Latest Odisha News

BREAKING NEWS

ବ୍ୟଙ୍ଗ : କରୋନା ପଜିଟିଭ

ଆଜି ବୀରବର ବାବୁଙ୍କ ମନ ଭାରି ଦୁଃଖ । ନିର୍ବାଚନ ହାରିଯିବା ପରଠୁ ମନକୁ ଯେନ ତେନ ପ୍ରକାରଣ ବୁଝେଇ ଚୁପ ଚାପ ଘରେ ରହିଥିଲେ । ଦିନେ ତାଙ୍କ ଆଖ ପାଖରେ ଭଣୁଆ ମାଛି ଭଳି ଘେରି ରହୁଥିବା ଚାଟୁକାରମାନଙ୍କ ଆଉ ଦେଖା ନାହିଁ । କାଁ ଭାଁ କିଏ କେମିତି କାମ ପଡିଲେ ଆସି ତାଙ୍କୁ ମୁଣ୍ଡିଆଟିଏ ପକଉଛନ୍ତି । ଦିନେ ସବୁ ଖବରକାଗଜ ନିଉଜ ଚ୍ୟାନେଲର ମୁଖ୍ୟ ପ୍ରସଙ୍ଗରେ ଭାଗ ନେଉଥିବା ବୀରବର ବାବୁଙ୍କ ମୁହଁ ଆଉ କେଉଁଠି ବି ଦେଖିବାକୁ ମିଳୁନି । ନେତାଙ୍କ ଏହି ଅସୁବିଧା । ନଖାଇ ପଛେ ମରିଯିବେ କିନ୍ତୁ ଦିନକୁ ଦୁଇଥର କାନରେ ନିଜ ଜିନ୍ଦାବାଦ କି ବେକରେ ଗେଣ୍ଡୁ ହାର ନପଡିଲେ ଜୀବନ ଥାଇ ବି ମୃତପ୍ରାୟ ଲାଗେ ।

ଏବେ କିନ୍ତୁ ପରିସ୍ଥିତି ଅଲଗା । କରୋନା ଯୋଗୁଁ ଯେତେସବୁ ଦାଦନ ପ୍ରବାସୀ ବାହାରେ ଥିଲେ ସେମାନେ ଏବେ ଗାଁରେ । ଯାହା କିଛି ଟଙ୍କା ପଇସା ପାଖରେ ଥିଲା ସବୁ ସରିଲାଣି । ଏହି ସମୟରେ ଲୋକଙ୍କ ନେତାମାନଙ୍କ କଥା ମନେପଡେ । ରାତି ପାହିଲା ମାତ୍ରେ ବୀରବର ବାବୁଙ୍କ ଘର ସମ୍ନାରେ ଲୋକଙ୍କ ଭିଡ଼ । କାହାକୁ ବିପିଏଲ ଚାଉଳ ଦରକାର ତ କାହାକୁ ଟଙ୍କା ସାହାଯ୍ୟ ଦରକାର । ଏପଟେ ହାତରେ ପାୱାର ନଥିବାରୁ ଗାଁ କୁଜି କଣ୍ଟ୍ରାକ୍ଟର ବି ମୁହଁକୁ ଅନଉନାହିଁ । ନିର୍ବାଚନ ହାରିଲା ପରଠୁ ପାର୍ଟି ତରଫରୁ କିଛି ଥଇଥାନ ବ୍ୟବସ୍ଥାର ପ୍ରତିଶ୍ରୁତି ମିଳିଛି ଯାହା । ଆଜି ହେବ କାଲି ହେବ କହି କହି ହାଇ କମାଣ୍ଡ ଦିନ ଗଡେଇ ଚାଲିଛନ୍ତି । ଏହାଭିତରେ ସବୁ ଦୁହାଁଳିଆ ନିଗମକୁ ଛାମୁଙ୍କ ପାଖଲୋକ ମାଡି ବସିଲେଣି । ଛାମୁ କହୁଛନ୍ତି , ଆଗାମୀ ନିର୍ଵାଚନ ପାଇଁ ଏବେଠୁ ଲୋକ ସମ୍ପର୍କରେ ରୁହ ।ଲୋକ ମାନଙ୍କ ସୁଖ ଦୁଃଖରେ ଭାଗ ନିଅ । ସବୁବେଳେ ନିଉଜରେ ରୁହ । ଲୋକ ମାନଙ୍କ ଆଖିରେ କି କାନରେ ଯେମିତି ତୁମ ନାଁ ନିୟମିତ ପଡୁଥିବ । କିନ୍ତୁ ଛାମୁ କଣ ଜାଣନ୍ତି ଏସବୁ ପାଇଁ ମାଲ୍ ପାଣି ଦରକାର ପଡେ ! ନିଉଜରେ ରହିବାକୁ ହେଲେ ନିଉଜ ଵାଲାଙ୍କୁ ଭୋଜି ଭାତ ଦେବାକୁ ପଡେ ! ଗଲା ନିର୍ବାଚନରେ ପାଣି ଭଳି ସବୁ ଧନ ଉଡେଇଦେଲେ । ଭାବିଥିଲେ ଜିତିଗଲେ ବର୍ଷେ ଭିତରେ ଡବଲ କମେଇଦେବେ । ସେପଟେ ଘରଣୀଙ୍କ ଫର୍ମାଇସ୍ ଯେମିତି ହେଉ ସରକାରୀ ଗାଡିଟିଏ ଘର ଆଗରେ ଥୁଆ ହେବା ଦରକାର । କୋଉ ଗୋଟାଏ ନିଗମ ଚେୟାରମ୍ୟାନ ପଦ ମିଳୁ ପଛେ ଉପୁରି ସାଙ୍ଗକୁ ବର୍ଷରେ ଅନ୍ତତଃ ଥରେ ବିଦେଶ ଗସ୍ତ ବ୍ୟବସ୍ଥା ଥିବା ଚାହି ।

ସେ ସବୁ ଚିନ୍ତାଠୁ ଘର ଆଗରେ ସକାଳୁ ସକାଳୁ ଏ ମାଗିଖିଆଙ୍କ ଭିଡ଼ ଚିନ୍ତା ତାଙ୍କୁ ଏବେ ବେଶି ଘାରିଲାଣି । କେମିତି ଏଥିରୁ ମୁକ୍ତି ମିଳିବ କେଜାଣି ?

ଆଜି ସକାଳେ ଖବର କାଗଜରେ ଦେଖିଲେ ଦେଶର ବଡ଼ ବଡ଼ ନେତା ଅଭିନେତାମାନଙ୍କୁ ଏବେ କରୋନା । ଚାରିଆଡେ ଚର୍ଚ୍ଚା । ତାଙ୍କ ପାଇଁ ସବୁଠି ଦୀପ ଦାନ, ପୂଜାର୍ଚ୍ଚନା ଓ ଗ୍ରହ ଶାନ୍ତି ଯଜ୍ଞର ଆୟୋଜନ ଚାଲିଛି । ବୀରବର ବାବୁଙ୍କ ମୁହଁରେ ଏକ ଅଦ୍ଭୁତ ଚମକ ଆସିଗଲା । ଭାବିଲେ ଏଇଟା ସଠିକ ସମୟ । ସାପ ମରିବ ବାଡ଼ି ଭାଙ୍ଗିବ ନାହିଁ । ଏହି ସମୟରେ ଯଦି ହାଇଲାଇଟେଡ୍ ନ ହୋଇପାରିଲି ଜାଣିବ ଆଉ ଏ ଜନ୍ମରେ ନୁହେଁ । ଭାବି ଭାବି ବୀରବର ବାବୁ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କଲେ । ଭଲ ଖାସି ମାଉଁସ ସାଙ୍ଗକୁ ଭଲ ଦାମୀ ପାନୀୟ ଓ ଗିଫ୍ଟ ପ୍ୟାକେଟ ବି ବରାଦ ଦେଇ ରଖିଲେ । ସନ୍ଧ୍ୟାରେ ସାମ୍ବାଦିକମାନଙ୍କୁ କହିଲେ , “ମୋ ଦେହରେ କରୋନା ଲକ୍ଷଣ ଦେଖା ଦେଲାଣି । ମୁଁ ଆସନ୍ତା କାଲିଠାରୁ କ୍ବାରାଣ୍ଟାଇନରେ ରହିବି । ଗତ ଦଶ ବାର ଦିନ ଭିତରେ ଯେଉଁମାନେ ମୋ ପାଖକୁ କାମ ପାଇଁ ଆସିଥିଲେ ସେମାନଙ୍କୁ ଅନୁରୋଧ ସେମାନେ କାଲି ଯାଇ କରୋନା ଟେଷ୍ଟ କରେଇନିଅନ୍ତୁ । ମୋ ପାଖକୁ ଆଉ ଏବେ କେହି ନ ଆସନ୍ତୁ ।”

ତା ପରଦିନ ସବୁ ଖବରକାଗଜରେ ବାହାରିଲା ବିରବର ବାବୁଙ୍କୁ କରୋନା । ଟିଭି ନିଉଜରେ କିଛି ସମୟ ସ୍କର୍ଲ୍ ରେ ଚାଲିଲା ପରେ ହେଡଲାଇନରେ ଆସିଗଲା ବିଶିଷ୍ଟ ରାଜନୈତିକ ନେତା ବୀରବର ଦାସ କରୋନାରେ ଆକ୍ରାନ୍ତ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେ ନିଜ ଆଡୁ କରୋନା ଟେଷ୍ଟ କରିବା ପାଇଁ ଅନୁରୋଧ କରିଛନ୍ତି । ଚାହୁଁ ଚାହୁଁ ବୀରବର ବାବୁଙ୍କ ନିର୍ବାଚନ ମଣ୍ଡଳୀରେ ଏ ଖବର ନିଆଁ ଭଳି ବ୍ୟାପିଗଲା । ଯେଉଁମାନେ ସାହାଯ୍ୟ ପାଇବା ଆଶାରେ ତାଙ୍କ ଘର ଆଗରେ ଭିଡ଼ କରୁଥିଲେ ସେମାନେ ଏବେ ମହା ଚିନ୍ତାରେ । ସାହାଯ୍ୟ ତ ଟଙ୍କାଟିଏ ମିଳିଲା ନାହିଁ କିନ୍ତୁ ନେତାଙ୍କ ଠାରୁ ମାଗଣାରେ କରୋନା ମିଳିଲା !

ଯେଉଁମାନେ ବୀରବର ବାବୁଙ୍କ ଠାରୁ ସାହାଯ୍ୟ ନ ପାଇ ତାଙ୍କ ବିରୁଦ୍ଧରେ ଗପୁଥିଲେ ସେମାନେ ପୁଲିସ ଦ୍ୱାରା ଜବରଦସ୍ତ ସଙ୍ଗରୋଧ କେନ୍ଦ୍ରକୁ ଟଣା ହେବା ଭୟରେ ଅଣ୍ଡରଗ୍ରାଉଣ୍ଡ ହେଲେ । ଏପଟେ ବୀରବର ବାବୁ ନିଜ ଆଡୁ ଯୋଗାଡ଼ କରିଥିବା ବଡ଼ ଘରୋଇ ମେଡିକାଲର ଭିଆଇପି ରୁମରେ ଆରାମ କରୁଥିଲେ । ଯେବେଠୁ ବୀରବର ବାବୁ ହସ୍ପିଟାଲରେ ରହିଲେଣି ତା’ ପରଠୁ ତାଙ୍କର ଟେଷ୍ଟ ରିପୋର୍ଟ ବିଷୟରେ ଆଉ କିଛି ଖବର ନାହିଁ । ଖାଲି ପ୍ରତିଦିନ ଏତିକି ଖବର ମିଳୁଛି ତାଙ୍କ ଅବସ୍ଥା ସ୍ଥିର ଅଛି । ଅମୁକ ଅମୁକ ମନ୍ଦିରରେ ତାଙ୍କ ନାଁରେ ଆଜି ଦୀପଦାନ ହେଲା । ତାଙ୍କ ଆଶୁ ଆରୋଗ୍ୟ କାମନା କରି କେଉଁ ବିଶିଷ୍ଟ ଲୋକ ବାର୍ତ୍ତା ଦେଲେ ଇତ୍ୟାଦି ଇତ୍ୟାଦି ।

ଦୁଇଦିନ ଯାଇଛି କି ନାହିଁ ତାଙ୍କ ଖାସ୍ ଚେଲା ଗୋବର୍ଦ୍ଧନ ଓରଫ ଗୋବରା ଫୋନ କଲା । କହିଲା ,”ସାର୍ ସବୁ ବେଙ୍ଗା ହୋଇଗଲା । ଏପଟେ ଗାଁରେ ନିଆଁ ଲାଗିଗଲାଣି । ଲୋକଙ୍କ କଥା ଆଉ କାନରେ ଶୁଣିହଉନି । ଭାରି ଅପବାଦ ହେଲାଣି ଆପଣଙ୍କ । ବୀରବର ବାବୁ ଯେମିତି ଆକାଶରୁ ଗଳିପଡିଲେ ! ଏତେ ଖର୍ଚ୍ଚ କରି ଆୟୋଜନ କରିଥିଲି ସବୁ ଜଣା ପଡିଗଲା କି? ପଚାରିଲେ , କଣ ହେଲା ?

ଗୋବରା କହିଲା ” କଣ ଆଉ କହିବି ଆଜ୍ଞା । କହିବାକୁ ଖରାପ ଲାଗୁଛି । ଗାଁ ଟା ଯାକ ଟୁପୁର ଟାପୁର ହେଇ ଆପଣଙ୍କ ମଜା ଉଡ଼ଉଛନ୍ତି । ବିରୋଧୀ ଵାଲା ବି ନିଆଁରେ ଘିଅ ଢାଳିଲା ପରି କଥାକୁ ଲଙ୍କା ଲୁଣ ଦେଇ ଆହୁରି ରସ ରସିଆ କରୁଛନ୍ତି ।” ବିରବର ବାବୁ ଧୈର୍ଯ୍ୟହରା ହୋଇଗଲେ । ବ୍ୟସ୍ତ ହୋଇ ପଚାରିଲେ, ‘ଆରେ କଣ ହେଇଛି ସିଧା ସିଧା କହୁନୁ । ଏତେ ବୁଲଉଛୁ କଣ ପାଇଁ, ଶୀଘ୍ର କହ ।”

ଗୋବରା ଛେପ ଢ଼ୋକି କହିଲା – ‘ ଆଜ୍ଞା କଥା କଣ କି, ଆପଣଙ୍କୁ କରୋନା ହେଇଛି ଶୁଣି ସମସ୍ତେ ମନ ଦୁଃଖ କରୁଥିଲେ । ଆପଣଙ୍କ ପ୍ରତି ସମସ୍ତଙ୍କ ସମବେଦନା ବଢ଼ୁଥିଲା । ଅଭାବୀ ଲୋକ କହିଲେ ପାଣି ପିଇ ଉପାସରେ ରହିଯିବେ ପଛେ ଆଉ ଆପଣଙ୍କ ଦୁଆର ମାଡିବେନି । ଆପଣଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଦେଖି ବିରୋଧୀ ଵାଲାଙ୍କ ଦେହରେ ଲାଲ୍ ମିର୍ଚି ଲାଗିଗଲା କି କଣ ଆପଣଙ୍କ ନାଁରେ ବଡ଼ ଆଜେ ବାଜେ ଗୁଲି ଗପ ଆରମ୍ଭ ହୋଇ ଯାଇଛି ।” ବୀରବର ବାବୁଙ୍କ ରକ୍ତଚାପ ଏବେ ଚରମ ସୀମାରେ ପହଁଞ୍ଚିଲାଣି । ସେପଟୁ ଫୋନରେ ଚିଲେଇଲେ,” ଆବେ କଣ କହୁଛନ୍ତି ଶୀଘ୍ର କହ । ଆଉ ମୋ ମୁଣ୍ଡ ଖାଆନି । ଶୀଘ୍ର କହବେ । ”

ଗୋବରା କହିଲା “ସାର ସେମାନେ କହୁଛନ୍ତି ଆପଣଙ୍କ କରୋନା ଖବର ପରେ ଆପଣଙ୍କ ଘର ଲୋକ ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଥିଲା । ମ୍ୟାଡାମଙ୍କୁ ମିଶେଇ ସମସ୍ତଙ୍କର ନେଗେଟିଭ ଆସିଛି । ବିରୋଧୀଵାଲା କହୁଛନ୍ତି କାଳେ ଆପଣ ଓ ମ୍ୟାଡାମଙ୍କ ଭିତରେ ଆଉ କୌଣସି ସମ୍ପର୍କ ନାହିଁ । ଆପଣ ମ୍ୟାଡାମଙ୍କ ସହ ନରହି ଆଉ କେଉଁଠି ପରକୀୟାରେ ମାତିଛନ୍ତି । ଏଥିପାଇଁ ଆପଣ ଓ ମ୍ୟାଡାମଙ୍କ ଭିତରେ ପଡୁନି । ଆପଣ ଓ ମ୍ୟାଡାମ କାଳେ ଏବେ ଅଲଗା । ନହେଲେ ଆପଣଙ୍କୁ କରୋନା ପଜିଟିଭ ହେଲେ ମ୍ୟାଡାମଙ୍କୁ କରୋନା ନେଗେଟିଭ କେମିତି?

ଘରେ ମ୍ୟାଡାମ ଏସବୁ ଶୁଣି ତାଙ୍କ ଅବସ୍ଥା ଅସମ୍ଭାଳ । ଏ ବୟସରେ ଏତେ ଅପମାନ ? କି ରାଜନୀତିରେ ଆପଣ ପଶିଲେ ଶେଷରେ ମ୍ୟାଡାମ ଅପବାଦ ମୁଣ୍ଡେଇଲେ । କୋଉ ସ୍ତ୍ରୀ ଏକଥା ସହିବ ?

ବୀରବର ବାବୁଙ୍କ ମୁଣ୍ଡ ଘୁରିଗଲା । ମଣିଷ ଆଚ୍ଛା କରୋନା ସାହାରା ନେଇ ଭିକମଗାମାନଙ୍କ ଠାରୁ ନିସ୍ତାର ପାଇଲା ବେଳକୁ ଆଉ ଗୋଟେ ପଟରୁ କୀଳା ନେଲାଣି । କଣ କରିବେ ଏବେ । ଶଃ ମିଛ କରୋନା ପଜିଟିଭ ଏବେ ବୁମେରାଂ ହୋଇଗଲା ! କଣ କରାଯିବ ଏବେ? ଉପାୟ କଣ ?

ସେପଟୁ ଗୋବରା ପୁଣି ଆରମ୍ଭ କଲା, ” ସାର୍ ଗୋଟେ କଥା କହିବି ? ଯଦି ମ୍ୟାଡାମଙ୍କ ଟେଷ୍ଟକୁ ନେଗେଟିଭରୁ ପଜିଟିଭ କରାଯାଇପାରନ୍ତା ବିରୋଧୀ ବାଲାଙ୍କ ମୁହଁରେ ଥାପଡ଼ ଲାଗିଲା ଭଳି କଥା ହୁଅନ୍ତା । ଆପଣ ଟିକେ ମ୍ୟାଡାମଙ୍କୁ ବୁଝେଇଲେ ହେଲା । କରୋନାରେ ତ କିଛି ଅପେରସନ ଭଳି କଟା ଫୋଡ଼ା ହେଉନି କି କୋଉ ପିତା ଔଷଧ କି ମୋଟା ଛୁଞ୍ଚି ଫୋଡା ହଉନି । ଖାଲି ରୁମରେ ବସି ଟିଭି ଦେଖି ସମୟ କାଟିବା କଥା । ରାମଚନ୍ଦ୍ରଙ୍କ ସତ୍ୟ ରକ୍ଷା ପାଇଁ ସୀତା ଚଉଦ ବର୍ଷ ପୁଣି ତାଙ୍କ ସହ ବଣରେ ରହିଲେ ନା ନାହିଁ ? ଆଉ ମ୍ୟାଡାମ ଆପଣଙ୍କ ପାଇଁ ଚଉଦ ଦିନ କ୍ଵାରେଣ୍ଟାଇଁନ୍ ରେ ରହିପାରିବେ ନାହିଁ ? ଆପଣ ଟିକେ ମ୍ୟାଡାମଙ୍କୁ ବୁଝାନ୍ତୁ । ନଚେତ ଏ ଲୋକମାନଙ୍କୁ ବୁଝେଇବା ଭାରି କଷ୍ଟ । ଭଲ ଲୋକଙ୍କ ଘରେ ନିଆଁ ଲଗେଇଦେବେ ।

ସାଧାରଣ ଧୋବା ସ୍ତ୍ରୀର କଥା ଶୁଣି ରାମଚନ୍ଦ୍ର ମାତା ସୀତାଙ୍କୁ ଅଗ୍ନିପରୀକ୍ଷା ଦେବାକୁ କହି ଥିଲେ ଟି ?ଖାସ୍ ସ୍ୱାମୀଙ୍କ ଇଜ୍ଜତକୁ ଜଗି ମାତା ଜଳନ୍ତା ନିଆଁରେ ବସିଥିଲେ ଆଉ ଆପଣଙ୍କ ଇଜ୍ଜତ ପାଇଁ ମ୍ୟାଡାମ ଚଉଦ ଦିନ ଟିକେ କଷ୍ଟ କରିପାରିବେନି ? ଆପଣ ମ୍ୟାଡାମଙ୍କ ସହ କଥା ହୁଅନ୍ତୁ ଆଜ୍ଞା। ଯେତେହେଲେ ସେ ଲୋକମାନେ ଆପଣଙ୍କ ଭୋଟର । ଚଳନ୍ତା ବ୍ୟାଲଟ ପେପର । ସେମାନଙ୍କ ଆଖିରେ ଇଜ୍ଜତ ଗଲା ମାନେ ସବୁ ଗଲା । ସହଜେ ତ ଏବେ ଗାଁ ଗାଁ ରେ ଯେଉଁ ବେକାରୀ ଆଵସ୍ଥା । ସକାଳୁ ଉଠିଲେ ଲୋକ ନେତାଙ୍କ ଚଉଦ ପୁରୁଷ ଉଝାଳୁଛନ୍ତି । ସେଥିପାଇଁ ସବୁ ବଡ ବଡ ନେତା ଏବେ ନିଜ ଆଡୁ ଟୁଇଟ କରି ତାଙ୍କୁ କରୋନା ହେଇଛି ବୋଲି କହୁଛନ୍ତି । କିଛି ନହେଲେ ଦିନ ତମାମ ତାଙ୍କ ପାଖରେ ଏ ଭିକମଗା କାଙ୍ଗାଳ ଗୁଡା ଆଉ ଭିଡ଼ କରିବେନି । ଲୋକଙ୍କୁ ଡାକିଲେ ବି କେହି ପାଖକୁ ଆସିବେନି । ମଞ୍ଚରୁ ପଡି ମାମୁଁ ମଲା ଭଳି ଏବେ କରୋନା ନାଁ ରେ ସବୁ ନେତା ଅନ୍ତତଃ ମାସେ ଦି ମାସ ଶାନ୍ତିରେ ରହୁଛନ୍ତି ।”

ଗୋବରା ଯେତିକି ଯେତିକି ଉପରକୁ ଚଢୁଛି ସେହି ଅନୁପାତରେ ବୀରବର ବାବୁଙ୍କ ଚିନ୍ତା ବି ବଢ଼ୁଛି । ସେ ଜାଣନ୍ତି ସବୁ ଠିକ ଯେ ହେଲେ ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ? ସେ ଭଲ ଭାବେ ଜାଣନ୍ତି ତାଙ୍କ ଘରଣୀଙ୍କ ସ୍ଵଭାବ । କରୋନା ପାଇଁ ଚଉଦ ଦିନ ଶୁଖିଲାଟାରେ କ୍ୱାରାଣ୍ଟଇଁନ୍ ହସ୍ପିଟାଲ ରେ ରହିବା କଥା କହିଲେ ଝାଡୁରେ ପିଟିବେ । କେମିତି ବୁଝେଇବେ କିଛି ମୁଣ୍ଡକୁ ଶୁଝୁନଥିଲା ।

ବହୁତ ଭାବି ଭାବି ଛେପ ଢ଼ୋକି ଘରଣୀଙ୍କୁ ଫୋନ କରି ସବୁ କହିଲେ । ସେପଟୁ ଘରଣୀ ତାଙ୍କୁ ରୋକ୍ ଠୋକ୍ ଶୁଣେଇଦେଲେ । କରୋନା କଥା ଶୁଣିଲେ ତାଙ୍କ କିଟି ପାର୍ଟି ସାଙ୍ଗ ମାନେ କେହିବି ପାଖ ମାଡିବେନି । ତାଙ୍କ ମହିଳା ସମିତି ତରଫରୁ ଗରିବ ବସ୍ତି ଲୋକଙ୍କ ପାଇଁ ଚାଉଳ ଡାଲି ବଣ୍ଟନ କରିବା ଯୋଜନା ହୋଇଛି । ହାତରେ ଗ୍ଲୋବସ୍ ମୁହଁରେ ମାସ୍କ ଦେହରେ ପିପିଟି କୀଟ ପିନ୍ଧି ଦଶ ଫୁଟ ଦୂରରୁ ବସ୍ତି ବାଲାଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିବେ । ତୁମ ପାଇଁ ସବୁ ମନ୍ଦିର,ମସଜିଦ ଓ ଗୀର୍ଜାରେ ପାର୍ଥନା ସଭା କରଉଛି । ଦୁଇ ତିନି ଜଣ ତୁମ କରୋନା ଖବର ଶୁଣି ଆତ୍ମହତ୍ୟା ଯୋଜନାରେ ଦେହରେ ନିଆଁ ଲଗେଇବାକୁ ବରାଦ ଦିଆ ସରିଲାଣି । ଗୁଡାଏ କରୋନା କାର୍ଯ୍ୟକ୍ରମ ହାତକୁ ନେଇଛି । ତୁମେ ଚଉଦ ଦିନ ନୁହେଁ ଚଉଦ ମାସ କ୍ଵରେଣ୍ଟଇଁନରେ ରୁହ ।କିଛି ପରବାୟ ନାହିଁ । ମୁଁ ତୁମ ପାଇଁ ସମବେଦନା କାର୍ଯ୍ୟକ୍ରମ ଏପଟେ ଚାଲୁ ରଖିଥିବି । ଟିଭି ଆଉ ଖବରକାଗଜ ବାଲା ଏହାକୁ କଭର କରିବେ ବୋଲି ସେମାନଙ୍କ ସହ କଥାବାର୍ତ୍ତା ସରିଛି ।

ତୁମ ପାର୍ଟିରୁ କାଲି ଫୋନ କରିଥିଲେ । ମୋର ଏସବୁ କାର୍ଯ୍ୟକ୍ରମକୁ କାଳେ ଅଧିକ ଲୋକ ପସନ୍ଦ କରୁଛନ୍ତି । ସେମାନେ ଚିନ୍ତା କରୁଛନ୍ତି ଆସନ୍ତା ନିର୍ବାଚନରେ ତୁମ ବଦଳରେ ମୋତେ ଟିକଟ ଦେବେ । ତେଣୁ ଏ ସମୟରେ ମୁଁ କ୍ଵରେଣ୍ଟଇଁନ୍ ରେ ଯିବା କଥା ଛାଡ । ତୁମେ କେମିତି ଆଉ ଚାରି ପାଞ୍ଚ ମାସ ହସ୍ପିଟାଲରେ ରହିବ ସେ ବିଷୟ ଚିନ୍ତା କର । ହେଇଟି କହିଦେଉଛି ଯଦି ତୁମେ ମୋ କଥା ନ ମାନି ଆଗୁଆ ହସ୍ପିଟାଲରୁ ଆସିବ ତେବେ କରୋନା ହସ୍ପିଟାଲ ରୁ ସିଧା ଅର୍ଥପେଡିକ ହସ୍ପିଟାଲ ଯିବ । ମୁଁ ଏବେ ସେ ସଙ୍ଗରୋଧ ଗୁହାଳରେ ରହିପାରିବି ନାହିଁ । ତୁମ କଥା ତୁମେ ବୁଝ । ତୁମେ ଆଗକୁ ନିର୍ବାଚନରେ ଟିକଟ ନପାଇଲେ ବି ମୋ ଟିକଟ ଥୁଆ ।”

ବିରବର ବାବୁଙ୍କୁ ଲାଗୁଥିଲା ଏ କରୋନା ସଙ୍ଗରୋଧକୁ ଯେତିକି ସୁଖକର ଭାବୁଥିଲେ ସେତିକି ନୁହେଁ ଏ କୀଳାରେ କଷ୍ଟ ଅଧିକ । ନେଇ ଆଣି ଥୋଇ ପାରିଲେ ଏ କ୍ୱାରାଣ୍ଟଇଁନ୍ ବେପାର ଭଲ । ନହେଲେ ଏ ଓଲଟ କୀଳା ଭାରି ଯନ୍ତ୍ରଣା ଦାୟକ ।

ବନମାଳୀ ଭବନ
ଖାନ ନଗର , କଟକ

Leave A Reply

Your email address will not be published.