ସମ୍ପର୍କ

✍️ ଶ୍ରୀୟା                                                                 

ଜହ୍ନ ରାତିରେ ଦୁଇଟି ପ୍ରାଣ ବାର୍ତ୍ତାଳାପରେ ବ୍ୟସ୍ତ ଥିଲେ । କଥା ଶୁଣିବା ପାଇଁ ମୁଁ ଦଣ୍ଡିଏ ଠିଆ ହେଇଗଲି ।

– ଶୁଣ ଗୋ ।
– କୁହ ପ୍ରିୟେ ।
– ତୁମେ ମୋ ପ୍ରେମ ହେଲେ ମୁଁ ତୁମ ପ୍ରତୀକ୍ଷା ।
– ଏପରି କୁହନି ତ !
– କାହିଁକି ? ଭଲ ଲାଗିଲାନି ?
– ପ୍ରେମ ଏକ ନୀଡ଼ ବିହୀନ ପକ୍ଷୀ ! ଯାହାର ନୀଡ଼ ନାହିଁ ତା ପାଇଁ ପ୍ରତୀକ୍ଷା କରି ଲାଭ କଣ ?
– ଧେତ ! ଆଛା ତେବେ ତୁମେ ମୋ ସମୁଦ୍ର , ମୁଁ ତୁମ ବେଳାଭୂମି ।
– କେବଳ ପଦଚୁମ୍ବନ କରି ଆଜୀବନ ରହିପାରିବ ? ବାହୁବନ୍ଧନରେ ଆସିବନି ?
– ହେଲେ ସମୁଦ୍ର ଏବଂ ବେଳାଭୂମି ଯେ ସଦା ଅଭିନ୍ନ !
– ହଁ , ଦିନ ମାସ ବର୍ଷ ସାମ୍ନାରେ ଥାଇ ମଧ୍ୟ ଚୋରା ଚାହାଣୀରେ ସନ୍ତୁଷ୍ଟ ହେବାକୁ ପଡ଼ିବ, ଚଳିବ ?
– ନା ନା , ତେବେ ମୁଁ ପୁଷ୍ପ ହେଲେ ତୁମେ ମୋ ଭ୍ରମର !
– ଆଛା , ତେବେ ନିତି ଦିନ ଫୁଲରୁ ଫୁଲକୁ ମୁଁ ଉଡ଼ି ବୁଲିବି … ଚଳିବ ?
– କି କଥା କହୁଛ ? ଶୁଣ , ତୁମେ ପ୍ରାଣ ହେଲେ ମୁଁ ତୁମ ସ୍ପନ୍ଦନ !
– ସୁନ୍ଦର କଥାଟିଏ କହିଲ । ହେଲେ ….
– ହେଲେ ?
– ହୃତସ୍ପନ୍ଦନ ବିନା ବି ପ୍ରାଣ ବିଚରଣ କରିପାରେ ! କେବେ ମାନସ ପଟରେ , କେବେ ଅତିମାନବ ଦୁନିଆରେ ! ହେଲେ ତୁମ ବିନା ଯେ ମୋର ସ୍ଥିତି ନାହିଁ !
– ଠିକ କହିଛ ! ଶେଷ ଚେଷ୍ଟା କରୁଛି …ମୁଁ ଶୂନ୍ୟତା ହେଲେ ତୁମେ ତାର ପରିଭାଷା !
– ଶୂନ୍ୟତା ଭିତରେ ପ୍ରାଣଟିଏ ପରିଭାଷାକୁ ଜନ୍ମ ଦିଏ , ହେଲେ ତୁମର ଆଉ ମୋର ଜନ୍ମ ତ ପ୍ରକୃତିର ବିଚିତ୍ର ରହସ୍ୟ !
– ତେବେ ତୁମେ ହିଁ କୁହ , ଆମର ସମ୍ପର୍କ କଣ ?
– ତୁମେ କାୟା , ମୁଁ ତୁମ ଛାୟା !! ତାହା ହିଁ ଆମର ପରିଚୟ, ତାହା ହିଁ ଆମ ସମ୍ପର୍କର ବିଶିଷ୍ଟ ସଂଜ୍ଞା !

ଜହ୍ନ ଆଲୁଅରେ ସ୍ପଷ୍ଟ ଦିଶୁଥିଲା , ଉଆଁସୀ କନ୍ୟାଟି ଛାୟା ସହିତ ପ୍ରେମ ରଜ୍ଜୁରେ ବାନ୍ଧି ହୋଇଯାଉଥିଲା !