ହିଞ୍ଜଡ଼ା

ସୁପ୍ରିୟା ପଣ୍ଡା           

ଲୋକାଲ ଟ୍ରେନ ଭିତରେ ପଶିବା ଯେତିକି କଷ୍ଟ , ତା ଠାରୁ ଅଧିକ କଷ୍ଟ ଠିଆ ହେଇ ଯିବା । ସିଟ ମିଳିବାର ପ୍ରଶ୍ନ ବି ମନ ଭିତରକୁ  ଆସେ  ନାହିଁ।

ଦିନ ସାରା ଫାଇଲ ଚାଷ କରି  , ସୁଜାତା ଟ୍ରେନ ଭିତରେ ପଶିଲା । ଭିଡ଼ ତ ନୁହେଁ ସତେ ଯେମିତି ଜନ  ସମୁଦ୍ର। ସେଇ ଭିତରେ ଠିଆ ହେବା ପାଇଁ ଜାଗାଟେ ପାଇଗଲା। ପଇଁତିରିଶ  ମିନିଟ ପରେ ତା ଷ୍ଟେସନ।

ଆଗ ଷ୍ଟେସନ ରେ ଟ୍ରେନ ରହିଲା ।

ହଠାତ ଗୋଟେ ଲୋକ ତା ଆଡ଼କୁ ଝୁଙ୍କି ପଡ଼ିଲା। ସୁଜାତା ଟିକେ ଘାବରେଇ ଗଲା। ନିଜକୁ ସମ୍ଭାଳି ନେଇ ସେମିତି ଠିଆ ହେଲା । ଏଥର ଲୋକ ଟି ତାକୁ ଲାଗିକି ଠିଆ ହେଲା । କିଛି ସମୟ ପରେ ତା କାନ୍ଧ ଉପରେ ଢଳି ପଡ଼ିଲା।

ଲୋକଟି , ଭଲ ଦେଖା ଯାଉଥିଲା। ପୋଷାକ ପତ୍ର ରୁ ଲାଗୁଥିଲା କି ଅଫିସର ରାଙ୍କର ଚାକିରି କରୁଥିବ । ଲୋକଟି ବାରମ୍ବାର ଦୁର୍ବ୍ୟବହାର ଦେଖାଉଥାଏ । ଆଉ ପାଖରେ ଥିବା ଅନେକ ଲୋକ ଚୁପଚାପ ଦେଖୁଥାନ୍ତି। ଜାଣି ପାରୁଥାନ୍ତି , ତାଙ୍କ ସାମ୍ନାରେ ଗୋଟେ ଝିଅ ହଇରାଣ ହେଉଛି। କେହି କିଛି କହୁ ନଥାନ୍ତି । ଝିଅଟେ ହଇରାଣ ହେଲେ କାହାର କଣ ଯାଉଛି ଯେ କିଏ କହିବ । ଅଯଥା ଝାମେଲା ରେ କିଏ ପଶିବ ।

ସୁଜାତା ବି ଅନ୍ୟ କିଛି ଉପାୟ ନ ପାଇ ବାଧ୍ୟ ହେଇ ସବୁ ସହୁଥାଏ ।

ପୁଣି ଗୋଟେ ଷ୍ଟେସନ ରେ ଟ୍ରେନ ରହିଲା । ଦୁଇ ଜଣ କିନ୍ନର ଚଢ଼ିଲେ।  କାହାକୁ କିଛି ନକହି ସେମାନେ ବି ଠିଆ ହେଲେ। ସେମାନଙ୍କୁ ଦେଖି କିଛି ଲୋକ ଆଖି ବୁଲେଇ ନେଲେ ଆଉ କିଛି ଗୋଟେ ମଜା ନେବାର ଆଖିରେ ଦେଖିଲେ।

ଲୋକଟି ସେମିତି ହଇରାଣ କରୁଥାଏ ସୁଜାତାକୁ । ଜଣେ କିନ୍ନର ତାହା ଦେଖିଲା । ଆର ଜଣକୁ ଆଖିରେ ଠାରି ଜଣେଇଲା। ଦୁହି ଜଣ ଯାକ ହଠାତ ଜୋରରେ ତାଳି ମାରି ସୁଜାତା ପାଖକୁ ଆସିଲେ। ସେ ଲୋକଟାକୁ ଟାଣି ବାହାର କରିଦେଲେ।  କହିଲେ ଆମେ କଣ ଟିକେଟ କରିନୁ । ଆମକୁ ବି ଜଗା ଦିଅ। ଲୋକଟା ଦୂରେଇ ଗଲା।

ସୁଜାତା ର ଷ୍ଟେସନ ଆସିଯାଇଥିଲା । ଆଜି ଟ୍ରେନ ଭିତରେ ସେ  ଅନେକ ଗୁଡ଼ିଏ ହିଞ୍ଜଡ଼ା ଦେଖିଥିଲା ।

ରସୁଲଗଡ଼, ଭୁବନେଶ୍ୱର