ଗପ: ଇଚ୍ଛାମୃତ୍ୟୁ

ଜ୍ଞାନ ରଞ୍ଜନ କର

ବୟସ ୭୮। କପାଳରୁ ସିନ୍ଦୁରର ଦାଗ ଅନେକ ଦିନରୁ ଲିଭିଲାଣି। ଖଟ ଉପରେ ଶୋଇ ଶୋଇ ଦେହରେ ହୋଇଥିବା ଘା’ ଦୀର୍ଘ ୭ ବର୍ଷର ମରଣାନ୍ତକ ଯନ୍ତ୍ରଣାକୁ ସ୍ପଷ୍ଟ ସୁଚେଇ ଦେଉଛି। ଯେଉଁ ଦେହରୁ ୧୨ହାତି ଲୁଗା ଆଜୀବନ ମଥାରୁ ଖସି ନଥିଲା ସେଇ ଦେହଟି ଏବେ ଗାମୁଛାଟିରେ ଢଙ୍କା ନହେବାକୁ କରୁଛି କାକୁତି ମିନତି। “ମୃତ୍ୟୁ ଏକ ଅପେକ୍ଷାର ନାମ।” କିନ୍ତୁ ମୃତ୍ୟୁକୁ ଠିକ ସମୟରେ ନିଜର ନକରିପାରିଲେ, “ମୃତ୍ୟୁ ପାଲଟେ ଅଭିଶପ୍ତ ଜୀବନଠୁ ଆଶୀର୍ବାଦର ଆଶା।”

କାନରେ ବାଜୁଛି ରୋହନ କାଶୁଥିବାର ଶବ୍ଦ। ରୋହନ ବୃଦ୍ଧାଙ୍କ ନାତି। ୪ଦିନ ତଳେ ରାଜଧାନୀରୁ ଫେରିଲା ପରେ ସାମାନ୍ୟ ଜ୍ୱର ହୋଇଥିବାକୁ କୋରୋନା ପରୀକ୍ଷା କରାଇଥିଲା ରୋହନ। ପଜିଟିଭ୍‌ ରିପୋର୍ଟ ଆସିଥିବା ଯୋଗୁଁ , ଡାକ୍ତର ସଙ୍ଗରୋଧ ଭାବେ ଘରେ ରହିବାକୁ ନିର୍ଦ୍ଦେଶ ଦେଇଥାନ୍ତି। ତେଣୁ ସେଇ ଘରେ ସେ ଏକା ରହୁଥିବା ବେଳେ ନିଃସଙ୍ଗତା ଅନେକାଂଶରେ ଦୂର କରୁଥାଏ ଭ୍ରାମ୍ୟମାଣ ଦୂରଭାଷ ଯନ୍ତ୍ରଟି। ମହିଳା ସାଙ୍ଗଙ୍କ ସହ ବର୍ତ୍ତାଳାପ ବେଳେ ଦେହର ସବୁ ଭୂତାଣୁଙ୍କ ବିତ୍ପାତ ଦେହର ବୃଦ୍ଧ ତାପମାନରେ ସଂଜ୍ଞା ହରେଇ ବସୁଥାନ୍ତି ଅନେକ ଥର। ହେଲେ ସେପଟେ ଶଯ୍ୟାରେ ଦଣ୍ଡାୟମାନ ବୃଦ୍ଧାଙ୍କ ପକ୍ଷେ ସବୁ କିଛି ଓଲଟ ପାଲଟ। ଜୀବନରେ ବସନ୍ତମାନେ ଯିବା ବେଳେ ଯେତେ ଚିଠି ଦେଇଥିଲେ, ଆଜି ସବୁଥିରେ ଲାଗି ସାରିଛି ମେଞ୍ଚା ମେଞ୍ଚା ଉଈ। ଆଉ ଗୋଟିଏ ବସନ୍ତର ଅପେକ୍ଷା କରିବାକୁ ଆଉ ଧୈର୍ଯ୍ୟ ନାହିଁ, କିନ୍ତୁ ମୃତ୍ୟୁ ବି ନାହିଁ !

ହଠାତ କଣ ହେଲା କେଜାଣି ବୃଦ୍ଧା ଡାକି ଉଠିଲେ ରୋହନ ରୋହନ!! ରୋହନ ହଠାତ ଶବ୍ଦ ଶୁଣି ଉଠିଲା, ହେଲେ ବାସ କବାଟ ପାଖରେ ଦଶ ହାତ ଦୂରରେ ଠିଆ ହୋଇ ପଚାରିଲା, “କଣ ହେଲା ଜେଜେମା’?” ଆଖିରୁ ଧାର ଧାର ଲୁହ ଝରି ପଡୁଥାଏ। କେଉଁ ଗଭୀର ଚିନ୍ତନରେ ବୃଦ୍ଧା ଜଣଙ୍କ ନିଜକୁ ନିୟୋଜିତ କରିସାରିଥାନ୍ତି। ହେଲେ ରୋହନ ଆସିବାର ଦେଖି ତାକୁ ପାଖକୁ ଡାକିଲେ। ରୋହନ ଯିବାକୁ ଅରାଜି ହେଉଥାଏ। କହୁଥାଏ “ମୁଁ ପାଖକୁ ଯିବିନି ଜେଜେ ମା’ । ମୋତେ କୋରୋନା ହେଇଛି।”

ବୃଦ୍ଧା- ବାପାରେ ଗୋଟିଏ କଥା କହିବି। ରଖିବୁ!!
ରୋହନ- କଣ ଜେଜେ ମା’
ବୃଦ୍ଧା- ମତେ ଟିକେ କୁଣ୍ଢେଇ ଧରିବୁ, ଟିକେ ଗେଲ କରିବୁ?
ରୋହନ- ନା, ମତେ ତମଠୁ ଦୂରେଇ ରହିବାକୁ କୁହାଯାଇଛି। ଟିଭିରେ ବାରମ୍ବାର କହୁଛି, ଶୁଣିନ କି!! ବୟସ୍କ ଲୋକଙ୍କୁ ଭାରି ବିପଦ ଏଇ ରୋଗ!!
ବୃଦ୍ଧା- ହଁ ଶୁଣିଛିରେ ବାପା। ସେଇଠୁ ତ ଟିକେ ଆଶା ଆସିଛି। ମୁଁ ମାଗିଲେବି ବିଷ କେବେ ତ ଆଣି ଦେଇପାରିବୁନି।। ଏବେ ଟିକେ କୁଣ୍ଢେଇ ଧରି ଯା’। ଏ ମାଆଟାକୁ ମୁକ୍ତି ମିଳିଯିବରେ!! ଆଉ ମୁଁ ପାରୁନି।।। ଆଉ ମୁଁ ପାରୁନି। ଏଇ ରୋଗଟା ତୁମମାନଙ୍କ ପାଇଁ ଭାରି କଷ୍ଟକର ହେଇଥିବ, ହେଲେ ମୋ ପାଇଁ ଏଇଟା “ଇଚ୍ଛାମୃତ୍ୟୁ”!! କୋରୋନା ନୁହେଁ, କରୁଣା! ଈଶ୍ୱରଙ୍କ କରୁଣା। ଆ ରେ ଧନ, ଆ……..

ରୋହନ ଆଖିରୁ ଝରୁଥାଏ ଧାର ଧାର ଲୁହ। ଜୀବନର ଏଇ କାରୁଣ୍ୟ ରୂପକୁ ଦେଖି ସେ ତରଳି ଯାଉଥାଏ। ବୟସ ତାର ଅପରିପକ୍ଵ, ହେଲେ ତା’ର ମଣିଷ ଜୀବନକୁ ବୁଝିବାର ପରିପକ୍ଵତା ଦେଖାଯାଉଥାଏ ସ୍ୱଚ୍ଛ। ମାସ୍କ ଆଉ ଗ୍ଲୋବସ୍ ଫିଙ୍ଗି ସେଇ ନିବୁଜ କୋଠରୀରେ ସେ କୋଳେଇ ନେଇଥାଏ ବୃଦ୍ଧାଙ୍କୁ, ତା ଜେଜେମା’ଙ୍କୁ। ଆଗାମୀ ବସନ୍ତକୁ ନ ଦେଖିବାର ସୁଖ ଆସ୍ତେ ଆସ୍ତେ ଗ୍ରାସ କରୁଥାଏ ବୃଦ୍ଧାଙ୍କୁ। ଆଖି ତଳ ଲୁହ ରୋହନ ପୋଛୁଥାଏ ବୃଦ୍ଧାଙ୍କର ଆଉ ବୃଦ୍ଧା ଜଣଙ୍କ ରୋହନ ମୁଣ୍ଡରେ ହାତରଖି ଆଉଁସି ଦେଉଥାନ୍ତି ମୃତ୍ୟୁର ଦେବତା ଭାବି। ଆସ୍ତେ ଆସ୍ତେ ସଞ୍ଜ ହେବାକୁ ଲାଗୁଥାଏ। ସୂର୍ଯ୍ୟ କେଇ ଖଣ୍ଡ ବାଦଲ ଭିତରକୁ ଯିବାକୁ ଭାରି ଚଳଚଞ୍ଚଳ ଥାଏ ଆଜି ।…