ମୂଳ ବଙ୍ଗଳା : ଜୟ ଗୋସ୍ୱାମୀ
ଅନୁବାଦ : ସରଳ କୁମାର ଦାସ
ତତେ ରଖିବାକୁ ହେବ ଶତକଡା ନବେରୁ ବେଶି
ତତେ ହେବାକୁ ହିଁ ହେବ କେବଳ ପ୍ରଥମ
ତା’ ବଦଳରେ ମାତ୍ର ପଞ୍ଚାଅଶି !
ପାଞ୍ଚ ନମ୍ୱର କମିଲା କାହିଁକି ? କାହିଁକି କମ ?
ଏଇଥିପାଇଁ ମୁଁ ପ୍ରତିଦିନ ଝାଳନାଳ ହେଇ ଖଟୁଛି ?
ଏଇଥିପାଇଁ ତୋ’ ମାଆ ବଡି ଭୋରରୁ ଉଠି ନିତ୍ୟକର୍ମ ସାରି
ପିଲାଟି ଦିନରୁ ତତେ ସ୍କୁଲ ଛାଡିବାକୁ ଯାଉଛି ?
ଏଇଥିପାଇଁ କ’ଣ କି ମୁଣ୍ଡଫଟା ଖରା କି ପେଚପେଚିଆ ବର୍ଷାରେ
ସାରା ଦିନ ବସି ରହିଥାଏ ଘର ବାରଣ୍ଡାରେ କିମ୍ୱା ପାର୍କର ବେଞ୍ଚରେ ?
ତା’ପରେ ଛୁଟି ହେଲେ, ଭିଡ ଏଡାଇବାକୁ ମିନିବସ ଛାଡି
ଅଟୋବାଲାଙ୍କ ଜୁଲୁମ ସହି
ଘରକୁ ଆସି, ଧଇଁସଇଁ ନ ହୋଇ, ପୁଣି ତୋର ପଢା ପାଖରେ
ବସି ରହେ, ମୁଁ ଘରକୁ ଫେରି ତୋ’ ହୋମ ଟାସ୍କ
ନ ଦେଖିବା ଯାଏଁ, ତା’ପରେ କାନିରେ ମୁହଁ ପୋଛି
ଢୋଳାଇ ଢୋଳାଇ ଅବରୁଦ୍ଧ ରୋଷେଇ ଘର ଭିତରେ ?
ଏଇଥିପାଇଁ ? ଏଇଥିପାଇଁ ହାଡଭଙ୍ଗା ଓଭରଟାଇମ କରି
ତୋ’ ଲାଗି ଆଣ୍ଟି ରଖିଥିଲି ?
ମୋଟା ଦରମା, ଭଦ୍ରତା ଖାତିରରେ ଚା’-ଜଳଖିଆ
ସପ୍ତାହରେ ତିନି ଦିନ, ସେଥିରେ କେତେ ଖର୍ଚ୍ଚ ହୁଏ ରେ ରାସ୍କେଲ ?
ବୁଦ୍ଧି ଅଛି ହିସାବ କରିବାର ?
ଖାଲି ପିଲା ଦିନେ ନୁହେଁ, ଏବେ ଯେଉଁ ଟିଉଟୋରିଆଲକୁ
ପଠାଇଛି, ଜାଣିନୁ, କେତେ ଖର୍ଚ୍ଚ ଲାଗେ ସେଠି ?
ସେଠି ଥରେ ଭର୍ତ୍ତି ହେଲେ ସମସ୍ତେ ପ୍ରଥମ ହୁଅନ୍ତି । ପ୍ରଥମ, ପ୍ରଥମ !
କାହାରି ଚାରା ନାହିଁ ଦ୍ୱିତୀୟ ହେବାର ।
ରୋଜ ଯେଉଁ ଯାଉଛୁ, ଦେଖୁନୁ ଦେଖୁନୁ କେତେ ସବୁ ବଡ ବଡ
ଘର ଓ ସାହିକୁ
କେତେ ସବୁ ଗାଡି ଆସେ, କେତେ ବଡ ଗାଡି କରି
ମାଆ-ବାପାମାନେ ପୁଅଝିଅମାନଙ୍କୁ ଆଣିବାକୁ ଯାଆନ୍ତି ?
ଆଉ ଏଇ ଗାଡି ପାଖରେ, ପାଖରେ ନୁହେଁ ପଛରେ –
ଏଇ ଅନ୍ଧାରଟାରେ
ପ୍ରତିଦିନ ଠିଆ ହୋଇଥିବା ଦେଖିନୁ ତୋ ବାପାକୁ ?
ହାତରେ ଅଫିସ ବ୍ୟାଗ, ଗୋପନ ଟିଫିନ ବାକ୍ସ, ଝାଳଭିଜା ଜାମା, କ୍ଳାନ୍ତ ମୁହଁ,
ଦେଖିବାକୁ ପାଉନା ? ମନ କେଉଁଠି ଥାଏ ?
ଏଇ ଝିଅମାନଙ୍କ ପାଖରେ ? ଯେଉଁମାନେ ତୋ’ ସହିତ ପଢିବାକୁ ଆସନ୍ତି ?
ସେମାନେ ତୋତେ ପତ୍ତା ଦେବେ ? ଭୁଲରେ ବି ଭାବ ନା !
ସେମାନେ କେତେ ବଡ ଲୋକ !
ତୋତେ ପତ୍ତା ପାଇବାକୁ ହେଲେ ରହିବାକୁ ହେବ ବିଦେଶରେ, ଫରେନରେ
ଏନ ଆର ଆଇ ହେବାକୁ ହେବ ! ଏନ ଆର ଆଇ, ଏନ ଆର ଆଇ !
ତା’ହେଲେ ଯାଇ ମ୍ୟାଜିକ ଦେଖିବୁ
କବିସାହିତ୍ୟିକଙ୍କଠାରୁ ମନ୍ତ୍ରୀ ଅମଲା ଥରକେ ଚିହ୍ନିବେ
ଆମକୁ ବି ନେଇ ଯିବୁ, ତୋ’ ମାଆକୁ, ମୋତେ
ମଝିରେ ମଝିରେ ରଖିବୁ ନିଜ ପାଖରେ ଆଣି
ସେଥିପାଇଁ ପ୍ରଥମ ହେବା ଦରକାର ପ୍ରଥମେ
ତା’ହେଲେ ହିଁ ଫଟୋ ଛାପିବ ଖବରକାଗଜ
ଆଉ ଦରଜା ଖୋଲିଯିବ, ଆଉ ପାଞ୍ଚ ଆଉ ପାଞ୍ଚ
ଆଉ ଆଉ ପାଞ୍ଚ
ପାଞ୍ଚ ପାଞ୍ଚ ହେଇ ହିଁ ବଢିବ, ଅନ୍ୟ ଆଡେ ମନ ଦେ ନା,
ବଞ୍ଚିବୁ ତ ବଞ୍ଚିବା ଭଳି ବଞ୍ଚ !
ନା ବାପି ନା, ନା ନା ବାପି, ମୁଁ ମନ ଦିଏନି ଅନ୍ୟ କେଉଁଆଡେ
ନା ବାପି ନା, ନା ନା ମୁଁ ଅନାଏ ନାହିଁ ଝିଅମାନଙ୍କ ଆଡେ
ସେମାନେ ତ ପାଖରେ ବସନ୍ତି, କେମିତି ବାସ୍ନା ଆସେ, କଥା ହୁଅନ୍ତି, ନା ନା ବାପି ପଢା କଥା ହିଁ
ଅନାଏନି, ଉତ୍ତର ଦିଏ, ନୋଟ ଦିଏ, ନୋଟ ନିଏ
ଯିବା ଆସିବା ରାସ୍ତାରେ
କେତେ ପୁଅ କେତେ ଝିଅ ଗପ ହେଉଥା’ନ୍ତି
ନା ବାପି ନା, ମୁଁ ଝିଅମାନଙ୍କ ସାଙ୍ଗରେ ମିଶିବାକୁ ଯାଏନି କେବେ ବି
ଗଲା ବେଳେ ଦେଖିବାକୁ ପାଏ କାଦୁଅ ସଡସଡ କେତେ ପିଲା ବଲ ଖେଳୁଥାଆନ୍ତି ପଡିଆରେ
କେତେ ସବୁ ଦୁଷ୍ଟ ପିଲା ଧରୁଥାଆନ୍ତି ପ୍ରଜାପତି ପାର୍କରେ
ଚକ ବା ବାଟି ଖେଳୁଥାଆନ୍ତି କେତେ ଗରିବ ପିଲା
ନା, ମୁଁ ଖେଳିବାକୁ ଯାଏନି କେବେ ବି
ଖେଳିବାକୁ ଯାଇନି । ନା ମୋର ସାଙ୍ଗ ନାହାନ୍ତି
ନା ବାପି ନା, ଜଣେ ଅଛି, ଅପୁ, ଏକା କ୍ଲାସରେ ପଢେ
ସେ କହେ ଯେ ତା’ ବାପା ବି କହିଛନ୍ତି ପ୍ରଥମ ହେବାକୁ
କହିଛନ୍ତି, କାଗଜରେ ଛବି, ତା’ର ବାପା, ତାକୁ …
ହଁ ବାପି ହଁ, ନା ନା ବାପି, ଅପୁ କହିଛି ତା’ ଦେଇ ପଢାପଢି ହେଉନି ଜମା
କହିଛି ସେ ଫେଲ ହେଇଯିବ, ଫେଲ ହେଲେ ସେ କହିଛି, ଘରେ କେଉଁଠି
ବାଥରୁମ ସଫା କରା ଆସିଡ ଅଛି ସେ ଜାଣେ,
ହଁ ବାପି ହଁ, ସେ କହିଛି,
ଛପା ହେବ କାଗଜର ପ୍ରଥମ ପୃଷ୍ଠାରେ ….
ମୋ. ୯୪୩୭୦୩୮୦୧୫
saral_das@yahoo.co.in
( ବଙ୍ଗଳା ଭାଷାର ସୁବିଖ୍ୟାତ କବି ଜୟ ଗୋସ୍ୱାମୀ । ୧୯୫୪ରେ କୋଲକାତା ସହରରେ ଜନ୍ମିତ ଜୟ ବର୍ତ୍ତମାନ ସମୟର ଜଣେ ଅତି ପ୍ରଭାବଶାଳୀ କବି ଭାବେ ବିବେଚିତ । ସାହିତ୍ୟ ଏକାଡେମି ପୁରସ୍କାର(୨୦୦୦)ରୁ ଆରମ୍ଭ କରି ମୂର୍ତ୍ତିଦେବୀ ପୁରସ୍କାର (୨୦୧୭) ପର୍ଯ୍ୟନ୍ତ ଅନେକ ପୁରସ୍କାରରେ ସେ ପୁରସ୍କୃତ । ତାଙ୍କ ବହୁ ଚର୍ଚ୍ଚିତ ‘ଟିଉଟୋରିଆଲ’ କବିତାର ଓଡ଼ିଆ ଅନୁବାଦ । )
Comments are closed.