Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ଦୂର୍ଗାମାଧବ ଉପାସନା

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର”

ଶ୍ରୀକ୍ଷେତ୍ରରେ ଶକ୍ତିସ୍ୱରୂପିଣୀ ମା’ ବିମଳାଙ୍କ ପୀଠରେ ଆଶ୍ୱିନ ମୂଳାଷ୍ଟମୀଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଶାରଦୀୟ ଦୂର୍ଗୋତ୍ସବ ଅନୁଷ୍ଠିତ ହୋଇଥାଏ । ମା’ ବିମଳାଙ୍କ
ପ୍ରତିଷ୍ଠା, ମହିମା, ରହସ୍ୟମୟ ପୂଜାପଦ୍ଧତି ସର୍ବୋପରି ବିଗ୍ରହ ବର୍ଣ୍ଣନା ଇତ୍ୟାଦି ପ୍ରସଙ୍ଗ ବହୁ ଚର୍ଚ୍ଚିତ ଏବଂ ସର୍ବବିଦିତ । ଶ୍ରୀମନ୍ଦିର ପରିସରରେ ଶ୍ରୀକ୍ଷେତ୍ରଶ୍ୱରୀ, ରାଜରାଜେଶ୍ୱରୀ ମା’ ବିମଳାଙ୍କ ପୀଠ, ଉତ୍କଳର ତନ୍ତ୍ରପୀଠମାନଙ୍କ ମଧ୍ୟରେ ଶ୍ରେଷ୍ଠ । ‘ତନ୍ତ୍ରସାର’ ଅନୁସାରେ “ବିମଳା ଭୈରବୀଯତ୍ର, ଜଗନ୍ନାଥସ୍ତ୍ରୁ ଭୈରବଃ । ଆହୁରି ‘ତନ୍ତ୍ର ଚୂଡ଼ାମଣି’ରେ କୁହାଯାଇଛି, “ବିମଳା ସା ମହାଦେବୀ, ଜଗନ୍ନାଥସ୍ତୁ ଭୈରବ ।” ସେହିଭଳି ରତ୍ନ ସିଂହାସନରେ ଉପବିଷ୍ଟ ବିଗ୍ରହ ସମୁହ ତଥା ମା’ବିମଳା ଓ ମହାଲକ୍ଷ୍ମୀଙ୍କୁ ଏହି ସବୁ ରୂପରେ ଉପାସନା କରାଯାଏ । ଯଥା:-  ଶ୍ରୀଜଗନ୍ନାଥ-ଅଜୈକପାଦ ଭୈରବ, ଶ୍ରୀବଳଭଦ୍ର- ଅହିବୁଧ୍ନ୍ୟ ଶେଷ ଭୈରବ, ମା’ସୁଭଦ୍ରା-ଭୁବନେଶ୍ୱରୀ, ମହାଲକ୍ଷ୍ମୀ-କମଳାତ୍ମିକା, ଶ୍ରୀସୁଦର୍ଶନ-ଏକ ଲିଙ୍ଗ ଓ ମା’ ବିମଳା-କୌଳେଶ୍ୱରୀ ।

ଦୁର୍ଗାମାଧବ ଉପାସନା ସର୍ବପ୍ରାଚୀନ । ଏହାଙ୍କଠାରୁ ଶୈବ, ବୈଷ୍ଣବ ଓ ଶାକ୍ତ ଆଦି ଧାରାର ଉତ୍ପତ୍ତି ହୋଇଅଛି । ସନାତନୀ ପରମ୍ପରାରେ ଅନେକ ମତବାଦର ସମିଶ୍ରଣରେ ଶ୍ରୀଜଗନ୍ନାଥ ତତ୍ତ୍ୱ ସମୃଦ୍ଧି ଲାଭ କରିଅଛି । ମୁଖ୍ୟତଃ ବୈଷ୍ଣବ, ଶାକ୍ତ ଓ ଶୈବ ଉପାସନାରେ ପାରସ୍ପରିକ ସମ୍ପର୍କ ଓ ଅଭିନ୍ନତା ଏଠାରେ ପରିଲକ୍ଷିତ ହୁଏ । । ବୈଷ୍ଣବମାନେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣଙ୍କ ପ୍ରତିରୂପ ଭାବରେ ଉପାସନା କରୁଥିବା ବେଳେ ଶୈବମାନଙ୍କ ଦୃଷ୍ଟିରେ ସେ ହେଉଛନ୍ତି ଭୈରବ, ମହାକାଳୀ ଯାହାଙ୍କର ଶକ୍ତି ଭାବରେ ମା’ ଦୁର୍ଗା ଅବତୀର୍ଣ୍ଣ ହୋଇଥାଆନ୍ତି । ଏଣୁ ଯଥାର୍ଥରେ କୁହାଯାଇଛି ଯେ ଶ୍ରୀମନ୍ଦିରରେ ସର୍ବଧର୍ମର ସମନ୍ୱୟ ଘଟିଛି । ରତ୍ନ ସିଂହାସନରେ ଉପବିଷ୍ଟ ଚତୁର୍ଦ୍ଧାମୂର୍ତ୍ତି ଏକ ଓ ଅଭିନ୍ନ ।ତତ୍ ସହିତ ମହାପ୍ରଭୁଙ୍କ କ୍ଷୁଦ୍ର ପ୍ରତିକୃତି ମାଧବ ବା ବାଳ ପୁରୁଷୋତ୍ତମ ରୂପରେ ପୂଜିତ । ସେ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ଚଳନ୍ତି ପ୍ରତିମା ଭାବରେ ବିଭିନ୍ନ ରୀତିନୀତିରେ ସମ୍ପୃକ୍ତ  ହେଇଥାନ୍ତି । ଶାରଦୀୟ ଦୁର୍ଗାପୂଜା ଅବସରରେ ଭୈରବ ରୂପରେ ମା’ଦୁର୍ଗାଙ୍କ ସହିତ ଶାକ୍ତ ଗୁଣ୍ଡିଚା ଯାତ୍ରା ପାଳନ କରିଥାଆନ୍ତି । ରତ୍ନସିଂହାସନରେ ଶ୍ରୀବଳଭଦ୍ର ଶଙ୍କର୍ଷଣ ରୂପରେ ପୂଜିତ ହେଲେ ମଧ୍ୟ ପ୍ରୋକ୍ତ ଶାରଦୀୟ ଗୁଣ୍ଡିଚା ଅବଧିରେ ମାଧବଙ୍କ ସହିତ ଦୁର୍ଗାଙ୍କୁ ତାଙ୍କର ଶକ୍ତିଭାବେ ରୁନ୍ଧାଯାଇ ଏହି ଲୀଳା ସଂପନ୍ନ ହୋଇଥାଏ । ଏହି କାଳରେ ବୈଷ୍ଣବ ଓ ଶାକ୍ତ ଉପାସନାର ଦିବ୍ୟ ସଂଯୋଗ ସଂଗଠିତ ହୋଇଥାଏ ଏବଂ ଶ୍ରୀଜଗନ୍ନାଥ ନିର୍ଦ୍ଦିଷ୍ଟ ଭାବେ କୌଣସି ମତବାଦର ଦେବତା ନୁହଁନ୍ତି ବରଂ ସେ ସବୁ ଧର୍ମ, ସବୁ ବିଶ୍ୱାସର ସମ୍ମିଳିତ ଚେତନା ବୋଲି ପ୍ରତ୍ୟୟ ହୋଇଥାଏ ।

ବ୍ରହ୍ମବୈବର୍ତ୍ତ ପୁରାଣରେ କୁହାଯାଇଛି, ଶ୍ରୀଜଗନ୍ନାଥ ଏକଧାରରେ ମୂଳ ଆଦ୍ୟାଶକ୍ତି, ମହାଲକ୍ଷ୍ମୀ, ରାଧା, ବସୁନ୍ଧରା ଆଦି ସମସ୍ତ ଶକ୍ତିମାନଙ୍କର ସ୍ୱାମୀ । ଅତଏବ ତାଙ୍କ
ନାମ ମାଧବ ।

“ମାଚ ବ୍ରହ୍ମ ସ୍ୱରୂପା ଯା’ ମୂଳ ପ୍ରକୃତରୀଶ୍ୱରୀ ନାରାୟଣୀଇତି ବିଖ୍ୟାତା ବିଷ୍ଣମାୟା ସନାତନୀ ମହାଲକ୍ଷ୍ମୀ ସ୍ୱରୂପା ଚ ବେଦମାତା ସରସ୍ୱତୀ
ରାଧା ବସୁନ୍ଧରା ଗଙ୍ଗା ତାସାଂ ସ୍ୱାମୀ ଚ ମାଧବ ।”

 

ରତ୍ନବେଦୀରେ ବିରାଜିତ ସପ୍ତଧା ବିଗ୍ରହଙ୍କ ମଧ୍ୟରେ ଶ୍ରୀ ଜଗନ୍ନାଥ ସଦୃଶ ଅର୍ଥାତ୍‌ ମହାପ୍ରଭୁଙ୍କର ଖର୍ବାକୃତି ଦାରୁବିଗ୍ରହ ରୂପେ ପ୍ରତିଭାତ ହୋଇଛନ୍ତି । ଏହାଙ୍କର
ବନକଲାଗି ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ରୂପ ସଦୃଶ୍ୟ ନାସା, ଭ୍ରୁଲତା, ଅଧରରେଖା ଓ ବ୍ରହ୍ମରନ୍ଧ୍ର ରହିତ ଅନନ୍ୟ ସାଙ୍କେତିକ ଧାରାରେ ହୋଇଥାଏ ତେବେ ମାଧବଙ୍କର ସ୍ୱତନ୍ତ୍ର ଧ୍ୟାନ ନାହିଁ, ଶ୍ରୀଜଗନ୍ନାଥଙ୍କ ଧ୍ୟାନରେ ସେ ପୂଜିତ । ନବକଳେବର ବେଳେ ମଧ୍ୟ ଏହାଙ୍କର ନବବିଗ୍ରହ ନିର୍ମିତ ହୋଇଥାଏ । ଗୁଣ୍ଡିଚା ଯାତ୍ରା କାଳରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅନୁପସ୍ଥିତିରେ ଜଗମୋହନରେ ପଟିଦିଅଁ ତଥା ଅନନ୍ୟ ବିଗ୍ରହମାନଙ୍କ ସହିତ ମହାପ୍ରଭୁଙ୍କ ପ୍ରତିନିଧି ଭାବରେ ମାଧବ ପୂଜା ପାଇଥାନ୍ତି । ଶ୍ରୀମନ୍ଦିରର ନୈଋତ କୋଣରେ ମେଘନାଦ ପାଚେରୀ ଉପରେ ଏକ ଅପେକ୍ଷାକୃତ କ୍ଷୁଦ୍ର ମନ୍ଦିରରେ ଶ୍ରୀ ଦୁର୍ଗାମାଧବ ନିୟମିତ ପୂଜା ପାଆନ୍ତି । ମା’ ବିମଳାଙ୍କ ସନ୍ଧିକାଳ ବଳିପୂଜା ତାମସିକ ପୂଜା କାଳରେ ଏହି ମନ୍ଦିର ପାଶ୍ୱର୍ଦେଇ ବଳି ସାମଗ୍ରୀ ନିଆଯାଇଥାଏ ।

ମା’ ବିମଳାଙ୍କ ପ୍ରତିନିଧି ଭାବରେ ମା’ ଦୁର୍ଗା, ଭଣ୍ଡାର ଘରେ ଅବସ୍ଥାନ କରନ୍ତି । ସେ ଜନ୍ମାଷ୍ଟମୀ ନୀତିରେ ବିଜୁଳି କନ୍ୟା ରୂପରେ କାର୍ଯ୍ୟ ନିର୍ବାହ କରନ୍ତି । ବାମନ ଜନ୍ମ
ଦିନ ମା’ ଅନ୍ନପୂର୍ଣ୍ଣା ରୂପରେ ଉଭାହୁଅନ୍ତି ପୁନଶ୍ଚ ଗୁପ୍ତ ଗୁଣ୍ଡିଚା କାଳରେ ଦୁର୍ଗା ଭାବରେ ମାଧବଙ୍କ ସହିତ ଏକତ୍ର ରୁ୍‌ନ୍ଧାହେଇ ଯାତ୍ରା କରନ୍ତି । ମାଧବ ଶବ୍ଦର ଅର୍ଥ ମା’ଙ୍କର ଧବ ଅର୍ଥାତ୍ ସ୍ୱାମୀ । ମାତୃଶକ୍ତିର ପ୍ରତୀକ ଭାବରେ ଦୁର୍ଗା ଏବଂ ତା’ଙ୍କର ସ୍ୱାମୀ ଭାବରେ ମାଧବ ଉପାସିତ । ଯେଉଁଭଳି ମାଧବ ବିଭିନ୍ନ ଅବସରରେ ଭିନ୍ନ ରୂପ ନେଇଥାଆନ୍ତି, ସେହିଭଳି ମା’ ଦୁର୍ଗା ମଧ୍ୟ ସ୍ଥଳ ବିଶେଷରେ ବିଭିନ୍ନ ରୂପ ଧାରଣ କରିଥାଆନ୍ତି । ସେ ବୈଷ୍ଣୋ, ଭବାନୀ, କାଳୀ, ତଥା ଦୁର୍ଗା ରୂପରେ ପୂଜିତା ହୋଇଥାଆନ୍ତି ।

“ଏକୈବ ଶକ୍ତି ପରମେଶ୍ୱରସ୍ୟ , ଭିନ୍ନ ଚତୁର୍ଥା ବିିନଯୋଗ କାଳେ, ଭୋଗେ ଭବାନୀ, ପୁରୁଷେଶ୍ଚ ବିଷ୍ଣୋ , କୋପେଚ କାଳୀ, ସମରେଚ ଦୁର୍ଗା ।”

 

ଅର୍ଥାତ୍ ପରମେଶ୍ୱରଙ୍କ ଏକମାତ୍ର ଶକ୍ତି ଯିଏ ଆବଶ୍ୟକ ସ୍ଥଳେ ଚାରିପ୍ରକାର ଅବତାର ଗ୍ରହଣ କରନ୍ତି । ସେ ଭୋଗ ସମୟରେ ଭବାନୀ, ବିଷ୍ଣୁଙ୍କ ନିକଟରେ ବୈଷ୍ଣବୀ, କ୍ରୋଧ ବେଳେ କାଳୀ ତଥା ସମରକାଳେ ଦୁର୍ଗା ଭାବରେ ପରିଚିତା । ସପ୍ତଶତି ଚଣ୍ଡୀରେ ବର୍ଣ୍ଣନା ଅନୁଯାୟୀ ଆଦ୍ୟାଶକ୍ତି ପରମେଶ୍ୱରୀ ମହାଲକ୍ଷ୍ମୀ ସୃଷ୍ଟିର ସର୍ଜନା ନିମନ୍ତେ ତିନିଗୋଟି ରୂପରେ ପ୍ରକଟିତ ହେଲେ । ସ୍ୱୟଂ ଲକ୍ଷ୍ମୀ ରୂପରେ ଅବତୀର୍ଣ୍ଣ ହେବା ସହିତ ତାଙ୍କଠାରୁ ମହାକାଳୀ ଓ ମହାସରସ୍ୱତୀ ଉତ୍ପନ୍ନ ହେଲେ । ଉକ୍ତ ତିନି ଦେବୀ ପ୍ରତ୍ୟେକ ଜଣେ ଲେଖାଁଏ ପୁରୁଷଙ୍କ ସହିତ ଯୁଗଳ ମୂର୍ତ୍ତି ଧାରଣ କଲେ । ସେହି ଅନୁସାରେ ମହାସରସ୍ୱତୀ ବ୍ରହ୍ମାଙ୍କର, ଲକ୍ଷ୍ମୀ ଭଗବାନଙ୍କର ତଥା କାଳୀ ଶିବଙ୍କର ଶକ୍ତି ଭାବରେ କ୍ରିୟାଶୀଳ ହୋଇ ଯଥାକ୍ରମେ ସୃଷ୍ଟି ସ୍ଥିତି ଓ ପ୍ରଳୟ କ୍ଷେତ୍ରରେ ସକ୍ରିୟ ହେଲେ । ଅତଏବ ସର୍ବମାନ୍ୟ ଆଦିଶକ୍ତି ଏକରୁ ଅନେକ ରୂପରେ ସକଳ କାର୍ଯ୍ୟର ମୂଳ ଭାବରେ ରହିଛନ୍ତି । ଏଣୁ ଯଥାର୍ଥରେ କୁହାଯାଇଛି । ; “ସର୍ବ ମାଙ୍ଗଳ ମାଙ୍ଗଲ୍ୟେ ଶିବେସର୍ବାର୍ଥ ସାଧିକେ ଶରଣ୍ୟେ ତ୍ର‌୍ୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେଃ ।”

ଶାରଦୀୟ ଦୁର୍ଗୋତ୍ସବ ଅବସରରେ ଦେବୀଙ୍କ ପ୍ରାଧାନ୍ୟ ରହିଥାଏ ମାତ୍ର ଶିବଙ୍କର କୌଣସି ସମ୍ପୃକ୍ତି ଦେଖାଯାଏ ନାହିଁ ମାତ୍ର ଶାକ୍ତ ଗୁଣ୍ଡିଚା ନୀତିରେ ମହାପ୍ରଭୁ ଭୈରବ
ଭାବରେ, ମାଧବ ରୂପରେ ଅବତୀର୍ଣ୍ଣ ହେବା ଶ୍ରୀକ୍ଷେତ୍ରରେ ଏକ ବିରଳ ପରମ୍ପରା । ଏଭଳି ପରମ୍ପରା କଦାପି ଦେଖାଯାଏନାହିଁ । ଏହା ଦୁଇ ଭାଗରେ ବିଭକ୍ତ ହୋଇ ଷୋହଳ ଦିନାତ୍ମକ ଯାତ୍ରାର ସମାନ୍ତରାଳ ଭାବରେ ପାଳିତ ହୋଇଥାଏ । ଏହି ଅନନ୍ୟ ପରମ୍ପରା ମାଧ୍ୟମରେ ଶ୍ରୀଜଗନ୍ନାଥ ଚେତନାକୁ ସାଧାରଣ ଭକ୍ତ ବିଶେଷକରି ବୈଷ୍ଣବଙ୍କ ପାଇଁ ରହସ୍ୟମୟ ହୋଇଥିବା ବେଳେ ମହାପ୍ରଭୁଙ୍କ ତତ୍ତ୍ୱ୍ୱକୁ ବୁଝିଥିବା ଲୋକଙ୍କ ପାଇଁ ଅଧିକ ପ୍ରାଞ୍ଜଳ ହୋଇଥାଏ ।

ଏହି ଶାକ୍ତ ଗୁଣ୍ଡିଚା କାଳରେ ପ୍ରଥମ ଆଠଦିନ ଶ୍ରୀମାଧବ ଓ ମା’ଦୁର୍ଗାଙ୍କ ଅପେକ୍ଷାକୃତ କ୍ଷୁଦ୍ର ମୂର୍ତ୍ତି ଖଟୁଲିରେ ଭଦ୍ରାସନରେ ଉପବେଶନ କରି ଏକ ଫୁଟା ଶାଢ଼ୀରେ
ରୁନ୍ଧା ଯାଆନ୍ତି । ମାଧବଙ୍କ ବାମପାଶ୍ୱର୍ରେ ଦୁର୍ଗା ରହି ସମସ୍ତ ନୀତିକାନ୍ତି ପାଳନ ପୂର୍ବକ ମା’ବିମଳାଙ୍କ ଜଗମୋହନରେ ବସିଥାଆନ୍ତି । ଯାତ୍ରାର ଦ୍ୱିତୀୟାର୍ଦ୍ଧ ଅର୍ଥାତ୍ ଶୁକ୍ଳ
ପ୍ରତିପଦାଠାରୁ ମହାନବମୀ ପର୍ଯ୍ୟନ୍ତ ପ୍ରତ୍ୟହ ସେହିଭଳି ରୁନ୍ଧାଯାଇ ରଥାକୃତି ବିମାନରେ ଶ୍ରୀମନ୍ଦିରଠାରୁ ଅଦୂରରେ କଳ୍ପବଟ ଓ ଅଙ୍ଗିରାଶ୍ରମ ପରିସରରେ ଥିବା କାମ୍ୟବଟର ମଧ୍ୟବର୍ତ୍ତି ଅଞ୍ଚଳ ଅର୍ଥାତ୍ ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାଆନ୍ତି ।

ମା’ ନାରାୟଣୀ, ପରମବୈଷ୍ଣବୀ ପ୍ରାୟ ଏକ ହାତ ଉଚ୍ଚତା ବିଶିଷ୍ଟ ପାଷାଣ ପ୍ରତିମା, ଗରୁଡ଼ ବାହନ ଉପରେ ଉପବେଶନ କରିଥିବା କମନୀୟ ବିଗ୍ରହ ଏହିଠାରେ ପ୍ରତ୍ୟହ ପୂଜା ପାଆନ୍ତି । ଶାକ୍ତ ଗୁଣ୍ଡିଚା କାଳରେ ଦୁର୍ଗାମାଧବଙ୍କ ଆଗମନ କାଳରେ ଏହି ଆସ୍ଥାନ ଉଜ୍ଜ୍ୱଳ ହୋଇଉଠେ । ଶ୍ରୀମନ୍ଦିର ସହିତ ଏହି ନବଦିନର ସମ୍ପର୍କ  ସକାଶେ ଏହି ମନ୍ଦିର ମହିମାନ୍ୱିତ ହୋଇଅଛି । ସେହି ଅବଧିରେ ମା’ ବିମଳାଙ୍କ ମନ୍ଦିରରେ ଚାଲିଥିବା ଅବିଦ୍ୟା ପଦ୍ଧତିର ବଳିପୂଜା ପୂଜାର୍ଚ୍ଚନା ଯଥା ଆମିଷ ଭୋଗ ତଥା ବଳି ପ୍ରଭୃତିଠାରୁ ଦୂରେଇ ଯିବା,ଏହି ଯାତ୍ରାର ଅନ୍ୟତମ ଅଭିପ୍ରାୟ ବୋଲି ଅନୁମାନ କରାଯାଏ । ନାରାୟଣୀ ମନ୍ଦିରରେ ଶ୍ରୀ ଦୁର୍ଗାମାଧବଙ୍କୁ ସାତ୍ତ୍ୱିକ ନିୟମରେ ପୂଜାର୍ଚ୍ଚନା କରାଯାଇ ପଣା ଓ ଶୀତଳ ଭୋଗ ତଥା ଚନ୍ଦନ ଲାଗି ଆଦି କରାଯାଏ । ଏଣୁ ଶାରଦୀୟ ପୂଜା ବେଳେ ସର୍ବତ୍ର ଦେବୀଙ୍କର ତାମସିକ ରୀତିରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଦୁର୍ଗାମାଧବଙ୍କର ଏହି ସାତ୍ତ୍ୱିକ ଉପାସନା ଏକ ବିରଳ ପରମ୍ପରା ସୃଷ୍ଟି କରେ ।

ନାରାୟଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଦୁର୍ଗାମାଧବ ଦକ୍ଷିଣୀ ଘରକୁ ଫେରି ଥାଆନ୍ତି । ସେଠାରେ ନୈବେଦ୍ୟ ଓ ବନ୍ଦାପନା ପରେ ଭଣ୍ଡାର ଘର ପିଣ୍ଡାରେ ଆସୀନ
ହୋଇଥାନ୍ତି । ଏହି ଲୀଳା ମହାନବମୀ ପର୍ଯ୍ୟନ୍ତ ଚାଲିବା ପରେ ଦଶହରା ଦିନ ତାଙ୍କର ରଥସଦୃଶ ବିମାନରେ ଜଗନ୍ନାଥବଲ୍ଲଭ ମହାଖଳାକୁ ଯାତ୍ରା କରନ୍ତି । ସେଠାରେ ଶ୍ରୀ ମଦନ ମୋହନ ଓ ଶ୍ରୀରାମକୃଷ୍ଣଙ୍କ ସହିତ ଲାଖବିନ୍ଧା ନୀତିରେ ସଂପୃକ୍ତ ହୁଅନ୍ତି । ଶେଷରେ ଶ୍ରୀମନ୍ଦିରକୁ ଫେରିବା ପରେ ରୁନ୍ଧା ଫିଟାଯାଇ ମାଧବ ରତ୍ନସିଂହାସନ ଓ ଦୁର୍ଗା ମାଧବ ଭଣ୍ଡାରରେ ସ୍ଥାନିତ ହୁଅନ୍ତି ।

ମା’ ଦୁର୍ଗା ସମସ୍ତ ଭକ୍ତଙ୍କ ଦୁର୍ଗତି ନାଶ କରି ଦୁର୍ଗତିନାଶିନୀ ନାମ ବହିଛନ୍ତି ଏବଂ ମାଧବ ଭକ୍ତଜନଙ୍କୁ ପରମ ଆନନ୍ଦ ପ୍ରଦାନ କରି ପରମାନନ୍ଦ ଭାବରେ ପୂଜିତ । ଉକ୍ତ ଦୁଇ ରୂପର ଦର୍ଶନରେ ଦିବ୍ୟାନୁଭବ ପ୍ରାପ୍ତ ହୋଇଥାଏ । ଦୁର୍ଗାମାଧବ ଉପାସନାରେ ଏହି ବୈଚିତ୍ରମୟ ଲୀଳା ଶ୍ରୀକ୍ଷେତ୍ରର ବୈଷ୍ଣବ ଓ ଶାକ୍ତ ପରମ୍ପରାର ବୌଦ୍ଧିକ ସମ୍ପର୍କକୁ ପ୍ରମାଣିତ କରେ ।

କୁଣ୍ଢେଇବେଣ୍ଟ ସାହି,
ପୁରୀ
ମୋ: ୯୪୩୭୧୬୬୩୬୯

Leave A Reply

Your email address will not be published.