ଜ୍ଞାନ ଓ ଶ୍ରଦ୍ଧା

ଗଣେଶ ଚନ୍ଦ୍ର କୁଣ୍ଡ 

ଭାରତ ଏକ ଧର୍ମ ପରମ୍ପରାର ଦେଶ ।ଏଠାରେ ପ୍ରତ୍ୟକ ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ କେଉଁ ନା କେଉଁ ଧର୍ମକୁ ଆପଣେଇଥାନ୍ତି । କାରଣ ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସେ ସର୍ବଦା ଅନ୍ୟ ଉପରେ ନିର୍ଭରଶୀଳତାକୁ ଗୁରୁତ୍ୱ ଦେଇଥାଏ । ଯେପରିକି ଆଶ୍ରା, ଆଶ୍ରିତ ଓ ଆଶ୍ରୟକୁ ନେଇ ଜୀବନର ଗତିକୁ ଆଗେଇ ନେଇଥାଏ । ଏହାର ଅର୍ଥ ଆମେ ସର୍ବଦା ଭଗବାନଙ୍କ ଉପରେ ଆଶ୍ରା କରିବା ଦରକାର। ଯାହା ଉପରେ ଆଶ୍ରା କରିବା ତାର ହିଁ ଆଶ୍ରିତ ହେବା ଶ୍ରେୟସ୍କର । କାରଣ ଆମର ତା ସହିତ ଆସ୍ଥା ଯୋଡି ହେଲା । ଆସ୍ଥା ଯୋଡି ହେଲେ ମନୁଷ୍ୟ ନିଜକୁ ସୁରକ୍ଷାମଣି ତାରି ପାଖରେ ଆଶ୍ରୟ ନେବାକୁ ସୁଖ ମଣେ । ଶାସ୍ତ୍ର କହୁଛି ମଣିଷ ମାତ୍ରକେ ଗୁରୁ ଓ ଗୋବିନ୍ଦଙ୍କ ଚରଣକୁ ଯିବା ଦରକାର ନଚେତ ଶାନ୍ତି ଓ ମୁକ୍ତି ମିଳିବ ନାହିଁ । ଗୁରୁଙ୍କ ଆଦର୍ଶ ଆମକୁ ଅନୁପ୍ରାଣିତ କରେ । ଜୀବନର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସେହି ନୀତି ଆଦର୍ଶ ସହାୟକ ହେବ ।

ଯେଉଁ ବ୍ୟକ୍ତି ଗଭୀର ଶ୍ରଦ୍ଧାବାନ ଅଟନ୍ତି ଏବଂ ମନ ଓ ଇନ୍ଦ୍ରିୟକୁ ଦମନ କରିବାର ଅଭ୍ୟାସ କରିଥାଆନ୍ତି, ସେ ଦିବ୍ୟଜ୍ଞାନ ପ୍ରାପ୍ତ କରନ୍ତି । ଏଠାରେ ଆମେ ଦେଖିବା ଦୁଇଟି ଶବ୍ଦକୁ, ଗୋଟିଏ ଶ୍ରଦ୍ଧା ଓ ଅନ୍ୟଟି ଜ୍ଞାନ । ଏଇ ଦୁଇଟି ଶବ୍ଦର ଅର୍ଥ, ଗୁରୁ ଶାସ୍ତ୍ରେଷୁ ବିଶ୍ୱାସକୁ ଶ୍ରଦ୍ଧା କହନ୍ତି ଓ ଯେଉଁଟି ଯାହା ତାକୁ ସେହି ରୂପେ ଜାଣିବା ହେଉଛି ଜ୍ଞାନ । ଯେଉଁଟି ଯାହା ତାକୁ ଅନ୍ୟ ରୂପରେ ଦେଖିବା ହେଉଛି ଅଜ୍ଞାନ । ଏଠାରେ ଜ୍ଞାନ ଅର୍ଥ ଦିବ୍ୟଜ୍ଞାନକୁ ବୁଝାଉଛି । ଯାହା ଏପରି ଏକ ବିଷୟ ଯାହାର ପ୍ରାପ୍ତିରେ ମନୁଷ୍ୟ ପବିତ୍ର ହୋଇଯାଏ । ସୁଖ ଶାନ୍ତି ପ୍ରାପ୍ତି କରେ । ଅଜ୍ଞାନ ହେଉଛି ଆମର ବନ୍ଧନର କାରଣ ଏବଂ ଜ୍ଞାନ ହେଉଛି ଆମର ମୁକ୍ତିର କାରଣ । ଯେତେବେଳେ ବ୍ୟକ୍ତି ଦିବ୍ୟଜ୍ଞାନ ସ୍ତରରେ ଅବସ୍ଥାନ କରେ । ସେତେବେଳେ ସେ ଆଉ ଅନ୍ୟତ୍ର ଶାନ୍ତିର ଅନ୍ୱେଷଣ କରିବା ଦରକାର ନାହିଁ । କାରଣ ସେ ନିଜ ମଧ୍ୟରେ ହିଁ ଶାନ୍ତି ପାଏ । ଦିବ୍ୟଜ୍ଞାନର ବୃଦ୍ଧି ଘଟିଲେ ତାର ସମସ୍ତ ସନ୍ଦେହ ଦୂରୀଭୂତ ହୋଇଯାଏ । ଶ୍ରଦ୍ଧା ଦ୍ୱାରା ଜ୍ଞାନ ପ୍ରାପ୍ତ ହୁଏ ଏବଂ ଯେଉଁ ଶ୍ରଦ୍ଧା, ଗୁରୁ ଓ ଶାସ୍ତ୍ର ଉପରେ ବିଶ୍ୱାସ କଲେ ଯାଇ ମିଳିବ। ବିଶ୍ୱାସ ମଧ୍ୟ ସହଜେ ହେବ ନାହିଁ କାରଣ ବିଶ୍ୱାସ ଅନୁଭବର କଥା । ଯେବେ ବିଦ୍ୟାର୍ଥୀ ଗୁରୁ ଓ ଶାସ୍ତ୍ର ଅନୁମୋଦିତ ନିୟମ ଅନୁଯାଇ ଚାଲିବ । ନିଜ ଜୀବନର କର୍ତ୍ତବ୍ୟକୁ ସେହି ରୂପେ ପାଳନ କରିବ । ତେବେ ଯାଇ ଅନୁଭବ ଓ ବିଶ୍ୱାସ ହେବ । ଏଣୁ ଆମେ ଅଜ୍ଞାନ ଜନିତ କଷ୍ଟକୁ ଜ୍ଞାନ ରୂପକ ଖଡ଼ଗ ଦ୍ୱାରା କାଟିବା ପାଇଁ ସକ୍ଷମ ହୋଇପାରିଲେ, ସର୍ବଦା ସୁଖ ଓ ଶାନ୍ତିରେ ଜୀବନ ଅତିବାହିତ କରିପାରିବା

ପଟାମୁଣ୍ଡାଇ, କେନ୍ଦ୍ରାପଡା  ମୋ : ୯୯୩୮୦୬୦୮୮୬