Latest Odisha News

BREAKING NEWS

ଗିରଫ ହେଲେ ସୁନ୍ଦରଗଡ଼ର କୋଟିପତି ଏଡିଏମ୍ ବିଶ୍ୱଜିତ ମହାପାତ୍ର

ସୁନ୍ଦରଗଡ଼: ଅତିରିକ୍ତ ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଲା ଆୟଠୁ ଅଧିକ ସମ୍ପତ୍ତି ଠୁଳ । ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଦିନର ମାରାଥନ୍ ରେଡ୍ ଓ ଜେରା ପରେ ତାଙ୍କୁ ଗିରଫ କରାଯାଇଛି । କୋଟିପତି ଏଡିଏମ୍ ଓ ତାଙ୍କ ପତ୍ନୀଙ୍କ ନାଁରେ ବିପୁଳ ସମ୍ପତ୍ତି ଠାବ ହୋଇଛି ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ରଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ପଞ୍ଝା ମାରିଥିଲା ଭିଜିଲାନ୍ସ । ରେଡ୍ ବେଳେ ତାଙ୍କର ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ । ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଚାରିଆଡ଼େ ପ୍ଲଟ୍ ଓ ଘର । ଗତକାଲି ତାଙ୍କୁ ଭୁବନେଶ୍ୱରରୁ ସୁନ୍ଦରଗଡ଼ ଆଣି ଜେରା କରାଯାଇଥିଲା ।

ରେଡ୍ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଥିଲା, ବିଶ୍ୱଜିତ ମହାପାତ୍ରଙ୍କର ୭ଟି ବ୍ୟାଙ୍କରେ ମୋଟ୍‌ ୧କୋଟି ୯୦ ଲକ୍ଷ ୫୭ହଜାରରୁ ଅଧିକ ଫିକ୍ସଡ୍ ଡିପୋଜିଟ୍ ଅଛି । ପ୍ରାୟ ୧୦ଲକ୍ଷ ୬୦ ହଜାର ଟଙ୍କାର ବୀମା ଜମା କରିଛନ୍ତି । ମ୍ୟୁଚୁଆଲ ଫଣ୍ଡରେ ୩୯ ଲକ୍ଷ ଓ ଏନ୍‌ପିଏସ୍‌ରେ ୨ ଲକ୍ଷ ଖଟାଇଛନ୍ତି । ଚଢ଼ାଉ ବେଳେ ଘରୁ ୩ ଲକ୍ଷ ଟଙ୍କା ଓ ୩୫୦ ଗ୍ରାମ ସୁନା ବାହାରିଥିଲା ।

ଭୁବନେଶ୍ୱର ନହରକଣ୍ଟାଠାରେ ୮୯ ଲକ୍ଷ ଟଙ୍କା ମୂଲ୍ୟର ଏକ ଦୁଇମହଲା କୋଠା ରହିଛି । ସେହିପରି ରହୁଲଗଡ଼ରେ ଅଛି ଫ୍ଲାଟ୍ । ଭୁବନେଶ୍ୱର ଓ ଜଗତସିଂହପୁରରେ ମୋଟ୍‌ ୧୦ଟି ପ୍ଲଟ୍ ରହିଛି । ବାଲିଅନ୍ତାରେ ବିଶ୍ୱଜିତ ମହାପାତ୍ରଙ୍କ ପତ୍ନୀଙ୍କ ନାଁରେ ଗୋଟିଏ ସିମେଣ୍ଟ ଗୋଦାମ ଅଛି । ଚାକିରିରୁ ଅବସରର ୧୭ ଦିନ ପୂର୍ବରୁ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ର ।

Comments are closed, but trackbacks and pingbacks are open.