କବିତା : ମହାମାରୀ

ସୁପ୍ରିୟା ପଣ୍ଡା   

ହା ହା କାର ଆଜି ଜନମାନସରେ
ଦୁର୍ବିପାକର ସମୟ ,
ଦୂର ଦେଶୁ କେଉଁ କ୍ଷୁଦ୍ର କଣିକା
ମାନବ ଜାତିର ଭୟ।

ବ୍ୟାଧିର ରାକ୍ଷସ ବାହୁ ତଳେ ଆଜି
ବିଶ୍ୱ କବଳିତ ହୁଏ,
କୋଣ ଅନୁକୋଣେ କାୟା ବିସ୍ତାରି
ସଭିଙ୍କ ପ୍ରାଣ ଥରାଏ ।

ପଶୁପକ୍ଷୀ ସବୁ ନିର୍ଭୟର ଚିତ୍ତେ
ବିଚରନ୍ତି ପ୍ରତିକ୍ଷଣ ,
ନିରାଶ୍ରିତ ହୋଇ ବିଶ୍ୱ ନର ନାରୀ
ଭୟାତୁର ସର୍ବଜନ ।

ରାଜା ପ୍ରଜା ସବୁ ସମାନ୍ତରାଳରେ
ଯନ୍ତ୍ରଣାର ଅନ୍ତରାଳେ,
ସମଗ୍ର ପୃଥିବୀ ଏକଜୁଟ ହୋଇ
ଆନ୍ଦୋଳିତ ତା’ କବଳେ ।

ଜୀବନ ଜୀବିକା ପ୍ରଭାବିତ କରି
ପଥ ଅତିକ୍ରମେ ସର୍ବେ ,
ପିଆସୀ  ପଥିକ  ନିର୍ବାକ ହୋଇ
କ୍ଷୁଧାର ଅତଳ ଗର୍ଭେ ।

ମୃତ୍ୟୁର କେତେ ବିଭୀଷିକା ପୁଣି
ଜର୍ଜରିତ ହୁଏ ପ୍ରାଣ ,
ଶେଷ ଦର୍ଶନୁରୁ ବଞ୍ଚିତ ହୁଅନ୍ତି
ନିଜ ବନ୍ଧୁ ପ୍ରିୟଜନ।

ଚେଷ୍ଟିତ ସବୁ ବୈଜ୍ଞାନିକ  ଗଣ
ମୂଳୋତ୍ପାଟନ ପାଇଁ ,
ସୂକ୍ଷ୍ମ ରୂପରେ ସେ କେତେ ଭୟଙ୍କର
ପନ୍ଥା ତ ମିଳଇ ନାହିଁ।

ପରିଚ୍ଛନ୍ନତାର ସୂତ୍ର ଅନୁସରି
ବର୍ଜ୍ଜିତ ହେବ  କଷ୍ଟ  ,
ଦୂରତ୍ୱ ବଳୟ ଭିତରେ ରହିଲେ
ହେବେ ନାହିଁ କିଏ ରୁଷ୍ଟ ।

ନୀତି ନିୟମର ପରକାଷ୍ଠା ପଣେ
ଗୃହବନ୍ଦୀ ଭାବେ ରହି ,
ସୁରକ୍ଷିତ ହେବ ଜୀବନ ସଭିଙ୍କ
ବ୍ୟାଧି ତ ବଢ଼ିବ ନାହିଁ।

ଏକ ମନ ପ୍ରାଣେ ସ୍ରଷ୍ଟାର ସମୀପେ
ପ୍ରାଥନା ପ୍ରଦୀପ ଜାଳି ,
ଆକୁଳ ସ୍ୱରରେ ବିଶ୍ୱ ନିୟନ୍ତାର
ଚରଣରେ ଅଶ୍ରୁ ଢ଼ାଳି ।

ରକ୍ଷା କର ପ୍ରଭୁ ହେ କରୁଣାମୟ
ପଡ଼ୁ ତୁମ କୃପାଦୃଷ୍ଟି
ସନ୍ତାପିତ ସବୁ ତୁମରି ସନ୍ତାନ
କଲ୍ୟାଣ କର ବୃଷ୍ଟି ।

ଯାଉ ଅପସରି ମହାମାରୀ ଢେଉ
ସଂସାର ହେଉ ସୁନ୍ଦର,
ଆଶୁ ଆରୋଗ୍ୟର ଆଶୀର୍ବାଦେ ହେଉ
ପୁନର୍ଜନ୍ମ ଧରଣୀର ।