Latest Odisha News

BREAKING NEWS

ଉଜୁଡ଼ା ଖେଳର ସଂସାର

 ପଲିଟିକ୍ସ ଫଲିଟିକ୍ସ 

ଉଜୁଡ଼ା ଖେଳର ସଂସାର

ଜ୍ୟୋତି ପ୍ରକାଶ ମହାପାତ୍ର

ଖେଳିବାଟା ଗୋଟେ ନିଶା । ସ୍କୁଲରୁ ଆସି ବ୍ୟାଗ୍ ଫିଙ୍ଗି ଦେଇ ପାଖ ପଡ଼ିଆକୁ ଦଉଡ଼ି ଯିବା ଥିଲା ନିୟମିତ ଅଭ୍ୟାସ । ଆଗ କ୍ରିକେଟ୍ । ପୁଣି କ୍ରିକେଟ୍ ସରିଲେ ଷ୍ଟମ୍ପ ଉପାଡ଼ି ସେଥିରେ ହକି ଖେଳ । ବର୍ଷାଦିନିଆ ରବିବାରରେ ଗୁଗୁଚିଆ ଭର୍ତି ପଡ଼ିଆରେ ଫୁଟ୍ବଲ୍ । କଲେଜ ଜୀବନରେ ତାହା ଆହୁରି ବ୍ୟାପକ ହୋଇଥିଲା । ଯଦିଓ କେବଳ କ୍ରିକେଟ ଭିତରେ ଖେଳ ନାମକ ଶବ୍ଦଟି ସୀମିତ ରହି ଯାଇଥିଲା ।

ଗାଁରେ ପିଲାବେଳେ ଅନେକ ରକମର ଖେଳ ଥିଲା । ରଜକୁ ଆସେ କବାଡ଼ି । ବୟସ୍କମାନଙ୍କ ଭିତରେ କବାଡ଼ି ଖେଳ ହେଲା ବେଳେ ପିଲାମାନେ ସେଇଠି ଗୋଟେ କଡ଼କୁ ନିଜ ଭିତରେ ପ୍ରତିଯୋଗିତା ଆରମ୍ଭ କରି ଦିଅନ୍ତି । ଶୀତ ଦିନେ ପଡ଼ିଆ ଶୁଖି ଆସିଲେ, ଆଉ ଗୋଟେ ନିହାତି ସଫସଲି ଖେଳ ଥିଲା ଗାଁରେ । ଯା’ ନାଁ – ପାକିଲି । ଲମ୍ବା ପଡ଼ିଆରେ ସମାନ୍ତରାଳ ଭାବେ ତିନୋଟି ରେଖା ନିର୍ଦ୍ଧିଷ୍ଟ ଦୂରତାରେ ଟଣା ଯାଇଥିବ । ମଝି ରେଖା ନାଁ-ବାଉଁଶ । ପୁଣି ତିନୋଟି ସମାନ୍ତରାଳ ରେଖାକୁ ୯୦ ଡିଗ୍ରୀରେ ଚ୍ଛେଦ କରିଥିବା ଛଅଟି ଛୋଟ ରେଖା । ଯା’ ନାଁ- କଣି । ବାଉଁଶ, କଣି ଡେଇଁ ‘ପାକିଲି’ ଘରେ ପହଁଚିଲା ଯାଏ, ବେଳ ବୁଡ଼ ପର୍ଯ୍ୟନ୍ତ ଖେଳ ଚାଲେ ।

ପୁଣି କୋଉ ଦିନ ସ୍କୁଲରେ ଖେଳ ଛୁଟିରୁ ଆରମ୍ଭ ହୋଇଥିବା ଚୋର-ପୁଲିସ ଖେଳ କେତେ ସମୟ ଲମ୍ବିଯାଏ, ତାର କିଛି ଠିକଣା ନଥିଲା । ସ୍କୁଲ ସରି ଯାଉଥିଲା । ଖେଳ ସରୁ ନଥିଲା । ଚୋର ଲୁଚୁଥିଲା ଦି’ଚାରିଟା ଗାଁ ଡେଇଁ କୋଉ କନ୍ଦି ଭିତରେ । ରାସ୍ତା ଓ ଚାକଚକ୍ୟଠାରୁ ଦୂରରେ ପୁଲିସ ପିଲାଟା ତା’କୁ ଗର୍ବର ସହ ବାନ୍ଧିଲା ପର୍ଯ୍ୟନ୍ତ ଚାଲୁଥିଲା ଖେଳ ।

ସେମିତି ବୋହୂଚୋରି, କିତିକିତି, ଅମୃତ-ବିଷ ଆରମ୍ଭ ହୋଇଯାଏ, ଗାଁରେ କାହା ଘରେ ଯଦି କୋଉ ଉତ୍ସବରେ ମାଇକ୍ ବାଜିଲା। ସେଇ ଗାଉଁଲି ସଂସାରରେ ମାଇକ୍ ଅଦଭୁତ ଉତ୍ସାହ ଆଣୁଥିଲା। ଆଉ ଜମୁଥିଲା ଖେଳର ଦୁନିଆ ।

ଝିଅମାନେ କୁମାର ପୁନେଇରେ ପୁଂଚି ଖେଳୁଥିଲେ । ଗୀତ ଗାଉଥିଲେ । କାର୍ତିକରେ ମୁରୁଜ ପକୋଉ ଥିଲେ ।

ଭାରତରେ କ୍ରିକେଟ କଥା ଆହୁରି ରୋମାଂଚକର । ଗାଁରେ କ୍ରିକେଟ କଲେଜ ସମୟରେ ସକାଳୁ ସଂଜ ବେଳ ପର୍ଯ୍ୟନ୍ତ ଚାଲୁଥିଲା। ୧୦ ଓଭରିଆ ୱାନ୍ ଡେ’, ଦିନିକିଆ ଟେଷ୍ଟ । ପୁଣି ଶୀତ ଦିନେ ଆଖପାଖ ଦଶ, ପନ୍ଦରଟି ଗାଁକୁ ଡାକି ଆୟୋଜନ ହେଉଥିଲା ଟୁର୍ଣ୍ଣାମେଂଟ । ସେ ବି ବଡ଼ ଅଜବ କଥା । ସାଇକେଲ ନେଇ ୧୫-୨୦ କିଲୋମିଟର ବୁଲି ପାଖ କି ଦୂର ଗାଁ କ୍ଲବ୍ କପ୍ତାନ ପାଖକୁ ହାତରେ ଲେଖା ଯାଉଥିଲା ଚିଠି । ପୁଣି ଖେଳ ମଝିରେ ଗାଁ ଘରମାନଙ୍କରେ ଭାଗ କରି ତିଆରି ହେଉଥିଲା ରୁଟି ଓ ଆଳୁଦମ୍ । ଯାହାକୁ ଆପଣ ଲଂଚ୍ ବୋଲି କହି ପାରନ୍ତି ।

ଆମ ଗାଁ ଗୁଡ଼ିକ ତା’ ଆଗରୁ ଭଲିବଲ୍ ଖେଳରେ ବେଶ ନାଁ କମେଇ ଥିଲେ । ଏମିତିକି ଗାଁର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଭଲିବଲ୍ । ତା’ ପାଇଁ ଟୁର୍ଣ୍ଣାମେଂଟ, ଏକାଠି ହୋଇ ଯୋଜନା – କେମିତି ଅଜବ ଢଙ୍ଗରେ ଗାଁକୁ ବାନ୍ଧି ରଖୁଥିଲା ।

ଖେଳ ମୋଟ ଉପରେ ଗାଁ ପିଲାଙ୍କ ଭିତରେ ଆତ୍ମୀୟତା ଆଣୁଥିଲା । ତାଙ୍କୁ ଏକାଠି ଡୋରିରେ ବାନ୍ଧି ରଖୁଥିଲା । ଗାଁରେ ଏକତା ଆଣିବାରେ ନିଖୁଣ ଭୂମିକା ନିଭାଉ ଥିଲା ଖେଳ । ତେଣିକି ତାହା ଯେଉଁ ପ୍ରକାର ଖେଳ ହେଉନା କାହିଁକି ।

ସେମିତି ସହରରେ ବି ଅନେକ କ୍ଲବ୍ ଥିଲା । ଛୋଟମୋଟ । ବଡ଼ କ୍ଲବ୍ କଥା ମୁଁ କହୁନି । ଯେଉଁଗୁଡ଼ିକ ଖେଳକୁ ପ୍ରୋତ୍ସାହିତ କରୁଥିଲେ । ସେଇ ସବୁ ଜାଗାରୁ ବି ପିଲାମାନେ ଦିନେ ବଡ଼ ଜାଗାକୁ ଯାଉଥିଲେ । କଲେଜରେ ଇଂଟର କଲେଜ୍ ପ୍ରତିଯୋଗିତା ହେଉଥିଲା । ଆଜିକାଲି ବି ହେଉଛି । କିନ୍ତୁ ପୁରୁଣା, ଉତ୍ସାହ ଓ ଉଦ୍ଧୀପନା ନାହିଁ । ଥମିଛି ନିଶ୍ଚିତ ।

ଡିଜିଟାଲ୍ ଯୁଗକୁ ଆମେମାନେ ଆସିବା ପୂର୍ବରୁ ଖେଳ ଓ ଖେଳାଳି ବଡ଼ ଇମେଜ୍ ଭାବେ ପରିଗଣିତ ହେଉଥିଲେ । ତେଣିକି ତାହା ଗାଁ ହେଉ କି ସହର । ଗାଁରେ ବି ଏମିତି ହୋଇଛି- ଭଲ ଖେଳି ସହରରେ ଚାକିରି ପାଇଥିବା ପିଲା, ଟୁର୍ଣ୍ଣାମେଂଟ ସମୟରେ ଛୁଟି ନେଇ ଗାଁକୁ ଆସୁଥିଲା । ଗାଁ ପାଇଁ ଖେଳୁଥିଲା । ଇଜ୍ଜତ ପାଇଁ ଲଢୁଥିଲା ।

ହେଲେ ଡିଜିଟାଲ୍ ଯୁଗରେ ସବୁ ବଦଳି ଯାଇଛି । କେଇ ବର୍ଷ ପୂର୍ବେ ପିଲାମାନେ ଟିଭିରେ ଗେମ୍ ଖେଳିବା ଆରମ୍ଭ କଲେ । ଆଜିକାଲି ମୋବାଇଲ୍ ଓ ଟ୍ୟାବ୍ରେ ଖେଳୁଛନ୍ତି । ଭଳିକି ଭଳି ଗେମ୍ ଡାଉନ୍ଲୋଡ଼୍ କରୁଛନ୍ତି । ଯୋଉଠି ଯେତେବେଳେ ଚାହିଁଲେ ପକେଟ୍ରୁ ମୋବାଇଲ୍ କାଢି ଗେମ୍ ଖେଳୁଛନ୍ତି । ଏକା । ନିଜେ ନିଜ ସହ । ଆ’ ଖେଳିବାକୁ ଯିବା- ଡାକ ଉଭାନ୍ ହୋଇଗଲାଣି । ପୁଣି ଯଦି କିଏ କ୍ରିକେଟ୍ ଖେଳୁଛି, ତାହା ଟେନିସ୍ ବଲ୍ରେ । ବାକି ମଫସଲି ଖେଳ ତ ଆଉ ନାହିଁ । କୁଆଡେ଼ ମରିଗଲାଣି । ହଜି ସାରିଲାଣି ।

ଆ’ ଫଳରେ ହେଉଛି କଣ ? ଏକ- ଗାଁ କି ସହରରେ ପିଲାଙ୍କ ଭିତରେ ଆଉ ଏକତା ବୋଲି କିଛି ହିଁ ରହୁନି । ସେମାନେ ଏକାଠି ଖେଳୁ ନାହାନ୍ତି । ବରଂ ବସ୍ରେ ଗଲା ବେଳେ କି କୋଉଠି ରାସ୍ତା କଡ଼ରେ କାହାକୁ ଅପେକ୍ଷା କରିଥିବା ବେଳେ ବୋର୍ ନ ହେବା ପାଇଁ ଗେମ୍ ଖେଳୁଛନ୍ତି । ଦୁଇ- ଶାରୀରିକ ସମସ୍ୟା ବଢୁଛି । ଏକାଥରେ ୧୫ କିଲୋମିଟର ସାଇକେଲିଂ କରିବାର କ୍ଷମତା କ୍ୱଚିତ୍ ପିଲାଙ୍କ ପାଖରେ ଦେଖିବାକୁ ମିଳୁଛି । ତେଣୁ ଡିଜିଟାଲ୍ ଯୁଗରେ ଆୟୋଜିତ ହେଉଛି- ଅମୁକ ସାଇକ୍ଲୋଥେନ୍ । ମାନେ ଆସ କିଛି ସମୟ ପାଇଁ ସାଇକେଲ୍ ଟିକେ ଚଲେଇ ଫଟୋ ଇତ୍ୟାଦି ଉଠେଇ ଫେରିବା । ଗୋଟେ ମସ୍ତି ଏକରକମ । ତିନି- ଖେଳରେ ସ୍ୱାର୍ଥ ନଥିଲା । ସମସ୍ତେ ନିଜ ଗାଁ କି ସହର କି କ୍ଲବ୍ ପାଇଁ ଖେଳୁଥିଲେ । ଏବେ ସମସ୍ତେ ଅଲଗା । ତେଣୁ ସେମାନଙ୍କୁ ଛୋଟ ଛୋଟ ଗୋଷ୍ଠୀରେ ଏବେ ଏକାଠି କରୁଛି ରାଜନୀତି । ଖେଳ ଜାଗାରେ ରାଜନୀତିର କାଦୁଅ ପଶିଛି । ସେଥିରେ ବେଶି ଧନ୍ଦି ହେଉଛନ୍ତି ମଫସଲି ପିଲାଏ । ମଫସଲି ସଂସାରକୁ ତାହା ଆକ୍ରାନ୍ତ କରୁଛି । ଚାରି- ଖେଳରେ ଯିଏ ଭଲ ଖେଳୁଥିଲା, ବା ଯିଏ ପରାମର୍ଶ ଦେଉଥିଲା ପିଲାମାନେ ତା’କଥା ସଭିଏଁ ମାନୁଥିଲେ । ଏବେ ସେ ଜାଗା କୁଜି ରାଜନେତା ନେଇଛନ୍ତି । ଫଳରେ – ଗାଁରେ, ସହରର ସାହି ସାହି ଭିତରେ ତିକ୍ତତା ବଢୁଛି । ହିଂସାକାଣ୍ଡ ବି ହେଉଛି ।

ଆଉ ସବୁ ଭିତରେ ଭାଙ୍ଗି ଯାଇଛି ଖେଳର ସଂସାର । ସମସ୍ତେ କେମିତି ଗୋଟେ ଏକା ବଂଚିବାକୁ ଭଲ ପାଉଛନ୍ତି । ଏକା । ସଂପୂର୍ଣ୍ଣ ।

Comments are closed.