Latest Odisha News

BREAKING NEWS

ବିଶ୍ୱ ପଖାଳ ଦିବସ: ପଖାଳର ଅଦ୍ଭୁତ ଉପକାରିତା ସମ୍ପର୍କରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ପଖାଳ ଦିବସ । କି ଧନୀ କି ଗରିବ କୋଟି କୋଟି ଓଡ଼ିଆ ଏହି ପଖାଳ ପ୍ରେମରେ ବାୟା ।ଓଡିଆ ଜାତିର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ଏହି ପଖାଳ କଂସା ମାୟାରୁ ବାଦ୍ ଯାଇନାହାଁନ୍ତି । ତାଙ୍କ ନିକଟରେ ପରଷା ଯାଉଥିବା ଛପନ ଭୋଗ ମଧ୍ୟରୁ ପଖାଳ ହେଉଛି ଅନ୍ୟତମ । ଏପରିକି ଅନେକ ବିଦେଶୀ ମଧ୍ୟ ଏହି ପଖାଳ ଖାଇ ଏହାର ଭୂରି ଭୂରି ପ୍ରଂଶସା କରିଛନ୍ତି ।

ଓଡ଼ିଆ ଜାତିର ପ୍ରାଣ ଏହି ପଖାଳର ସ୍ୱାସ୍ଥ୍ୟ ଉପଯୋଗୀତାକୁ ମଧ୍ୟ ସ୍ୱୀକାର କରିଛି ବିଜ୍ଞାନ । ବିଶେଷ କରି ଖରାଦିନେ ଏହାକୁ ଖାଇବା ଦ୍ୱାରା ଏହା ଅଂଶୁଘାତ କବଳରୁ ରକ୍ଷା କରୁଥିବା ଡାକ୍ତର ମାନେ ମତ ଦିଅନ୍ତି ।

ଆହୁରୁ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଏହାକୁ ପ୍ରତ୍ୟେହ ଖାଇବା ଦ୍ୱାରା ଶରୀର ପତଳା ହୋଇଥାଏ । କାରଣ ଏଥିରେ ପାଣି ପୁରାଇ ରାତି ସାରା ରଖାଯାଇଥାଏ । ଯେଉଁଥିପାଇଁ ଏଥିରେ ସଦ୍ଵ ରନ୍ଧା ଯାଇଥିବା ଭାତ ତୁଳନାରେ ୬୦ % କମ୍ କ୍ୟାଲୋରୀ ରହିଥାଏ । ପଖାଳ ଗ୍ରୀଷ୍ମ ଦିନରେ ଉତ୍ତାପରୁ ତ୍ରାହି ଦେବା ସହିତ ଭଳ ନିଦ କରିବାରେ ମଧ୍ୟ ସହାୟକ ହୋଇଥାଏ ।

ପଖାଳ ଏକ ପ୍ରାକୃତିକ ଥଣ୍ଡା ଖାଦ୍ୟ ହୋଇଥିବାବେଳେ ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ପ୍ରତ୍ୟେହ ସକାଳେ ପଖାଳ ଖାଇବା ଦ୍ୱାରା ପାକସ୍ଥଳୀ ଜନିତ ରୋଗରୁ ମଧ୍ୟ ଉପଶମ ମିଳିଥାଏ ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି

ସପ୍ତାହରେ ତିନି ଥର ପଖାଳ ଖାଇବା ଦ୍ୱାରା ଅଲଶର ରୋଗ ମଧ୍ୟ ଭଲ ହୋଇଥାଏ । ପଖାଳ ଖାଇଲେ ମୁହଁର ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦେଖାଯାଇଥାଏ ।

ଏବେକା ସମୟରେ ବିଭିନ୍ନ ପଞ୍ଚ ତାରକା ହୋଟେଲ ମାନଙ୍କରେ ଭଳିକି ଭଳି ପଖାଳ ଉପଲବ୍ଧ ହେଉଛି । ଏହିଥିରେ ସେହି ପୁରୁଣା ପାରମ୍ପରିକ ପଖାଳର ବାସ୍ନା ଦେବା ପାଇଁ ହୋଟେଲ ଗୁଡିକ ସର୍ବଦା ପ୍ରୟାସରତ ଥିବା ବେଳେ ତାକୁ ଖାଇ କେତେକ ପୁରୁଖା ଲୋକ କିନ୍ତୁ ଗାଁର ସେଇ ମାଟି ହାଣ୍ଡିରେ ରନ୍ଧା ଯାଇଥିବା ପଖାଳର ବାସ୍ନାକୁ ଏପର୍ଯ୍ୟନ୍ତ ମନରୁ ପାଶୋରି ପାରିନାହାଁନ୍ତି ।

ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ସେହି ପାରମ୍ପରିକ ପଦ୍ଧତିରେ ପଖାଳ:

ରାତିରେ ଭାତକୁ ମାଟି ହାଣ୍ଡିରେ ରନ୍ଧାଯାଇ ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେଥିରେ ପାଣି ପୁରାଯାଏ । ସକାଳେ ଏହା ବାସିହୋଇ ଏଥିରେ ଯୋଉ ବାସ୍ନା ଯୋଡ଼ିହୋଇଯାଏ ତାହା ସତରେ ନିଆରା । ତା ସାଙ୍ଗକୁ ବଡ଼ି ଚୁରା, ବାଇଗଣ ଭର୍ତ୍ତା, ଆଳୁ ଭର୍ତ୍ତା, ଶାଗ ଭଜା, ମାଛ ଭଜା, ଦହି, କାକୁଡ଼ି ଏବଂ ଆହୁରି ଅନେକ ତାର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ ।

Leave A Reply

Your email address will not be published.