Latest Odisha News

BREAKING NEWS

ଭକ୍ତଙ୍କୁ ବାଧକ ହେଉନି ଲକ୍‌ଡାଉନ୍‌; ୬୦ କିଲୋମିଟର ଆସି ମହାପ୍ରଭୁଙ୍କୁ ଦେଉଛନ୍ତି ତୁଳସୀ !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନାରେ ତୁଳସୀ ଏକ ଅପରିହାର୍ଯ୍ୟ ଦ୍ରବ୍ୟ । ସମସ୍ତ ପୁଷ୍ପ ଅପେକ୍ଷା ତୁଳସୀ ପ୍ରତି ଶ୍ରୀଜଗନ୍ନାଥଙ୍କର ଶ୍ରଦ୍ଧା ଅଧିକ ମାତ୍ରାରେ ରହିଥାଏ । ଦୈନିକ ଭକ୍ତମାନେ ବିଭିନ୍ନ ସ୍ଥାନରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଯୋଗାଇଦେଇ ଥାଆନ୍ତି । ଏବେ ଲକ୍‌ଡାଉନ୍ ଯୋଗୁଁ ପୁରୀ ଶ୍ରୀମନ୍ଦିରକୁ ପୂର୍ବରୁ ଯେତେମାତ୍ରାରେ ତୁଳସୀ ଆସିବା କଥା ତାହା ହୋଇପାରୁନାହିଁ । ମାତ୍ର ଏହି ଲକ୍‌ଡ଼ାଉନରେ ମଧ୍ୟ ଭୁବନେଶ୍ୱରରୁ ପୁରୀ ଦୀର୍ଘ ୫୯ କିଲୋମିଟର ସହ ସମୁଦାୟ ୬୫ କିଲୋମିଟର ଅତିକ୍ରମ କରି ଜଣେ ଭକ୍ତ ମହାପ୍ରଭୁଙ୍କୁ ତୁଳସୀ ଯୋଗାଇଦେଉଛନ୍ତି ।

ଭୁବନେଶ୍ୱର ଗାଡ଼କଣ ଅଞ୍ଚଳର ରାମ ଶରଣ ଦାସଜୀ ମହାରାଜ ସେଠାକାର ହନୁମାନ ମନ୍ଦିରରୁ ୩୦ ବର୍ଷରୁ ଅଧିକ ବର୍ଷ ହେଲାଣି ପ୍ରତିଦିନ ତୁଳସୀ ନେଇ ପୁରୀ ଯାଇଥାଆନ୍ତି । ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ଲାଗି ତୁଳସୀ ଯୋଗାଇଦେଇ ଥାଆନ୍ତି । କରୋନା ମହାମାରୀ ଯୋଗୁଁ ବାବାଜୀ ତୁଳସୀ ଯୋଗାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେ ପୂର୍ବରୁ ସ୍କୁଟର ମାଧ୍ୟମରେ ପୁରୀକୁ ଆସି ତୁଳସୀ ଯୋଗାଇ ଦେଉଥିଲେ । ମାତ୍ର ଲକ୍‌ଡ଼ାଉନ ସମୟରେ ସେ ଏକ କାର୍ ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲାଗି ଦୈନିକ ତୁଳସୀ ଆଣୁଛନ୍ତି ।

ଭକ୍ତ ରାମ ଶରଣ ଦାସଜୀ ମହାରାଜ ପ୍ରତିବର୍ଷ ରଥଯାତ୍ରା ସମୟରେ ଦାସିଆ ବାଉରୀ ମଠରୁ ତୁଳସୀ ଆଣି ଶ୍ରୀମନ୍ଦିରରେ ଦିଅନ୍ତି । ରଥରେ ମହାପ୍ରଭୁ ବିଜେ କରିବା ପରେ ଏହି ତୁଳସୀ ମହାପ୍ରଭୁଙ୍କୁ ଲାଗି କରାହୋଇଥାଏ ।

ଏବେ ଲକ୍‌ଡାଉନ ସାରା ରାଜ୍ୟରେ ଚାଲିଥିବା ବେଳେ ପ୍ରଶାସନର ଅନୁମତି ପ୍ରାପ୍ତ ହୋଇ ଏହି ଭକ୍ତ ଜଣକ ମହାପ୍ରଭୁଙ୍କ ଲାଗି ଦୈନିକ ତୁଳସୀ ଯୋଗାଇ ପାରୁଛନ୍ତି । ଏହି ଭକ୍ତଙ୍କ ଏହିପରି ଅତୁଳନୀୟ ଭକ୍ତିଭାବନାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।

Leave A Reply

Your email address will not be published.