Latest Odisha News

୨୦୨୨ରେ ସୁପ୍ରିମକୋର୍ଟ : କେତେ ପ୍ରଧାନ ବିଚାରପତି ଓ କେତେ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୨୦୨୨ରେ ମୋଟ ୧୨୬୩ ଟି ମାମଲାରେ ରାୟ ଶୁଣାଇଛନ୍ତି । ୧୦ଟି ଅତି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ସମୀକ୍ଷା କରିଛନ୍ତି । ଏହି ମାମଲା ମଧ୍ୟରେ ରହିଛି ସଂରକ୍ଷଣ, ତଦନ୍ତକାରୀ ସଂସ୍ଥାକୁ ସ୍ୱତନ୍ତ୍ର କ୍ଷମତା । ବିଦେଶୀ ପାଣ୍ଠି ଗ୍ରହଣ, ଦେଶଦ୍ରୋହ ଆଇନକୁ ଚାଲେଞ୍ଜ, ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀଙ୍କୁ ଧର୍ମ ଅଧିକାର, ଆର୍ମି ଅବସରପ୍ରାପ୍ତଙ୍କୁ ପେନସନ୍, ସରକାରୀ ଅଧିକାରୀଙ୍କ ଦ୍ୱାରା ଲାଞ୍ଚ ମାମଲାରେ ପ୍ରମାଣର ମାନ ନିର୍ଦ୍ଧାରଣ ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଛନ୍ତି ।  ଗୁଜରାଟ ଦଙ୍ଗାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏସଆଇଟି କ୍ଲିନ ଚିଟ୍ ଉପରେ ମୋହର ମାରିଥିଲେ ମାନ୍ୟବର ସୁପ୍ରିମକୋର୍ଟ ।

ଚଳିତ ବର୍ଷ ସୁପ୍ରିମକୋର୍ଟରେ ନିୟୋଜିତ ହୋଇଛନ୍ତି ୩ ଜଣ ପ୍ରଧାନବିଚାରପତି । ୭୨ ବର୍ଷର ଇତିହାସରେ ପ୍ରଥମ  । ୨୦୨୨ରେ ଗୋଟିଏ ବର୍ଷ ଭିତରେ ୩ ଜଣ ପ୍ରଧାନବିଚାରପତି ଆସନରେ ବସିଛନ୍ତି । ଜଷ୍ଟିସ ଏନ ଭି ରମଣ ଏପ୍ରିଲ ୨୦୨୧ରେ ଦେଶର ୪୮ ତମ ସିଜେଆଇ ହୋଇଥିଲେ । ଚଳିତବର୍ଷ ଅଗଷ୍ଟରେ ସେ ଅବସର ନେଇଥିଲେ । ତାଙ୍କ ପରେ ଜଷ୍ଟିସ ୟୁ ୟୁ ଲଳିତ ଦେଶର ୪୯ତମ ସିଜେଆଇ ହେଲେ । ସେ ନଭେମ୍ୱରରେ ସେବାନିବୃତ ହୋଇଥିଲେ । ସେହିପରି ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ ଦେଶର ୫୦ତମ ସିଜେଆଇ ପଦବୀରେ ନିଯୁକ୍ତ ହୋଇଥିଲେ ।

ନ୍ୟାୟପାଳିକା କାମରେ ପାରଦର୍ଶିତା ଆଣିବା ପାଇଁ ସୁପ୍ରିମକୋର୍ଟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସାମ୍ୱିଧାନିକ ପୀଠ ଲାଇଭ୍ ଷ୍ଟ୍ରିମିଂ ଆରମ୍ଭ କରିଥିଲେ । ମାମଲାଗୁଡିକୁ ସୂଚୀବଦ୍ଧ କରିବା ପାଇଁ ନୂଆ ସିଷ୍ଟମ ଆପେଇଛନ୍ତି । ଆରଟିଆଇ ପୋର୍ଟାଲ ଓ ଅଦାଲତ ମୋବାଇଲ ଆପ୍ ର ଉନ୍ନତ ଭର୍ସନ ଆରମ୍ଭ କରିଛନ୍ତି ।

ଚଳିତବର୍ଷ ଅନେକ ସମ୍ୱିଧାନିକ ପୀଠର ଗଠନ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ସରକାର ଓ କେନ୍ଦ୍ର ମଧ୍ୟର ଅଧିକାର ବଣ୍ଟନ, ନୋଟବନ୍ଦୀ, ଜଲ୍ଲିକଟୁ, ମହାରାଷ୍ଟ୍ର ରାଜନୀତି ସଙ୍କଟ, ମୁଖ୍ୟ ନିର୍ବାଚନ ଆୟୋଗ, ନିର୍ବାଚନ ଆୟୋଗ ନିଯୁକ୍ତିରେ କଲେଜିୟମ ବ୍ୟବସ୍ଥା ସମ୍ୱନ୍ଧୀୟ ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ସାମ୍ୱିଧାନିକ ପୀଠ ଗଠନ କରିଥିଲେ । ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ  ଦୋଷୀ ଓ ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀଙ୍କୁ ମୁକ୍ତ କରିବା ରାୟ ମଧ୍ୟ ଶୁଣାଇଥିଲେ । କଲେଜିୟମକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ଲାଗିରହିଛି ।

Leave A Reply

Your email address will not be published.