Latest Odisha News

ଦ୍ୱିତୀୟ ଗରିବ ଜିଲ୍ଲା ରାୟଗଡ଼ା: ନିତି ଆୟୋଗ ରିପୋର୍ଟ

ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ । ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅର୍ଣ୍ଣର ଚିତ୍କାର । ବିକାଶର ପ୍ରତିଧ୍ଵନିରେ ନିତି ଆୟୋଗ ରିପୋର୍ଟ କହୁଛି ରାୟଗଡ଼ା ହେଉଛି ଦ୍ୱିତୀୟ ଗରିବ ଜିଲ୍ଲା ।

ରାୟଗଡା: ଏଠି ସରକାରଙ୍କ ଯୋଜାନରେ ମେଣ୍ଟୁନି ପେଟର ଭୋକ, ରାୟଗଡା ଭଳି ମାଳଭୂଇଁରୁ ଶୁଣାଯାଉଛି ହା-ଅର୍ଣ୍ଣର ଚିତ୍କାର । ଦାରିଦ୍ର ଦୂର କରିବା ପାଇଁ ଯୋଜାନାର ଅଭାବ ନାହିଁ  ତଥାପି ଜିଲ୍ଲାରେ  ଦାରିଦ୍ର‌୍ୟର ହାର ୩୪.୦୩ ପ୍ରତିଶତ ବୋଲି ଚଳିତ ବର୍ଷର  ନିତି ଆୟୋଗର ରିପୋର୍ଟ ସ୍ପଷ୍ଟ କରିଛି । ସଦ୍ୟ ପ୍ରକାଶିତ ନିତି ଆୟୋଗର ରିପୋର୍ଟରେ ରାୟଗଡା ଜିଲ୍ଲାର ତଥ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ନୀତି ଆୟୋଗର ତଥ୍ୟ ଅନୁଯାଇ ରାଜ୍ୟର ଅଭିଭକ୍ତ କୋରାପୁଟ ଜିଲ୍ଲା ପ୍ରଥମ ଗରିବ ଜିଲ୍ଲା ଭାବେ ପରିଗଣିତ ହୋଇଛି । ସେହିପରି ମାଲକାନଗିରି ଜିଲ୍ଲା ଦରିଦ୍ର ସୀମାରେଖାତଳେ ପ୍ରଥମ ଥିବା ବେଳେ ରାୟଗଡା ଜିଲ୍ଲା ଦ୍ୱିତୀୟ ଗରିବ ଜିଲ୍ଲା ଭାବରେ ପରିଗଣିତ ହୋଇଛି ।

ଗରୀବ ତାଲିକାରେ ରାୟଗଡାର ସ୍ଥାନ ୨ୟ ରହିଥିବା ବେଳେ ତା ଉପରକୁ ରହିଛି କୋରାପୁଟ । ତେବେ ଆଜିର ଦିନରେ ଲୋକଙ୍କ ପାଖରେ କାହିଁକ ବସା ବାନ୍ଧିଛି ଦାରିଦ୍ର‌୍ୟତା ତାହା ଏକ ପ୍ରଶ୍ନ ହୋଇ ରହିଯାଇଛି । ଆଉ ସରକାର ଦାରିଦ୍ର ହଟାଇବା ପରିବର୍ତ୍ତେ ମାଳମାଳ ପୋଷ୍ଟର ବ୍ୟାନର ଲଗାଇ ପ୍ରଗତିର ଭ୍ରମ ସୃଷ୍ଟି କରୁଛନ୍ତି ଏଥିରେ ସନ୍ଦେହ ନାହିଁ  । ସେପଟେ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସରକାରୀ ଅର୍ଥର ବ୍ୟାପକ ହରିଲୁଟ୍ ଓ ବାଟମାରଣା ଯୋଗୁଁ ଲୋକଙ୍କ ନିକଟରେ  ବିକାଶରେ ବାଧକ ସାଜିଛି ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲକା ।

ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ୨ ଲକ୍ଷ ୩୦୩୯ ପରିବାରଙ୍କୁ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଏକ ଟଙ୍କିଆ ଚାଉଳ ପ୍ରଦାନ କରାଯାଉଛି । ସେଭଳି ଅନ୍ତଦୋୟ ଅନ୍ନ ଯୋଜନାରେ ୪୪ ହଜାର ୮୧୫ ଜଣଙ୍କୁ ୩୫ କିଲୋ ଲେଖାଏଁ ଚାଉଳ ପ୍ରଦାନ କରାଯାଉଛି ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୫ ହଜାର ୪୦୧ ପରିବାରକୁ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ପ୍ରଦାନ କରାଯାଉଛି । କେବଳ ଖାଦ୍ୟ ସୁରକ୍ଷାକୁ ନେଇ ଏତେ ଯୋଜନା ରହିଥିଲେ ସୁଧା ନିତି ଆୟୋଗ ଜାରି କରିଥିବା ରିପୋର୍ଟ ଅନୁସାରେ ରାଜ୍ୟରେ ଗରିବ ଜିଲ୍ଲା ତାଲିକାରେ ରାୟଗଡା ୨ୟ ସ୍ଥାନରେ ରହିଛି ।

ମାଲକାନଗିରି ଜିଲ୍ଲାରେ ଦାରିଦ୍ର‌୍ୟ ହାର ୪୫.୦୧ ପ୍ରତିଶତ ଥିବା ବେଳେ ରାୟଗଡା ଜିଲ୍ଲାରେ ୩୪.୦୩ ପ୍ରତିଶତ, କୋରାପୁଟ ଜିଲ୍ଲାରେ ୩୩.୫୪ ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରେ ୩୩.୪୫ ପ୍ରତିଶତ ରହିଛି । ନିତି ଆୟୋଗଙ୍କ ଏଭଳି ରିପୋର୍ଟ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ଦାରିଦ୍ର‌୍ୟ ଦୂରୀକରଣ ଯୋଜନାର ସଠିକ୍ କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅପରପକ୍ଷରେ ଖଣି ଓ କାରଖାନା ସମୃଦ୍ଧ ଜିଲ୍ଲା ରୂପେ ରାୟଗଡ ପରିଗଣିତ । କାରଖାନାମାନ ପ୍ରତିଷ୍ଟା ବେଳେ ସରକାର ଓ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇଦେବା ସହ ଅଞ୍ଚଳକୁ ସୁନା କରି ଗଢ଼ି ତୋଳିବାର ପ୍ରତିଶୃତି ଦେଇଥିଲେ । କିନ୍ତୁ ଦାଦନର ସୁଅ ଥମିବାର ନା ଧରୁନାହିଁ କି ବେକାରୀ ସମସ୍ୟା ଦୂର ହେବାର କୌଣସି ସୁରାକ ମଧ୍ୟ ମିଳିପାରିନାହିଁ ।

ତେବେ ରାୟଗଡ ଜିଲା ଗଠନକୁ ୩୧ବର୍ଷ ଚାଲୁଛି । ଆଉ ଗୋଟିଏ ଶାସକ ଦଳ ହାତରେ ଗତ ୨୩ବର୍ଷ ଧରି ଶାସନଭାର ରହିଆସିଛି । ପାହାଡ ମୁଲକରୁ ଲୋକେ ପ୍ରଶ୍ନ କରୁଛନ୍ତି, ଏହା କଣ ବିକାଶ ? ସରକାରୀ ଅର୍ଥ ହରିଲୁଟ୍‌, ବାଟମାରଣା ବନ୍ଦ ନହେବା ଯାଏ ବିକାଶ ହୋଇପାରିବ ନାହିଁ । ଦିନକୁ ଦିନ ଗରିବ, ଗରିବ ହୋଇ ଯାଉଛି ଆଉ ଧନି, ଧନି ହୋଇ ଯାଉଛନ୍ତି । ଜିଲ୍ଲାବାସୀଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଦୀର୍ଘ ମିଆଦି ଯୋଜନାର ଆବଶ୍ୟକତା ରହିଛି । ଏହି ଜିଲ୍ଲାରେ ରେଳର ବିକାଶ, କୃଷିର ବିକାଶ, ଶିଳ୍ପର ବିକାଶ ହୋଇପାରିଲେ ହିଁ ଲୋକମାନେ ଆର୍ଥିକ ସ୍ୱଚ୍ଛଳ ହୋଇ ପାରିବେ । ଆଦିବାସୀଙ୍କ ରୋଜଗାରର ବାଟ ଫିଟିଲେ ହିଁ ଜିଲ୍ଲାରୁ ଗରିବ ହଟିବ । ଏ ସଂପର୍କରେ ସଂସଦରେ ପ୍ରଶ୍ନ କରିବେ ବୋଲି କହିଛନ୍ତି ସାଂସଦ ସପ୍ତଗିରି । ତେବେ ସରକାର ଏହି ଜିଲାରୁ ଗରିବ ହଟାଇବାକୁ କଣ ସବୁ ପଦକ୍ଷେପ ନେଉଛନ୍ତି ତାହା ଏବେ ସମୟ କହିବ ।

Leave A Reply

Your email address will not be published.