ବ୍ୟଙ୍ଗ : ବିଦ୍ୟାନଗରୀ ଯୁବକ ସଂଘ

ଓଁ ଅଭିଜ୍ଞାନ ସାହୁ 

ଆମ ଏରିଆର ସବୁ ମୁଖିଆମାନେ ଭାବିଲେ ଯେ ଏ ପୂଜା ଚାନ୍ଦା ଆଦାୟ ପାଇଁ ଗାଁରେ ଗୋଟେ ଯୁବକ ସଂଘ ରହିବା ଦରକାର । ଆମ ବୁଢ଼ାମାନଙ୍କୁ ଆଉ ଲୋକମାନେ ବେଶି ଚାନ୍ଦା ଦେଉନାହାନ୍ତି । ରେଜାରେ ରେଜାରେ କାମ ଚଳେଇଦଉଛନ୍ତି । ଯେଉଁ ଜାଗାରେ ଯୁବକ ସଙ୍ଘ ଯେତେ ଷ୍ଟ୍ରଙ୍ଗ ସେ ଜାଗାରେ ଚାନ୍ଦା ସେତେ ଅଧିକ । ଏମିତି ସବୁ ମନରେ ଧରି ଗୋଟେ ମିଟିଙ୍ଗ ଡକାହେଲା ବିଷୟ ରହିଲା ନୂତନ ଭାବେ ଗୋଟେ ଯୁବକ ସଂଘ ତିଆରିହେବ ଓ ସେଥିପାଇଁ ସବୁ କର୍ମକର୍ତ୍ତା ଠିକ କରାଯିବ ।

ସବୁ ମାର୍କାମରା ଟୋକାମାନେ ସେମାନଙ୍କ ଚେଲା ଚାମୁଣ୍ଡାକୁ ଧରି ଆସି ପହଁଚିଲେ । ଏ ବିଦ୍ୟାନଗରୀ ଗାଁରେ ଛୁଆ ସବୁ ଓଳିଆରୁ ପଡି ଗଜା । ଏଠି କୋଉ ଗୋଟାଏ ମୁଣ୍ଡି ଅଛି ଯେ କାମ ସହଜ ହେବ ! ଯେତେ ସାହି ସେତେ ମୁଣ୍ଡି । ଏଠି ସବୁହେଲେ ନିଜ ହାତେ ନିଜେ ଚଉଦପା । ପ୍ରଥମେ ଠାକୁରଙ୍କ ଆଳତି ପରେ ଆରମ୍ଭ ହେଲା ସଭା କାର୍ଯ୍ୟକ୍ରମ ।

ସବୁଠୁ କୁହାଳିଆ ବୁଢା ପ୍ରଥମେ ଆରମ୍ଭ କଲା ଯେ ଯୁବକ ସଂଘର ଆବଶ୍ୟକତା କଣ । ଚାନ୍ଦା ଆଦାୟଠାରୁ ଆରମ୍ଭ କରି ଭସାଣି ଯାଏଁ ସବୁ କାମର ଦାୟିତ୍ୱ ଯୁବକ ସଂଘ ନେବ । ତା ବଦଳରେ ସଂଘର ଖର୍ଚ୍ଚ ପାଇଁ ସାଇକଲ ଷ୍ଟାଣ୍ଡ, ମିନାବଜାର ଓ ସାହିର ମୁନିସିପାଲିଟି କାମ ସବୁ ତାଙ୍କ ଦେଖାରଖାରେ ହେବ । ତେଣୁ ଯୁବକ ସଂଘର ଭୂମିକା ଗାଁ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କଥା ହେଲା ଆମ ଗାଁରେ ସବୁ ଛୁଆ ତ ମୁଣ୍ଡି କାହାକୁ ନେତା କରିବା ସେଇଟା ଗୋଟେ ଚିନ୍ତାର କଥା । ତେଣୁ ସବୁ ଭାଇମାନେ ମିଶି ଯେମିତି ଗ୍ରାମର ଭଲ ପାଇଁ କାମ କରିବେ ଓ ଯାହା କିଛି ଉପୁରୀ ହେବ ତାକୁ କେମିତି ସମସ୍ତଙ୍କ ସହ ବାଣ୍ଟି ଖାଇବେ, ଆମକୁ ସେମିତିକା ସବୁ ପିଲା ଦରକାର । ମୋଟ ଉପରେ କହିବାକୁ ଗଲେ ନେଇ ଆଣି ଥୋଇ ପାରୁଥିବା ଛୁଆ ଆଗରେ ରହିବେ । ତା ପଛକୁ ମିଶାଣ ଫେଡାଣ ଜାଣିଥିବା ଛୁଆ ଆୟ ବ୍ୟୟର ହିସାବ ରଖିବେ , ତା ପଛକୁ ସବୁ ଏମିତିକା ପିଲା ରହିବେ ଯେଉଁ ମାନଙ୍କୁ ଧ’ କହିଲେ ମାଡିବସିବେ । ଯାହା ଏକ୍ସଟ୍ରା ରୋଜଗାର ହେବ ସେଥିରୁ ଦୁର୍ଗାଘରକୁ ଭାଗ ଦେଲା ପରେ ବାକି ଟଙ୍କା ସୁଧରେ ଲାଗିବ ଓ ତାର ହିସାବ ରଖିବା ପାଇଁ ଆଉ ଗୋଟେ କମିଟି ହେବ । ଯେବେଠୁ ଏ ନିଆଁଗିଳା ଟିକସ ବାଲା ଦୁର୍ଗାପୂଜା କମିଟିର ସବୁ ଆୟ ବ୍ୟୟ ହିସାବ ମାଗିଲେଣି ସେବେଠୁ ଅଧିକାଂଶ ବଜାର ପୂଜା କମିଟି ବାଲା ଖାଲି ନାଁକୁ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଭିତରେ ଭିତରେ ସୁଧିଆ ବେପାର ଚଳେଇଛନ୍ତି । ମୁଳୁ ମାଇଲେ ଯିବ ସରି ଦେବତା ସଂଗେ କିମ୍ପା କଳି । ଯଦି ବ୍ୟାଙ୍କ ଆକାଉଣ୍ଟ ହିସାବରେ ପୂଜା ହେବ ତାହାହେଲେ କୋଉ ଗୋଟାଏ ବି ଦୁର୍ଗାର ଜରି ମେଢ଼ ତିଆରି କରିବାକୁ ଟଙ୍କା ଅଣ୍ଟିବନି । ସୁନାର ମେଢ଼ କି ମୁକୁଟ ତ ସାତସ୍ୱପ୍ନ । ଛାଡ଼ ସେ କଥା ! ଖୋଦ ଜଗନ୍ନାଥ ତ ଶ୍ରୀମନ୍ଦିର ହିସାବ ବୁଝିପାରୁନାହାନ୍ତି ଆମେ ପୁଣି କୋଉ ଗାଈର ଗୋବର ଯେ ଦୁର୍ଗାପୂଜା ହିସାବ ବୁଝିପାରିବୁ । ବେଶି ଗହୀର ହିସାବକୁ ଗଲେ ଖାଲି ମୁହଁକୁ ବାଜିବ ନହେଲେ ଆଉ କିଛି ନାହିଁ ।

ନିର୍ବାଚନ ଆରମ୍ଭରୁ ଯାହା ନାଁ ରେ ପ୍ରସ୍ତାବ ଆସିଲା ତାକୁ ଆଉ ପାଞ୍ଚ ଜଣ ବିରୋଧ କଲେ । କିଏ କହିଲା, ସେ କାଲିକା ଲଣ୍ଡି ସେ ହେବ ପ୍ରେସିଡେଣ୍ଟ ଆଉ ମୁଁ ହେବି ସେକ୍ରେଟାରୀ , ହବନି । କିଏ କହିଲେଣି ପୁଅ ଚୁପ୍ ଚାପ୍ ବସିଯା ବେଶି ଉତ୍ତୁରୁନା, ତ କିଏ କହିଲାଣି ଗୋଟାଏ ଭିଡ଼ିକି ଦେବି ଚିହ୍ନିଛୁ ମୋତେ । ଅବସ୍ଥା ଜଟିଳ ଆଡ଼କୁ ଯିବା ଦେଖି ଆମ ଗାଁର ଜଣାଶୁଣା କୌଟିଲ୍ୟ ଗୋଟେ ଉପାୟ ବହାରକଲା ଏଠି ସମସ୍ତଙ୍କୁ କେମିତି ଶାନ୍ତ କରିବ । ଏକା ମାଡକେ କେମିତି ଗୋପାଳ ସାହି, କୈବର୍ତ୍ତ ସାହି ,ତେଲି ସାହି ଓ ଗୁରୁ ସାହି ସମସ୍ତେ ଶାନ୍ତ ହେବେ । କୁଟୁଳିଆ କହିଲା, ଶୁଣ ଟିକେ ପାଟି ବନ୍ଦ କର । ଗୋଟାଏ ସଂଘରେ ଯେତିକି ବିଭାଗ ଅଛି ସେତିକି ତ ଛୁଆ ଆମ ଗାଆଁରେ ନାହାଁନ୍ତି ଦରକାର ପଡ଼ିଲେ ବାହାରୁ ଲୋକ ଭଡାରେ ଆସିବେ ଆଉ ତୁମେ ସବୁ ତୁଚ୍ଛାଟାରେ କାହିଁକି ଗରମ ଖାଉଛ । ତୁମ ଭିତରୁ ଯିଏ ସବୁଠୁ ବୟସରେ ବଡ଼ ତାକୁ ସଭାପତି କରାଯାଉ ତା ତଳକୁ ଦୁଇ ଜଣ ଉପ ସଭାପତି ରହିବେ , ସେମାନଙ୍କୁ ସହଯୋଗ କରିବା ପାଇଁ ଦୁଇ ଜଣ ଯୁଗ୍ମ ସଭାପତି ଓ ଦୁଇଜଣ ସହ ସଭାପତି ରହିବେ । ସେମିତି ସମ୍ପାଦକଙ୍କ ସହ ସାଧାରଣ ସମ୍ପାଦକ ତିନିଜଣ, ସହ ସମ୍ପାଦକ ତିନିଜଣ, ଯୁଗ ସମ୍ପାଦକ ଚାରି ଜଣ, ସହ ଯୁଗ୍ମ ସମ୍ପାଦକ ଚାରି ଜଣ ରହିବେ । କୋଷାଧ୍ୟକ୍ଷ , ତିନି ଜଣ ସହ କୋଷାଧ୍ୟକ୍ଷ, ତିନିଜଣ ଯୁଗ୍ମ କୋଷାଧ୍ୟକ୍ଷ । ତାପରେ ଚାନ୍ଦା କମିଟି ରେ କୋଡିଏ , ଡେଲି ବଟି ଆଦାୟ କମିଟିରେ କୋଡିଏ , ଭସାଣି କମିଟିରେ କୋଡିଏ , ମେଲୋଡି ଓ ଗେଟ କମିଟିରେ କୋଡିଏ ଜଣ କରି ଏମିତି ସବୁ ପୋଷ୍ଟ ଫୁଲ ହେଲା ବେଳକୁ ଗାଁରେ ଛୁଆ ନାହାଁନ୍ତି । ଖାଲି ଶୁଖିଲା ହଲ୍ଲା କରୁଛ ।
ଯାହାହେଉ ଶେଷରେ ନିର୍ବାଚନ ସରିଲା । ଗାଁର ସବୁ ଟୋକାଙ୍କୁ ଗୋଟାଏ ଗୋଟାଏ ପୋଷ୍ଟ ମିଳିଗଲା । ସଭା ସରିଲାବେଳକୁ କିଏ ଗୋଟେ ପଛରୁ କହିଲା, ନୂଆ ପ୍ରେସିଡେଣ୍ଟ ଉପୁରୀ ପୋଷ୍ଟ ପାଇଲା , ଖାଇବାକୁ ଦେଉ । ପ୍ରେସିଡେଣ୍ଟ ବି ହସି ହସି ନିଜର ସମ୍ମତି ଜଣାଇଲେ । ଗୋଟେ ଭଲ ଦିନ ଦେଖି ଖାଇବା ପିଇବାର ଆୟୋଜନ କରିବା ପାଇଁ ଇଙ୍ଗିତ ଦେଲେ । ଶେଷରେ ସମ୍ପାଦକ କହିଲା କିଏ କଣ ସବୁ ଦାୟିତ୍ୱରେ ରହିଲେ ତାକୁ ଗୋଟେ କାଗଜରେ ଲେଖିକି ରଖ । ସାଙ୍ଗେ ସାଙ୍ଗେ ପାଖ ଦୋକାନରୁ କାଗଜ ଓ କଲମ ଆସିଲା । ଏହା ପରେ ଆରମ୍ଭ ହେଲା ଠେଲା ପେଲା ପର୍ବ ଅର୍ଥାତ ଜଣେ କାଗଜ କଲମ ଆଉ ଜଣଙ୍କୁ ବଢ଼େଇ ଦେଇ କହୁଥାଏ, ତୁ ଲେଖେ । ତୋ ଅକ୍ଷର ଭଲ । ସେ ପୁଣି ତା ସାଇଡ୍ ବାଲାକୁ କାଗଜ କଲମ ଧରେଇ କହୁଥାଏ , ତୁ ଲେଖେ ତୁ ସ୍କୁଲ ଯିବା ଛୁଆ ଭଲ ଲେଖିବୁ। ସେ ପୁଣି ଅମଙ୍ଗ ହେଇ କାଗଜ ଆଗକୁ ବଢ଼େଇ ଦେଉଥାଏ ।ବିଦ୍ୟାନଗରୀର ଏ ମିଟିଙ୍ଗରେ କେହି ସେ ଲେଖା ଲେଖି ଦାୟିତ୍ୱ ନେବାକୁ ଅମଙ୍ଗ । ଜଣେ କହିଲା, ସଂଘର ନୋଟିସ ଓ ଦରଖାସ୍ତ ଲେଖିବା ପାଇଁ ଗୋଟେ ପୋଷ୍ଟ ତିଆରି ହଉ । ଭଲ ଶ୍ରୁତଲିଖନ ଜାଣିଥିବା ମାଟ୍ରିକ ପାଶ ପିଲାକୁ ଦାୟିତ୍ୱ ଦିଆଯାଉ । ସଂଘର ସବୁ ପୋଷ୍ଟ ପାଇଁ ଝଗଡ଼ା କରୁଥିବା ଟୋକାମାନଙ୍କ ଭିତରୁ କେହି ଜଣେ ବି ଏ ଶ୍ରୁତଲିଖନ ପୋଷ୍ଟ ପାଇଁ ରାଜି ହେଲେନି । ସବୁ ମୁହଁ ଲୁଚେଇ ଖସିଗଲେ । ଶେଷରେ ଗୋଟେ କିଏ ଡ଼ହରା କହିଲା ଆମ ଗାଁ ର ଗୋଟାଏ ପିଲାକୁ ମୁଁ ଜାଣିଛି ସେ ଆଜି କାଲି ହ୍ଵାଟ୍ସଆପ ଓ ଫେସ୍ ବୁକ ଗ୍ରୁପରେ ବେଶି ନେଖା ନେଖି କରୁଛି । ତାକୁ ଏଇ ସଂଘର ନେଖା ନେଖି ଦାୟିତ୍ୱରେ ରଖ । ପୁଅକୁ ଖାଲି ଜର୍ଦ୍ଦା ମିଠା ପାନ ଖଣ୍ଡେ ଧରେଇଦେଲେ ସେ ଏମିତି ଚୂନ ମାରି ଦରଖାସ୍ତ ଲେଖିବ ଯେ ଥରକରେ ପାଶ । ସଭାରେ ସମସ୍ତେ ଏକମତ ହେଲେ ଯେ ଗାଁର ଏପରି ଜଣେ ବାଣୀ ପୁରୁଷକୁ ଦରଖାସ୍ତ ଓ ନୋଟିସ ଲେଖା ବିଭାଗ ସମ୍ପାଦକ କରାଯାଉ । ପ୍ରେସିଡେଣ୍ଟଙ୍କ ଭୋଜି ଆଲୋଚନା ପାଇଁ ଡେରି ହଉଥିବାରୁ ଏ ମିଟିଙ୍ଗକୁ ଶୀଘ୍ର ଶେଷ କରାଗଲା ।
ବନମାଳୀ ଭବନ , ଖାନନଗର , କଟକ