ସୁଜାତା ମିଶ୍ର
ଘାସ ଗାଲିଚାରେ ମୁଁ ଘାସ ଫୁଲ..
କେ କଳି ପାରିବ ମୋହର ମୂଲ!
କାକର ଟୋପାରେ ଝଟକୁ ଥାଏ..
ଜୋଛନା ରାତିରେ କୁରୁଳୁ ଥାଏ..,
ରେଶମୀ ଖରା ମୋ ତନୁକୁ ଛୁଏଁ..
ବରଷା ଧାରାରେ ଧୋଇ ମୁଁ ହୁଏ..,
ଚାଲି ଶିଖୁଥିବା ଶିଶୁର ପାଦ
ଛୁଇଁ ଯାଏ ଯେବେ ତନୁ ମୋହର..,
କୋମଳ ପରଶେ ଉଲ୍ଲସିତ ମୁଁ..
ହୃଦୟରେ ବହେ ସ୍ନେହର ଝର.. !
କ୍ଷୁଦ୍ରଠୁ ବି କ୍ଷୁଦ୍ର ଦେହଟି ମୋର..
କରୁ ବା ନ କରୁ କେହି ଆଦର..
ସଭିଙ୍କୁ ଭାବଇ ମୁଁ ଆପଣାର..
ସ୍ନେହ ଛଳଛଳ ମନଟି ମୋର..
ପ୍ରଜାପତି ପଛେ ନ ପାଉ ଭଲ..
କୀଟପତଙ୍ଗ ତ କରନ୍ତି ଗେଲ..
ନିରିମାଖୀ ମୁଁ ଯେ ଘାସର ଫୁଲ,
କେ କଳି ପାରିବ ମୋହର ମୂଲ!!