ଅଜାଗ୍ରତ ହେଲେ ସିଂହପରା ଲୋକ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’

ଅଫିସରେ ଗୋଟିଏ ପରେ ଗୋଟିଏ ମିଟିଂ । ସକାଳୁ କଣ ନା କଣ କାମ ଏମିତି ଆସୁଛି ଯେ, ନିଃଶ୍ୱାସ ମାରିବାକୁ ବେଳ ନାହିଁ । ସେଦିନ ଅପରାହ୍ନରେ ଗୋଟିଏ ଟେକ୍ନିକାଲ ସେସନରେ ବିଶେଷଜ୍ଞ ଭାବେ ଉଦବୋଧନ ଦେବାର ଥିଲା ଆକାଶକୁ । ସେଥିପାଇଁ ପୂର୍ବରୁ ସବୁ ଡିଜିଟାଲ ମିଡିଆ ଆଉ ସୋସିଆଲ ମିଡିଆରେ ପୋଷ୍ଟିଂ ସହିତ ପ୍ରଚାର ପ୍ରସାର ପ୍ରବଳମାତ୍ରାରେ କରାଯାଇଛି । ଏଣେ ତା ଟିମରେ କାମ କରୁଥିବା ଦୁଇ ଜଣ ଦକ୍ଷ ସହକର୍ମୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବି ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ସ୍ମାରକ, ମାନପତ୍ର ଓ ଉପଢୌକନ ସବୁ କିଛି ପ୍ରସ୍ତୁତ ବି କରାଯାଇଛି । ଏହି ସମ୍ବର୍ଦ୍ଧନା କାମଟା ଶୀଘ୍ର ସାରିଦେଇ, ଟେକ୍ନିକାଲ ସେସେନ ପାଇଁ ପ୍ରସ୍ତୁତି କରିବାକୁ ଚାହୁଁଛି ଆକାଶ ।  ଅନ୍ୟ ଅତିଥିମାନଙ୍କୁ ନିମନ୍ତ୍ରିତ କରିଥିଲା ସେ । ସେମାନେ ପହଞ୍ଚି ସାରିଲେଣି । ଆଉ ମାତ୍ର ଦୁଇ ମିନିଟ୍ ଭିତରେ ଆରମ୍ଭ ହେବ ସଭା । ଅଡିଟୋରିଅମ୍ ଭିତରକୁ ପଶିଗଲା ବେଳକୁ ହଠାତ୍ ବାଜି ଉଠିଲା ଆକାଶର ଫୋନ୍ । ପକେଟରୁ ମୋବାଇଲ୍ ଫୋନଟା ବାହାର କରି ଦେଖିଲା ବେଳକୁ, ତାକୁ ଫୋନ୍ କରିଛି ତା ଛଅ ବର୍ଷର ଝିଅ ମିଙ୍କୁ । ଆକାଶ ଭାବିଲା, ଭାଇ ଭଉଣୀ ଉଭୟେ ଏମିତି ସେମାନଙ୍କ ଇଛା ହେଲେ ତାକୁ ଫୋନ୍ କରିଦିଅନ୍ତି । ତେଣୁ ସେୟା ଭାବି ସେ ଫୋନ୍ କାଟିଦେଲା । ତା ପରେ ପୁଣି ବାଜିଉଠିଲା ଫୋନ୍ ରିଙ୍ଗ୍ । ଦ୍ୱିତୀୟ ଥର ପାଇଁ ବି ଫୋନ୍ କାଟିଦେଲା ଆକାଶ । ଏପଟେ ସମ୍ବର୍ଦ୍ଧନା ସଭାର ଆରମ୍ଭ କରିବା ପାଇଁ ମଞ୍ଚ ଉପରକୁ ଉଠିଲା ବେଳକୁ ପୁଣି ଥରେ ବାଜିଲା ଫୋନ୍ ।

ପାହାଚ ଚଢ଼ି ଉପରକୁ ଉଠିବା ବଦଳରେ ପଛକୁ ଫେରିଗଲା ଆକାଶ। ଅନ୍ୟ ଅତିଥିମାନଙ୍କୁ ଆଗକୁ ବଢ଼ି ମଞ୍ଚ ଉପରକୁ ଉଠିବାକୁ ଇସାରା କରିବା ସହିତ ସେମାନଙ୍କଠୁ ଦୁଇ ମିନିଟ୍ ପାଇଁ ବାହାରକୁ ଯିବାର ଅନୁମତି ମାଗୁଥିଲା ସେ । ତାରି ଭିତରେ ମୋବାଇଲରେ କଲ୍ ଟିକୁ ରିସିଭ୍ କରିସାରିଥିଲା । ସେପଟୁ ମିଙ୍କୁ କହୁଥିଲା, ବାପା .. ସିଙ୍କୁ (ଆକାଶର ୪ ବର୍ଷିଆ ପୁଅ) ନା … ଖାଲି ବାନ୍ତି କରୁଛି । ବାପା .. ସିଏ ନା ସାନିଟାଇଜର୍ ପିଇ ଦେଇଛି । ଆଉ ତା ପରଠୁ ଖାଲି ବାରମ୍ବାର ବାନ୍ତି କରୁଛି । ବାପା .. ତମେ ଜଲଦି ଜଲଦି ପଳେଇ ଆସ । ତାକୁ ଡାକ୍ତର ଅଙ୍କଲ ପାଖକୁ ନେବାକୁ ପଡ଼ିବ । ଏଇ କଥାଟା ଶୁଣିଦେଲା ପରେ ହଠାତ୍ ଅବାକ୍ ହୋଇଗଲା ଆକାଶ । ତାକୁ ଚାରିଆଡ଼ ଅନ୍ଧାର ଦେଖାଗଲା। ଲାଗିଲା ସତେ ଯେମିତି ତା ପାଦତଳୁ ପୃଥିବୀଟା ଖସି ପଡୁଛି। ତା ମୁହଁରୁ କିଛି କଥା ବାହାରୁନଥିଲା । ତେଣେ ଫୋନର ସ୍ପିକର ଅନ୍ ନଥିବାରୁ ଅତି କ୍ଷୀଣ ଭାବରେ ଶୁଭୁଥିଲା ମିଙ୍କୁର ସ୍ୱର । ବାପା … ବାପା .. ତମେ ଶୁଣୁଛ ନା … ଜଲଦି ଆସିଯାଅ । ଆକାଶ ପଚାରିଲା, ମିଙ୍କୁ .. ତୋ ମାଆ କୁଆଡ଼େ ଗଲେ ? ମତେ ଟିକିଏ ତୋ ମାଆ ସାଙ୍ଗରେ କଥା କରେଇଲୁ । ମିଙ୍କୁ ତା ମାଆକୁ ଫୋନ୍ ଦେଇ କଥା ହେବାକୁ କହିଲା । ଆକାଶ ପଚାରିଲା .. ହଁ .. କଣ ହେଲା ? ସେ ସାନିଟାଇଜର ପିଇଦେଲା, ଆଉ ତମେ କଣ କରୁଥିଲ ? ଏବେ ତା ସ୍ଥିତି କେମିତି ଅଛି ? ତେବେ ତା ସ୍ତ୍ରୀ ଅନନ୍ୟା କହିଲା, କିଛି ନାଇଁ । ସେ ପିଇଦେଲା ପରେ ଦୁଇ ଥର ବାନ୍ତି କରିସାରିଲାଣି । ତେଣୁ କିଛି ଅସୁବିଧା ହେବନି । ତମେ ବ୍ୟସ୍ତ ହୁଅନି । ହେଲେ ଏ କଥାକୁ ସହଜରେ ଗ୍ରହଣ କରି ପାରୁନଥିଲା ଆକାଶ ।

ସମ୍ବର୍ଦ୍ଧନା ସଭା ଏବଂ ସ୍ୱତନ୍ତ୍ର ଟେକ୍ନିକାଲ ସେସନ, ସବୁକିଛି ଛାଡ଼ିଦେଇ ଅଫିସରୁ ଘର ଉଦ୍ଦେଶ୍ୟରେ ଦୌଡ଼ିଥିଲା ଆକାଶ । ଗାଡ଼ି କେବେ ବି ଘଣ୍ଟାପ୍ରତି ଚାଳିଶ କିଲୋମିଟ ବେଗରେ ଚଳାଇନଥିବା ଆକାଶ ସେଦିନ ଅଶୀରୁ ନବେ କିଲୋମିଟର ବେଗରେ ଚଳାଉଥିଲା ଗାଡି । ବାଟରେ ସାମ୍ନାପଟୁ ଆସୁଥିବା ଗାଡ଼ି, ଟ୍ରାଫିକ୍ କିଛି ଦେଖାଯାଉନଥିଲା ତାକୁ। ବାଟସାରା ତା ଆଖି ଆଗରେ ନାଚିଉଠୁଥିଲା ତା ପାଖ ଗାଁରେ କିଛି ବର୍ଷ ତଳେ ଘଟିଥିବା ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଆଉ ସେହି ଘଟଣାର ସ୍ମରଣ ମାତ୍ରେ ହାତ ଗୋଡ଼ ଥରି ଉଠୁଥିଲା ଆକାଶର ।

ସାତ ଆଠ ବର୍ଷ ତଳର ଘଟଣା ଥିଲା ସେମିତି । ତା ପାଖ ଗାଁର ଜୟଚନ୍ଦ୍ର ନିଜ ଜମିରେ ଲାଗିଥିବା ଫସଲକୁ ରୋଗ-ପୋକ ଦାଉରୁ ରକ୍ଷା କରିବା ପାଇଁ ଗୋଟିଏ କୀଟନାଶକ ଶିଶି କିଣି ଆଣିଥିଲା । ସେଥିରେ ଥିବା କୀଟନାଶକ ତ ସେ ଜମିରେ ସିଞ୍ଚନ କରିସାରିଥିଲା, କିନ୍ତୁ ସେ ଖାଲି ଶିଶିଟିକୁ ଫିଙ୍ଗିବାକୁ ଭୁଲି ଯାଇଥିଲା ଜୟଚନ୍ଦ୍ର । ଝରକାର ଚୌକାଠ ପାଖରେ ସେହି ଖାଲି ଶିଶିଟିକୁ ରଖିଦେଇ, ନିଜେ କୁଆଡ଼େ ବୁଲି ବାହାରି ଯାଇଥିଲା ଜୟଚନ୍ଦ୍ର । ଏତିକିବେଳେ ତାର ନଅ ବର୍ଷୀୟ ପୁଅ କୁଆଡ଼େ ବୁଲୁଥିଲା କେଜାଣି, ଦୌଡ଼ି ଆସି ଘରର ଚାରିଆଡ଼କୁ ନଜର ପକାଇଲା ବେଳେ ହଠାତ୍ ତା ନଜର ପଡ଼ିଲା ସେହି ଖାଲି ଶିଶିଟି ଉପରେ । ପିଲାଟିର କୌତୁହଳୀ ମନ ସେହି ଶିଶିଟିକୁ ଖୋଲିବାକୁ ଚେଷ୍ଟାକଲା । କିନ୍ତୁ ପାରିଲାନି । ପାଖରେ ଆଉ କିଛି ନପାଇ ନିଜେ ନିଜର ଦାନ୍ତ ସହାୟତାରେ ଖୋଲିଥିଲା ସେହି କୀଟନାଶକ ଶିଶିଟିକୁ । ବାସ୍,  ଯଦିଓ ସେହି ଶିଶିରେ କୀଟନାଶକ ସରି ଯାଇଥିଲା, କିନ୍ତୁ ତା ଠିପିରେ ଲାଗିଥିବା ସେହି ମାରାତ୍ମକ ବିଷାକ୍ତ କୀଟନାଶକ ଯେ ଏତେ ତୀବ୍ର ଏବଂ ଭୟାନକ ତାହା ସେହି ସଙ୍ଗେ ସଙ୍ଗେ ଜଣା ପଡ଼ିଯାଇଥିଲା । ପିଲାଟିର ପାଟିରେ ସେହି କୀଟନାଶକ ଶିଶିର ଏମିତି ପ୍ରଭାବ ପଡ଼ିଲା ଯେ, ତା ମୁହଁରୁ ଆଉ କଥା ବାହାରିଲାନି । ମାତ୍ର ଦୁଇ ମିନିଟ୍ ଭିତରେ ଅଚେତ୍ ହୋଇଗଲା ସେ । ପାଖରେ କେହି ନଥାନ୍ତି । ପାଖାପାଖି ଅଧ ଘଣ୍ଟା ପରେ ଯେତେବେଳେ ତା ମାଆ ଘରେ ପଶିଲା, ଦେଖିଲା ପୁଅ ଚେତାଶୂନ୍ୟ । ତା ମୁହଁଟା ତାକୁ କେମିତି ଗୋଟିଏ ଲାଗିଲା । ସେ ସଙ୍ଗେ ସଙ୍ଗେ ଆଖପାଖର ଲୋକଙ୍କୁ ହୁରି ପକାଇଲା । ପିଲାଟିକୁ ଗାଁରୁ ନେଇ ପାଖ ସହରର ଡାକ୍ତରଖାନାରେ ପହଞ୍ଚିଲେ ସମସ୍ତେ । ତେବେ ସେତେବେଳକୁ ଅତ୍ୟନ୍ତ ବିଳମ୍ବ ହୋଇସାରିଥିଲା । ମାଆର କୋଳକୁ ଖାଲି କରିଦେଇ ଆରପାରିକୁ ଚାଲିଯାଇଥିଲା ପିଲାଟି ।

ଏତିକି ବେଳେ ସାମ୍ନାରେ ରାସ୍ତା ପାର ହେଉଥିଲା ଲୋକଟିଏ । ଆକାଶର ଗାଡ଼ି ବାଡ଼େଇ ହେଇଯାଇଥାନ୍ତା ତାକୁ । ବ୍ରେକ୍ ମାରିଲା ସେ । ପ୍ରକୃତିସ୍ଥ ହେଲା ଆକାଶ । ଦେଖିଲା, ତା ହାତ ପାଦ ସବୁ ଯେମିତି କୋଲ ମାରିଯାଉଛି । ଝାଳରେ ଗୋଟାତୁଲେ ଓଦା ହୋଇଯାଇଥିଲା ସେ । ସେହି ଘଟଣାର ସ୍ମରଣ ମାତ୍ରେ ତାର ଯଦି ଏମିତି ଅବସ୍ଥା, ତା  ହେଲେ .. ତା ପୁଅ .. ସିଙ୍କୁ .. । ଠିକ୍ ଅଛି ତ ? ତା ଗାଡ଼ିର ବେଗ ଆହୁରି ବଢ଼ିଲା । ସେ ଯାଇ ଘରେ ପହଞ୍ଚିଲା ବେଳକୁ, ଘରୁ ବାହାରକୁ … ବାହାରୁ ଘର ଭିତରକୁ ହେଉଥାଏ ତା ଝିଅ ମିଙ୍କୁ । ଆକାଶ ପହଞ୍ଚିବା କ୍ଷଣି ଦୌଡ଼ି ଆସି ତାକୁ ଜାବୁଡ଼ି ଧରିଲା ସେ ଏବଂ କାନ୍ଦିଉଠିଲା । କହିଲା … ବାପା .. ତାକୁ ଶୀଘ୍ର ଡାକ୍ତର ଅଙ୍କଲଙ୍କ ପାଖକୁ ନିଅ । ଆକାଶ କିଛି ଭାବି ପାରୁନଥାଏ । ତାକୁ ଖୁବ୍ ବିବ୍ରତ ଲାଗୁଥାଏ । ଏମିତି ସ୍ଥିତିରେ ସେ ତା ପୁଅକୁ ଧରି ଦୌଡ଼ିଲା ଡାକ୍ତରଖାନାକୁ । ଭାଗ୍ୟବଶତଃ ସେଠାରେ ମିଳିଗଲେ ଡାକ୍ତର । ସଙ୍ଗେ ସଙ୍ଗେ ସିଙ୍କୁର ପରୀକ୍ଷା ନିରୀକ୍ଷା କରାଗଲା । ତା ରକ୍ତଚାପ, ରକ୍ତ ଅକ୍ସିଜେନ୍, ହୃତସ୍ପନ୍ଦନ ସବୁ କିଛି ଦେଖିଲେ ଡାକ୍ତର । ତା ପରେ ପୁଣି ଥରେ ଔଷଧ ଦେଇ ବାନ୍ତି କରାଇଲେ ତାକୁ । ଡାକ୍ତରଖାନା ଭିତରେ ସିଙ୍କୁର ପରୀକ୍ଷା ନିରୀକ୍ଷା ଚାଲିଥିଲା ବେଳେ, ବାହାରେ ବସି କେତେ କଣ କଥା ଭାବିଚାଲିଥିଲା ଆକାଶ । କଣ ହେବ, କଣ ନାଇଁ .. ସେଇ ଆଶା ଆଶଙ୍କା ଭିତରେ ତା ମନଟା ଗୋଳେଇ ଘାଣ୍ଟି ହେଉଥାଏ । ଏତିକିବେଳେ ଡାକ୍ତର ବାହାରକୁ ଆସି କହିଲେ, ଚିନ୍ତା କରନ୍ତୁନି । ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ । କିନ୍ତୁ ଆପଣଙ୍କୁ ତା ଉପରେ ନଜର ରଖିବାକୁ ହେବ । ଆଗାମୀ ଚବିଶ ଘଣ୍ଟା ପର୍ଯ୍ୟନ୍ତ ତାର ସବୁ ହାବ ଭାବ ଉପରେ ଲକ୍ଷ୍ୟ ରଖିବେ । ଭାଗ୍ୟଭଲ, ସେ କମ୍ ପରିମାଣର ସାନିଟାଇଜର୍ ପିଇଛି । ଯଦି ପୂରା ବୋତଲଟା ପିଇ ଦେଇଥାନ୍ତା, ତା ହେଲେ ହୁଏତ ଆମ ପାଇଁ ଏ କେସଟା ଅଧିକ ଜଟିଳ ହୋଇଯାଇଥାନ୍ତା ।

ଥ୍ୟାଙ୍କ୍ ଗଡ୍ .. ସେମିତି କିଛି ପରିସ୍ଥିତି ହୋଇନି । ତେବେ ଗୋଟିଏ କଥା ମନେ ରଖିବେ, ଏଇ ଛୋଟପିଲାମାନଙ୍କଠୁ ଏଭଳି ସବୁ ବିଷାକ୍ତ ଜିନିଷ ଏବଂ ଔଷଧ ନିଶ୍ଚିତ ଭାବେ ଦୂରେଇ ରଖିବେ । ନଚେତ୍ ଏଭଳି ସଙ୍କଟ ଯେ କୌଣସି ସମୟରେ ହୋଇପାରେ। ଏକଥା ଶୁଣିବା ପରେ କିଛି ସଫେଇ ଦେବାକୁ ଆରମ୍ଭ କରୁଥିଲା ଆକାଶ । ସେତେବେଳକୁ ଡାକ୍ତର ସେଠାରୁ ଯାଇସାରିଥିଲେ । ଏହି ସମୟରେ ଡାକ୍ତରଙ୍କ ରୁମ୍ ଭିତରୁ ଚାଲି ଚାଲି ବାହାରକୁ ଆସୁଥାଏ ସିଙ୍କୁ । ସାନିଟାଇଜର୍ ପିଇଦେଇଛି ଏବଂ ସେଥିପାଇଁ ତା ଦେହ ଖରାପ ହେଲା ବୋଲି ଯେତିକି ଚିନ୍ତା ନାହିଁ ତାର, ତାଠୁ ଅଧିକ ଚିନ୍ତିତ ସିଏ .. କାଳେ ବାପା ତାକୁ ମାଡ଼ଦେବେ । ସେଥିପାଇଁ ସେ ଡରି ଡରି ଆସି ବାପାଙ୍କୁ ଭିଡ଼ି ଧରିଲା । କାନ୍ଦୁରା ମୁହଁଟେ କରି କହିଲା .. ବାପା .. ମୋର କିଛି ହେବନି .. ମୁଁ ଭଲ ହୋଇଯିବି । ଚାଲ ଆମେ ଘରକୁ ପଳେଇବା । ଏତିକି ବେଳେ ଆକାଶ ଆଉ ନିଜକୁ ନିୟନ୍ତ୍ରଣ କରିପାରିଲାନି । ପୁଅକୁ ଜାବୁଡ଼ି ଧରି କାନ୍ଦି ଉଠିଲା । ପାଖରେ ଥିବା ଲୋକମାନେ ତାକୁ କେବଳ ଦେଖୁଥାନ୍ତି । କିନ୍ତୁ କେହି କିଛି କହୁନଥାନ୍ତି । ହଠାତ୍ ତାର ଫୋନ୍ ବାଜିଉଠିଲା । ଆକାଶ ଦେଖିଲା, ଗାଁରୁ ତା ବାପା ଫୋନ୍ କରିଛନ୍ତି । ବାପାଙ୍କ କଲ୍ ଉଠାଇ କିଛି କହିବ କଣ, ସେ ଆଉ ଟିକିଏ ମନଖୋଲି କାନ୍ଦି ଦେଲା ବାପାଙ୍କ ଆଗରେ । ଯେତେବେଳେ ବି ସେ କୌଣସି ମାନସିକ ଚିନ୍ତା କିମ୍ବା ଅବସାଦଗ୍ରସ୍ତ ଥାଏ, ସେତେବେଳେ ତା ପାଇଁ ଏକମାତ୍ର ଆଶ୍ରା ତା ବାପା । ବାପାଙ୍କ ଆଗରେ ମନଖୋଲି କାନ୍ଦିଦେଲେ ତା ମନ ପୂରା ହାଲୁକା ହୋଇଯାଏ । ବାପାଙ୍କୁ ସିଙ୍କୁର ଏ ସମସ୍ତ ଘଟଣାକ୍ରମ କହିବା ପରେ, ବାପା ତାଙ୍କର ଚିରାଚରିତ ଶୈଳୀରେ କହିଲେ .. ତତେ ପରା ହଜାରେ ଥର କହିଛି ..  “ ଅଜାଗ୍ରତ ହେଲେ ସିଂହପରା ଲୋକ.. ଶୃଗାଳ ଶିଶୁମାନେ ମୋଡ଼ନ୍ତି ତାର ବେକ।” ଏଇ କଥା ପଦକ ସେ ପ୍ରକୃତରେ ବାପାଙ୍କଠାରୁ ଅନେକ ଥର ଶୁଣିଛି । କିନ୍ତୁ କେଜାଣି କାହିଁକି ଏ କଥାର ମହତ୍ୱ ଆଜି ତାକୁ ଅଧିକ ପ୍ରାସଙ୍ଗିକ ମନେ ହେଉଥିଲା।..

ବିଭାଗୀୟ ମୁଖ୍ୟ,
ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍
ଚଣ୍ଡୀଗଡ଼ ୟୁନିଭରସିଟି, ମୋହାଲି, ପଞ୍ଜାବ ।
ଫୋନ୍- ୯୯୩୭୨୫୨୪୬୪