Latest Odisha News

BREAKING NEWS

ଶିଶୁ ଗଳ୍ପ : ମାନବିକତା

କୁଞ୍ଜ ବିହାରୀ ସାହୁ

ସପ୍ତମ ଶ୍ରେଣୀରେ ପଢ଼ୁଥିବା ଅମିତ ପାଠରେ ଯେମିତି ଖେଳକୁଦରେ ବି ସେମିତି । ତା ଛଡା ଦୁଃଖୀ, ରଙ୍କିକୁ ଦେଖିଲେ ସାହାଯ୍ୟ କରିବାକୁ ଆଗେଇ ଆସେ ।

ରବିବାର ଦିନ ଅମିତ ଘରେ ବସି ଟି.ଭି ଦେଖୁଛି । ଦାଣ୍ଡ ଦୁଆର ପାଖରେ ଜଣେ ବୁଢ଼ୀର ପାଟି ଶୁଣିଲା । ଟି.ଭି.ପାଖରୁ ମୁହଁ ଫେରାଇ ଦୁଆର କବାଟଟିକୁ ପୂରା ଖୋଲିଦେଲା । ଛିଣ୍ଡା କତରା ଶାଢ଼ି ପିନ୍ଧି ଜଣେ ବୁଢ଼ୀ ଠିଆହେଇଛି । ପଉଷମାସର ଶୀତରେ ଥରୁଛି । ପାଟି ଖନି ମାରୁଛି । ଦାନ୍ତକୁ ଦାନ୍ତ ଲାଗିଯାଉଛି । କିଛି ଅସୁବିଧା ହେଇଛି ବୋଧହୁଏ !
ଅମିତ ପଚାରିଲା- “କଅଣ ହେଇଛି ବୁଢ଼ୀ ମାଉସୀ ! ତୁମ ଘରେ କେହି ନାହାନ୍ତି କି । ଶୀତରେ ଥରି ଥରି ବୁଲୁଛ ?”

ହଁ ରେ ପୁଅ, ମୋର କେହି ନାହାଁନ୍ତି । ଗୋଟିଏ ବୋଲି ଝିଅ ଥିଲା । ଠିକ୍ ତୋ ବୟସର । ମୋତେ ସାହାଯ୍ୟ କରୁଥିଲା । ପାଖେ ପାଖେ ରହୁଥିଲା । ପାଠ ପଢ଼ିବ ବୋଲି ଜିଦ୍ଦି କଲା । ମୁଁ ତ ଗରିବ ଭିକାରିଟେ । ଏ ପାଖ ବସ୍ତିରେ ରହେ । ଘର ଘର ବୁଲି ଲୋକମାନଙ୍କଠୁ ଗାଳି ଶୁଣେ । ଯିଏ ଯାହା ଦିଅନ୍ତି ସେଇଥିରେ ଚଳିଯାଏ । ହେଲେ ପୁଅ ଗୋଟିଏ କଥା କହିବି, ରଖିବୁ ?

କୁହ ବୁଢ଼ୀ ମାଉସୀ । ଅମିତ ଆଶ୍ୱାସନା ଦେଇ କହିଲା ।

ବୁଢ଼ୀ କହିଲା – ମୋ ଝିଅକୁ ଏ ସାହିର ରଙ୍ଗାଧର ନେଇଯାଇଛି । ପାଠପଢେଇବ ବୋଲି କହୁଛି । ମୋର କିନ୍ତୁ ବିଶ୍ୱାସ ହେଉନି । ସେ ଲୋକର କଥା, ଚାଲିଚଳନ ମୋତେ ଭଲ ଲାଗୁନି । କାଳେ ଝିଅକୁ ପାଠ ପଢ଼େଇବ କହି ବାହାରେ ବିକିଦେବ । ଡର ଲାଗୁଛି । ମୋତେ କିଛି ଟଙ୍କା ସାହାଯ୍ୟ କରିଥିଲା । ତେଣୁ ତା କଥାକୁ ସତ ଭାବିଲି ।

ବୁଢ଼ୀ ମାଉସୀ ଭେଁ…ଭେଁ ହୋଇ କାନ୍ଦିଲା ।

ବେଶୀ ଡେରି ନ କରି ଅମିତ ଘରକୁ ଯାଇ ତା ବାପାଙ୍କୁ ଡାକିଲା । ତା ବାପା ପୋଲିସ ଅଫିସର । ଦୁଆରକୁ ଆସି ଦେଖିଲେ ବୁଢ଼ୀ କାନ୍ଦୁଛି । ଘରୁ ଭଲ ସୂତା ଶାଢ଼ି ଆଣି ତା ଦେହରେ ପକେଇଦେଲେ । ପୁରୁଣା କମ୍ବଳଟେ ଦେଲେ । ବୁଢ଼ୀ ବହୁତ ଖୁସି ହେଇଗଲା । ବୁଢ଼ୀଠୁ ସବୁ କଥା ଶୁଣି ଆଶ୍ଚର୍ଯ୍ୟ ହେଇଗଲେ ଅମିତର ବାପା। ଭାବିଲେ ଏ ବୁଢ଼ୀ ବହୁତ ନୀରିହ । ଗରିବ ହେତୁ ରଙ୍ଗାଧର ଅଳ୍ପ ଟଙ୍କା ଦେଇ ଠକିଦେଇଛି । ଅମିତ ଆଉ ତା ବାପା ବୁଢ଼ୀକୁ ସାଥିରେ ନେଇ ରଙ୍ଗାଧର ବାବୁଙ୍କ ପାଖକୁ ନେଲେ । ତା ପୂର୍ବରୁ ଥାନାବାବୁଙ୍କୁ ଏ ଖବର ଦେଇଦେଲେ । ରଙ୍ଗାଧର ଯେମିତି ଏ ସାହି ଛାଡ଼ି କୁଆଡ଼େ ଯାଇପାରିବନି ।

ଛୋଟ ଝିଅଟି ତା ଜେଜିମାକୁ ଦେଖି ରାହା ଧରି କାନ୍ଦିଲା । ବୁଢ଼ୀ ଅମିତ ଓ ତା ବାପାଙ୍କୁ ରଙ୍ଗାଧରକୁ ଚିହ୍ନେଇଦେଲା । ରଙ୍ଗାଧର ଛୋଟ ଝିଅଟିକୁ ଗାଡିରେ ବସିବାକୁ ବାଧ୍ୟ କରୁଥିଲା । ଠିକ୍ ସମୟରେ ଥାନାଧିକାରୀ ନାଲିବତୀ ଗାଡ଼ିରୁ ଓହ୍ଲାଇପଡ଼ିଲେ । ରଙ୍ଗାଧରକୁ କାବୁ କରିଦେଲେ । ଅମିତର ବାପାଙ୍କୁ କହିଲେ – ‘ସାର୍, ଏ ରଙ୍ଗାଧର ଜଣେ ପିଲା ଚୋର । ମିଛ କହି ଛୋଟ ଛୋଟ ଗରିବ ପିଲାଙ୍କୁ ନେଇଯାଏ । ବାହାରେ ବିକିଦିଏ । ଭଲ ରୋଜଗାର କରେ ।’ ଏହାକହି ରଙ୍ଗାଧରକୁ ପୋଲିସ ଗାଡିରେ ବସେଇଦେଲେ । ଗଲାବେଳକୁ କହିଦେଲେ – ‘ସାର୍ ଆପଣ ଉଚିତ ସମୟରେ ମୋ ପାଖକୁ ଫୋନ କଲେ । ଆପଣଙ୍କ ପୁଅ ଅମିତ ମୋ ପୁଅର ସାଙ୍ଗ । ସେ ବି ଭଲ ପିଲା । ସମସ୍ତଙ୍କୁ ବିପଦରେ ସାହାଯ୍ୟ କରେ ।’
ଛୋଟ ଝିଅକୁ ତା ଜେଜିମା ହାତରେ ଦେଇ ଥାନାଧିକାରୀ ଫେରିଗଲେ ।

ଝିଅଟି ଜେଜିମାକୁ ଧରି ଭୋ…ଭୋ…ହୋଇ କାନ୍ଦିଲା । ଅମିତ ଛୋଟ ଝିଅର ଆଖିରୁ ଲୁହ ପୋଛିଦେଲା । ତା ବାପାଙ୍କୁ କହିଲା ଝିଅକୁ ତା ଘରକୁ ନେବାପାଇଁ । ତା ସାଥିରେ ପାଠ ପଢ଼ିବ । ଖୁସିରେ ଖେଳିବ । ବୁଲିବ.. ନାଚିବ ।

ଅମିତର ବାପା କହିଲେ – ‘ଆରେ ପୁଅ ଛୋଟ ଝିଅକୁ ଘରକୁ ନେଲେ ତା ଜେଜିମା ଆହୁରି କାନ୍ଦିବ । ତାକୁ ବି ଆମ ଘରକୁ ନେଇଯିବା ।’ ଅମିତ ଖୁସି ହେଇଗଲା ।

ଅମିତ ତା ବାପାଙ୍କ ହାତ ଧରି ଘରକୁ ଫେରିଲା । ସାଥୀରେ ବୁଢୀ ମାଉସୀ ଓ ତା ଗେହ୍ଲା ନାତୁଣୀ ।
ଅମିତର ବାପା ବୁଝେଇ କହିଲେ – ଏଇଟା ହିଁ ମାନବିକତା । ବୁଢୀ ମାଉସୀର ଆଖିରୁ ଖୁସିର ଲୁହ ଝରିଗଲା ।

ଏଲ୍.ଆଇ.ଜି. ୧୫, ନୟାପଲ୍ଲୀ
ବ୍ରିଟ୍ କଲୋନୀ, ଭୁବନେଶ୍ବର

Leave A Reply

Your email address will not be published.