Latest Odisha News

BREAKING NEWS

କବିତା: ମହିଷାମର୍ଦ୍ଦିନୀ ଓ ବର୍ତ୍ତମାନ

ସଞ୍ଜିତା ପ୍ରଧାନ 

ନାରୀ ଶକ୍ତି ରୂପେ ମହିଷାମର୍ଦ୍ଦିନୀ                                       
ଆସ ମା’ ଗୋ ଧରା ଧାମେ
ସହସ୍ର ଅସୁର ଉତ୍ପାତରେ ଆଜ
ନାରୀ ସୁପ୍ତ ତା’ର ନାମେ ।

ମିଛ ପ୍ରହସନେ ପ୍ରତାରିତ ହୁଏ
ଛଳନା ର ମାୟା ଜାଳେ
କ୍ଷୁର୍ଣ୍ଣ ହୁଏ ତା’ର ମାନ ଓ ସମ୍ମାନ
କଳି ଅସୁର କବଳେ ।

ଦୁର୍ନୀତି ବଢ଼ଇ ଦିନପ୍ରତିଦିନ
ପ୍ରଲୋଭିତ ସେ ଅସୁର
ନାରୀ ମାଂସ ଗନ୍ଧ ଟାଣୁଥାଏ ତାକୁ
ମନ ହୁଏ ତା’ ଆତୁର ।

କ୍ଷିପ୍ତ ଶ୍ୱାନ ରୂପେ ମାନବ ଦାନବ
ରଚୁଛନ୍ତି ଲୀଳା ଖେଳା
ତାଙ୍କରି ସମାପ୍ତି ପାଇଁ ତୁମେ ଲୋଡ଼ା
ଆସିଅଛି ଶୁଭ ବେଳା ।

ଏହି ଅସୁରର ଭିନ୍ନ ଭିନ୍ନ ରୂପ
ସହଜେ ଜଣା ନ ଯାଏ
ନୀରିହ ରୂପରେ ବିଶ୍ଵାସ ଜିତଇ
ପୁଣି ରୂପ ବଦଳାଏ ।

ଦଶ ଭୁଜା ମାତା ଉଗ୍ରରୂପ ଧରି
ହେଉ ତୁମ ଆଗମନ
ମାନବ ହୃଦୟୁ ଅସୁର ରୂପକୁ
କର ଚିର ଅବସାନ ।

ମିଥ୍ୟା ପୂଜାବିଧି କରି କିସ ଲାଭ
ମନରେ ଯଦି କାମନା
ନାରୀ ର ସମ୍ମାନ ହୃଦୟରେ ନାହିଁ
କାହିଁକି ମିଛ ଛଳନା ?

ବର୍ତ୍ତମାନ ସ୍ଥିତି ତୁମ ଉପସ୍ଥିତି
ଚାହେଁ ଏହି ନାରୀ ଜାତି
ଶରୀରେ ସଞ୍ଚାର ତୁମରି ଶକତି
ଦୂର ହେଉ ସବୁ ଭୀତି ।

ଦୁର୍ଗତି ନାଶିନୀ ମହିଷାମର୍ଦ୍ଦିନୀ
ଡାକଦିଏ ବର୍ତ୍ତମାନ
ଅତୀତ କାହାଣୀ ପୁରାଣ ପୋଥିରୁ
ଆସି ହୁଅ ବିଦ୍ୟମାନ ।

ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟ, ଲେଫ୍ରିପଡ଼ା , ସୁନ୍ଦରଗଡ଼

Leave A Reply

Your email address will not be published.