ଆଇନା
ଚନ୍ଦ୍ରଶେଖର ମିଶ୍ର
ମୁଁ କାନ୍ଦିଲେ ତୁ ବି ତ କାନ୍ଦୁ
ମୁଁ ହସିଲେ ତୁ ହସୁ
ଏକା ତୁ ହିଁ ଚିହ୍ନିପାରୁ
ମରୁଦେହରେ ହସ ହେଇ
ଫୁଲ ଫୁଟିବାର ମୁହୂର୍ତ୍ତ ସବୁକୁ
ଛାତିତଳେ କୋହର ଉଦ୍ଗିରଣକୁ
ଚାପି ରଖିବାର ଅସହାୟପଣକୁ,
ମାପିପାରୁ ଧାପେ ହସର ଗଭୀରତା
ଆଉ ଦି ଧାର ଅଶ୍ରୁର ଆର୍ଦ୍ରତା!
ଛଳନାର ଅମା ଆଲିଙ୍ଗନ ଭିତରେ
ସ୍ୱାର୍ଥାନ୍ଧମାନଙ୍କ ଭିଡରେ
ତୁ ଆଲୋକ ଦେଖାଉ
ସ୍ବପ୍ନର ନିରୁଦିଷ୍ଟ ପଥପ୍ରାନ୍ତରେ
ସବୁ ଅଥୟ ଅଧୀର ବେଳାରେ
ତୁ ସାଥି ହେଉ ଦିଗ ଦେଖାଉ,
ମୁଠାଏ ପୃଥିବୀକୁ ନିଜର
ନକରିପାରିବାର ଅପାରଗତାରେ
ଲଜ୍ଜାର କୋଉ ନିଭୃତ କୋଣରେ
ଯେତେବେଳେ ମୁଁ ଲୁଚେ
ମୁହଁ ମାଡି ପଡେ
ତୋତେ ଖୋଜେ ତୋତେ ଦେଖେ
ତୋ ଭିତରେ ନିଜକୁ ଖୋଜେ
ସାମ୍ନାରେ ତୁ ପ୍ରତିବିଂବ ସାଜି
ମୋତେ ମୋ ପରିଚୟ ଦେଉ!
ସମୟର କୁଠାରାଘାତରେ
ଯେତେବେଳେ ମୁଁ ଖଣ୍ଡ ଖଣ୍ଡ ହୋଇ
ଏଣେତେଣେ ବିଞ୍ଚେଇ ହୋଇ ପଡେ,
ତୋରି ନିଷ୍ପ୍ରାଣ ସତ୍ତାକୁ ଚାହିଁ
ନିଜକୁ ଚିହ୍ନେ
ନିଜକୁ ପାଏ
ମୋର ସମଗ୍ର ଅସ୍ତିତ୍ଵକୁ
ପୁଣି ଥରେ ସାଉଁଟେ!
………..
ନୟାପଲ୍ଲୀ, ଭୁବନେଶ୍ୱର
Comments are closed.