Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଟାଙ୍ଗାବାଲା ମହମ୍ମଦ

ମୂଳ ସିନ୍ଧି: ରାମ ପଞ୍ଜୱାନୀ 

ଦେଶ ଭାଗ ଭାଗ ହେବାକୁ ତଥାପି କିଛି ଦିନ ବାକି ଥିଲା ।ହେଲେ ବିଭାଜନର ସବୁ ଯୋଜନା ପ୍ରସ୍ତୁତ ହୋଇ ସାରିଥିଲା । ଏ ଖବର ସିନ୍ଧୁ ପ୍ରଦେଶର ହିନ୍ଦୁମାନଙ୍କୁ ଗୋଟାପଣେ ବ୍ୟସ୍ତବିବ୍ରତ କରିପକାଇଥିଲା । କିନ୍ତୁ ଏ ସମ୍ବାଦ ଶୁଣି ମୁସଲମାନ ଲୋକମାନେ ଖୁବ୍ ଉଲ୍ଲସିତ ହେଉଥିଲେ । ଯେଉଁ ମୁହୂର୍ତ୍ତରେ ଦେଶ ବିଭାଜନ ପ୍ରସ୍ତାବ ଗୃହୀତ ହେଲା, ସିନ୍ଧୁ ପ୍ରଦେଶର ମୁସଲମାନ ଲୋକେ ଖୁସିରେ ଚାରିଆଡ଼େ ପଇଁତରା ମାରିଲେ । ସେମାନେ ନିଶ୍ଚିତ ହୋଇଗଲେ ଯେ ଏବେ ସେମାନେ ହେଉଛନ୍ତି ଏ ଭୂଇଁର ରାଜା ।

ମଣିଷ ସଦାବେଳେ ଆଶାକୁ ଆଶ୍ରା କରି ଜୀବନ ବଞ୍ଚେ । ତେଣୁ ସିନ୍ଧୁର ହିନ୍ଦୁମାନେ ଭାବିଥିଲେ ଯେ ଦେଶ ଭାଗ ଭାଗ ହେଲେ ସୁଦ୍ଧା ସେମାନେ ନିଜ ଭିଟାମାଟିରେ ଯେମିତି ଥିଲେ ସେମିତି ରହିବେ । ସେମାନଙ୍କ ମର୍ଯ୍ୟାଦା ଟିକେ ଅବଶ୍ୟ କ୍ଷୁର୍ଣ୍ଣ ହେବ, ତଥାପି ଚଳିବ । ସେମାନଙ୍କର ଏଇ ଆଶ ଭିତରେ ଅନେକ ଆଶଙ୍କା ବି ଛପି ରହିଥିଲା । ମୁସଲମାନ ନେତାମାନେ ସେମାନଙ୍କ ପୂର୍ବରୁ ଏମିତିକିଆ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଦେଶ ଦି’ଭାଗରେ ବଣ୍ଟା ହେବ ବୋଲି ପ୍ରସ୍ତାବ ପାରିତ ହେବା ମାତ୍ରେ ସେ ପ୍ରତିଶ୍ରୁତି କୁଆଡ଼େ ପାଣିର ଗାର ପାଲଟିଗଲା । ସେମାନଙ୍କ ହାବଭାବ ବଦଳିଗଲା । ଏବେ ଚାରିଆଡ଼େ କେମିତି ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହେବା ପରି ଲାଗୁଥିଲା । ହିନ୍ଦୁ ଲୋକମାନେ ଭୟ କରୁଥିଲେ ଯେ ଯେକୌରସି ମୁହୂର୍ତ୍ତରେ ଦଙ୍ଗା ଲାଗିଯାଇପାରେ । ଏକଥା ସତ ଯେ ଗୋରା ସରକାର ତଥାପି ଦେଶକୁ ଶାସନ କରୁଥିଲେ । ଗୋରା ଫଉଜ ଚାରିଆଡ଼େ ମୁତୟନ ଥିଲେ । ସେତିକି ଯାହା ସେମାନଙ୍କର ଆଶା ଭରସା । ଅନ୍ତତଃ ପକ୍ଷେ ପରିସ୍ଥିତି ଅଣଆୟତ୍ତ ହେବାକୁ ସେମାନେ ଦେବେନି । କିନ୍ତୁ ବାସ୍ତବତା ହେଲା ଗୋରା ସରକାରଙ୍କର ଭାରତରୁ ମନ ଛାଡ଼ି ସାରିଥିଲା । ଏବେ ସେମାନେ ଆଉ ଭାରତର ଆଭ୍ୟନ୍ତରୀଣ ସମସ୍ୟାରେ ମୁଣ୍ଡ ଖେଳେଇବାକୁ ଚାହୁଁନଥିଲେ ।

ତେଣୁ ହିନ୍ଦୁ ଲୋକମାନଙ୍କର ଭୟ ହେଉଥିଲା, ଦଙ୍ଗା ଲାଗିଲେ ସତରେ କ’ଣ ଗୋରା ସୈନିକ କି ପୁଲିସ ସେଥିରେ ହସ୍ତକ୍ଷେପ କରିବ? ସେମାନଙ୍କୁ ସୁରକ୍ଷା ଦେବ?

ଡିସେମ୍ବର ମାସ ସନ୍ଧ୍ୟାବେଳ । ସେତେବେଳକୁ ଶୀତ ପଡ଼ିସାରିଥିଲା । କରାଚୀ କ୍ଲବର ଆନେକ୍ସିରେ ମୋ ବନ୍ଧୁ ନେହଚଲଦାସ ସେଦିନ ଗୋଟିଏ ପାର୍ଟିର ଆୟୋଜନ କରିଥାନ୍ତି । ସେତେବେଳକୁ ସେ କ୍ଲବକୁ ଯାଇସାରିଥାନ୍ତି । କିନ୍ତୁ ମୋ ପାଇଁ ମେସେଜ୍ ଛାଡ଼ି ଯାଇଥାନ୍ତି ଯେ ଯେମିତି ହେଲେ ମୁଁ ପାର୍ଟିରେ ସନ୍ଧ୍ୟା ସାତଟା ବେଳକୁ ପହଁଞ୍ଚିବା ଦରକାର । ସେତେବେଳେ ମୁଁ ଥାଏ ଗାଦିଖାଟୋ ଇଲାକାରେ । ଭାବିଥିଲି ଭିକ୍ଟୋରିଆ (ଟାକ୍ସି)ଟିଏ ଭଡ଼ା କରି ଠିକ୍ ସମୟରେ କ୍ଲବରେ ପହଁଚି ଯିବି । ତତାପି ମନରେ ଆଶଙ୍କା ଥିଲା ।

ସନ୍ଧ୍ୟାବେଳ । ତେଣୁ ଏକୁଟିଆ ଯିବାକୁ ଡର ବି ମାଡ଼ୁଥିଲା । କିନ୍ତୁ ଯେମିତି ହେଲେ ଯିବାକୁ ପଡ଼ିବ । ଏଇକଥା ମନେ ମନେ ଭାବି ରାସ୍ତା କଡ଼ରେ ଠିଆ ହୋଇଥାଏ । କାହିଁ ଗୋଟିଏ ବି ଟାକ୍ସି ଆଖିରେ ପଡ଼ୁନଥାଏ । ଠିକ୍‌ ଏତିକିବେଳେ ଟାଙ୍ଗାଟିଏ ଆସି ମୋରି ପାଖରେ ଅଟକିଲା । ଟାଙ୍ଗାବାଲା ସସମ୍ମାନେ ଆମନ୍ତ୍ରଣ ଜଣେଇଲା, ‘ଦିୱାନ୍‌, କ’ଣ ଭାବୁଛନ୍ତି ? କୁଆଡ଼େ ଯିବେ?’

ମୁଁ ହଠାତ୍ ଚମକି ପଡ଼ିଲି । ତେବେ ତୁରନ୍ତ ନିଜକୁ ସମ୍ଭାଳିନେଇ ଖୁବ୍ ଚଢ଼ା ଗଳାରେ କହିଲି, ‘ମୁଁ ମୋ କାର ପାଇଁ ଅପେଡ଼ା କରିଛି । କାଇଁକି କେଜାଣି କାରଟା ଏଯାଏ ଆସୁନି ।’ ଟାଙ୍ଗାବାଲା ପକ୍କା ସିନ୍ଧି ଭାଷାରେ କହିଲା, ‘ପରବାଏ ନାହିଁ ଦିୱାନ । ମୋ ଟାଙ୍ଗାରେ ବସିପଡ଼ନ୍ତୁ । ମୁଁ କାରଠୁ ଆହୁରି ଜଲଦି ଆପଣଙ୍କୁ ପହଞ୍ଚେଇଦେବି ।’ ଲୋକଟିର ଚେହେରାକୁ ତା’ର କଥାବାର୍ତ୍ତା ବେଶ୍ ମାନୁଥିଲା ।

ମୁଁ କିଛି ନକହି ଟାଙ୍ଗାରେ ବସିପଡ଼ିଲି । ଖୁବ୍ ଶୀଘ୍ର ଆମେ ସହର ଉପକଣ୍ଠରେ ପହଞ୍ଚିଗଲୁ । ହାତରେ ଧରିଥିବା ଚାବୁକଟିକୁ ପାଏଁ ପାଏଁ କରି ଶୂନ୍ୟରେ ଦି’ଥର ଛାଟିଦେଇ ଟାଙ୍ଗାବାଲାଟି ନିଜ ଘୋଡ଼ା ସାଙ୍ଗରେ କଥାବାର୍ତ୍ତା ହେଲାଭଳି କହିଚାଲିଲା , ‘ଦୌଡ଼ ମୋର ପକ୍ଷୀରାଜ! ଦିୱାନଙ୍କୁ ଜଲଦି ପହଞ୍ଚିବାର ଅଛି । ଆଲ୍ଲା ମେହରବାନ, ଦିୱାନଙ୍କ ପାଦ ଆଜି ମୋ ଟାଙ୍ଗାରେ ପଡ଼ିଛି । କିଏ ଜାଣେ, ଏ ସୁଯୋଗ ଆଉ ଥରେ ଯୁଟିବ କି ନାହିଁ!’

ଏଭଳି ସନ୍ଧ୍ୟା ଅନ୍ଧାରକୁ ଏମିତିକିଆ ଚାଟୁକାର କଥା ଅବଶ୍ୟ ଖାପଛଡ଼ା ଲାଗୁଥିଲା । କାରଣ, ସେତେବେଳକୁ ଆମେ ଜନମାନବଶୂନ୍ୟ ସହର ଉପକଣ୍ଠ ପାର ହୋଇ ସାରିଥିଲୁ । ମୁଁ ମନେ ମନେ ଭାବୁଥିଲି, ଲୋକଟା କାହିଁକି କହୁଛି ଦିୱାନ ଆଉ ଥରେ ତା’ ଟାଙ୍ଗାରେ ପାଦ ନପକାଇ ପାରନ୍ତି! ମୋତେ ତା’କଥା ଭାରି ଆଶ୍ଚର୍ଯ୍ୟ ଲାଗୁଥିଲା । ମୋ କାନରେ ପୁଣି ତା’ କଥା ପଡ଼ିଲା – ‘ଭୟ କରିବାର କିଛି ନାହିଁ । ତୋତେ କେହି ରୋକି ପାରିବେନି । ଭୂଇଁରୁ ପାଦ ଉଠେଇନେ, ଆକାଶରେ ଉଡ଼ ବେଟା । ଦେୱାନ ଦୁନିଆର ସବୁ ସୁଖ ପାଇଛନ୍ତି । ଏବେ ତାଙ୍କୁ ସ୍ୱର୍ଗ ସୁଖ ଚଖା ।’ ଲୋକଟା ମୋର କିଛି କ୍ଷତି କରିବାକୁ ଚାହିଁନାହିଁ ତ?

ହଠାତ୍ ଟାଙ୍ଗାଟି ଅଟକିଗଲା- ମୁଁ ଭାବିଲି, ମୋର ହୃଦ୍‌ସ୍ପନ୍ଦନ ବନ୍ଦ୍ ହୋଇଗଲାନି ତ! ଟାଙ୍ଗାରୁ ଲୋକଟା ହଠାତ୍ ଓହ୍ଲେଇ ପଡ଼ିଲା ଓ ମନକୁ ମନ କିଛି ଗୁଣୁଗୁଣୁ ହୋଇ ଗପିବାକୁ ଲାଗିଲା । ମୁଁ ନିଶ୍ଚିତ ହୋଇଗଲି ଯେଏବେ ସେ ମୋତେ ଆକ୍ରମଣ କରିବା ସୁନିଶ୍ଚିତ । ନଚେତ୍ ମୋଠାରୁ ପଇସାପତ୍ର ଲୁଟିବ । ତା’ପରେ ମୋତେ ଏଇ ଅପନ୍ତରା ନିଛାଟିଆ ସ୍ଥାନରେ ଛାଡ଼ି ଚାଲିଯିବ । ଅବଶ୍ୟ ମୋର ମୃତ୍ୟୁକୁ ଭୟ ନଥିଲା । ତେଣୁ ପରିସ୍ଥିତିର ସାମ୍ନା କରିବାକୁ ମୁଁ ମନେ ମନେ ଭାବିହେଲି । ଏବେ ମୃତ୍ୟୁ ମୋ ମୁହଁକୁ ଉଣ୍ଡୁଥିଲା… ମୋତେ ଲାଗିଲା ମୋର ଦେହମୁଣ୍ଡ ବେଳକୁ ବେଳ ଅବଶ ହୋଇପଡ଼ୁଛି । ରକ୍ତ ଶୀତଳ ହୋଇ ଆସୁଛି ଓ ସର୍ବାଙ୍ଗ ଶରୀରରେ ଏକ ବିଦ୍ୟୁତ୍ ଶିହରଣ ଖେଳିଯାଉଛି । ଟାଙ୍ଗାବାଲା ମୋରି ଉଦ୍ଦେଶ୍ୟାରେ ପୁଣି କହିଲା, ‘ଦିୱାନ! ମୁଁ ଜଲଦି ଆପଣଙ୍କୁ ଯଥା ସ୍ଥାନରେ ପହଞ୍ଚେଇଦେବି । ଆଦୌ ବ୍ୟସ୍ତ ହୁଅନ୍ତୁନି ।’ ସେଇ ଅନ୍ଧାର ଭିତରେ ମୁଁ ଲକ୍ଷ୍ୟ କଲି ଲୋକଟି ହାତରେ ବର୍ଚ୍ଛାଟିଏ ଭଳି ଲୁହା ରଡ ଖଣ୍ଡିଏ ଧରିଚି । ସେଇଟା ଦେଖିଲା ପରେ ମୋ ସର୍ବାଙ୍ଗ ଘର୍ମାକ୍ତ ହୋଇଗଲା । ମୁଁ ମନେ ମନେ ଭଗବାନଙ୍କୁ ଡାକିବା ଆରମ୍ଭ କଲି । ଏତିକିବେଳେ ଆମ ପାଖ ଦେଇ କାରଟିଏ ଖୁବ୍ ଦ୍ରୁତ ବେଗରେ ଚାଲିଗଲା । ମୁଁ ହାତ ଉଠାଇ ସାହାଯ୍ୟ ପାଇଁ ଡାକିବାକୁ ସୁଦ୍ଧା ସୁଯୋଗ ପାଇଲିନି । ମନକୁ ମନ ଖୁବ୍ ରାଗିଲି ।

କେମିତି ଭଲା ଚିତ୍କାର କରିଥାନ୍ତି? ଲକ୍ଷ୍ୟ କଲି, ଟାଙ୍ଗାବାଲାଟି ତା’ର ଘୋଡ଼ାଟି ଆଡ଼କୁ ଯାଉଛି । ମୋ ଆଡ଼କୁ ନୁହେଁ । ପ୍ରତିଟି ମୁହୂର୍ତ୍ତ ଏବେ ମୋତେ ବର୍ଷଟିଏ ଭଳି ଦୀର୍ଘ ଲାଗୁଥିଲା । କିନ୍ତୁ ତା’ର ବିପରୀତ ଦିଗକୁ ଯିବା ମୋତେ କିଛି ମାତ୍ରାରେ ଆଶ୍ୱସ୍ତି ଦେଲା । ଟାଙ୍ଗାବାଲା ପୁଣି ଥରେ ମୋତେ କହିଲା, ‘ଟାଙ୍ଗାର ଲଗାମଟା ଛିଣ୍ଡିଗଲା ଦିୱାନ ।

ଆପଣ ବ୍ୟସ୍ତ ହୁଅନ୍ତୁନି । ମୁଁ ତାକୁ ଭଲଭରି ଗଣ୍ଠି ପକେଇ ସାରିଲିଣି । କ’ଣ ଡେରି ହୋଇଗଲା କି ?’ ମୋ ତୁଣ୍ଡରୁ କେବଳ ‘ନା’ ବୋଲି ସଂକ୍ଷିପ୍ତ ଉତ୍ତରଟିଏ ଯାହା ବାହାରିଲା । ଏବେ ଆଗ ଟାଙ୍ଗା ପୁଣି ଆଗକୁ ଗଡ଼ିଲା । ମୋ ଆଖିରୁ ସେଇ ଅନ୍ଧାରରେ ଦି’ଧାର ଲୁହ ଗଡ଼ି ସାରିଥିଲା । ଟାଙ୍ଗାବାଲା ପୁଣି ଥରେ ତା’ ଘୋଡ଼ା ସାଘ୍‌ଗରେ କଥାବାର୍ତ୍ତା ଆରମ୍ଭ କଲା । ମୁଁ କିନ୍ତୁ ଚିନ୍ତା ରାଜ୍ୟରେ ଗୋଟାପଣେ ଡୁବି ରହିଥିଲି । ମୋତେ ଲାଗୁଥିଲା ମୁଁ ଆସି କ୍ଲବ୍ ପାଖାପାତ୍କ ପହଞ୍ଚି ସାରିଲିଣି । ପକେଟରେ ହାତ ପୁରାଇ ମୁଁ ଟାଙ୍ଗାବାଲାକୁ ପଚାରିଲି, ‘କେତେ ଦେବି ?’ ଟାଙ୍ଗାବାଲା ମୋ ମୁହଁକୁ ଚାହିଁ ହତବାକ୍ ହୋଇପଡ଼ିବା ପରି ପଚାରିଲା, ‘ଆପଣଙ୍କ ଆଖିରେ ଲୁହ, ବାବା? ମୋ ଆଡ଼ୁ କିଛି ଭୁଲ୍ ହୋଇଗଲା କି?’

ମୋତେ ଭାରି ଲାଜ ଲାଗିଲା । ସମ୍ଭବତଃ ମୋ ମୁହଁରୁ ମୁଁ ଭଲଭାବେ ଲୁହ ପୋଛି ନଥିଲି । କଥା ବାଆଁରେଇ ମୁଁ କହିଲି, ‘ନା, ନା ମିଆଁ, ସବୁ ଠିକ୍ ଅଛି ।’ ଏଥର ଟାଙ୍ଗାବାଲାଟି ଆହୁରି ସ୍ନେହବୋଳା କଣ୍ଠରେ କହିଲା, ‘ଆଜିକାଲି ଆମେ ଲୋକଙ୍କଠୁ ପାଞ୍ଚଟଙ୍କା ପର୍ଯ୍ୟନ୍ତ ନେଉଛୁ । କିନ୍ତୁ ସରକାରୀ ଭଡ଼ା ହେଲା ଦେଢ଼ଟଙ୍କା । ହେଲେ ମୁଁ ଆପଣଙ୍କଠୁ ପାହୁଲାଟିଏ ସୁଦ୍ଧା ନେବିନି ।’

ବିସ୍ମିତ ହୋଇପଡ଼ିବା ପରି ମୁଁ ପଚାରିଲି, ‘କାହିଁକି?’ ଅତି ବିନୟାବନତ ସ୍ୱରରେ ସେ କହିଲା, ‘ଦିୱାନ, ମୁଁ ଜଣେ ସଲାତ୍ । ଆପଣ କିଛି ଦିନ ତଳେ ଆମରି ସଲାତ୍ ଇଲାକାକୁ ଗୀତ ଗାଇବାକୁ ଆସିଥିଲେ । ବାଦଶାହ ଜାଫରଙ୍କ ଗୀତର ମୁଁ ଦିବାନା । ମୋତେ ତାଙ୍କ ଗୀତ ଭାରି ଭଲ ଲାଗେ । ସେଦିନ ଆପଣଙ୍କ ଗୀତ ଶୁଣି ମୁଁ ଖୁସିରେ ଆତ୍ମହରା ହୋଇଯାଇଥିଲି । ସେଦିନ ମୁଁ ମନେମନେ ସ୍ତିର କରିଥିଲି, ଆଲ୍ଲାଙ୍କ କୃପା ହେଲେ ଯଦି କେବେ ଆପଣଙ୍କ ପାଦ ମୋ ଟାଙ୍ଗାରେ ପଡ଼େ, ତା’ହେଲେ ମୁଁ ଆପଣଙ୍କୁଠୁ ପଇସା ନେବିନି । ମୋ ଭଳି ଜଣେ ଗରିବ ଲୋକର ପ୍ରାର୍ଥନା ଆଲ୍ଲା ଶୁଣିଛନ୍ତି । ତେଣୁ ମୁଁ ଆପଣଙ୍କଠୁ ଆଜି କିଛି ପଇସା ନେବିନି ।’ ମୁଁ ଯେତେ ବାଧ୍ୟ କଲେ ସୁଦ୍ଧା ଲୋକଟି ମୋର କୌଣସି କଥା ଶୁଣିନଥିଲା ।

ସେଦିନ ମୋ ପାଖରୁ ବିଦାୟ ନେବା ପୂର୍ବରୁ ସେ କହିଥିଲା, ‘ସା’ବ୍‌, ଆଉ ଥରେ ଆମ ମହଲାକୁ ଗୀତ ଗାଇବାକୁ ଆସିଲେ ମୋତେ ଟାଙ୍ଗାବାଲା ମହମ୍ମଦ ବୋଲି ଥରେ ଡାକିବେ । ବାସ୍‌, ମୁଁ ନିଜକୁ ଗୌରବାନ୍ୱିତ ମନେକରିବି ।’ ଏତିକି କହି ସେ ଟାଙ୍ଗା ବୁଲେଇ ସେଇ ଅନ୍ଧାର ଭିତରେ ଫେରିଗଲା । ମୁଁ କିନ୍ତୁ ସେମିତି ନିଶ୍ଚଳ ପ୍ରତିମାଟିଏ ପରି ସେଇଠି ଠିଆହୋଇ ରହିଥିଲି । ମହମ୍ମଦ ପରି ଜଣେ ଏତେ ସରଳ, ସ୍ନେହୀ ଆଉ ସଚ୍ଚୋଟ ଲୋକକୁ ମୁଁ କେମିତି ସନ୍ଦେହ କରିପାରିଲି ବୋଲି ନିଜକୁ ନିଜେ ଧିକ୍କାରୁଥିଲି । ମୋତେ ତା’ ଟାଙ୍ଗାରେ ବସେଇ ବିଚରା କେତେ ଖୁସି ହେଉଥିଲା! ଆଉ ମୁଁ ? ମୁଁ ତାକୁ ଅଯଥାରେ ସନ୍ଦେହ କରୁଥିଲି । ଲଜ୍ଜାରେ ମୋ ମୁଣ୍ଡ ତଳକୁ ନଇଁଗଲା । ଠିକ୍ ତା’ ପରବର୍ଷ ମୁଁ ଯେତେବେଳେ ପୁଣି ଥରେ ସଲାତ୍‌ ସମ୍ପ୍ରଦାୟଙ୍କ ଆମନ୍ତ୍ରଣ କ୍ରମେ ସେମାନଙ୍କ ଇଲାକାକୁ ଗୀତ ଗାଇବାକୁ ଗଲି, ମଞ୍ଚ ଉପରେ କାର୍ଯ୍ୟକ୍ରମ ଚାଲିଥିବାବେଳେ ମୁଁ ମହମ୍ମଦଙ୍କ ନାଁ ଧରି ତାକୁ ଡାକିଲି । ତୁରନ୍ତ ସେ ଜବାବ ଦେଲା, ‘ହକିମ୍‌, ଆପଣଙ୍କ ହୁକୁମ ପାଇଁ ଏ ବନ୍ଦା ତୁରନ୍ତ ହାଜର ହେଉଛି ।’

ମୁଁ କହିଲି, ‘ଏବେ ମୁଁ ତୁମକୁ ଖୁସି କରିବା ଲାଗି ତୁମ ପସନ୍ଦର ବାଦଶାହ ଜାଫରଙ୍କ ଗୀତ ଗାଉଛି ।’ ସେ ଖୁସିରେ କୁରୁଳି ଉଠି କହିଲା, ‘ମୋର ପରମ ସୌଭାଗ୍ୟର କଥା । ଏହା ମୋ ଲାଗି ସବୁଠାରୁ ବଡ଼ ସମ୍ମାନ ।’ ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେବା ପରେ ମୁଁ ମାଇକରେ ଘୋଷଣା କଲି, ‘ଏବେ ମୁଁ ମୋର ବନ୍ଧୁ ଟାଙ୍ଗା ଡ୍ରାଇଭର ମହମ୍ମଦଙ୍କୁ ମଞ୍ଚ ଉପରକୁ ଆସିଲା ଲାଗି ଅନୁରୋଧ କରୁଛି ।’ ମୋ କାନରେ ତତକ୍ଷଣାତ୍ ପଡ଼ିଲା, ‘ନିଶ୍ଚୟ ହଜୁର । ଏଇ ସାଙ୍ଗେ ସାଙ୍ଗେ ପହଁଞ୍ଚିଗଲି ।’

ମୋ ସହ ସଙ୍ଗତ କରୁଥିବା ସାଥୀ ଈଶୁ ଓ ଈଶ୍ୱର ଦୁହେଁ ଏକାସଙ୍ଗେ ପଚାରିଲେ, ‘ସେ କ’ଣ ଜଣେ ଭଲ ଗାୟକ?’ ମୁଁ ଉତ୍ତର ଦେଲି, ‘ସେ କଳାର ଜଣେ ମୁଗ୍ଧ ପ୍ରଶଂସକ ।’ ଲୋକ ଭିଡ଼କୁ ଆଡ଼େଇ ମହମ୍ମଦ ମଞ୍ଚ ପର୍ଯ୍ୟନ୍ତ ଆସିଲା ଓ ମୋ ସାମ୍ନାରେ ଠିଆହେଲା । ମୁଁ ମୋ ଗଳାରେ ପଡ଼ିଥିବା ଫୁଲମାଳଟିକୁ କାଢ଼ି ତା’ ବେକରେ ଲମ୍ବେଇଦେଲି । ଦର୍ଶକମାନେ ଏକଥା ଦେଖି ପ୍ରବଳ କରତାଳି ଧ୍ୱନି ଦେଲେ । ମଞ୍ଚ କମ୍ପିଉଠିଲା । ଲକ୍ଷ୍ୟ କଲି, ମହମ୍ମଦ ଆଖିରୁ ଖୁସିର ଅଶ୍ରୁ ବହିପଡ଼ୁଛି । ସେ ମୋ ମୁହଁକୁ ଚାହିଁ କହିଲା, ‘ଦିୱାନ, ଏ ଛାର ଗୋଲାମକୁ ଆଜି ଆପଣ ଏ ସମ୍ମାନର ଅଧିକାରୀ କରାଇ ଚିରଦିନଲାଗି ଋଣୀ କରିଦେଲେ । ଏହା ମୋ ଜୀବନର ସବୁଠୁ ବଡ଼ ଗୌରବର ମୁହୂର୍ତ୍ତ ।’

ଏଥର ମୋ ହାତରୁ ମାଇକ୍ରୋଫୋନ୍‌କୁ ନେଇ ସେ କହିଲା ‘ଦିୱାନଙ୍କର ଜୟ ହେଉ । ମୋ ଭଳି ଜଣେ ଗରିବ ବନ୍ଦାକୁ ଏପରି ସମ୍ମାନ ଦେବା ଆଶ୍ଚର୍ଯ୍ୟର କଥା । କୌଣସି ପାରିଶ୍ରମିକ ନନେଇ ସେ ଆମ ଲାଗି ଏତେ ସଙ୍ଗୀତ ପରିବେଷଣ କରିଛନ୍ତି । ମୁଁ ଏଠାରେ ଘୋଷଣା କରୁଛି, ଭବିଷ୍ୟତରେ ଯେବେ ବି ସେ ମୋ ଟାଙ୍ଗାରେ ବସିବେ, ମୁଁ ତାଙ୍କଠାରୁ କିଛି ପାଉଣା ନେବିନି ।’ ଏଥର ଭାବାବେଗରେ ମୋତେ କୁଣ୍ଢେଇଧରି ମହମ୍ମଦ କହିଲା, ‘ମୁଁ ଆଜିଠାରୁ ଆପଣଙ୍କ ଗୋଲାମ । ଆପଣ ଯେବେ ଚାହିଁ ମୋର ପରୀକ୍ଷା ନେଇପାରିବେ ।’

ଭାବାବେଗରେ ସମସ୍ତେ ଗଦଗଦ ହୋଇ ଉଠୁଥାନ୍ତି । ମୋ ମନର ଭାବ ଭାଷାରେ ବ୍ୟକ୍ତ କରିବାର ସାମର୍ଥ୍ୟ ମୋର ନଥିଲା । ଉଭୟଙ୍କ ଆଖିରୁ କେବଳ ଧାର ଧାର ଲୁହ ଗଡ଼ି ଚାଲିଥିଲା । ଶ୍ରୋତାମାନଙ୍କ ଆଖିରେ ମଧ୍ୟ ଲୁହ ଭରି ଉଠିଥିଲା । ଖୁସିରେ ଓ ମହମ୍ମଦର ଖୁସି ପାଇଁ ମୁଁ ପୁଣି ଥରେ ବାଦଶାହ ଜାଫରଙ୍କ ଗୀତ ଗାଇଲି ।’

ଦେଶ ଭାଗ ଭାଗ ହୋଇ ସାରିଥିଲା । ଲକ୍ଷ ଲକ୍ଷ ଲୋକ ସୀମରେ ଏପଟ ସେପଟକୁ ପିମ୍ପୁଡ଼ି ଧାର ଭଳି ଚାଲିଥିଲେ । ମୁଁ ତଥାପି କରାଚୀରେ ଥାଏ । ସେଦିନ ୧୯୪୮ ମସିହା ଜାନୁଆରୀ ଛଅ ତାରିଖ । ଦିନ ପ୍ରାୟ ଏଗାରଟା ବେଳେ ମୁଁ କଲେଜରୁ ପଢ଼େଇସାରି ଘରକୁ ଲେଉଟୁଥିଲି । ବର୍ଣ୍ଣସ୍ ରୋଡ ଅତିକ୍ରମ କରି ମୁଁ ଆର୍ଟିଲାରୀ ରୋଡ଼ରେ ପହଞ୍ଚି ସାରିଥିଲି । ହଠାତ୍‌ ଟାଙ୍ଗାଟିଏ ଆସି ମୋ ସାମ୍ନାରେ ଅଟକିଗଲା । ମୁଁ ମୁହଁ ଉଠାଇ ଚାହିଁଲା ବେଳକୁ ମହମ୍ମଦ । ସେ ମୋତେ ବେଶ୍ ଗମ୍ଭୀର କଣ୍ଠରେ ନିର୍ଦ୍ଦେଶ ଦେଲାଭଳି କହିଲା, ‘ଟାଙ୍ଗାକୁ ଉଠିଆସନ୍ତୁ ଦିୱାନ । ଚାଲିଚାଲି ଯାଉଛନ୍ତି କାହିଁକି?’

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ‘କାହିଁକି ? କ’ଣ ହେଲା?’ ‘କ’ଣ ଜାଣିନାହାନ୍ତି ହଜୁର? ସଡ଼କ ଉପରେ ପରା ହଣାକଟା ଚାଲିଛି । ଭୀଷଣ ଦଙ୍ଗା ଆରମ୍ଭ ହୋଇଗଲାଣି । ଦିନ ଦି’ପହରେ ଲୁଟ୍‌, ହତ୍ୟା, ଛୁରୀଭୁଷା ଚାଲିଛି । ଆପଣଙ୍କ ଘର ପାଖରେ ଏମିତି କାଣ୍ଡ ଚାଲିଛି ।’ ମୁଁ କିଛି ନକହି ମହମ୍ମଦର ଟାଙ୍ଗା ଉପରକୁ ଉଠିଗଲି । ବାଟରେ ଦେଖିଲି ଅନେକ ସ୍ଥାନରେ ପୁଲିସ ଦଙ୍ଗାକାରୀମାନଙ୍କୁ ଘଉଡ଼ାଇବା ଲାଗି ସେମାନଙ୍କୁ ଗୋଡାଉଛି । ମନେ ମନେ ଭାବିଲି, କରାଚୀ ସହରରେ ଏତେ ହିଂସା ଲାଗି ସାରିଛି, ଅଥଚ ମୁଁ ଏଇଠି ରହି କିଛି ଜାଣିପାରିନି!’

ଘରେ ପହଞ୍ଚିଲା ପରେ ମହମ୍ମଦ ମୋତେ କହିଲା, ‘ ଫଉଜ ଆସି ପହଞ୍ଚୁଛନ୍ତି । ଆପଣ ଜମା ଘରୁ ପଦାକୁ ବାହାରିବେନି । ଯଦି
ସେମାନେ ସାମରିକ କଟକଣା କି କର୍ଫ୍ୟୁ ଲଗାନ୍ତି, ମୁଁ ଆସି ଆପଣଙ୍କୁ ଜଗିବି । ଆପଣଙ୍କୁ ସୁରକ୍ଷା ଦେବି ।’

ସତକୁ ସତ ସହରରେ କର୍ଫ୍ୟୁ ଘୋଷଣା କରାଗଲା । ଦିନେ ଦି’ଦିନ ଯାଏ ଦଙ୍ଗାକାରୀମାନେ ରାସ୍ତାଘାଟରେ ପଇଁତରା ମାରିଲେ । ସେତେବେଳେ ମୁଁ ମହମ୍ମଦ ଠାରୁ କିଛି ସାହାଯ୍ୟ ଲୋଡ଼ୁନଥିଲି । କାରଣ, ଆମ ଡ୍ରାଇଭର ସୁଖୀ ସେତେବେଳେ ଆମ ଘରେ ରହୁଥିଲା । ସୁଖୀ ଆମକୁ ସଦାବେଳେ ସାହସ ଦେଉଥିଲା । ଏବେ ସହରଟାକୁ ବନ୍ଧୁକଧାରୀ ସେନା ଗୋଟାପଣେ କବଜା କରିନେଇଥିଲେ । ତେଣୁ ଦିନକୁ ଦିନ ପରିସ୍ଥିତି ପୁଣି ନିୟନ୍ତ୍ରଣାଧୀନ ହେବାକୁ ଲାଗିଲା । ଆତଙ୍କର ବାତାବରଣ କମି ଆସିଲା । ତେବେ ସହର ଛାଡ଼ି ହିନ୍ଦୁ ଲୋକମାନେ ପଳେଇବାକୁ ଆରମ୍ଭ କଲେ । ଦିନକୁ ଦିନ ସେମାନଙ୍କ ପ୍ରସ୍ଥାନ ମାତ୍ରା ବଢ଼ି ବଢ଼ି ଚାଲିଥିଲା ।

ଏପରିକି ଯେଉଁମାନେ ସିନ୍ଧୁ ପ୍ରଦେଶରେ ରହିବା ଲାଗି ମନେ ମନେ ସ୍ଥିର କରିସାରିଥିଲେ ଏବଂ ସବୁପ୍ରକାର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିଲେ, ସେମାନେ ସୁଦ୍ଧା ସହର ଛାଡ଼ିବାକୁ ଉଚ୍ଛନ୍ନ ହୋଇ ପଡ଼ୁଥିଲେ । ସବୁଦିନ ସକାଳେ ମହମ୍ମଦ ଆମ ଘରଆଡ଼େ ବୁଲି ଆସୁଥିଲା ଓ ଆମର ହାନିଲାଭ ବୁଝୁଥିଲା । ମୁଁ ଯେଉଁଆଡ଼େ ଯାଉଥିଲି, ସେ ଜାଣିଶୁଣି ତା’ରି ଟାଙ୍ଗାରେ ବସେଇ ମୋତେ ସେଠାକୁ ନେଇ ଯାଉଥିଲା । ଥରେ ମୁଁ ତା’ ଟାଙ୍ଗାରେ ଯିବାବେଳେ ସେ ପଚାରିଲା, ‘ଦିୱାନ, ଆପଣ କ’ଣ ଆମକୁ ଛାଡ଼ି ଭାରତ ଚାଲିଯିବା କଥା ଭାବୁଛନ୍ତି?’

ମୁଁ ତାକୁ ପଚାରିଲି, ‘ତୁ କ’ଣ ଭାବୁଛୁ ? ସେ କହିଲା, ‘ଆପଣ ଏଠାରୁ ଚାଲିଯିବା ଭଲ, ଦିୱାନ । ବାହାରୁ ଢେର୍ ଲୋକ ଆସି ସହରରେ ପହଞ୍ଚିଲେଣି । ସେମାନଙ୍କ ହାବଭାବ କାଇଁକି କେଜାଣି ମୋତେ ଭଲ ଲାଗୁନି ।’ ମୁଁ କହିଲି, ‘ଭଗବାନଙ୍କ ଇଚ୍ଛା । ଯାହା ଘଟିବାର ଥିବା ସେଇଆ ଘଟିବ ।’

‘ଦିୱାନ, ଆପଣ ଯେତେବେଳେ କରାଚୀ ଛାଡିବାକୁ ଚାହିଁବେ, ମୋତେ ଆଗତୁରା କହିବେ ।’ ମୁଁ ପଚାରିଲି, ‘ତୁ କ’ଣ ମୋ ସାଙ୍ଗରେ ହିନ୍ଦୁସ୍ତାନ ଯିବାକୁ ଚାହୁଁଛୁ ନା କ’ଣ?’ ‘ଆପଣଙ୍କ ଭଳିଆ ସ୍ନେହୀ ଓ ଗୁଣୀ ଲୋକଙ୍କୁ ଯଦି ଏଠାରେ କେହି ନଚିହ୍ନିଲେ, ସମ୍ମାନ ନଦେଲେ, ତା’ହେଲେ ମୋ ଭଳିଆ ମାମୁଲି ମୂର୍ଖ ଲୋକ ହିନ୍ଦୁସ୍ତାନ ଗଲେ ସେଠାରେ କ’ଣ କରିବ କହନ୍ତୁ ତ? ମୁଁ ଭାରତ ଯିବିନି । କିନ୍ତୁ ସୀମା ପର୍ଯ୍ୟନ୍ତ ଯାଇ ଆପଣଙ୍କୁ ବଳେଇଦେଇ ଆସିବି । ଆପଣ ଉଡାଜାହାଜରେ ନା ପାଣି ଜାହାଜରେ ଭାରତ ଯିବାକୁ ଚାହୁଁଛନ୍ତି?’

‘ମୋର ଜିନିଷପତ୍ର କଥା ଚିନ୍ତା କରୁଛି । ବହୁତ ଗୁଡ଼ାଏ ଜିନିଷ । ତେଣୁ ଜାହାଜରେ ଗଲେ ଭଲ ହେବ ।’ ସେ ଚଟାପଟ କହିଲା, ‘ତା’ହେଲେ ଭଲ କଥା । ଏ ଗରିବର ଟାଙ୍ଗାରେ ଜିନିଷପତ୍ର କିଆମାରୀ ଡକ୍ ପର୍ଯ୍ୟନ୍ତ ନେବାକୁ ଯେମିତି ଭୁଲି ନଯାଆନ୍ତି । ମୁଁ ଆଣଙ୍କୁ ବଳେଇଦେଇ ଆସିଲେ ମୋ ଆତ୍ମାକୁ ଶାନ୍ତି ମିଳିବ ।’

ଶେଷରେ କରାଚୀରୁ ବିଦାୟ ନେବାର ଦିନ ଆସିଲା । ମହମ୍ମଦ ମୋର ସବୁ ଜିନିଷପତ୍ର ତା’ ଟାଙ୍ଗାରେ ଧରି ଆସି କିଆମାରୀଠାରେ ପହଞ୍ଚିଲା । ଟାଙ୍ଗାରୁ ଜିନିଷପତ୍ର ତଳକୁ ଓହ୍ଲେଇ ମୋତେ ସଲାମ ଠୁଙ୍କି ସେ କହିଲା, ‘ଆଲ୍ଲା ଆପଣଙ୍କୁ ସହି ସଲାମତ ହିନ୍ଦୁସ୍ତାନରେ ପହଞ୍ଚାନ୍ତୁ । ଆପଣଙ୍କୁ ଦୀର୍ଘ ଜୀବନ ଦିଅନ୍ତୁ ।’

ମୁଁ ହାତରେ ଖଣ୍ଡିଏ ଚନ୍ଦନକାଠର ସୌଖିନ୍ ବାଡ଼ି ଧରିଥିଲି । ସେଇଟିକୁ ମହମ୍ମଦ ହାତକୁ ବଢ଼େଇ ଦେଉ ଦେଉ କହିଲି, ‘ମହମ୍ମଦ, ଏଇ ବାଡ଼ିଟିକୁ ମୋର ଉପହାର ଭାବେ ଗ୍ରହଣ କର । ଏ ବାଡ଼ିଟିର ବାସ୍ନା ତୁମ ମନରେ ମୋ ସ୍ମୃତିକୁ ସଦାବେଳେ ସଜାଗ ରଖିଥିବ ।’ ଆଖି ଦିଓଟି ବୁଜିନେଇ ମହମ୍ମଦ ବାଡ଼ିଟିକୁ ଶୁଙ୍ଘିଲା ଓ କହିଲା “ଏ ଜୀବନରେ ମୁଁ ଆପଣଙ୍କୁ କେବେ ବି ଭୁଲି ପାରିବିନି । ହେଲେ ଦିୱାନ, ମୋର ଗୋଟିଏ ଅନୁରୋଧ ଅଛି ।’

‘କି ଅନୁରୋଧ ମହମ୍ମଦ, କହ ।’ ମୁଁ ପଚାରିଲି ।

‘ ଆପଣ ଯେତେବେଳେ ଭାରତରେ ପହଁଞ୍ଚିବେ ଓ ମୁସଲମାନଙ୍କର ଏ ହିଂସାକାଣ୍ଡ କଥା ଭାବିବେ, ଏ ଗରିବ ମହମ୍ମଦ କଥା ମନେ ପକେଇବେ । ଦିୱାନ, ସବୁ ମଣିଷ ସମାନ ନୁହନ୍ତି । ସବୁ ମୁସଲମାନ ଖରାପ ଲୋକ ନୁହନ୍ତି ।’ ମହମ୍ମଦ ଦୁଣ୍ଡରୁ ଏକଥା ଶୁଣି ମୁଁ ତାକୁ କୁଣ୍ଢେଇ ଧରିଲି ଓ ବୁଝେଇ କହିଲି, ‘ମହମ୍ମଦ ଭାଇ, ତୁମେ ଖୁବ୍ ଭଲ ମଣିଷ, ସରଳ ବି । ଆଲ୍ଲା ତୁମକୁ ନିରାପଦ ଓ ଦୀର୍ଘାୟୁ କରିଥାନ୍ତୁ ।’

ଲକ୍ଷ୍ୟ କଲି ମହମ୍ମଦ ଭଳିଆ ଜଣେ ହଟ୍ଟାକଟ୍ଟା ମଣିଷ ଶିଶୁଟିଏ ପରି କଇଁକଇଁ ହୋଇ କାନ୍ଦୁଛି । ମୁଁ ବି ମୋ ଆଖିର ଲୁହକୁ ସମ୍ଭାଳି ପାରିଲିନି । ଡକ୍‌ରେ ମୋର ଆଉ କିଛି ବନ୍ଧୁଙ୍କ ସହ ଦେଖାହେଲା । ସେମାନଙ୍କ ସମସ୍ତଙ୍କଠାରୁ ବିଦାୟ ନେଇ ମୁଁ ଜାହାଜରେ ଚଢ଼ିଲି । ଡକ୍‌ସାରା ଲୋକ ହାଉଜାଉ ହେଉଥିଲେ । ମୋ ଦୃଷ୍ଟି କିନ୍ତୁ ମହମ୍ମଦ ଉପରେ ହିଁ ନିବଦ୍ଧ ଥିଲା । ବିଚରା ଟାଙ୍ଗା ଡ୍ରାଇଭର ହେଲେ ବି ମଣିଷ ପରି ମଣିଷଟିଏ । ତା’ର ମୁହଁ ଓ ତା’ର କଥା, ‘ଦିୱାନ, ସବୁ ମୁସଲମାନ ଖରାପ ଲୋକ ନୁହନ୍ତି ।’ ମୋ କାନରେ ପ୍ରତିଧ୍ୱନିତ ହେଉଥିଲା ।

ଶେଷର ଜାହାଜ କରାଚୀ ବନ୍ଦର ଛାଡ଼ିଲା । ସେତେବେଳକୁ ମୋତେ ବିଦାୟ ଦେବାକୁ ଆସିଥିବା ବନ୍ଧୁମାନେ ଡକ୍‌ରୁ ଲେଉଟି ସାରିଥାନ୍ତି । କିନ୍ତୁ ମହମ୍ମଦ ସେଇଠି ସେମିତି ନିଶ୍ଚଳ ମୂର୍ତ୍ତିଟିଏ ପରି ଠିଆ ହୋଇଥିଲା । ମୁଁ ତା’ ଆଡ଼କୁ ରୁମାଲଟି ଦେଖାଇ ହଲେଇଲି । ସେ ମଧ୍ୟ ବାଡ଼ି ଓ ହାତ ଟେକି ମୋତେ ସାଂକେତିକ ପ୍ରତ୍ୟୁତ୍ତର ଜଣାଇଲା । ମୋ ଭିତରୁ କିଏ ଯେମିତି ଗୁଣୁଗୁଣୁ ହୋଇ ଗାଇ ଚାଲିଥିଲା:

ତୁମ୍ ଜପ୍‌ତ କୀ ଦୁନିୟା ମେରୀ ବରବାଦ ନା କରନା
ମୈ ୟାଦ୍ ଭୀ ଆଉଁ ତୋ ମୁଝେ ୟାଦ୍ ନା କରନା
ରାତୋଁକୀ କଭି ତୁମ୍ ମେରୀ ନିନ୍ଦିୟା ନା ଉଡ଼ାନା
ଆଁଖୋଁସେ କଭି ତୁମ୍ ମେରୀ ଆଁଶୁ ନା ଚୁରାନା
ଭୁଲେ ସେ କଭି ତୁମ୍ ମେରୀ ସପନୋ ମେଁ ନା ଆନା
ବରବାଦ୍ ହୁଁ ବରବାଦ୍ କୋ ବରବାଦ୍ ନା କରନା
ମୈ ୟାଦ୍ ଭୀ ଆଉଁ ତୋ ମୁଝେ ୟାଦ୍ ନା କରନା

ୟା’ଭିତରେ ପନ୍ଦର ବର୍ଷ ବିତି ସାରିଥିଲା । ମୁଁ ମୋର ସିନ୍ଧୁ ପ୍ରଦେଶକୁ ହରେଇଛି । ମୋର ବନ୍ଧୁମାନଙ୍କୁ ହରେଇଛି । ମୁଁ ମୋର ପ୍ରିୟ ବନ୍ଧୁ ମହମ୍ମଦକୁ ହରେଇଛି । ଆଶ୍ଚର୍ଯ୍ୟର କଥା, ହିନ୍ଦୁ ସାଙ୍ଗମାନଙ୍କ କଥା ମୋର କେବେ ମନେ ପଡ଼େନି । ସେମାନଙ୍କୁ ହରେଇବା ପରି ମୁଁ ଭାବେନି । କେବଳ ସେଇ ନିଃସ୍ୱାର୍ଥପର, ନିଃସ୍ୱ ଓ ସରଳ ବନ୍ଧୁଙ୍କ କଥା ହିଁ ମନକୁ ବାରମ୍ବାର ଆସେ । ସେମାନଙ୍କୁ ମନେ ମନେ ଝୁରି ହୁଏ । ଦୂରତା ଏ ଭଲପାଇବା କ୍ଷେତ୍ରରେ କେତେ ଗୁରୁତ୍ୱପୂର୍ଣ୍ଣ ସତରେ!

ବାଦଶାହ ଜାଫର ଯାହା କହିଛନ୍ତି, ସତରେ ତାହା ଅକ୍ଷରେ ଅକ୍ଷରେ ସତ:
କେ ଓଢ଼ା ଏ ଦୋର, କେ ଦୋରାଭୀ ଓଢ଼ା ସିପ୍ରୀ
କେ ସମାଲାଜନ ନା କଦନ, କେ ଅ ଭିସରନ ମୁର
ଜିୟାଁ ମୀନ କନ୍ଦିଆ ପୁର, ତିୟାନ ଦୋସ୍ତ ଭରାକେ ଦିଲ
ସେନ ।

‘କିଏ ପାଖରେ ଥାଇ ବି ଦୂରରେ, କିଏ ଦୂରରେ ଥାଇ ବି ପାଖରେ, ପ୍ରିୟତମ; କିଛି ଲୋକ କେବେ ହୁଅନ୍ତିନି ସ୍ମୃତି, ହୃଦୟରେ ରହିଥାନ୍ତି ଅପାସୋରା;  ବନ୍ଧୁମାନେ ହିଁ ତ ହୃଦୟରେ କରନ୍ତି ରାଜ ।

ରୂପାନ୍ତରଣ: ସୁଭାଷ ଶତପଥୀ 

 

Leave A Reply

Your email address will not be published.