ମନୋରମା ସାହୁ
(୧)
ବାଦଲ ଯେଉଁଦିନ ଚାକିରି ପାଇଲା,ସେଦିନ ବାପା ନୀଳକଣ୍ଠଙ୍କର ଛାତି ଖୁସିରେ କୁଣ୍ଢେମୋଟ ହୋଇଗଲା।ଯା’ହେଉ ତାଙ୍କ ପୁଅକୁ ଶେଷରେ ଭଗବାନ ଦୟା କଲେ।ମାଷ୍ଟର ଚାକିରି।ଲକେତେ ଲୋକ ତାଙ୍କ ପୁଅକୁ ନମସ୍କାର କରିବେ।ଭାରି ଇଜ୍ଜତବାଲା ଚାକିରିଟାଏ। ସମ୍ମାନ ସହିତ ପଇସା।ତାଙ୍କୁ ଆଉ ଦୁଆର ଦୁଆର ବୁଲି ମୁଢି ବିକ୍ରି କରିବାକୁ ପଡିବ ନାହିଁ। ଆଉ ଅଭାବ ରହିବ ନାହିଁ।
ସ୍ତ୍ରୀଙ୍କୁ କହିଲେ,”ବୁଝିଲୁ ଦିଲୁବୋଉ ତୁ ଏଥର ଅୟସ କରିବୁ। ପୁଅ ଚାକିରି କଲାଣି। ତୋର ଆଉ ଦୁଃଖ କ’ଣ।”
ନଳିନୀ ଚିରା ପଣତରେ ମୁହଁ ପୋଛୁପୋଛୁ ହସିହସି କହିଲେ॥,”ହଁ ପୁଅଟି ଯେମିତି ଏକା ମୋର।”
ବାଦଲ ଚାକିରି ପାଇବାର ୟା ଭିତରେ ଆଠମାସ ହୋଇଗଲାଣି। ନୀଳକଣ୍ଠ ଜାଣି ପାରନ୍ତିନି କ’ଣ ପରିବର୍ତ୍ତନ ହେଉଛି।
ସେ ଆଗଭଳି ମୁଢି ବିକିବାକୁ ଯାଉଛନ୍ତି। ନଳିନୀଙ୍କର ଚିରା ପଣତ ଆହୁରି ଚିରି ଯାଉଛି। ଦିଲୁ ଆଗଭଳି ଧନ୍ଦି ହେଉଛି। ଏଠିସେଠି ଟିଉସନ୍ କରୁଛି।
ତାଙ୍କ ଗାଁ ଦୀନବନ୍ଧୁ ମାଷ୍ଟ୍ରଙ୍କର ତ ଗାଡି,କୋଠା,ଜାଗା ବାଡି କାହିଁରେ କ’ଣ। ସେ ବି ପୁଅଠାରୁ କମ୍ ପାଠ ପଢିଛନ୍ତି। କିଛି ବୁଝି ପାରୁନଥିଲେ ନୀଳକଣ୍ଠ।
ସେଦିନ ପାନଦୋକାନୀ ନରିଆ କହୁଥିଲା,”ତମ ପୁଅ କ’ଣ ରେଗୁଲାର ଶିକ୍ଷକ କି। ସେ ପରା ବ୍ଲକଗ୍ରାଣ୍ଟ ଶିକ୍ଷକ।ଗଧଭଳି ଖଟିବେ,କିନ୍ତୁ ଦରମା କମ୍।
ନୀଲକଣ୍ଠ ବୋକାଙ୍କ ଭଳି ଚାହିଁଥିଲେ। ଶିକ୍ଷକ ତ ଶିକ୍ଷକ,ପୁଣି ବ୍ଲକଗ୍ରାଣ୍ଟ୍ ଶିକ୍ଷକ କଣ!
“ଆରେ ତୁମେ ଶୁଣିନକି? ଆଉ କ’ଣ ଆଗଭଳି ବ୍ୟବସ୍ଥା ଅଛି? ଏବେ ପରା ଶିକ୍ଷକମାନେ ବିଭିନ୍ନ ଭାଗରେ ବିଭକ୍ତ।ରେଗୁଲାର ଶିକ୍ଷକ,ବ୍ଲକଗ୍ରାଣ୍ଟ ଶିକ୍ଷକ,ଗଣଶିକ୍ଷକ,ପାରା ଶିକ୍ଷକ,ଶିକ୍ଷା ସହାୟକ,ଏମିତି ଏମିତି କେତେ କ’ଣ।
ନୀଳକଣ୍ଠ ଭାବୁଥିଲେ ଦିଲୁ ଯେତେବେଳେ ଏମ.ଏ.ବିଏଡ୍.ଯାଏଁ ପଢିଲା,ସେତେବେଳେ ସେ ଏମିତି ବିଭାଗୀକରଣ କରି ଟଙ୍କା ଖର୍ଚ୍ଚ କରିନଥିଲେ ତ!
(୨)
ଦିଲୁ କହୁଥିଲା ଆଜି ସେ ଭୁବନେଶ୍ୱର ଯିବ। ତାରି ପରି ଆଉ ଶହଶହ ମାଷ୍ଟର ମଧ୍ୟ ଯିବେ। କ’ଣ ଦରମା ବଢିବ ବୋଲି କହୁଥିଲା।ଚାକିରି ବି କ’ଣ ଆଉ ପ୍ରକାରେ ହେବ। ହେଉ ଭଗବାନ ଦୟା କରନ୍ତୁ। ଯୋଉଥିପାଇଁ ଯାଉଛି,ସେ କାମଟା ହୋଇଯାଉ। ପିଲାଟା ଅନେକ କଷ୍ଟ ସହିଛି। ଆଉ ତାକୁ ଦୁଃଖ ଦିଅନି ପ୍ରଭୁ। ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ ନୀଳକଣ୍ଠ।
ଦିଲୁ ଦୁଇଦିନ ହେଲା ଗଲାଣି। ଘରେ ଦି ପ୍ରାଣୀଯାକ ବର୍ଷାକୁ ଚାତକ ଚାହିଁଲା ଭଳି ଚାହିଁ ବସିଛନ୍ତି। ଖାଇବା ପିଇବାର ଠିକ ଠିକଣା ନାହିଁ।
ଦାଣ୍ଡରେ ପାଟି ଶୁଭୁଛି ନା କ’ଣ। କବାଟ ଖୋଲି ନୀଳକଣ୍ଠ ଦେଖିଲେ,ବାହାରେ ଅପରିଚିତ ଲୋକ ଦୁଇଜଣ ଠିଆ ହୋଇଛନ୍ତି।ନୀଳକଣ୍ଠଙ୍କୁ ସେମାନେ ନମସ୍କାର କଲେ ଓ ସେ କିଛି ପଚାରିବା ପୂର୍ବରୁ କହିଲେ,”ମଉସା,ଆମ ସହିତ ଶୀଘ୍ର ଭୁବନେଶ୍ୱର ଚାଲନ୍ତୁ। ବାଦଲ ସାର୍ ବର୍ତ୍ତମାନ ଡାକ୍ତରଖାନାରେ।ସରକାର ଆମର ଦାବି ମାନିଲେନି। ପନ୍ଦର ଦିନ ହେଲା ଶୀତ କାକରରେ ପଡିପଡି ଆମେ ଆଉ କେତେ ସହିଥାନ୍ତୁ?
ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଥିଲୁ ଦୁଃଖ ଜଣାଇବା ପାଇଁ।ପୋଲିସ ଛାଡିଲେନି। ମନଇଚ୍ଛା ପିଟିଲେ। ପ୍ରାୟ ସମସ୍ତେ ରକ୍ତାକ୍ତ ହୋଇଛନ୍ତି।ବାଦଲ ସାରଙ୍କ ନାକଟା ଫାଟିଯାଇ ଗୋଟେପଟ ପୂରା ଓହଳି ପଡିଛି। ଅନ୍ୟମାନେ ତାଙ୍କୁ ହସପିଟାଲ ନେଇଛନ୍ତି। ଆମେ ଆପଣଙ୍କ ପାଖକୁ ଆସିଛୁ।ଶୀଘ୍ର ବାହାରନ୍ତୁ।”
ନୀଳକଣ୍ଠଙ୍କ ଆଖିରେ ଦିଶି ଯାଉଥିଲା ବାଦଲ ଚାକିରି ପାଇବାର ଖବର ପ୍ରଥମେ ଶୁଣିବାର ଦିନ।ତାଙ୍କ ପାଖରେ ଯାହା ପଇସା ଥିଲା,ସେ ସେଦିନ ଗାଁ ଲୋକଙ୍କୁ ମିଠା ବାଣ୍ଟିବାରେ ସାରି ଦେଇଥିଲେ।
ଦିଲୁବୋଉ ମାଟି ସରାଗାତରେ ଲୁଚାଇ କରି ସଞ୍ଚିଥିବା ରେଜା ପଇସାବି ସେଥିରୁ ବାଦ ପଡିନଥିଲା।
“ପୁଅ ଚାକିରି କଲାଣି।କେତେ ପଇସା ଆଣିବ। ଏଥର ଏଇ ମାଟି ସରାଗାତ ଛାଡି ଟିଣବାକ୍ସଟିଏ କରେ।” ମଜା କରୁଥିଲେ ନୀଳକଣ୍ଠ।ହସୁଥିଲେ ନଳିନୀ।
ଅଥଚ ଆଜି ସେହି ଚାକିରି ପାଇଁ ମରଣ ସହ ଲଢେଇ କରୁଛି। ଗରିବର ସ୍ୱପ୍ନ ଦେଖିବା ମନା। ସେ ଅମାନିଆ ହୋଇ ସ୍ୱପ୍ନ ଗଡାଏ ଦେଖୁଥିଲେ ଯେ ତାହାଁ ତାହା ସତ ହୋଇଥାନ୍ତା କେମିତି!ଧୁ ଧୁ ମରୁଭୂମିରେ ଜଳ ଦେଖି ସେ ଶୋଷ ମେଣ୍ଟାଇବା ପାଇଁ ଆଗେଇ ଯାଉଥିଲେ। ସେ କଣ ଜାଣିଥିଲେ ତାହା ଜଳ ନଥିଲା,ମରୀଚିକା ଥିଲା ବୋଲି!
ମଇଳା ନାଲି ଗାମୁଛାରେ ଆଖି ପୋଛି ଉଠିଲେ ନୀଳକଣ୍ଠ। ପୁଅର ପାଠପଢା ଓ ଚାକିରି ପାଇବା ଭିତରେ ଯାହା ଯେଉଁଠି ଥିଲା,ବିକି ଭାଙ୍ଗି ସବୁ ସରିଛି। ଅଛି କେବଳ ଏଇ କୁଡିଆ ଖଣ୍ଡିକ।
ପୁଅ ପାଇଁ ସବୁକିଛି। ଦିଲୁର ଯଦି କିଛି ହେଇଯାଏ, ସେ ଦୁଇ ପ୍ରାଣୀ ଆଉ ବଞ୍ଚିବେ ନା ଏ ଘରେ ରହିବେ। ଘରଟିକୁ ବନ୍ଧା ପକାଇବା କଥା ଭାବିଭାବି ଆଗକୁ ପାଦ ବଢାଇଲେ ନୀଳକଣ୍ଠ।
ନଳିନୀଙ୍କ କାନ୍ଦ ଘର ଅଗଣା ଡେଇଁ ସାହି ସାରା ପ୍ରତିଧ୍ୱନିତ ହେଉଥିଲା।
ଶିକ୍ଷୟିତ୍ରୀ, ପାରିଓରଡ,ଖୋର୍ଦ୍ଧା।
୭୭୩୫୦୭୫୦୬୫