ସୁପ୍ରିୟା ପଣ୍ଡା
ଆଉ ଅଳ୍ପ କିଛି କ୍ଷଣ ବାକି ଅଛି
ନିଷ୍ପ୍ରଭ ଆଲୁଅର ପଥ ,
ବନ୍ଦ କୋଠରୀରୁ ଶୁଭେ ନାହିଁ ଶବ୍ଦ
ବାହାରେ ସବୁ ଚିକଚାକ ଛବି ।
କିଛି ନୁଆ ନୁହେଁ ସେଇ ନିତିଦିନ
ଆଖି ଠାର ମିଲନର ପର୍ବ
ଆତ୍ମା ଖାଲି କବଳିତ ହୁଏ
ଅଧରର ପାଖୁଡ଼ା ମେଳରେ
ଅବଶ୍ୟ ଏଇଟା ବି ଠିକ
ଲୁଣ୍ଠିତ ତ ନୁହେଁ , ସାଜିବାକୁ ହୁଏ ନାହିଁ
ଆଉ କେଉଁ ପୃଷ୍ଠା ,
ଛାତି ତଳ ବିଳାପ ହିଁ ଯଥେଷ୍ଟ ।
ଠିକ ପୂର୍ବରୁ ଟିକେ ସୂକ୍ଷ୍ମ ପ୍ରସାଧନ
ନିର୍ଲଜିଆ ହସ , ଚତୁର ଚାହାଣୀ
ସବୁ ଠିକଠାକ ଦରଦାମ ପରି
ପଛେ ଆଉ ଅରଞ୍ଝାଲ ନାହିଁ।
କେତେ ଆଉ ବାକି ଅଛି ମନ,
ଦେଖିବାକୁ ସମୟ ବି ନାହିଁ ,
ଛାତି ଆଉ ଦପ ଦପ କରୁ ନାହିଁ
କେହି ଆଉ ଆଗନ୍ତୁକ ନୁହେଁ।
ଉତଶୃଙ୍ଖଳ ନୁହେଁ ଆଉ ଡେଣା
କେବେ ଠାରୁ ନିଡ଼ ବାନ୍ଧିଲାଣି
ଭୁଲିଗଲା ଉଡ଼ିବାର ସୁଖ
ଦୋହଳିତ ବିହଙ୍ଗ ଜୀବନ ।
କେବେ କେବେ ପ୍ରଶ୍ନ କୁହେଳିକା
ଆଗତର ସ୍ବପ୍ନ ପୁଣି କଣ ?
ବଳ ବପୁ ଥିବା ଯାଏ ରାଣୀ
ରାଜା ରଙ୍କ ନାହିଁ ବ୍ୟବଧାନ ।
ଗଣିବାରେ ନାହିଁ କେବେ ବେଳ
କଣ ଆଉ ବ୍ୟଥା ଦିଏ ମନେ ?
ବାରମ୍ବାର ଦଂଶନର କ୍ଷତ
ଜର୍ଜରିତ ହୃଦୟ ର ସ୍ଵନ ।
ଶୁଭେ ନାହିଁ ଆର୍ତ୍ତନାଦ ଆଉ
ଲୁହତକ ପିଇବାରେ ସିନା ,
ନିରଙ୍କୁଶ ଦୀର୍ଘମୟ ରାସ୍ତା
ସବୁକିଛି ପାରିବାର ପଣ।
ଆତ୍ମବଳି ନୀତିଦିନ ତାର
ଆଶ୍ରାବ୍ୟ ସେ କୋକେଇର ଶବ୍ଦ
ପୁଣିଥରେ ଅପେକ୍ଷାର ରାତି
ଯମପୁରୁ ଫେରିବାର ଦୁଃଖ ।
ଯେତେ ଥର ବାଢ଼ି ଦିଏ ତାକୁ
ଆତ୍ମା ଟିକେ ଘୁଞ୍ଚି ଘୁଞ୍ଚି ଯାଏ !
ଅଳ୍ପବାଟ ପ୍ରିୟତମ ବାସ
ଦୁର୍ବାର ସେ ଅବିଶ୍ରାନ୍ତ ଚେଷ୍ଟା ।
କେହି କେବେ ଦେଖିପାରେ ନାହିଁ
ସଳିତାର ଦପ ଦପ ଶିଖା ,
ଆଘ୍ରାଣେ ବି ଜାଣି ହୁଏ ନାହିଁ
ସୁଗନ୍ଧରେ କେତେ ଭକ୍ତି ଭାବ ।
ଯେତେ ଫୁଲ ଥାଉ କବରୀରେ
ଗୋଟେ ଅଛି ନିଭୃତ କୋଣରେ,
ସଞ୍ଜଦୀପ ଜାଳିପାରେ ନାହିଁ
ମନ କିନ୍ତୁ ଥାଏ ବୃନ୍ଦାବନେ ।
ରସୁଲଗଡ଼ ଭୁବନେଶ୍ୱର
Comments are closed.