Latest Odisha News

୨୧ ଜୁନରେ ବିରଳ ବଳୟ ପରାଗ

ଜୁନ ୨୧ ତାରିଖ । ଉତ୍ତର ଭାରତ ଆକାଶରେ ଦେଖାଯିବ ବଳୟ ସୂର୍ଯ୍ୟ ପରାଗ । ସକାଳ ୧୦ଟା ପରେ ସୂର‌୍ୟ୍ୟ ଧୀରେ ଧୀରେ ଛାଇରେ ଲୁଚିବା ଆରମ୍ଭ କରିବ, ହେଲେ ପୁରା ଲୁଚିଯିବନି । ମୁଣ୍ଡ ଉପରକୁ ଆସିବା ବେଳକୁ ସୂର୍ଯ୍ୟର ମଝି ଅଂଶଟିକୁ ଚନ୍ଦ୍ରର ଛାଇ ଘୋଡେଇ ଦେବ । ଆକାଶରେ ସୂର‌୍ୟ୍ୟ ଦେଖାଯିବ ଏକ ଆଲୋକ ବଳୟ ଭଳି । ଗତବର୍ଷ ଡିସେମ୍ବରରେ ଦକ୍ଷିଣ ଭାରତ ଆକାଶରେ ଏକ ବଳୟ ପରାଗ ଦେଖିବାକୁ ମିଳିଥିଲା । ଏ ବର୍ଷ ୨୧ ଜୁନରେ ଉତ୍ତର ଭାରତ ଆକାଶରେ ଦେଖିବାକୁ ମିଳିବ ଏହି ବଳୟ ପରାଗ । ଏହାପରେ ପୁଣି ଥରେ ୨୦୩୧ ମେ ମାସରେ ଦକ୍ଷିଣ ଭାରତକୁ ଦୃଶ୍ୟମାନ ହେବ ବଳୟ ପରାଗ । ଏଥିପାଇଁ ୧୧ବର୍ଷ ଅପେକ୍ଷା କରିବାକୁ ପଡିବ । ତେଣୁ ଆକାଶ ବିଜ୍ଞାନୀ, ଛାତ୍ରଛାତ୍ରୀ, ଅନୁସନ୍ଧିତ୍ସୁ, ବିଜ୍ଞାନପ୍ରତି ଆଗ୍ରହୀ ଏବଂ ବୈଜ୍ଞାନିକ ମନୋବୃତ୍ତି ଥିବା ସମସ୍ତଙ୍କ ପାଇଁ ଏଥର ବଳୟ ପରାଗ ଏକ ନୂଆ ଅନୁଭବ ଆଣିବ ।

ପୃଥିବୀରେ କେଉଁଠି ଆରମ୍ଭ, କେଉଁଠି ଶେଷ

ଜୁନ ୨୧ ବଳୟ ପରାଗ ପ୍ରଥମେ ଆଫ୍ରିକାର କଙ୍ଗୋରେ ଦେଖାଯିବ । ସକାଳ ସୂର୍ଯ୍ୟ ଉଦୟ ହେବାର ମାତ୍ର କିଛି ମିନିଟ ଭିତରେ ସ୍ଥାନୀୟ ସମୟ ସକାଳ ପ୍ରାୟ ୫.୪୮ବେଳକୁ ଏହା ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁଯାୟୀ ସେତେବେଳେ ହୋଇଥିବ ସକାଳ ୯.୧୮ । ୧ମିନିଟରୁ ଅଧିକ ସମୟ ଆକାଶରେ ଦେଖାଯିବ ସୂର୍ଯ୍ୟ ବଳୟ ବା ରିଙ୍ଗ ଅଫ ଫାୟାର ।

ଚନ୍ଦ୍ରଙ୍କ ଛାଇ ଭିତରେ ଥାଇ ସୂର୍ଯ୍ୟ ଗତି କରିବା ସହ ଆଫ୍ରିକାର ସୁଦାନ, ଇଥିଓପିଆ, ୟେମେନ, ସାଉଦିଆରବ, ଓମାନ ପରେ ପାକିସ୍ତାନର ବାଲୋଚିସ୍ତାନରେ ଦେଖାଯିବ ବଳୟ ପରାଗ । ତେବେ ଧୀରେ ଧୀରେ ବଳୟ ପରାଗର ଅବଧି କମି କମି ଆସିବ । ସୂର୍ଯ୍ୟ ଚନ୍ଦ୍ରଙ୍କ ଅଣ୍ଡାଳିଆ ଛାଇ ଭିତରେ ଥିବା ବେଳେ ଅଧିକ ସମୟ ବଳୟ ପରାଗ ଦେଖାଯିବ । ଭାରତରେ ରାଜସ୍ଥାନର ଘର୍ସାନାରେ ଭାରତୀୟ ସମୟ ଦିନ ୧୧.୫୦ବେଳକୁ ଦେଖାଯିବ ବଳୟ ପରାଗର ସେହି ଚମତ୍କାରୀ ଦୃଶ୍ୟ । ମଧ୍ୟାହ୍ନ ବେଳକୁ ଚନ୍ଦ୍ରଙ୍କ ଛାଇ ଗୋଲାକାର ହୋଇଥିବ । ରାଜସ୍ଥାନ ଆକାଶରେ ବଳୟ ପରାଗ ୨୪ସେକେଣ୍ଡ ପାଇଁ ଦେଖାଯିବ । ରାଜସ୍ଥାନ ପରେ ହରିୟାଣା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଦେଖାଯିବ ବଳୟ ପରାଗ ।

ଉତ୍ତରାଖଣ୍ଡ ଡେରାଡୁନରେ ମାତ୍ର ୯ସେକେଣ୍ଡ ପାଇଁ ବଳୟ ପରାଗ ଦୃଶ୍ୟମାନ ହେବ । ଏହାପରେ ଚନ୍ଦ୍ରଙ୍କ ଛାଇ ପୁଣି ଅଣ୍ଡାଳିଆ ହେବ ତେଣୁ ବଳୟ ପରାଗ ଅବଧି ବଢିବ । ଭାରତର ଶେଷ ଅଞ୍ଚଳ ଭାବରେ ଉତ୍ତରପ୍ରଦେଶର ମୁନସିୟାରୀରେ ସର୍ବାଧିକ ୩୧ ସେକେଣ୍ଡ ପାଇଁ ବଳୟ ପରାଗ ଦେଖାଯିବ । ଏହାପରେ ଚୀନ ଏବଂ ତାଇବାନରେ ଦେଖାଯିବ । ଚୀନରେ ୪୦ ସେକେଣ୍ଡ ଏବଂ ତାଇବାନରେ ୫୦ ସେକେଣ୍ଡ ଦେଖାଯିବ ବଳୟ ପରାଗ । ଶେଷରେ ସ୍ଥାନୀୟ ସୂର୍ଯ୍ୟାସ୍ତ ସହ ପ୍ରଶାନ୍ତ ମହାସାଗରରେ ଥିବା ଗୁଆମ ଦ୍ୱୀପ ପାଖରେ ଶେଷ ହେବ ବଳୟ ପରାଗ । ଏଠି ବଳୟ ପରାଗର ଅବଧି ୪୯ସେକେଣ୍ଡ ହେବ ।

ସେତେବେଳକୁ ଭାରତୀୟ ସମୟରେ ପ୍ରାୟ ଦିନ ୨.୩୦ଟା ହୋଇଥିବ । ଉତ୍ତର ଆଟଲାଣ୍ଟିକ ମହାସାଗରରୁ ଆରମ୍ଭ ହୋଇଥିବା ଏହି ସୂର୍ଯ୍ୟପରାଗ ପ୍ରଶାନ୍ତ ମହାସାଗରରେ ଶେଷ ହେବ ।

Leave A Reply

Your email address will not be published.