Latest Odisha News

BREAKING NEWS

ତମ ମୁହଁ ନଦେଖିଲା ଦିନ

ତମ ମୁହଁ ନଦେଖିଲା ଦିନ
ବଳବନ୍ତ ସାହୁ

ଫି’ ଦିନ ତମ ଗାଁ’ ଗୋଶାଳାରୁ
ଆମ ଘରକୁ ଗୋରସ ଆସେ;
କିଂତୁ , ତମ ମୁହଁ ନଦେଖିଲା ଦିନ
ଗୋରସ ଛିଂଡି ଯାଏ , ହୃଦୟ ଭାଂଗି ଯାଏ
ଆମ୍ବୁଲ ପକେଇ ସିଝେଇଲା ଭଳି ।

ଫି’ ହପ୍ତା ତମ ଗାଁ’ ହାଟରୁ
ଆମ ଘରକୁ ପରିବା ଆସେ ;
କିଂତୁ , ତମ ମୁହଁ ନଦେଖିଲା ହପ୍ତା
ପରିବା ଝାଉଁଳି ଯାଏ , ମନ ମଉଳି ଯାଏ
ଛାତି ତାତିରେ କାଳବୈଶାଖୀ ପରି ।

ଫି’ ମାସ ତମ ଗାଁ’ ବ୍ୟାଂକରୁ
ଆମ ଘରକୁ ଦରମା ଆସେ ;
କିଂତୁ , ତମ ମୁହଁ ନଦେଖିଲା ମାସ
ସଂଚୟର ତଂଟି ଚିପିଦେଇ , ବ୍ୟୟବଢି ହୁଏ ଜୀବନନଈରେ
ଉପରି ମୁଂଡରେ ଫାଇଲିନ୍ କି ତିତଲି ଆଇଲା ପରି ।

ଫି’ ବର୍ଷ ଖରାରେ ମାମୁଁ ଗାଁ ଯିବାରେ
ତମ ଗାଁ ଚାରିଛକରୁ ହିଁ ଆରମ୍ଭ ହୁଏ ଯାତ୍ରା
କିଂତୁ , ତମ ମୁହଁ ନଦେଖିଲା ବର୍ଷ
ଗୋଟେ ପଟେ ଘୁଷୁରୀମୁହିଁ ଲାଗନ୍ତି ସବୁତକ ମାମୁଁଝିଅ ,
ଅନ୍ୟ ପଟେ ବାରଂବାର କାଠଗଡାରେ ଛିଡାକଲେ ବି
ତମେ ଲାଗୁଥାଅ ଦିଅଁ ।

ତମେ ତମ ପାଖରେ
ମୁଁ ମୋ ପାଖରେ ଥାଏ , ଠିକ୍ ଥାଏ ;
ହଠାତ୍ ଯଦି ଭୁବନେଶ୍ୱର ଆମନ୍ତ୍ରଣ କରେ
ତମ ଗାଁ ବସଷ୍ଟେଂଡରୁ ହିଁ ଆରମ୍ଭ ହୁଏ ଯାତ୍ରା
କିଂତୁ , ତମ ମୁହଁ ନଦେଖିଲା ଥର
ବଳବନ୍ତ ଦୁର୍ବଳ ହେଇଯାଏ , ଭାବନା ଅଟକିଯାଏ
ତମ ହଳଦୀ ମଖା ବାଁ’ ଗାଲ ଭଉଁରୀ ପାଖରେ ।

ଫି’ବର୍ଷ ଦଶରାରେ ତମ ଗାଁ’ ରାବଣପୋଡିକୁ
ଘୋଷାରିନିଏ ନିଜକୁ ଦର୍ଶକ କରି
କିଂତୁ , ତମ ମୁହଁ ନଦେଖିଲା ବର୍ଷ
ସମୟ ଆଗରୁ ଛଟ୍ ପଟ୍ ହୁଏ ରାବଣ
ଯଦିବା ମରିପାରେନାହିଁ ଦେଇ ରାମବାଣ ;
ଲୋଡ଼ା କରେ ଥରୁଟିଏ ସୀତାମୁଖ ଦର୍ଶନ ।

………………

ଭୁଷଲାଡ଼ , ସିନ୍ଧେକେଲା , ବଲାଙ୍ଗୀର
ମୋ – 7978261746

Leave A Reply

Your email address will not be published.