Latest Odisha News

BREAKING NEWS

ଗଞ୍ଜାମ ବିଜେଡ଼ିରେ ବଢୁଛି ଶ୍ରୀକାନ୍ତଙ୍କ ଗୁରୁତ୍ୱ

ବ୍ରହ୍ମପୁର: ନୂତନ ମନ୍ତ୍ରୀମଣ୍ଡଳ ଗଠନ ପରେ ଯେଉଁ ନାଁକୁ ନେଇ ଗଞ୍ଜାମ ରାଜନୀତିରେ ପ୍ରବଳ ଚର୍ଚ୍ଚା ଚାଲିଛି, ସେଇ ନାଁଟି ହେଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ।

ରବିବାର ଶ୍ରୀକାନ୍ତ ଶ୍ରମ, ନିଯୁକ୍ତି ଓ ବୀମା ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱତନ୍ତ୍ର ଦାୟିତ୍ୱ) ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀକାନ୍ତ ସଂପ୍ରତି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ପଦରେ ମଧ୍ୟ ରହିଥିଲେ । ଆଦୌ ଚର୍ଚ୍ଚାରେ ନଥିବା ଶ୍ରୀକାନ୍ତ ହଠାତ୍‌ ମନ୍ତ୍ରୀପଦ ପାଇବା, ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।

ଅନେକ ତାଙ୍କୁ ଗଞ୍ଜାମ ବିଜେଡ଼ିର ରାଇଜିଂ ଷ୍ଟାର ବୋଲି ମଧ୍ୟ କହୁଛନ୍ତି । ଏକଦା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଏକାନ୍ତ ଆନୁଗତ୍ୟ ଥିବା ଶ୍ରୀକାନ୍ତ ମନ୍ତ୍ରୀ ପଦ ପାଇବାକୁ ନେଇ ଅନେକ କଥା ଆଲୋଚନା ହେଉଛି ।

ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଶ୍ରୀକାନ୍ତ ଜନ୍ମ। ଯୁବାବସ୍ଥାରୁ ସେ ସକ୍ରୀୟ ରାଜନୀତିରେ ପାଦ ଥାପିଥିଲେ । ୧୯୯୭ ମସିହାରେ ପୋଲସରା ବ୍ଲକ ହାତୀଓଟ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ଲୋକପ୍ରତିନିଧି ସାଜିଥିଲେ । ଏଇଠୁ ତାଙ୍କୁ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ।

୧୯୯୭ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଶ୍ରୀକାନ୍ତ କିମ୍ବା ତାଙ୍କ ପତ୍ନୀ ହାତୀଓଟ ସରପଞ୍ଚ କିମ୍ବା ସମିତି ସଭ୍ୟ ଭାବେ ନିର୍ବାଚିତ ହେଉଥିଲେ । ୨୦୧୪ ମସିହା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ତାଙ୍କୁ ପୋଲସରା ବିଧାନସଭା ଆଶନରୁ ପ୍ରାର୍ଥୀ କରିଥିଲା । ପ୍ରାୟ ୩୧ ହଜାର ଭୋଟ୍‌ରେ ବିଜୟୀ ହୋଇଥିଲେ ଶ୍ରୀକାନ୍ତ ।

୨୦୧୯ ମସିହାରେ ଦଳ ତାଙ୍କୁ ପୁଣି ଥରେ ପ୍ରାର୍ଥୀ କରିଥିଲା । ଆଉ ଏଥର କିନ୍ତୁ ପାଖାପାଖି ୧୩ ହଜାର ଭୋଟ୍‌ରେ ଜିତିଥିଲେ । ପରବର୍ତ୍ତି ସମୟରେ ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ ।

ଶ୍ରୀକାନ୍ତ ମନ୍ତ୍ରୀ ହେବା ପଛରେ ଅନେକ କାରଣ ଥିବା କୁହାଯାଉଛି । କିନ୍ତୁ ଲୋକସଭା ନିର୍ବାଚନ ମଣ୍ଡଳୀ ସମୀକରଣ ଏକ ପ୍ରମୁଖ କାରଣ ବୋଲି ଆଲୋଚନା ହେଉଛି ।

ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରହିଛି ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକସଭା ମଣ୍ଡଳୀରୁ ଅନେକ ବର୍ଷ ହେଲା କେହି ମନ୍ତ୍ରୀ ହୋଇନାହାନ୍ତି। ଏଣୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମନ୍ତ୍ରୀ ହେବା ନେଇ ଶନିବାର ଦିନ ତମାମ୍‌ ଚର୍ଚ୍ଚା ଲାଗି ରହିଥିଲା ।

ଏପରିକି ଅନେକ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପରିବେଷଣ ହୋଇଥିଲା । ହେଲେ ସମସ୍ତଙ୍କୁ ଚକ୍‌ମା ଦେଇ ଶ୍ରୀକାନ୍ତ ମନ୍ତ୍ରୀ ପଦ ହାତେଇବାରେ ସଫଳ ହୋଇଛନ୍ତି।

ଗଞ୍ଜାମ ରାଜନୀତିରେ ରୂଚି ରଖୁଥିବା ପ୍ରାୟତଃ ସମସ୍ତେ ଜାଣନ୍ତି ଯେ, ଏକଦା ଗଞ୍ଜାମ ବିଜେଡ଼ିର ପାୱାରଫୁଲ ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅତି ଘନିଷ୍ଟ ହେଉଛନ୍ତି ଶ୍ରୀକାନ୍ତ।

ଏପରିକି ପ୍ରଦୀପ ବିଜେଡ଼ିରୁ ବିତାଡ଼ିତ ହେବା ଏବଂ ଗିରଫ ହେବା ପରେ ଶ୍ରୀକାନ୍ତଙ୍କୁ ନେଇ ସେହି ସମୟରେ ଅନେକ କଥା ଆଲୋଚନା ହେଉଥିଲା। ହେଲେ ଶ୍ରୀକାନ୍ତ ଭିତରେ ଭିତରେ ନିଜର ଭାବମୂର୍ତ୍ତି ସଜାଡ଼ିବାରେ ସଫଳ ହୋଇଛନ୍ତି, ଏକଥା ତାଙ୍କ ମନ୍ତ୍ରୀତ୍ବ ଘୋଷଣା ପରେ ସ୍ପଷ୍ଟ ହୋଇଯାଇଛି।

ଅନ୍ୟ ସମ୍ଭାବ୍ୟ କାରଣକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି ।ଗଞ୍ଜାମ ଜିଲାରେ ରହିଛି ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାଦ୍‌ ଦେଲେ ପ୍ରାୟତଃ ଆଉ ଦୁଇ ଜଣ ଏହି ଜିଲାରୁ ମନ୍ତ୍ରୀ ହୋଇଥାନ୍ତି ।

୨୦୧୯ ନିର୍ବାଚନ ପରେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ହୋଇଥିଲେ ବାଚସ୍ପତି। ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ ହୋଇଥିଲେ ଜିଲାରୁ ଏକମାତ୍ର ମନ୍ତ୍ରୀ । ଏଣୁ ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ଗଞ୍ଜାମରୁ ଦୁଇଜଣ ମନ୍ତ୍ରୀ ହେବା ନେଇ ସମ୍ଭାବନା ରହିଥିଲା ।

ବାଚସ୍ପତି ପଦରୁ ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେବା ପରେ ସେ ମନ୍ତ୍ରୀ ହେବା ସଂପର୍କରେ ପ୍ରବଳ ଆଲୋଚନା ହୋଇଥିଲା। ସେହିଭଳି କବିସୂର୍ଯ୍ୟନଗର ବିଧାୟକ ଲତିକାଙ୍କ ନାଁ ଶୁଣାଯାଉଥିଲା । ହେଲେ ଅସୁସ୍ଥତା କାରଣରୁ ସୂର୍ଯ୍ୟ ନାରାୟଣ ମନ୍ତ୍ରୀ ହେଲେ ନାହିଁ।

ଅପରପକ୍ଷେ ଚିକିଟି ବିଧାୟକ ଉଷା ଦେବୀଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିଥିଲା। ତେବେ ହଠାତ୍‌ ଶେଷ ସମୟରେ ଲତିକାକୁ ପଛରେ ପକାଇ ଶ୍ରୀକାନ୍ତ କେମିତି ମନ୍ତ୍ରୀ ପଦ ହାତେଇଲେ, ତାହାକୁ ନେଇ ଏବେ ଜିଲାରେ ଚର୍ଚ୍ଚା ଥମୁନାହିଁ । ଅପରପକ୍ଷେ ଶ୍ରୀକାନ୍ତଙ୍କ ଗୁରୁତ୍ବ ଗଞ୍ଜାମ ବିଜେଡ଼ିରେ ବୃଦ୍ଧି ପାଇବ, ଏଥିରେ ଦ୍ବିମତ ନାହିଁ।

Leave A Reply

Your email address will not be published.