Latest Odisha News

BREAKING NEWS

ଗଳ୍ପ: ଝିଅଜନ୍ମ

ଶ୍ରୁତକୀର୍ତ୍ତି ତ୍ରିପାଠୀ                                                           

ମୁକ୍ତା ଦେହରେ ଆଜି ବାଡ଼ୁଅ ପାଣି ପଡ଼ିଛି । ତା ପାପୁଲିକୁ ରଙ୍ଗେଇଛି ମଞ୍ଜୁଆତିରେ, ନାକରେ ନୋଥ ଓ କାନରେ ଝୁମ୍ପା, ଅଣ୍ଟାରେ ଅଣ୍ଟାସୂତା, ହାତରେ ପିତ୍ତଳ ଖଡ଼ୁ ଏବଂ ପାଦରେ ପାଉଁଜି । ଝିଅକୁ ବଧୂ ବେଶରେ ସଜେଇ ଦେଲାପରେ ବାପା ମାଆଙ୍କର ପାଦ ଜମା ଆଉ ତଳେ ଲାଗୁନି । ସାକ୍ଷାତ ଦେବୀ ପ୍ରତିମାଟିଏ ଯେମିତି ସେମାନଙ୍କ ଆଗରେ ଉଭା ହେଇଛି । ଆଜି ପରଠୁ ଝିଅ ଏହି ଘରକୁ ଛାଡ଼ି ଶାଶୂଘର ଚାଲିଯିବ, ତଥାପି ଆଜିଠାରୁ ବଡ଼ ଖୁସିର ଦିନ ମାଆବାପାଙ୍କ ପାଇଁ ଆଉ କିଛି ହୋଇ ନ ଥାଏ ।

ଗରିବ ହେଉ କି ସ୍ୱଚ୍ଛଳ ଝିଅଟିଏ ଜନ୍ମ ହେଲା ମାତ୍ରେ ଏହି ସ୍ୱପ୍ନ ହିଁ ତ ବାପା ମାଆ ଦେଖନ୍ତି । ତାଙ୍କ ଝିଅ ସବୁବେଳେ ଖୁସିରେ ରହୁ । ଦୁନିଆଁର ସବୁ ସୁଖ ତା କୋଳରେ ଅଜାଡ଼ି ହେଉ । ନିଜ ସାଧ୍ୟମତେ ଖର୍ଚ୍ଚ କରି, ଦରକାର ପଡ଼ିଲେ ଧାରଉଧାର, ବନ୍ଧକ, ଜମି ବିକ୍ରି ଯେ କୌଣସି ଉପାୟରେ ବାହାଘର ଉଠେଇ ଦିଆଯାଏ । ନିଜ ଭବିଷ୍ୟତର ଚିନ୍ତା ନ କରି ଝିଅର ଆଗତ ଭବିଷ୍ୟତ ପାଇଁ ଖଞ୍ଜି ଦିଅନ୍ତି ଭଳି କି ଭଳି ଜିନିଷ ।

ବରଯାତ୍ରୀ ଆସି ପହଞ୍ଚି ଯାଇଥିଲେ । ସେମାନଙ୍କ ବିଶ୍ରାମ ଏବଂ ଖାଇବା ବ୍ୟବସ୍ଥାର ପୁରାପୁରି ଯତ୍ନ ନିଆଯାଇଥିଲା । ଆଉ କିଛି ସମୟରେ ପୁଅ ବେଦୀ ଉପରକୁ ଯିବ । କିନ୍ତୁ ଝିଅର ଭାବି ଶ୍ଵଶୁରଙ୍କ ଏକା ଜିଦ୍ ୫୦ ହଜାର ଟଙ୍କା ନଗଦ ଦେଲେ ହିଁ ହାତଗଣ୍ଠି ପଡ଼ିବ । ମୁକ୍ତା ବାପା ମୁଣ୍ଡରେ ତେଣେ ଚଡ଼କ ପଡିଲାଣି । ଯାହା ଯେମିତି ଥିଲା ଯୋଗାଡ଼ କରି ବାହାଘର ପାଇଁ ନିଅଣ୍ଟ, ସେଥିରେ ପୁଣି ସାଙ୍ଗେ ସାଙ୍ଗେ ଆହୁରି ନଗଦ ଟଙ୍କା ! ମୁକ୍ତା ମାଆ ମୁଣ୍ଡରେ ହାତଦେଇ ଝିଅଜନ୍ମ କରିଥିବାରୁ ନିଜ ଭାଗ୍ୟକୁ ନିନ୍ଦୁଥାଏ ।

ବାହାରି ଆସିଲା ମୁକ୍ତା ଘର ଭିତରୁ । ଯିଏ ଦେଖିଲା ଆଶ୍ଚର୍ଯ୍ୟ,’ଏ କି ରୂପ ଝିଅର ! ବୋହୁବେଶ ଓହ୍ଲେଇ ଦେଇ ଏମିତି କଣ ଚାଲିଆସିଲା ସମସ୍ତଙ୍କ ଆଗକୁ ।’ ଲୋକ ଫିସ୍ ଫିସ୍ କଥା ହେବା ଆରମ୍ଭ କରି ଦେଇଥିଲେ ।

ଭାବି ଶ୍ୱଶୁର ଏବଂ ବଳି ପାଇଁ ସଜ ହୋଇ ବସିଥିବା ଛେଳି ଭଳି ନିରବ ଏବଂ କାତର ଭାବି ବରକୁ ସ୍ପଷ୍ଟ ଭାଷାରେ ବୁଝେଇଦେଲା ମୁକ୍ତା ।” ମୋ ବାପା ଓ ମାଆ ମୋତେ କେବଳ ପାଠ ପଢ଼େଇନାହାନ୍ତି, ଭଲ ସଂସ୍କାର ଦେବା ସହ ନିଜ ଗୋଡ଼ରେ ଛିଡ଼ା ହେବା ମଧ୍ୟ ଶିଖେଇଛନ୍ତି । ମୋତେ ବଡ଼ କରି ଭଲ ମଣିଷଟିଏ କରି ଗଢ଼ି ତୋଳିବାରେ ସେମାନଙ୍କର ବି ଅନେକ ଟଙ୍କା ଖର୍ଚ୍ଚ ହେଇଛି । ବାହାଘରର ଏତେ ଖର୍ଚ୍ଚ ତା ଉପରେ ପୁଣି ଆପଣ ନଗଦ ଟଙ୍କା ମାଗିବା କେଉଁ ଦୃଷ୍ଟିରୁ ଠିକ? ବରଂ ମୁଁ ଆପଣଙ୍କ ଘରକୁ ଯିବି, ଘରର ସବୁ ଦାୟିତ୍ୱ ଭବିଷ୍ୟତରେ ମୋର । ମୋ ମତରେ ପୁଅଘର ବାହାଘର ବେଳେ ଝିଅ ଘରୁ କିଛି ନ ମାଗି ଓଲଟା ତା ବାପା ମାଆଙ୍କୁ କୃତଜ୍ଞତା ଜଣେଇବା ଦରକାର ; ଯେ ସେମାନଙ୍କ ଘରକୁ ସମ୍ଭାଳିବା ପାଇଁ ଝିଅଟି ନିଜର ସବୁ ଛାଡ଼ି ତାଙ୍କ ପାଖକୁ ଯାଉଛି । ମୋର ଆପଣ ମାନଙ୍କୁ ଅନୁରୋଧ, ଦୟାକରି ସମ୍ମାନର ସହ ଏଇଠୁ ଫେରିଯାଆନ୍ତୁ । ଏମିତି ଟଙ୍କାଲୋଭୀ ଘରର ବୋହୂ ହେବା ଅପେକ୍ଷା ସାରାଜୀବନ ଅବିବାହିତ ରହିବା ପାଇଁ ମୁଁ ରାଜି ଅଛି ।’

ନିର୍ବାକ ଭାବି ଶ୍ୱଶୁର ଏବଂ ବର , ବରଯାତ୍ରୀ ସମେତ ଫେରିଯିବାକୁ ବାଧ୍ୟ ହେଲେ । ଧୀରେ ଧୀରେ ଲୋକଙ୍କ ଗହଳି ବି ଭାଙ୍ଗିବାକୁ ଲାଗିଲା । ଲୋକେ କୁହାକୁହି ହେଉଥିଲେ, ।’ ଆଉ ଜଣେ ଶିଶୁପାଳ ଆଜି ବାହାବେଦୀରୁ ଫେରିଗଲା ‘ ବୋଲି ।

ମୁକ୍ତା ମାଆ ଲୁହ ପୋଛି ଝିଅ ମୁଣ୍ଡକୁ ଗର୍ବରେ ଆଉଁସି ଦେଲା । ଠାକୁରଙ୍କ ଉଦ୍ଦେଶ୍ୟରେ ହାତଯୋଡ଼ି ସବୁଜନ୍ମରେ ତାକୁ ମୁକ୍ତା ଭଳି ଝିଅ ଟିଏ ଜନ୍ମ ଦେବାପାଇଁ ଆଶୀର୍ବାଦ ମାଗୁଥାଏ ।

(ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର – ୨, ଫୋନ – ୬୩୭୦୫୧୬୪୭୮)

Leave A Reply

Your email address will not be published.