Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୩

ସବୁ ବେଳେ ସେଇ ଗୋଟିଏ କାମ ଓ ଗୋଟିଏ କଥା। ତଥାପି ଚାଲିଥାଏ ମୁଁ ନୀରବରେ ଅଥଚ ଯଥା ସମୟରେ।  ପ୍ରିୟ ମଣିଷ ଭଲ ହେବେକି ନାହିଁ , କେଜାଣି ? ଡାକ୍ତର ଆଣ୍ଟି ତ ସବୁ ବେଳେ ଭଲ ହେବେ ବୋଲି କହି ଆସୁଛନ୍ତି। ବୟସ ତ ବଢ଼ୁଥିଲା, ଘରର ଜଞ୍ଜାଳ ଆହୁରି ବଢୁଥିଲା। ଧୀରେ ଧୀରେ ଚିତ୍ରା ବିରକ୍ତ ହେଉଥିଲା ମୋ’ଉପରେ, ଦିଦି ହୋଇଛି ବୋଲି କଣ ହୁକୁମ ଦେବ ? ଆକଟ ସବୁ ଚିତ୍ରା ପାଇଁ , ଆଉ ଦିଦିର ସବୁତକ ସ୍ବାଧୀନତା।ହାୟ,ସେ କେମିତି ଜାଣିବ ଯେ ଯେଉଁ ସବୁ ଅସୁବିଧା ଭୋଗୀ ଦିଦି ଆଜି ଆସି ଏଇଠି ପହଞ୍ଚିଛି ସେଇ ସବୁ କଣ୍ଟାକୁ ଆଡେଇ ଫୁଲର ରାସ୍ତା ଚିତ୍ରା ପାଇଁ କରିବାକୁ  କେତେ ପରିଶ୍ରମ , କେତେ ଦହଗଞ୍ଜ ହେବାକୁ ପଡୁଛି … କିଏ ବୁଝେ କାହାକୁ ?

ରାଗ ରୁଷା ଯେମିତି  ଆମ ଘରର ବଡ଼ ବନ୍ଧୁଟିଏ ହୋଇ ଯାଇଥିଲା । ମାନ ଅଭିମାନ ଭିତରେ ଜୀବନ ବିତୁ ଥିଲା। ମାଆ ଆଜିକାଲି ଚିତ୍ରା ସପକ୍ଷରେ ବେଶି ବାହାରୁଥିଲା। ଆଉ ବାପା…ନିଜ ଦୁନିଆରେ ବାଦଶାହଟିଏ ତ। ମୁଁ ଚାହୁଁଥିଲି ଚିତ୍ରା ସହ ଲିପୁନର ଉଜ୍ଜ୍ୱଳ ଭବିଷ୍ୟତ।  ସେମାନେ ମୋ ଆକଟକୁ ନେଉଥିଲେ ଘୃଣା ବା ତାଛଲ୍ୟ ଭାବରେ।  ଯେଉଁ ସବୁ କଷ୍ଟକୁ ମୁଁ ପିଠିରେ ପକେଇ ପଡି ଉଠି ଆସି ପହଞ୍ଚିଛି ଏଇ ଜାଗାରେ , ଆଜି ସେସବୁ ତାଙ୍କୁ ଆଉ ଭୋଗିବାକୁ ନପଡୁ ବୋଲି ବିଶେଷ ଭାବରେ ମୋ ଅନୁଭୂତି ସିଦ୍ଧ ହୃଦୟକୁ ନେଇ ଯୋଜନା ପ୍ରସ୍ତୁତ କରୁଥିଲି।  ସେମାନେ ଦୁହେଁ ଅବୁଝା ହେଉଥିଲେ। ବାରମ୍ବାର ଝୁଣ୍ଟୁଥିଲେ, ମାନୁ ନଥିଲେ କି ସ୍ୱୀକାର କରୁନଥିଲେ ନିଜର ଦୋଷ ଦୁର୍ବଳତାକୁ। ଝଗଡ଼ାର ରୂପ ନେଉଥିଲା ସବୁ ଅସନ୍ତୋଷ। ଉପରକୁ ଉପରକୁ  ଗୋଟା ଦିଶିଲେବି ଭିତରେ ଭିତରେ ଫାଟ ପଡୁଥିଲା। ମୁଁ ବେପରୁଆ ଥିଲି ଏସବୁ ବିଷୟରେ। କାରଣ  ଭାବୁଥିଲି ଏମାନେ ମୋ ନିଜର, ମୋ’ କଷ୍ଟ ଦେଖୁଛନ୍ତିତ କିଛି ମାତ୍ରାରେ।  କିଶୋର ଓ ଯୌବନ ସମୟରେ ଅନେକେ ଏଇ ଭଳି ହୁଅନ୍ତି ପ୍ରାୟ,  ଦିନେ ବୁଝି ପାରିବେ।ସେତେବେଳେ… ସେତେବେଳେ ଆମେ ପୁଣି ଏକ ହୋଇଯିବୁ  ଢେର ଖୁସି ଆସିବ , ଢେର ଆନନ୍ଦ ଆସିବ।

ବଢୁଥିଲା ମୋର କାମର ପରିସର। ଲାଇସେନ୍ସ ପ୍ରାପ୍ତ ଜୀବନ  ଯେତେବେଳେ କାମ ବି ସେମିତି ହେଉଥିଲା। ହର୍ବାଲ ଉପରେ ଗୁରୁତ୍ୱ ଦେଉଥିଲି ସବୁବେଳେ। ଲୋକେ ବେଶ ପସନ୍ଦ କରୁଥିଲେ। ଲାଜକୁଳି ଲତା, କମଳା ଚୋପା,ବିଭିନ୍ନଡାଲି,ନିମ୍ବ, ତୁଳସୀ, ଚାଉଳଚୂନା,ମହୁ,ବିଭିନ୍ନଫଳ,ଦହି,ଦୁଧ,  ଚାଉଳରପାଣି,ଘିକୁଆଁରୀ,ସୁନାରୀପତ୍ର,ଗେଣ୍ଡୁ,  ଗଙ୍ଗଶିଉଳି, ଦୁବଘାସ,ଏମିତି ସବୁ ମୋ’ ପରିସର ଭିତରେ …ତା ବାଦ ଡକ୍ଟର ଆଣ୍ଟି ପଢାପଢି କରି ଅନେକ କିଛି  ସାହାଯ୍ୟ କରୁଥିଲେ।ବେଦରେ ଚର୍ମ ଉପଚାର ପାଇଁ ଥିବା କଥା ଯୋଗମାୟା ଅପା କୁହନ୍ତି। ମୁଁ ସମସ୍ତଙ୍କ ପାଖରୁ ବାରମ୍ବାର  ଶିଖୁଥିଲି। ଟ୍ରେନିଂ  ନେଉଥିଲି।ଏବେ କିଛି  ଟ୍ରେନିଂ ପ୍ରାପ୍ତଙ୍କୁ ରଖିଲି , ପୂର୍ବତନ ଗଙ୍ଗା ଯମୁନା  ଆଉ ଏବେର ଶଙ୍ଖ –କୋଏଲ  ବସ୍ତିରୁ  ।ପଟ୍ଟ ପରିବର୍ତ୍ତନ ହେବାକୁ ଆରମ୍ଭ କଲା। ବହୁତ ଭଲ ଚାଲିଲା କାମ।ବେଶ  ଭଲ ରୋଜଗାର ହେଲା।ଲୋକଙ୍କ ଈର୍ଷାକୁ ପିଉଥିଲି ଚଳଚଳ, ଅବିଚଳିତ ଥିଲି ନିଜ କାମରେ।ମନ ଭଲ ନ ଲାଗିଲେ ଯାଉଥିଲି ଅନୁସନ୍ଧିତ୍ସୁମାନଙ୍କ କେନ୍ଦ୍ରକୁ। ମନର ଉପଚାର ପାଇଁ ସେଇଟାହିଁ ପ୍ରକୃଷ୍ଟ ଜାଗା।

ସହରୀ ଲୋକଙ୍କ ସହ ପିଲାଦିନୁ ମିଶି ଜାଣିଥିଲି ସେମାନଙ୍କୁ ବିଶେଷଭାବରେ।ଉପରେ ଗୋଟିଏ ଭିତରେ ଆଉ କିଛି।ଠିକ୍  ମହାକାଳ ଫଳ ତ। ଚିତ୍ରା ଅପେକ୍ଷା ଲିପୁନ  ସହରୀ ହେବାକୁ  ଭଲ ପାଉଥିଲା।ଭୀଷଣ ଅବାଧ୍ୟ ହେଉଥିଲା। କ୍ବେଷ୍ଟର କ୍ଳବକୁ ଯା’ କହିଲେ ଯାଉନଥିଲା ଜମା।କଙ୍କଡାକୁ ଗୋଳିଆ ପାଣି ସୁହଉଥିଲା।

କେତେ ଜଲଦି  ବଦଳିଯାଉଥିଲା ଜୀବନ।ଘର ବିକିଆଉ କିଛି ମିଶେଇ ମାଆ ନାମରେ ଛୋଟ ଫ୍ଲାଟ କିଣିବାକୁ ମନସ୍ଥ କଲି।ସମସ୍ତଙ୍କ ସହ ଆଲୋଚନା କଲି।ଜଣେ ହିଁ ବିରୋଧ କଲେ ବାପା। ଆଉ ସମସ୍ତେ ହଁ କହିଲେ।ଛୋଟ ହେଲେବି ଭଲ ଜାଗାରେ ରହିବାକୁ ମନ ସମସ୍ତଙ୍କର। ଏଥର ବି ଡକ୍ଟର ଆଣ୍ଟି ସାହାଯ୍ୟ କଲେ, ବ୍ୟାଙ୍କଋଣ ସମୟରେ।ଟଙ୍କା ନୁହେଁ, ମଞ୍ଜୁରି ପାଇଁ କେବଳ ।କୃତଜ୍ଞତା ଜଣେଇଲି ତାଙ୍କୁ ଆଉ ମୁଣ୍ଡିଆ ମାରିଲି ସମୟକୁ।ସମସ୍ତେ  ଖୁସି ହେଲେ। ମୁଁ  ବି ଖୁସିହେଉଥିଲି, ଯାହାହେଉ ଏତେ ଦିନକେ ଭଲ ସମୟ ଫେରିଲା ଆମଘରକୁ।

ବେଶ ଭରସା ଏବେ ନିଜ ଉପରେ ମୋର ଆସୁଥିଲା । ପାରିବି ସବୁ ,ଠିକ୍ ହେବ ଆସୁଥିବା ସମୟ,ଏମିତି ଅସ୍ତି ସୂଚକ କଥା ମନରେ ନେଇ ଦୃଢ ନିଷ୍ଠାରେ ଆଗଉଥିଲି। ଚିତ୍ରାତା’ର  ପାଠ ସହିତ ଆଉ କିଛି କରି ରୋଜଗାର କରିବାକୁ ଚାହୁଁଥିଲା।ସେ ଯୋଡି ହେଲା ବାଉଁଶ କାମର ଜିନିଷ ଉପରେ।ଟ୍ରେନିଂ ନେଲା। ଶିଖିଲା ପରେ  ଯାହାସବୁ  କରୁଥିଲା ସିଷ୍ଟର  କ୍ଲେମେଣ୍ଟିନା ଉଚିତ ମୂଲ୍ୟରେ କିଣିନେଉଥିଲେ। ପରେ ତ ଡକ୍ଟର ବସା ଆଣ୍ଟି  ପ୍ରଦର୍ଶନୀକରିବା ସହ ବେଶ ପ୍ରଚାର କଲେ ସେସବୁର ।ଏକ ରକମ ସୁନ୍ଦର  ସମୟ ସହ ଦିନ ବିତୁଥିଲା ।ହଜିଲା ଅତୀତ ଦୁଃସ୍ବପ୍ନ ଭଳି ଉଭେଇଯାଉଥିଲା। ଯାହାସବୁ ଶିଖିଥିଲି ଦୁଃସମୟଠାରୁ ,ତାକୁ ନେଇ ଜୀବନରାସ୍ତାରେ ଚାଲୁଥିଲି ପରମତୃପ୍ତିରେ।

Leave A Reply

Your email address will not be published.