Latest Odisha News

BREAKING NEWS

ଏପ୍ରିଲ୍ ୯ରୁ ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ

ଭୁବନେଶ୍ୱର: ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆସନ୍ତା ଗୁରୁବାର ଠାରୁ ସମସ୍ତ ବ୍ୟକ୍ତିଙ୍କ ପାଇଁ ଘରୁ ବାହାରିବା ମାତ୍ରେ କୌଣସି ବି ଉପଲବ୍ଧ ମାସ୍କ ପିନ୍ଧିବା ଜରୁରୀ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଲୋକେ କୌଣସି ଜରୁରୀ କାମ ପାଇଁ ଘରୁ ବାହାରିଲେ ମାସ୍କ କିମ୍ବା ଅତି କମ୍‌ରେ ଦୁଇ ଲେୟର ବା ପରସ୍ତ କରି ରୁମାଲ୍ କିମ୍ବା ଅନ୍ୟ କୌଣସି କପଡା ବ୍ୟବହାର କରିପାରିବେ ବୋଲି ଏହି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ।

ଏହି ନିୟମ ଏପ୍ରିଲ୍ ୯ ତାରିଖ, ଗୁରୁବାର ସକାଳ ୭ ଟା ଠାରୁ ଲାଗୁ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଓ ପୌର ପ୍ରଶାସନ ଗୁଡିକୁ ଜନଗହଳିକୁ ରୋକିବା ସହିତ ଘରୁ ବାହାରିବା ବେଳେ ସମସ୍ତେ ଯେପରି ମାସ୍କ ବା କପଡାରେ ମୁହଁ ଓ ନାକ ଘୋଡାଇ ରଖିବେ ତାହା କଡାକଡି ଭାବେ ନିଶ୍ଚିତ କରିବାକୁ କୁହାଯାଇଛି । ଲୋକେ କୌଣସି ପ୍ରକାର ମାସ୍କ କିମ୍ବା ରୁମାଲ୍‌, ଗାମୁଛା, ଓଢଣୀ ଆଦିକୁ ଦୁଇପରସ୍ତ କରି ଏଥିପାଇଁ ବ୍ୟବହାର କରିପାରିବେ ।

ଥରେ ବ୍ୟବହାର ହେଉଥିବା ମାସ୍କକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସୂଚିତ ନିୟମାବଳୀ ଅନୁଯାୟୀ ନଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି । ସେହିଭଳି କପଡା ମାସ୍କକୁ ଭଲଭାବେ ଡିଟରଜେଣ୍ଟ ବା ସାବୁନ୍‌ରେ ଧୋଇ ପାଂଚ ଘଣ୍ଟା ଖରାରେ ଶୁଖାଇବା ପରେ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି । ଜଣଙ୍କ ଦ୍ୱାରା ବ୍ୟବହୃତ ମାସ୍କ ଅନ୍ୟ କେହି ବ୍ୟବହାର ନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.