲିଭତେଲରେ ମାଲିସ କରିଦେଇ ଟିକିଏ ଛାଡିଦେଲାପରେ ଓଦା ତଉଲିଆରେ ପୋଛିଦେଲା ଆଣ୍ଟିଙ୍କୁ ଚନ୍ଦ୍ରା । ତାଙ୍କ ବବ୍ କଟାଯାଇଥିବା ବାଳକୁ କୁଣ୍ଡାଇଦେଲା । ନିଜ ମାଆର ଏତିକି ଯତ୍ନ ସେ ନେଇନଥିବ କେବେ ଯଦିଓ ସେ ବି ରୁଗ୍ଣ।ନର୍ସିଂ ଟ୍ରେନିଂ ନେଇଚିବୋଲି ଏ ଚାକିରି ସେ ପାଇଚି। ସେବା ମନୋବୃତ୍ତି ଅଛି ତା’ର। କେବଳ ଏତିକି ଯେ ନିଜ ମାଆକୁ ଏତିକି ଯତ୍ନ ନେଇପାରୁନି ବୋଲି ଦୁଃଖ ଲାଗେ। ଅଭାବନଥିଲେ ସେ କୋଉ ଆସନ୍ତା ଏ ଘରକୁ।

ଓଃ, ଏତେ କଥା ମୁଣ୍ଡରେ କାହିଁ ପଶେ ଯେ ! ପର ନିଜର ପୁଣି କ’ଣ ମ । ସେ ତ କାମ କରୁଚି, ପ୍ରତିବଦଳରେ ପାରିଶ୍ରମିକ ନଉଚି। ଏତେସବୁ କଥା ଭାବିଲେ ତ ଆଉ ଚଳିବନି। ଜଲଦି, ଜଲଦି ହାତ ଚାଲିଲା ଏଥର ଚନ୍ଦ୍ରାର ।ନିର୍ଭୁଲ, ପୁଣି ସମୟ ଅନୁସାରେ କରିବାକୁ ପଡିବ ସବୁକିଛି । ତାହାହେଲେ ମାସଶେଷରେ ଠିକ୍ ସବୁ ମିଳିଯିବ। ନହଲେ… ଗଲା ସବୁ, ଗଡବଡ ହୋଇଯିବ।  ଟିପଟପ୍ ଘରକୁ, ରନ୍ଧା ସ୍ବାଦିଷ୍ଟ ହେବା ଦରକାର। ଅମୃତାର ତୀକ୍ଷ୍ଣ ଦୃଷ୍ଟି ତା’ ଉପରେ। ଭାରି ସିନ୍ସିଓର ଦେଖେଇହୁଏ। ରାତି ଅନିଦ୍ରାରହି କେମିତି କେଜାଣି ଏତେ କାମ କରେ ସେ ।

ଛାଡ ମ। ନିଜେ ନିଜକୁ ସମ୍ଭାଳିବା କଷ୍ଟ। ବାପା ନିଶାରେ ଆସି ଜୁଲମ୍ ଦେଖେଇବ। ସହସ୍ର ଚିନ୍ତା ଗୋଡେଇଖାଉଥିବ। କରେଣ୍ଟ ଗଲେ ମଶାଙ୍କ ଅଦଉତିରେ କଞ୍ଚାନିଦରେ ଚାରିଟା ରାତିରୁ ଉଠି ନିତ୍ୟକର୍ମସାରି ପାଞ୍ଚ ନବାଜୁଣୁ ଏଇଠି ପହଞ୍ଚିବ। ସେ କେମିତି ବୁଝିବ ଚନ୍ଦ୍ରାର ବେଦନାସିକ୍ତ ଜୀବନକୁ।

ସତରେ ଅମୃତା ରାତି ଏକଲା କଟାଏ କେମିତି ? ଦୁଇଟି ବାଥରୁମ୍ ସେ ସଫାକରେକି କ’ଣ ଚକାଚକ୍ ସବୁବେଳେ। ଗୋଟିଏ ଆଣ୍ଟିଙ୍କ ପାଇଁ ଆଉ ଆରଟା ଆମର। ସେ କିନ୍ତୁ ଆଣ୍ଟିଙ୍କୁ ସଫାସୁତୁରା କରିଯାଇଥାଏ। ଗାଧୋଇବା, ମୁଣ୍ଡସାମ୍ପୁକରିବା ସବୁ ଚନ୍ଦ୍ରାର। ଘଣ୍ଟା କଣ୍ଟାସହ ଦୌଡୁଚି । ଦେହ ଆଉ ତାଠାରୁ ବେଗରେ ମନ। ଖାଇବା ପରେ ତା’ ନିଜବାସନ ଧୋଇବାକୁ ବାଲକୋନି ସିଙ୍କ ପାଖକୁ ଗଲା। ଆଉ ସବୁ ଡିସୱାସରରେ ।ଭାରି କଡା ନିୟମ ଏ ଘରେ।

ଆଜି ମନଟା ବୋଲ ମାନୁନି ଯେ ,ନିଜେ ନିଜକୁ କହିଲା ଚନ୍ଦ୍ରା । ଜମା କାମରେ ମନ ଲାଗୁନି। ସାମାନ୍ୟ ଡେରିପାଇଁ ଅମୃତା ତା ଆଖିରେ ଯାହାକହିଲା ,ତା’ଠାରୁ ଅଧିକା ଏ ଘରେ ଲାଗିଥିବା କ୍ୟାମେରା। ଦେହ ସୁହା କିଛି ମାତ୍ରାରେ, ତଥାପି ଡରଲାଗେ ତା’କୁ। ପ୍ରତିମାସ କିଛି କଟିଗଲେ ତା’ର ଭାରି ଅସୁବିଧା ହୁଏ। ନାନାଦି ଖର୍ଚ୍ଚ ପାଟି ମେଲେଇ ବସିଥାଆନ୍ତି ।ଟପକିନା ଗିଳି ଦେବେସବୁ। ସେପଟେ ପାର୍ଲର କାମ ଅଛି। ପୂଜା ମାସଟା। ଭଲ ଜମିବ। ଏଥର ମନଲଗେଇ କାମକଲା ସେ ।

ଏ ଘରେ କିଏ ଅଛି ଯେ କାହା ସହ କଥାହବ। ଆଣ୍ଟି କାଦୁଅ ମେଞ୍ଚା ଭଳି ପଡିରହିଚନ୍ତି  ଯାହା । ଉଁ ଚୁଁ କିଛି ନାହିଁ। କି ରୋଗ ଯେ, କିଛି କହିବେନି। ତାଙ୍କ ଆଗରେ କାନ୍ଦିବାମନା, ଫୋନରେ କଥା ହେବା ମନା, ଜୋର ଶବ୍ଦ ମନା। ସବୁ ମନା। ଯିବା ବେଳ ହେବାକୁ ଯାଉଚି ତା’ର। ରିଲିଭରକୁ ସବୁ ଲେଖିଦେଇ ଟେବୁଲ ଉପରେ ରଖିଲା କାଗଜକୁ। ଇଞ୍ଜେକସନ୍ ଦେଇସାରିଚି। ଖୁଆଇଦେଇଚି ଜଳଖିଆ, ପାଣି ପିଆଇଦେଇଚି। ଗାଧୁଆ ପାଧୁଆ ସାରିଦେଇଚି। ରଙ୍ଗ ଭରିବା ଖେଳ ସାରିଦେଇଚି।

ଲ୍ୟାପିକୁ ରଖିଦେଲା ନିର୍ଦ୍ଦିଷ୍ଟ ଜାଗାରେ।ସବୁତ ସାରିଚି। ନିଃଶବ୍ଦରେ ବାହାରିଯିବାକଥା ତା’ର, କବାଟକୁ ଟାଣିଦେଇ। ସମସ୍ତଙ୍କ ପାଖରେ ଚାବି ଅଛି। ଯିଏ ଯାହାର ନିର୍ଦ୍ଦିଷ୍ଟ ସମୟରେ ଆସିବେ ଓ ଯିବେ। ଠକ୍ ଠକ୍ ଶବ୍ଦ ହେଲା। ଉଃ ସେ ବାହାରକୁ ଚାଲିଯିବା କଥା। ଲିଫ୍ଟ କି ପାହାଚରେ ଥାଆନ୍ତା ସିନା । ଯାଃ ଆଜିସବୁକିଛି ଗଡବଡ ତା’ର। କବାଟ ଖୋଲିବା ପୂର୍ବରୁ ସାଉଁଟି ନେଲା ନିଜକୁ ନିଜେ।ବ୍ୟାଗ ଗଳାଇଲା କାନ୍ଧରେ। ଷ୍ଟଲରେ ଢାଙ୍କିନେଲା ନିଜକୁ।ଆଖି ଦୁଇଟି ଛଡା ସବୁ ଲୁଚିଗଲା।ଖୋଲିଲା କବାଟ।ପାଦ ବଢାଇଲା ଆଗକୁ, ଆଗନ୍ତୁକାକୁ ଅଭିବାଦନକରି। ଷ୍ଟଲ ତଳେ ହସୁଥିଲା ସେ। କିଏ ଦେଖିବ ମ ତା’ର ନୀରବ ହସକୁ । ଓଃ ମୁକ୍ତ ସେ ଏଥର। ଶୃଙ୍ଖଳା ଭଲଲାଗେ ତ ତା’କୁ । ବହୁତ ବେଶିଗୁଡେ ଆଇନ କାନୁନ,ନୀତି ନିୟମ ଅଣନିଃଶ୍ବାସି କରିଦିଏ। ଅତି ସର୍ବତ୍ର ଗର୍ହିତମ୍ ….। ମନେମନେ କହୁକହୁ ଆଗେଇ ଚାଲିଲା ଧିରେ।

( କ୍ରମଶଃ )

Leave A Reply

Your email address will not be published.