ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ…

ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ…

 ଡିଲେଶ୍ୱର ରଣା

ଛାତିଏ ପାଣିରେ ଠିଆ ହେଇ
କେବେ ଗୀତ ଗାଇଛ ?
ଗାଇନ,
ଗାଇବା ଶିଖିଯ’
ନହେଲେ କନ୍ଦା ଖ’ !
କନ୍ଦା କଥାରୁ ମନେ ପଡ଼ିଲା
କଲମୁ, ଢୁଲୁ, ପୁରୁନ୍,ପୁଥି,ଗାଢ଼ କନ୍ଦାରେ ଭର୍ତ୍ତି
ଆମ ଗାଁ ସୁନାମୁଖୀ ସାଗର
ଫି’ ସକାଳେ ଛାତିଏ ପାଣିରେ ଏବେ ବି ଗୀତ ଗାଉଛି
ସତୁର ବର୍ଷିଆ ପ୍ରେମିକ ମଗଶିର୍!
ମଗଶିର୍ ଗୀତ ଜାଣେନାହିଁ
ତଥାପି ହରେକ୍ ଦିନର ଭୋରରେ
ତା’ ପ୍ରେମିକାକୁ କରେ ପ୍ରାତଃସ୍ମରଣ
ଥରେ ପ୍ରେମ କରିକି ତ ଦେଖ
ବିନା ଶିକ୍ଷାରେ ମୁଁ ବି ଗାଇଦେବି ରାଗ କଲ୍ୟାଣ୍ !
କେତେଦିନ ଆଉ ମିଛ କହିଥାନ୍ତି
ମାଇଣ୍ଡ କରିବନି,
କହିଦେଲି
ଭଲ କି ଭେଲ ବୁଝିବ ତମ ଉପରେ ଛାଡିଦେଲି।
ସତ କହିବି
ଗୀତ କହିଲେ ଲୁଚି ବୁଲୁଥିଲି
ଗୀତ ଗାଇଲିନି ବୋଲି ଥରେ
ସପ୍ତମ ଶ୍ରେଣୀରେ
ପଟନେକ୍ ମାଷ୍ଟରଠାରୁ ସାତବାଡ଼ି ଖାଇଥିଲି।
ସେବେଠୁ  ଗୀତ ମୋର ପ୍ରିୟତମ ଶତ୍ରୁ
ସେଦିନ ହିଁ ଢାଳିଥିଲି ଅଧ ଲିଟର  ଅଶ୍ରୁ।
କଲେଜ ଫନ୍ସନରେ ତମ ସହ ପହିଲା ଦେଖା
ତେର ମିନିଟର କଥାବାର୍ତ୍ତା
ପାଞ୍ଚ ମିନିଟରେ ଲାଗିଲ ନିଜର ନିଜର
କେବଳ ତମ ପାଇଁ ଗୀତ ଶିଖିବି
ମନେମନେ କରିନେଇଥିଲି ସ୍ଥିର।
ଗୀତ ଶିଖିବାର ମୋହରେ
ହଜେଇଦେଲି ମୋର ସବୁତକ କବିତା
ସମର୍ପି ଦେଲି ପଚିଶ ବର୍ଷର ଯୌବନ
ନା ବଜେଇପାରିଲି ହାର୍ମୋନିୟମ
ନା ବନିପାରିଲି ଭଲ ଗାୟକ
ଗୀତ ଶିଖେଇଦେବାର ବାହାନାରେ
ସାଢ଼େ ଚାରିବର୍ଷ
ଭଣ୍ଡେଇନେଲା ବଲାଙ୍ଗିରର ଗଣେଶ ବାରିକ !
ଆକାଶ ମୋ ମୁଣ୍ଡରେ ପଡୁ
କି ଫାଟିଯାଉ ମାଟି
ଗୀତ ଯାଉ ଚୁଲିକି
ମୁଁ ଜାଣେ ଗୀତ ଶିଖିଲା ପରେ
ବାହାରିପଡିବ ତମ ଚାଲାକି।
ଗୀତ ଶିଖା ମୋର ଏତିକି ଥାଉ
ଦେଖ ଦେଖ
ସାରା ଦେଶ ଏବେ ଡାକ୍ତରଖାନା
ତମକୁ ଜଣା, ପ୍ରେମ କରିବ ନା ଘୃଣା !
—————————

ଧଅଁରାମାଲ, ରୁପ୍ରା, ରୁପ୍ରାରୋଡ, କଳାହାଂଡି, ୭୬୬୧୦୧
ମୋ: ୯୫୫୬୧୩୭୦୭୭,