Latest Odisha News

ଶିଶୁ କବିତା : ସରସ ଲାଗୁନି ରଜ ପରବ

କୁଞ୍ଜ ବିହାରୀ ସାହୁ

ବହୁ ଦିନ ପରେ ମୋ ସାନ ଭଉଣୀ
ଆସୁଥିଲା ଆମ ଘର,
ରେଳଗାଡ଼ିରେ ସେ ଶୋଇପଡ଼ିଥିଲା
ଲାଗୁଥିଲା ଟିକେ ଜ୍ୱର ।

ସଞ୍ଜବେଳଟାରେ ବାହାନଗାଠାରେ
ରେଳଚକା ଗଲା ଧସି,
ଯାତ୍ରୀମାନେ ତହିଁ ପାଟିକରୁଥିଲେ
ବଗିରେ ସଭିଏଁ ବସି ।

କ୍ଷଣିକ ଭିତରେ ପାଟି ଶୁଭିଲାନି
ଚକାତଳେ ଚାପିହୋଇ,
ମୋ ସାନ ଭଉଣୀ ଜୀବନ ହାରିଲା
ରକତ ପାଣିରେ ଶୋଇ ।

ତୁହାଇ ତୁହାଇ କାନ୍ଦୁଛି ଆଜି ମୁଁ
କୁଆଡ଼େଗଲୁ ମୋ ‘ଲାଲି’,
ରଜ ପରବରେ ଘର ଭିତରଟା
ଲାଗୁଅଛି ଖାଲି ଖାଲି ।

ନାହିଁ ଲୁଡ଼ୁପାଲି,ଦାଣ୍ଡେ ରଜ ଦୋଳି
ବୋଉ କରୁନାହିଁ ପିଠା,
ଭାଇ ଆଣିନାହିଁ ରଜ ଖିଲିପାନ,
ଗାଙ୍ଗୁରାମ ଛେନା-ମିଠା ।

ଆମ ଗାଁ ସାହି ଶୁନୁଶାନ ଲାଗେ
ସଭିଏଁ କାନ୍ଦନ୍ତି ଘରେ,
ତୁ ଥିଲି ‘ଲାଲି’ ଗେଲବରଷର
ଭାବିଲେ ଲୋତକ ଝରେ ।

ରଜପରବଟି ଆସିଅଛି ହେଲେ
ସରସ ଲାଗୁନି ମୋତେ,
ସଜ ହୋଇବିନି, ଦୋଳି ଖେଳିବିନି
ଝୁରୁଅଛି ‘ଲାଲି’ ତୋତେ ।

ଏଲ୍.ଆଇ.ଜି. ୧୫
ନୟାପଲ୍ଲୀ ବ୍ରିଟ୍ କଲୋନୀ
ଭୁବନେଶ୍ବର 

Leave A Reply

Your email address will not be published.